Unknown

 

 

 

 

 

 

 

 

 

 

ଆଇଭାନ୍‍ ହୋ

ସାର୍‍ ୱାଲଟର୍ ସ୍କଟ୍‍

ଅନୁବାଦ

ଅଧ୍ୟାପକ ଶ୍ରୀଧର ଦାସ

 

ଆଇଭାନ ହୋ

ସେକାଳର କଥା

 

ଅତି ପୂର୍ବକାଳରେ ଇଂଲଣ୍ଡରେ ସାକ୍ସନ ଜାତିର ଲୋକେ ବାସ କରୁଥିଲେ । ୧୧୬୬ ଶ୍ରୀଷ୍ଟାବ୍ଦରେ ଫ୍ରାନ୍ସର ନର୍ମାନ୍‍ମାନେ ରାଜା ଉଇଲିଅମ୍‍ଙ୍କ ନେତୃତ୍ଵରେ ଇଂଲଣ୍ତ ଆକ୍ରମଣ କରି ହେଷ୍ଟିଙ୍ଗସ୍ ଯୁଦ୍ଧରେ ସାକ୍‍ସନମାନଙ୍କୁ ପରାସ୍ତ କଲେ । ଉଇଲିଅମ୍ ଇଂଲଣ୍ଡର ରାଜସିଂହାସନ ଅଧିକାର କରି ତାଙ୍କର ନର୍ମାନ ଅନୁଚରମାନଙ୍କୁ ପ୍ରଚୁର ଜାୟଗିର ଦେଲେ । ସାକ୍‍ସନମାନେ ନିଜର ଭୂମିରୁ ବଞ୍ଚିତ ହେଲେ ଓ ସେମାନଙ୍କ ମଧ୍ୟରୁ ଅନେକ ନର୍ମାନ୍ ଜାଗିରଦାରମାନଙ୍କର ଦାସରୂପେ ଜୀବନ କଟାଇବାକୁ ବାଧ୍ୟ ହେଲେ । ସାକ୍‍ସନମାନଙ୍କୁ ଅତ୍ୟଧିକ କର ଦେବାକୁ ପଡ଼ିଲା-। ନର୍ମାନ୍‍ମାନଙ୍କର ଭାଷା ଓ ରୀତିନୀତି ସାକ୍‍ସନମାନଙ୍କ ଭାଷା ଓ ରୀତିନୀତି ଠାରୁ ପୃଥକ୍ ଥିଲା-। ବିଜେତା ନର୍ମାନ୍‍ମାନେ ଯେ କେବଳ ସାକ୍‍ସନମାନଙ୍କର ଧନ ଅପହରଣ କରୁଥିଲେ ତାହା ନୁହେଁ, ସେମାନଙ୍କ ଉପରେ ନିଜର ଭାଷା ଓ ସଂସ୍କୃତି ମଧ୍ୟ ଲଦି ଦେବାକୁ ଚେଷ୍ଟିତ ଥିଲେ । ଏହା ଫଳରେ ଇଂଲଣ୍ଡର ବିଜିତ ସାକ୍‍ସନ ଓ ବିଜେତା ନର୍ମାନ୍‍ମାନଙ୍କ ମଧ୍ୟରେ ପ୍ରବଳ ବିରୋଧ ଭାବ ଜନ୍ମିଥିଲା-

 

ନର୍ମାନ୍‍ମାନେ ବିପୁଳ ଧନର ଅଧିକାରୀ ହୋଇ ବିଳାସବ୍ୟସନରେ ମଜ୍ଜି ରହିଥିଲେ । ଶିକାର, ମଦ୍ୟପାନ ଓ ନାଇଟ୍‍ମାନଙ୍କ ମଧ୍ୟରେ ଅସ୍ତ୍ର–ପ୍ରତିଯୋଗିତା ପ୍ରଭୃତି ସେମାନଙ୍କର ଦୈନନ୍ଦିନ କାର୍ଯ୍ୟ ଥିଲା । ମାତ୍ର ଦରିଦ୍ର ସାକ୍‍ସନମାନଙ୍କର ଜୀବନ ଦୁଃଖମୟ ଥିଲା । କେହି କେହି ରାଜାଙ୍କର ଅତ୍ୟାଚାର ସହି ନ ପାରି ବନକୁ ପଳାୟନ କରୁଥିଲେ ଓ ନର୍ମାନ୍‍ମାନଙ୍କର ସମ୍ପତ୍ତି ଲୁଣ୍ଠନ କରି ଗୋପନରେ ସାକ୍‍ସନମାନଙ୍କୁ ସାହାଯ୍ୟ କରୁଥିଲେ ।

 

ସେ ସମୟରେ ନର୍ମାନ ଜମିଦାର ଓ ଜାୟଗିରଦାରମାନେ ଯେପରି କ୍ଷମତାଶାଳୀ ଥିଲେ, ଖ୍ରୀଷ୍ଟିଆନ ଧର୍ମ ମଣ୍ଡଳୀ ବା ଚର୍ଚ୍ଚ ମଧ୍ୟ ସେହିପରି କ୍ଷମତାଶାଳୀ ଥିଲା । ଏହାର ଅଧୀନରେ ବିପୁଳ ଭୂସମ୍ପତ୍ତି ଥିଲା । ଯେଉଁମାନେ ଏହି ମଣ୍ଡଳୀର ନେତା ଥିଲେ, ସେମାନେ ଧର୍ମଚର୍ଚ୍ଚା ପରିବର୍ତ୍ତେ ନାନା ବିଳାସରେ ରତ ଥିଲେ ଓ ଜନସାଧାରଣ ସେମାନଙ୍କଠାରୁ ଧର୍ମଭାବ ଶିକ୍ଷା କରିବାର କାରଣ ନ ଥିଲା । ସେମାନେ ଧର୍ମପୀଠର ଉଚ୍ଚପଦ ଅଧିକାର କରି ଅଧର୍ମ ଆଚରଣ କରିବାକୁ ଆଦୌ କୁଣ୍ଠିତ ନ ଥିଲେ ।

 

ଏ ଦୁଇଟି ଶ୍ରେଣୀ ଛଡ଼ା କେତେକ ଇହୁଦୀ ମଧ୍ୟ ଇଂଲଣ୍ଡରେ ବାସ କରୁଥିଲେ । ଏମାନେ ସାଧାରଣତଃ ଧନୀ ବ୍ୟବସାୟୀ ଥିଲେ । ମହାଜନୀ ବ୍ୟବସାୟଦ୍ଵାରା ସେମାନେ ପ୍ରଚୁର ଅର୍ଥ ଉପାର୍ଜନ କରୁଥିଲେ ।

 

ନର୍ମାନ୍‍ମାନଙ୍କର ଇଂଲଣ୍ଡ ଅଧିକାରର ପ୍ରାୟ ଶହେବର୍ଷ ପରେ ରିଚାର୍ଡ଼ ସିଂହାସନରେ ବସିଲେ । ସେ ୧୧୫୭ ଠାରୁ ୧୧୯୯ ଖ୍ରୀଷ୍ଟାଦ୍ଦ ପର୍ଯ୍ୟନ୍ତ ରାଜତ୍ୱ କରିଥିଲେ । ସେ ଜଣେ ସାହସୀ ପରାକ୍ରାନ୍ତ ବୀର ଥିବାରୁ ତାଙ୍କୁ ସିଂହ–ହୃଦୟ ରିଚାର୍ଡ଼ ଆଖ୍ୟା ଦିଆଯାଇଥିଲା । ଯୀଶୁଖ୍ରୀଷ୍ଟଙ୍କର ଜନ୍ମଭୂମି ପବିତ୍ର ପାଲେଷ୍ଟାଇନଙ୍କୁ ମୁସଲମାନମାନଙ୍କ କବଳରୁ ଉଦ୍ଧାର କରିବାଲାଗି ଇଉରୋପୀୟ ଖ୍ରୀଷ୍ଟିଆନ ରାଜାମାନେ ଯେଉଁ ଦୀର୍ଘ କାଳବ୍ୟାପୀ ଧର୍ମଯୁଦ୍ଧ ଚଳାଇଥିଲେ, ରାଜା ରିଚାର୍ଡ଼ ସେଥିରେ ନେତୃତ୍ୱ ନେଇଥିଲେ । ତାଙ୍କ ଅନୁପସ୍ଥିତିରେ ତାଙ୍କ ଭାଇ ଜନ୍ ଇଂଲଣ୍ଡର ରାଜକାର୍ଯ୍ୟ ପରିଚାଳନା କରୁଥିଲେ । ନର୍ମାନ ଜମିଦାର ବାରନ୍‍ମାନେ ଜନ୍‍ଙ୍କର ପ୍ରଧାନ ସହାୟକ ଥିଲେ । ରାଜା ରିଚାର୍ଡ଼ କିଛିକାଳ ପାଇଁ ଅଷ୍ଟ୍ରିୟାରେ ବନ୍ଦୀ ହୋଇଥିଲେ । ଏହି ସମୟରେ ଇଂଲଣ୍ଡର ଅନେକେ ମନେକରିଥିଲେ ଯେ ରିଚାର୍ଡ଼ ଆଉ ଇଂଲଣ୍ଡକୁ ଫେରିବେ ନାହିଁ । ଜନ୍ ମଧ୍ୟ ଆଜୀବନ ଇଂଲଣ୍ଡର ରାଜା ହୋଇ ରହିବେ ବୋଲି ଆଶା କରିଥିଲେ ।

 

ଇଂଲଣ୍ଡର ଅବସ୍ଥା ଏହିପରି ଥିବାବେଳେ ହଠାତ୍ ରିଚାର୍ଡ଼ କେତେକ ଅନୁଚରଙ୍କ ସହିତ ଇଂଲଣ୍ଡରେ ଆବିର୍ଭୂତ ହେଲେ । ଏହି ଅନୁଚରମାନଙ୍କ ମଧ୍ୟରୁ ଆଇଭାନହୋ ଅନ୍ୟତମ । ଆଇଭାନହୋ ସେଡ଼୍ରିକ ନାମକ ଜଣେ ସାକ୍‍ସନଙ୍କର ପୁତ୍ର । ରାଓଏନା ନାମକ ଜଣେ ସାକ୍‍ସନ୍ ରାଜକନ୍ୟା ସେଡ଼୍ରିକଙ୍କ ଅଭିଭାବକତ୍ଵରେ ବାସ କରୁଥିଲେ । ଏଥେଲଷ୍ଟେନ ନାମକ ଜଣେ ସାକ୍‍ସନ୍ ରାଜପୁତ୍ରଙ୍କ ସହିତ ରାଓଏନାଙ୍କର ବିବାହ ଦେବା ତାଙ୍କର ଇଚ୍ଛା ଥିଲା; କିନ୍ତୁ ଆଇଭାନହୋ ତାଙ୍କୁ ନିଜର ପ୍ରଣୟିନୀରୂପେ ପାଇବାକୁ ଚେଷ୍ଟିତ ଥିଲେ । ଏହାର ଫଳସ୍ୱରୂପ ସେଡ଼୍ରିକ ନିଜର ପୁତ୍ର ଆଇଭାନହୋଙ୍କୁ ପୈତୃକ ସମ୍ପତ୍ତିର ଉତ୍ତରାଧିକାରରୁ ବଞ୍ଚିତ କରିଥିଲେ । ଏହି ଆଇଭାନହୋ ହେଉଛନ୍ତି ଏହି ଗଳ୍ପର ନାୟକ ।

 

ସେଡ଼୍ରିକଙ୍କର ଦୁଇ ଭୃତ୍ୟ ଓ ପଥିକ

 

ସନ୍ଧ୍ୟା ହୋଇ ଆସିବାର ଦେଖି ସେଡ଼୍ରିକଙ୍କର ଦୁଇଜଣ ଭୃତ୍ୟ ଘୁଷୁରିପଲ ଏକତ୍ର କରି ଘରକୁ ଫେରିବାକୁ ଉଦ୍ୟତ ହେଲେ । ଉଭୟେ ସାକ୍‍ସନ ଜାତିର ଲୋକ ଓ ସେମାନଙ୍କର ପ୍ରଭୁ ମଧ୍ୟ ଜଣେ ସମ୍ଭ୍ରାନ୍ତ ସାକ୍‍ସନ । ଦୁହିଁଙ୍କ ମଧ୍ୟରୁ ଜଣକର ନାମ ଗୁର୍ଥ । ସେ ଦାସ ଭାବରେ କାର୍ଯ୍ୟ କରୁଥିଲା । ଅନ୍ୟ ଜଣକର ନାମ ଉଏମ୍ବା । ସେ ଥିଲା ଜଣେ ବିଦୁଷକ । ବିଚିତ୍ର ରଙ୍ଗର ପୋଷାକ ପିନ୍ଧି ନାନାପ୍ରକାରେ ପ୍ରଭୁଙ୍କର ଚିତ୍ତବିନୋଦନ କରିବା ଥିଲା ତାର ପ୍ରଧାନ କାର୍ଯ୍ୟ । ସେ ମଧ୍ୟ ଘୁଷୁରି ଜଗିବା କାର୍ଯ୍ୟରେ ଗୁର୍ଥକୁ ସାହାଯ୍ୟ କରିବାକୁ ଆସିଥିଲା । ସେମାନଙ୍କ ସାଙ୍ଗରେ ଫାଙ୍ଗ୍‍ସ ବୋଲି ଗୋଟିଏ କୁକୁର ଥିଲା । ଭୃତ୍ୟଦ୍ଵୟଙ୍କ ଇଙ୍ଗିତରେ ଘୁଷୁରିମାନଙ୍କୁ ଦୂରକୁ ତଡ଼ିଦେବା ବା ସେମାନଙ୍କୁ ଏକତ୍ର କରିବାରେ ସେ ଦକ୍ଷ ଥିଲା ।

 

ନର୍ମାନ୍‍ମାନଙ୍କ ଅତ୍ୟାଚାରରେ ସାକ୍‍ସନମାନଙ୍କ ଦୁର୍ଦ୍ଦଶା କଥା ଦୁହିଁଙ୍କ ମଧ୍ୟରେ ଆଲୋଚନା ହେଉଥିଲା । ଗୁର୍ଥ କହିଲା, “ଏ ନର୍ମାନ୍‍ମାନେ ଆମର ସର୍ବସ୍ୱ ନେଲେ । ଦୁନିଆରେ ଯଦି ଆମର ନିଜର ବୋଲି କିଛି ଥାଏ, ତେବେ ତାହା ହେଉଛି ପବନ । ପବନ ବିନା ଯେବେ ଆମେ ବଞ୍ଚି ରହି ସେମାନଙ୍କ ପାଇଁ କାମ କରିପାରନ୍ତେ, ତେବେ ସେତକ ମଧ୍ୟ ସେମାନେ ଆମ ପାଇଁ ରଖି ନ ଥାନ୍ତେ । ଏମାନେ ଆମର ଜୀବନକୁ ଶେଷ କରିଦେଲେଣି ।”

 

ଉଏମ୍ଵା ଜାଣିଥିଲା ଯେ ନର୍ମାନ୍‍ମାନଙ୍କ ଅତ୍ୟାଚାର ବିଷୟରେ କିଛି କହିବା ମଧ୍ୟ ବିପଦର କାରଣ । ତେଣୁ ସେ ଗୁର୍ଥକୁ ସାବଧାନ କରି କହିଲା, “ତୁମେ କଥାବାର୍ତ୍ତାରେ ଟିକିଏ ସତର୍କ ନ ରହିଲେ ବିପଦରେ ପଡ଼ିଯିବ । ତୁମେ ଯାହା କହୁଛ, ସେଥିରୁ ପଦେ ଯଦି ମୁଁ ପ୍ରକାଶ କରିଦିଏ କଅଣ ହେବ କହିଲ ? ହୁଏତ ଏଇ ଗଛରେ ତୁମକୁ ସଙ୍ଗେ ସଙ୍ଗେ ଫାଶୀ ଦିଆଯିବ ।”

 

ଗୁର୍ଥ ଉତ୍ତର ଦେଲା, “ସେ କଥା କଅଣ ମୁଁ ଜାଣେ ନାହିଁ ? ତେବେ ମୁଁ ଏକଥା ମଧ୍ୟ ଜାଣେ, ତୁମେ ମୋ ନାଁରେ କାହାକୁ କିଛି କହିବ ନାହିଁ । ତୁମେ ମୋର ବିଶ୍ୱାସୀ ବନ୍ଧୁ । ମୋ କଥା କାହାରି ଆଗରେ ପ୍ରକାଶ କରିପାରିବ ?”

 

ଉଏମ୍ବା କାହାରି ଆଗରେ ଏ କଥା କହିବ ନାହିଁ ବୋଲି ପ୍ରତିଶ୍ରୁତି ଦେବା ସଙ୍ଗେ ସଙ୍ଗେ କହିଲା, “କିନ୍ତୁ ଅନ୍ୟ କେହି ଶୁଣି ପାରିଲେ ଅବସ୍ଥା ସାଙ୍ଘାତିକ ହେବ ।”

 

ସେତେବେଳେକୁ ଫାଙ୍ଗ୍‍ସ ଘୁଷୁରିଗୁଡ଼ିକୁ ଏକତ୍ର କରିସାରିଥିଲା । ଦୂରରୁ ଘୋଡ଼ା ଟାପୁର ଶବ୍ଦ ଶୁଣି ଦୁହେଁ ସେହି ଦିଗକୁ କାନ ଡେରିଲେ ।

 

ଗୁର୍ଥ କହିଲା, “କେତେ ଜଣ ଲୋକ ଘୋଡ଼ାରେ ବସି ଆମ ଆଡ଼କୁ ଆସୁଥିବାର ଜଣାଯାଉଛି । କିଏ ଆସୁଛି ସେ କଥାରେ ଆମର କଅଣ ଅଛି ? ଆମ କାମ ଆମେ କରିଯିବା । ସେ ଆସୁଛି ସେ ଆସୁଥାଉ । ଚାଲ, ଆମର ଘୁଷୁରି ନେଇ ଘରକୁ ଯିବା । ଝଡ଼ ବର୍ଷା ହେବା ସମ୍ଭବ-। ତା’ ପୂର୍ବରୁ ଘରେ ପହଞ୍ଚିଗଲେ ରକ୍ଷା ।”

 

ଗୁର୍ଥ ଶୀଘ୍ର ଘରକୁ ଯିବାପାଇଁ ବ୍ୟାକୁଳ ହେଉଥିଲା ସତ, କିନ୍ତୁ ସନ୍ଧ୍ୟାବେଳେ ଏମାନେ କିଏ, କେଉଁଠାକୁ ଯାଉଛନ୍ତି, ଏମାନଙ୍କର ଉଦ୍ଦେଶ୍ୟ କଅଣ–ଏ ସବୁ ଜାଣିବା ପାଇଁ ଉଏମ୍ଵାର ମନ ଅଥୟ ହେଉଥାଏ । ସେ ଧୀରେ ଧୀରେ ଚାଲୁଥାଏ ଓ ମଝିରେ ମଝିରେ ରହି ଯାଉଥାଏ । ଅଳ୍ପ ସମୟ ମଧ୍ୟରେ ଅଶ୍ଵାରୋହୀମାନେ ଉଏମ୍ବା ଆଗରେ ପହଞ୍ଚିଗଲେ ।

 

ମୋଟରେ ଦଶଜଣ ଅଶ୍ୱାରୋହୀଙ୍କ ମଧ୍ୟରୁ ଦୁଇଜଣ ସମସ୍ତଙ୍କ ଆଗରେ ଥିଲେ । ସେମାନଙ୍କ ଘୋଡ଼ାର ସାଜସଜ୍ଜା ଓ ଦେହର ପୋଷାକରୁ ଜଣାପଡ଼ୁଥିଲା ଯେ ସେ ଦୁହେଁ ଅତି ଉଚ୍ଚ ସମ୍ଭ୍ରାନ୍ତ ଶ୍ରେଣୀର ଲୋକ । ପୁଣି ଏ ଦୁଇ ଜଣଙ୍କ ମଧ୍ୟରୁ ଜଣକୁ ଗୁର୍ଥ ଓ ଉଏମ୍ଵା ଉଭୟେ ଆଗରୁ ଚିହ୍ନିଥିଲେ । ସେ ହେଉଛନ୍ତି ଜୋରଭକ୍ସ ଏବିର ପ୍ରାଏର ବା ମହନ୍ତ ଏଇମର । ତାଙ୍କର ପୋଷାକ ବହୁମୂଲ୍ୟ ବସ୍ତ୍ରରେ ନିର୍ମିତ ଓ ସେଥିରେ ସୁନାର ବୋତାମ ଲାଗିଥିଲା । ପ୍ରାଏର ମହାଶୟ ଦେଖିବାକୁ ସୁପୁରୁଷ ଥିଲେ ଓ ତାଙ୍କ ମୁହଁ ହସହସ ଦିଶୁଥିଲା । ତାଙ୍କର ଘୋଡ଼ାଟି ମଧ୍ୟ ହୃଷ୍ଟପୁଷ୍ଟ ଥିଲା ଓ ତାହା ଉପରେ ଗୋଟିଏ ମୂଲ୍ୟବାନ ବସ୍ତ୍ର ପଡ଼ିଥିଲା । ବସ୍ତ୍ରଟି ଉଭୟ ପାର୍ଶ୍ଵରେ ପ୍ରାୟ ଭୂମିକୁ ସ୍ପର୍ଶ କରୁଥିଲା । ତାଙ୍କର ଜିନିଷପତ୍ର ଆଉ ଗୋଟିଏ ଘୋଡ଼ା ଉପରେ ଲଦା ହୋଇଥିଲା । ଏ ଦୁହିଁଙ୍କ ପଛକୁ ଅନ୍ୟ ଦୁଇଜଣ ସେମାନଙ୍କ ନିଜ ନିଜ ଘୋଡ଼ାରେ ବସିଥିଲେ । ପ୍ରାଏର ଏଇମର ସେ ଅଞ୍ଚଳର ଜଣେ ପ୍ରସିଦ୍ଧ ଲୋକ ଓ ଅନେକଙ୍କ ସହିତ ପରିଚିତ ଥିଲେ ।

 

କିନ୍ତୁ ତାଙ୍କ ପାଖ ଲୋକଟି କିଏ ? ଗୁର୍ଥ ଓ ଉଏମ୍ଵା କିଛି ଅନୁମାନ କରିପାରିଲେ ନାହିଁ । ଲୋକଟିର ବୟସ ଚାଳିଶରୁ ଉର୍ଦ୍ଧ୍ଵ ହେବ; ଶରୀର ବେଶ୍ ଉନ୍ନତ, ମାତ୍ର କ୍ଷୀଣ ଓ ବଳିଷ୍ଠ । କୃଷ୍ଣବର୍ଣ୍ଣର ଚକ୍ଷୁ ଦୁଇଟିରୁ ଗୋଟାଏ ତେଜ ବାହାରୁଥିଲା । ସେ ମୁଣ୍ଡରେ ଗୋଟିଏ ଲାଲବର୍ଣ୍ଣର ଟୋପି ପିନ୍ଧିଥିଲେ । ତାଙ୍କ ଉପର ପୋଷାକର ରଙ୍ଗ ମଧ୍ୟ ଲାଲ ଥିଲା । ପୋଷାକର ଡାହାଣ କାନ୍ଧ ଉପରେ ଗୋଟିଏ ଧଳାରଙ୍ଗର କ୍ରୁଶ ଚିହ୍ନ ଥିଲା । ଏଥିରୁ ଜଣାଯାଉଥିଲା ଯେ ସେ ଜଣେ ଟେମ୍ପଲାର ନାଇଟ । ତାଙ୍କ ପଛକୁ ଥିଲେ ଦୁଇଜଣ ଏସ୍‍କ୍ୱାୟାର । ଏ ଦୁହେଁ ଭବିଷ୍ୟତରେ ନାଇଟ୍ ହେବା ଆଶାରେ ତାଙ୍କଠାରୁ ଶିକ୍ଷା ଲାଭ କରୁଥିଲେ । ଦୁହିଁଙ୍କ ଭିତରୁ ଜଣେ ଟେମ୍ପଲାର ନାଇଟ୍‍ଙ୍କର ଘୋଡ଼ାକୁ ଚଳାଉଥିଲେ । ଘୋଡ଼ା ପିଠିରେ ନାଇଟ୍‍ଙ୍କର ସାଞ୍ଜୁ ରଖାଯାଇଥିଲା । ଅନ୍ୟ ଏସ୍‍କ୍ୱାୟାର ତାଙ୍କର ବର୍ଚ୍ଛା ଓ ଢାଲ ଧରିଥିଲେ । ଏହି ଏସ୍‍କ୍ୱାୟାର ଦୁଇଜଣଙ୍କ ପଛରେ ଥିଲେ ଦୁଇଜଣ ଭୃତ୍ୟ । ଉଭୟେ ଦେହରେ ରେଶମର ପୋଷାକ ଓ ମୁଣ୍ଡରେ ଧଳା ପଗଡ଼ି ପିନ୍ଧିଥିଲେ । ସେମାନଙ୍କ ହାତରେ ଗୋଟିଏ ଲେଖାଏଁ ବକ୍ର ତରବାରି ଥିଲା ।

 

ଗୁର୍ଥ ଉଏମ୍ବା ଏମାନଙ୍କୁ ଦେଖି ବିସ୍ମିତ ହୋଇଗଲେ । ସେମାନେ କଅଣ କରିବେ ସ୍ଥିର କରି ପାରିଲେ ନାହିଁ । ଏହି ସମୟରେ ପ୍ରାଏର ଏଇମର ପଚାରିଲେ, “ଏଠାରେ ନିକଟରେ କେଉଁଠାରେ ରାତିକ ପାଇଁ ଭୋଜନ ଓ ଆଶ୍ରୟ ମିଳିପାରିବ ?” ସେ ଦୁହେଁ ବିସ୍ମୟରେ ଏପରି ସ୍ତବ୍‍ଧ ହୋଇଯାଇଥିଲେ ଯେ ସେମାନଙ୍କ ତୁଣ୍ତରୁ ହଠାତ୍ କୌଣସି କଥା ବାହାରିଲା ନାହିଁ । ପ୍ରାଏର ଏଇମର ପୁଣି ଉଚ୍ଚ ସ୍ଵରରେ ସେହି ପ୍ରଶ୍ନ ପଚାରିଲେ । କିଛି ସମୟ ପରେ ଉଏମ୍ବା ଉତ୍ତର କଲା, “ଆପଣମାନେ ଏଇବାଟେ ଯାଆନ୍ତୁ । କିଛି ଦୂର ଯିବାପରେ ଜଣେ ସନ୍ନ୍ୟାସୀଙ୍କୁ ଦେଖିପାରିବେ । ଆପଣମାନେ ତାଙ୍କଠାରୁ ଅତିଥି ସତ୍କାର ପାଇବେ ଓ ତାଙ୍କ ସହିତ ପ୍ରାର୍ଥନାରେ ମଧ୍ୟ ଯୋଗ ଦେଇପାରିବେ ।”

 

ପ୍ରାଏର ବିରକ୍ତିରେ ମୁଣ୍ଡ ହଲାଇ କହିଲେ, “କେଡ଼େ ବୋକାଟାଏ ? ଆରେ, ସନ୍ନ୍ୟାସୀ ଭିକ୍ଷା କରି ଯାହା ଆଣିଥିବ ତାକୁ କଅଣ ଆମେ ଖାଇପାରିବୁ ? ଆମର ଟିକିଏ ଭଲ ଖାଦ୍ୟ ଦରକାର; ରହିବାକୁ ଭଲ ସ୍ଥାନ ଦରକାର । ସନ୍ନ୍ୟାସୀର କୁଡ଼ିଆରେ ରହିବା ଲୋକ ଆମେ ନାହୁଁ । ଆଚ୍ଛା, କହ ଦେଖି, ସାକ୍‍ସନ ସେଡ଼୍ରିକଙ୍କ କୋଠା କଅଣ ନିକଟରେ ?”

 

ଗୁର୍ଥ କହିଲା, “ଆଜ୍ଞା, ଆପଣମାନେ ସେଠାକୁ ଯିବାର ବାଟ ପାଇବେ ନାହିଁ । ଆଉ ଗୋଟିଏ କଥା, ସେଡ଼୍ରିକ ଓ ତାଙ୍କ ଘରର ଲୋକେ ଖୁବ୍ ସହଳ ଖାଇ ଶୋଇ ପଡ଼ନ୍ତି । ଆପଣ ସେଠାରେ ପହଞ୍ଚିଲାବେଳକୁ ସେ ଶୋଇଥିବେ ।”

 

ଟେମ୍ପଲାର ନାଇଟ୍ କହିଉଠିଲେ, “ଆରେ ବୋକା, ବୁଡ଼ବକ୍; ଶୋଇଥିଲେ କଅଣ ହେଲା ? ଶୋଇଥିଲେ କଅଣ ଉଠି ଆସି ଆମର ଯାହା ଦରକାର ଦେଇ ପାରିବେ ନାହିଁ ?”

 

ଗୁର୍ଥ ରାଗରେ କହିଲା, “ଆପଣ ଯେଉଁ ଭଳି ଆଶ୍ରୟ ଚାହାନ୍ତି ସେହି ଭଳି ଜାଗାକୁ ବାଟ ଦେଖାଇବାକୁ ହେବ ବୋଲି ମୁଁ ଜାଣି ନ ଥିଲି । ଲୋକେ କିଛି ଅନୁରୋଧ କଲାବେଳେ ଭଦ୍ର ଭାଷା ବ୍ୟବହାର କରନ୍ତି ବୋଲି ମୋର ଧାରଣା ଥିଲା ।”

 

ଟେମ୍ପଲାର ନାଇଟ୍‍ଙ୍କ ମୁହଁ କ୍ରୋଧରେ ଲାଲ ହୋଇଗଲା । ସେ ନିଜକୁ ସମ୍ଭାଳି ନ ପାରି ଗୁର୍ଥକୁ ମାରିବା ପାଇଁ ଘୋଡ଼ାକୋରଡ଼ା ଉଠାଇଲେ । ପ୍ରାଏର ଏଇମର ଅବସ୍ଥାର ଗୁରୁତ୍ଵ ବୁଝିପାରି ହଠାତ୍ ଦୁହିଁଙ୍କ ମଝିକୁ ଚାଲି ଆସି କହିଲେ, “ଏ କଅଣ କରୁଛ ଗିଲବର୍ଟ, ଏଟା ଠିକ୍ ହେବ ନାହିଁ । ତୁମେ ବର୍ତ୍ତମାନ ପାଲେଷ୍ଟାଇନରେ ଧର୍ମଯୁଦ୍ଧ କରୁଛ ବୋଲି ମନେକରନାହିଁ ।”

 

ଟେମ୍ପଲାର ନାଇଟଙ୍କୁ ଏହିପରି କହି ସେ ଉଏମ୍ବାକୁ ଗୋଟିଏ ରୌପ୍ୟମୁଦ୍ରା ବଢ଼ାଇ ଦେଇ ସେଡ଼୍ରିକଙ୍କ ଘରକୁ ବାଟ ଦେଖାଇ ଦେବାପାଇଁ କହିଲେ ।

 

ଉଏମ୍ବା କହିଲା, “ଏଇ ବାଟେ ବାଟେ ଗଲେ ଗୋଟିଏ କ୍ରସ୍ ଦେଖିବ । ସେହି କ୍ରସ୍‍ ବାମପାଖ ରାସ୍ତାରେ ଗଲେ ସେଡ଼୍ରିକଙ୍କ ଘର ପଡ଼ିବ ।”

 

ଏଇମର ଉଏମ୍ବାକୁ ଧନ୍ୟବାଦ ଦେଲେ ଓ ସମସ୍ତେ ଆଗେଇ ଚାଲିଲେ । କିଛି ସମୟ ପରେ ଘୋଡ଼ାମାନଙ୍କର ପାଦଶବ୍ଦ ଆଉ ଶୁଣା ଗଲା ନାହିଁ । ତହୁଁ ଗୁର୍ଥ ହସି ହସି କହିଲା, “ତୁମେ ତ ଭଲ ବାଟ ଦେଖାଇଦେଲ ! ତୁମ କଥା ମାନି ଗଲେ ସେମାନେ ଆଜି ରାତି ଭିତରେ ସେଡ଼୍ରିକଙ୍କ ଘରେ ପହଞ୍ଚିବାର ଆଶା ନାହିଁ ।”

 

ଉଏମ୍ବା ହସି ହସି କହିଲା, “ତୁମେ ଯାହା କହିଲ, ସତ । ସେମାନେ ଯଦି ଶେଫିଲ୍‍ଡରେ ଯାଇ ପହଞ୍ଚିପାରନ୍ତି, ତେବେ ସେମାନଙ୍କର ଭାଗ୍ୟ ଭଲ ବୋଲି କହିବାକୁ ହେବ । ସେଡ଼୍ରିକଙ୍କ ଘରକୁ ନଯାଇ ସେମାନେ ଶେଫିଲ୍ଡ଼କୁ ଯିବା ଖୁବ୍ ଭଲ ।”

 

ଗୁର୍ଥ ଉଏମ୍ବାର କଥାକୁ ସମର୍ଥନ ଜଣାଇ କହିଲା, “ସେ କଥା ଠିକ୍ । ଏଭଳି ଗୁଡ଼ିଏ ଲୋକଙ୍କୁ ଆମର ପ୍ରଭୁଙ୍କ ଘରକୁ ପଠାଇ ଦେଇଥିଲେ ସେ ଅସନ୍ତୁଷ୍ଟ ହୋଇଥାନ୍ତେ । ଟେମ୍ପଲାର ନାଇଟ୍ ସାଥିରେ ତାଙ୍କର କଳହ ହୋଇଥାନ୍ତା ।”

 

ଏଣେ ବାଟରେ ଯାଉ ଯାଉ ଟେମ୍ପଲାର ନାଇଟ୍ ଏଇମରଙ୍କୁ ପଚାରିଲେ, “ସେ ଲୋକଟାକୁ ମୁଁ ପିଟିଥାନ୍ତି । ଆପଣ ବାଧା ଦେଲେ କାହିଁକି ?”

 

ଏଇମର ଉତ୍ତର କଲେ, “ବୁଝିଲ ଗିଲବର୍ଟ, ସେ ଗୁଡ଼ାଙ୍କୁ ପିଟିବାରେ କିଛି ଲାଭ ନାହିଁ । ତାକୁ ପିଟିଥିଲେ ସେ କଅଣ ରାସ୍ତା କହିଦେଇଥାନ୍ତା ? ପୁଣି ସେଡ଼୍ରିକ ସେ କଥା ଜାଣିଥିଲେ ଅସନ୍ତୁଷ୍ଟ ହୋଇଥାନ୍ତା । ମୁଁ ଥରେ ତୁମକୁ ଯାହା କହିଥିଲି ମନେଥିବ । ସେଡ଼୍ରିକ ଯେପରି ଧନୀ, ସେହିପରି ଉଦ୍ଧତ । ତା’ର ମିଞ୍ଜାସଟା ଗରମ । ସେ ସାକ୍‍ସନ୍ ଜାତିର ଲୋକ ବୋଲି ବଡ଼ ଗର୍ବ କରେ । ସେଥିପାଇଁ ସମସ୍ତେ ତାକୁ ସାକ୍‍ସନ ସେଡ଼୍ରିକ ବୋଲି କହନ୍ତି ।”

 

ଟେମ୍ପଲାର ନାଇଟ୍ କହିଲେ, “ଏଭଳି ଜଣେ ଲୋକ ପାଖରେ ଟିକିଏ ଧୈର୍ଯ୍ୟ ଧରି ଚଲିଲେ ତା’ର ସୁନ୍ଦରୀ ଝିଅ ରାଓଏନାକୁ ଦେଖି ପାରିବି ବୋଲି ଆଶା କରୁଛି ।”

 

ଏଇମର ଉତ୍ତର କଲେ, “ସେ ରାଓଏନାର ବାପ ନୁହନ୍ତି; ତା’ର ଅଭିଭାବକ । ତେବେ ସେ ତାକୁ ନିଜର ଝିଅ ଭଳି ଦେଖନ୍ତି ।”

 

ଟେମ୍ପଲାର ନାଇଟ୍ କହିଲେ, “ଆପଣ ଯାହା ଯବାବ କରିଥିଲେ, ମନେଥିବ ।”

 

ଏଇମର ଉତ୍ତର କଲେ, “ନିଶ୍ଚୟ, ମନେଅଛି । ଗଲା ବର୍ଷକ ଭିତରେ ତୁମେ ଯେତେ ସ୍ତ୍ରୀ ଲୋକ ଦେଖିଛ ସେମାନଙ୍କ ଭିତରେ ରାଓଏନା ସବୁଠାରୁ ସୁନ୍ଦରୀ ହୋଇ ନ ଥିଲେ ମୁଁ ତୁମକୁ ମୋର ସୁନା ଚେନ୍‍ଟି ଦେବି । ଯଦି ସେ ଶ୍ରେଷ୍ଠ ସୁନ୍ଦରୀ ବୋଲି ସ୍ଵୀକାର କର, ତେବେ ତୁମେ ମୋତେ ଦଶଟିଣ ମଦ ଦେବ ।”

 

ଟେମ୍ପଲାର ନାଇଟ୍ ଗିଲବର୍ଟ ହସି ହସି କହିଲେ, “ଆପଣଙ୍କ ସୁନା ଚେନ୍‍ଟି ଯିବ ବୋଲି ମୋର ମନେହୁଏ ।” ଏଇମର ଉତ୍ତର କଲେ, “ଉତ୍ତମ, ନ୍ୟାୟରେ ଯଦି ତୁମେ ଜିଣ, ତେବେ ମୁଁ ଅତି ଆନନ୍ଦରେ ସେଇଟିକୁ ତୁମକୁ ଦେବି । ଏବେ ମୋଠାରୁ କିଛି ଉପଦେଶ ଶୁଣ । ମନେରଖିଥିବ, ସେଡ଼୍ରିକ ବଡ଼ ଅଭିମାନୀ; ସାମାନ୍ୟ କଥାରେ ଅପମାନ ବୋଧ କରନ୍ତି । ତେଣୁ ତାଙ୍କ ସଙ୍ଗେ ଅତି ଭଦ୍ରଭାବରେ କଥାବାର୍ତ୍ତା କରିବ । କିପରି ଭାବରେ ରାଓଏନା ଆଡ଼େ ଦୃଷ୍ଟି ପକାଇବ ସେ ବିଷୟରେ ସାବଧାନ ଥିବ । ତା’ ପ୍ରତି ତୁମେ ଆସକ୍ତ ଥିବାର ତୁମ ଚାହାଣୀରୁ ଜଣାପଡ଼ିଲେ ସେଡ଼୍ରିକ୍ ଆମକୁ ତାଙ୍କ ଘରୁ ତଡ଼ିଦେଇ ପାରନ୍ତି । ଆଇଭାନହୋ ହେଉଛି ତାଙ୍କର ନିଜ ପୁଅ । କିନ୍ତୁ ସେ ରାଓଏନା ପ୍ରତି ପ୍ରେମ ପ୍ରକାଶ କରିବାରୁ ସେଡ଼୍ରିକ୍ ତାକୁ ନିଜ ସମ୍ପତ୍ତିରୁ ବଞ୍ଚିତ କରିଅଛନ୍ତି । ଆଇଭାନହୋ କଥା ତୁମେ ଜାଣିଥିବ । ସେ ପବିତ୍ର ଜେରୁଜେଲମର ଉଦ୍ଧାର ପାଇଁ ରାଜା ରିଚାର୍ଡ଼ଙ୍କ ସହିତ ଯୁଦ୍ଧରେ ଯୋଗଦେଇଛି ।”

 

ସେମାନେ ଘୋଡ଼ାରେ ବସି କିଛି ଦୂର ଯିବା ପରେ ଗୋଟିଏ ଛକ ଜାଗାରେ ପହଞ୍ଚିଲେ-। ସେତେବେଳକୁ ଅନ୍ଧାର ହୋଇଯାଇଥିଲା । ବାଟ ସ୍ପଷ୍ଟରୂପେ ଦେଖାଯାଉ ନ ଥିଲା । ତେଣୁ କେଉଁବାଟେ ଯିବାକୁ ହେବ ଏ ବିଷୟରେ ସେମାନଙ୍କ ଭିତରେ ବାଦାନୁବାଦ ଚାଲିଲା । ଟେମ୍ପଲାର ନାଇଟ୍ ବାମଦିଗକୁ ଯିବାକୁ ବାହାରିଲେ । ମାତ୍ର ପ୍ରାଏର ଏଇମର କହିଲେ ଯେ ଉଏମ୍ବା ଡାହାଣପାଖ ବାଟେ ଯିବାକୁ କହିଥିଲା । ଯାହାହେଉ ସେମାନେ ବାଟ ଧାରରେ ଜଣେ ଲୋକ ଶୋଇଥିବାର ଦେଖି ଯୁକ୍ତିତର୍କ ବନ୍ଦକରିଦେଲେ । ଗିଲବର୍ଟ ତାଙ୍କର ଏସ୍‍କ୍ୱାୟାରମାନଙ୍କୁ କହିଲେ, “ଏଠି କିଏ ଜଣେ ମରିପଡ଼ିଛି କିମ୍ବା ଶୋଇଛି । ଯାଅ, ଦେଖ, ଶୋଇଥିଲେ ମୋ ବଚ୍ଛାରେ କେଞ୍ଚି ତାକୁ ଉଠାଅ ।”

 

ଶୋଇଥିବା ଲୋକଟି ଉଠି ପଡ଼ି କହିଲା, “ଆପଣମାନଙ୍କୁ ମୁଁ ଚିହ୍ନେ ନାହିଁ; କିନ୍ତୁ ମୋ ପ୍ରତି ଏପରି ବ୍ୟବହାର କରିବା ଆପଣମାନଙ୍କ ପକ୍ଷରେ ଭଦ୍ରୋଚିତ ନୁହେଁ ।”

 

ଏଇମର କହିଲେ, “ତୁମର କିଛି ଅନିଷ୍ଟ କରିବା ଆମର ଉଦ୍ଦେଶ୍ୟ ନୁହେଁ । ସାକ୍‍ସନ ସେଡ଼୍ରିକଙ୍କ ଘରକୁ ବାଟ ଦେଖାଇ ଦେବାକୁ ଆମେ ତୁମକୁ ଉଠାଉଥିଲୁ ।”

 

ଲୋକଟି ଉତ୍ତର କଲା, “ମୁଁ ନିଜେ ସେହିଠାକୁ ଯାଉଛି । ତାଙ୍କ ଘରକୁ ବାଟ ପାଇବା ସହଜ କଥା ନୁହେଁ, କିନ୍ତୁ ମୋତେ ବାଟଟି ଭଲରୂପେ ଜଣା ।”

 

ଏହା କହି ସେ ଆଗେ ଆଗେ ଚାଲିଲା । ଉଏମ୍ବା ଯେଉଁ ବାଟ କହିଥିଲା, ତାର ଠିକ୍ ବିପରୀତ ଦିଗକୁ ସେ ଚାଲିଲା । ସେ ସେମାନଙ୍କୁ ଗୋଟିଏ ଜଙ୍ଗଲ ପାର କରାଇ ରଥରଉଡ଼୍‍ ରେ ପହଞ୍ଚିଲା । ଏହା ହେଉଛି ସେଡ଼୍ରିକଙ୍କର ଘର ।

 

ପ୍ରାଏର ଏଇମର ଲୋକଟି ଠାରୁ ବୁଝିଲେ ଯେ ସେ ଜଣେ ତୀର୍ଥଯାତ୍ରୀ, ନିକଟରେ ପବିତ୍ର ଜେରୁଜେଲମରୁ ଫେରିଛି । ତାହାର ଜନ୍ମସ୍ଥାନ ରଥରଉଡ଼୍‍ର ନିକଟବର୍ତ୍ତୀ ହୋଇଥିବାରୁ ଏ ଅଞ୍ଚଳର ରାସ୍ତାଘାଟ ସଙ୍ଗେ ସେ ଭଲରୂପେ ପରିଚିତ ।

 

ଆଗନ୍ତୁକମାନେ ସେଡ଼୍ରିକଙ୍କର ବିଶାଳ ବାସଭବନ ଦେଖି ପାରିଲେ । ଏହା ଖୁବ୍ ଦୀର୍ଘ ଓ ଏଥିରେ ଅନେକ ଅଗଣା ଥିଲା । ନର୍ମାନ ଜମିଦାରମାନେ ଯେଉଁ ଦୁର୍ଗ ନିର୍ମାଣ କରି ବାସ କରୁଥିଲେ ଏହା ତାହାଠାରୁ ଭିନ୍ନ ଥିଲା ।

 

କିନ୍ତୁ ଏହାର ସୁରକ୍ଷା ନିମିତ୍ତ ଉତ୍ତମ ବ୍ୟବସ୍ଥା ଥିଲା । ଗୋଟିଏ ଜଳପୂର୍ଣ୍ଣ ପରିଖା ଏହାକୁ ଚତୁର୍ଦ୍ଦିଗରେ ବେଷ୍ଟନ କରିଥିଲା । ପରିଖାର ଉଭୟ ପାର୍ଶ୍ଵରେ ଉଚ୍ଚ ବାଡ଼ ଥିଲା । ଘରକୁ ଯିବାପାଇଁ ପରିଖା ଅତିକ୍ରମ କରିବା ନିମନ୍ତେ ଗୋଟିଏ ଉଠାପୋଲ ଥିଲା । ଏହାକୁ ଇଚ୍ଛା ଅନୁସାରେ ଉଠାଇ ଦିଆଯାଇ ଲୋକମାନଙ୍କର ଭିତରକୁ ଯିବାର ପଥ ବନ୍ଦ କରାଯାଇପାରୁଥିଲା ।

 

ଏମାନେ ଉଠାପୋଲ ନିକଟରେ ପହଞ୍ଚି ଦେଖିଲେ, ପୋଲ ଉଠାଯାଇଥିବାରୁ ପ୍ରବେଶ ପଥ ନାହିଁ । ଏଣେ ବର୍ଷା ଆରମ୍ଭ ହେଲାଣି । ତେଣୁ ସେମାନଙ୍କର ଆଗମନ ଜଣାଇବା ଉଦ୍ଦେଶ୍ୟର ପ୍ରାଏର ଏଇମର ଓ ଗିଲବର୍ଟ ନିଜନିଜର ଶିଙ୍ଘା ବଜାଇଲେ ।

 

ସେଡ଼୍ରିକଙ୍କର ଆତିଥେୟତା

 

ରଥରଉଡ଼୍ ପ୍ରାସାଦର ଭୋଜନ ଗୃହରେ ରାତ୍ରି ଭୋଜନ ନିମନ୍ତେ ସମସ୍ତ ପ୍ରସ୍ତୁତ । ଦୀର୍ଘ ଟେବୁଲ ପାଖରେ ଗୁଡ଼ିଏ ମୂଲ୍ୟବାନ୍ ଚଉକି ସଜ୍ଜିତ ଥିଲା ।

 

ସେଡ଼୍ରିକ ଗୋଟିଏ ଚଉକି ଉପରେ ବସିଥିଲେ । ତାଙ୍କର ଉଚ୍ଚତା ସାଧାରଣ, କିନ୍ତୁ ବାହୁଯୋଡ଼ିକ ଅପେକ୍ଷାକୃତ ଦୀର୍ଘ; ନୀଳବର୍ଣ୍ଣର ଚକ୍ଷୁରୁ ଗୋଟାଏ ଜ୍ୟୋତି ପ୍ରକାଶ ପାଉଥିଲା । ମସ୍ତକର କେଶ ସ୍କନ୍ଧଦେଶ ପର୍ଯ୍ୟନ୍ତ ଲମ୍ବିଥିଲା । ସେ ମୂଲ୍ୟବାନ ପୋଷାକ ପିନ୍ଧିଥିଲେ । ତାଙ୍କ ହାତରେ ସୁନାର ବଳୟ ଓ ଗଳାରେ ସୁନାର ହାର ଶୋଭା ପାଉଥିଲା ।

 

ତାଙ୍କର ଠିକ୍ ପଛରେ ଦୁଇ ତିନି ଜଣ ଭୃତ୍ୟ ଛିଡ଼ା ହୋଇଥିଲେ ଓ ଅନ୍ୟ କେତେ ଜଣ କିଛି ଦୂରରେ ରହିଥିଲେ । ଗୋଟିଏ ପ୍ରକାଣ୍ଡ କୁକୁର ତାଙ୍କ ଚଉକି ନିକଟରେ ଛିଡ଼ା ହୋଇଥିଲା; ଆଉ କେତୋଟି ଘର ଭିତରେ ଏଣେତେଣେ ଶୋଇଥିଲେ ।

 

ସେଡ଼୍ରିକଙ୍କ ମନ ଅସ୍ଥିର ଥିଲା । ଲେଡ଼ି ରାଓଏନା ବାହାରକୁ ଯାଇଥିଲେ । ସେତିକିବେଳକୁ ସେ ଫେରିଲେ । ବାଟରେ ଝଡ଼ ବର୍ଷା ହେବାରୁ ସେ ଓଦା ହୋଇଯାଇଥିଲେ । ତେଣୁ ସେ ନିଜ କୋଠରୀରେ ପୋଷାକ ବଦଳାଉଥିଲେ । ଗୁର୍ଥ ଘୁଷୁରିପଲ ଚରାଇବାକୁ ନେଇଥିଲା–ସେ ଫେରି ନ ଥିଲା । ଓଏମ୍ଵା ଥିଲେ ସେ ତା’ର ବିଚିତ୍ର ବେଶଭୂଷା, ଅଙ୍ଗଭଙ୍ଗୀ ଓ କଥାବାର୍ତ୍ତାରେ ଟିକିଏ ଆନନ୍ଦ ଦେଉଥାନ୍ତା, କିନ୍ତୁ ସେ ମଧ୍ୟ ଗୁର୍ଥ ସଙ୍ଗରେ ଯାଇଛି । ତେଣୁ ତାଙ୍କ ମନରେ ସୁଖ ନଥିଲା । ସେ ପଚାରିଲେ, “ଲେଡ଼ି ରାଓଏନା ଏତେବେଳ ଯାଏ କଅଣ କରୁଛନ୍ତି ?”

 

ଜଣେ ଦାସୀ ଜଣାଇଲା, “ସେ ଘୋଡ଼ାଚଢ଼ା ପୋଷାକ ପିନ୍ଧି ବାହାରକୁ ଯାଇଥିଲେ । ଫେରି ଆସି ପୋଷାକ ବଦଳାଉଅଛନ୍ତି । ଟିକିଏ ପରେ ଏଠାକୁ ଆସିବେ ।”

 

ସେଡ଼୍ରିକ୍ ଜଣେ ଭୃତ୍ୟକୁ ଲକ୍ଷ୍ୟ କରି କହିଲେ, “ଆଚ୍ଛା, ସେ ଗୁର୍ଥ ଏତବେଳଯାଏ କୁଆଡ଼େ ରହିଲା ? ବଡ଼ ଅଳସୁଆ । ରାତି ପହରକୁ ଆସି କହିବି ଯେ କହିବି ଯେ ଗୁଡ଼ାଏ ଘୁଷୁରୀ କୁଆଡ଼େ ହଜିଗଲେ ।”

 

ସେ ଏହିପରି ନାନା ଚିନ୍ତାରେ ବ୍ୟସ୍ତ ଅଛନ୍ତି । ଏହି ସମୟରେ ଶିଙ୍ଗାର ଶଦ୍ଦ ଶୁଣାଗଲା-। କୁକୁରଗୁଡ଼ାକ ଭୁକି ଉଠିଲେ । ସେଡ଼୍ରିକ ଭୃତ୍ୟମାନଙ୍କୁ ଆଦେଶ ଦେଲେ, “ଫାଟକ ପାଖକୁ ଯାଇ କିଏ ଡାକୁଛି ଦେଖିଆସ ।”

 

ଅଳ୍ପ ସମୟରେ ପରେ ଜଣେ ଫେରିଆସି ସସ୍ଵାଦ ଦେଲା, ପ୍ରାଏର ଏଇମର ଓ ଟେମ୍ପଲାର ନାଇଟ ଗିଲବର୍ଟ ଅପେକ୍ଷା କରି ରହିଛନ୍ତି । ସେମାନେ ଆଶ୍‍ବିର ଅସ୍ତ୍ର ପ୍ରତିଯୋଗିତା ଦେଖିବାକୁ ଯାଉଅଛନ୍ତି । ଆଜି ରାତିକ ଏଠାରେ ଆଶ୍ରୟ ନେବା ସେମାନଙ୍କର ଅଭିପ୍ରାୟ ।

 

ସେଡ଼୍ରିକ ଅନୁଚ୍ଚ ସ୍ଵରରେ କହିଲେ, “ଏଇମର ଓ ଗିଲବର୍ଟ ! ଦୁଇଜଣଯାକ ନର୍ମାନ ! କିନ୍ତୁ ଯେ କେହି ହେଉନା କାହିଁକି, ସେ ମୋ ଘରେ ସତ୍କାର ପାଇବା ଉଚିତ୍ । ଯାଅ, ସେମାନଙ୍କୁ ଆଣି ଘର ଦେଖାଇ ଦିଅ । ଧୋଇ ହେବା ପାଇଁ ପାଣି ଓ ଦରକାର ଥିଲେ ପୋଷାକ ଯୋଗାଇଦେବ । ସେମାନଙ୍କୁ ମୋ ପକ୍ଷରୁ ସ୍ଵାଗତ ଜଣାଇଦିଅ । ଅବଶ୍ୟ ସେମାନେ ଏଠାକୁ ନ ଆସି ସିଧା ଚାଲି ଯାଇଥିଲେ ମୁଁ ଖୁବ୍ ଆନନ୍ଦିତ ହୋଇଥାନ୍ତି । ହେଉ, ଡାକିଆଣିବ, ଯାଅ ।”

 

ଭୃତ୍ୟମାନେ ଚାଲିଯିବା ପରେ ସେଡ଼୍ରିକ ଚିନ୍ତା କରିବାକୁ ଲାଗିଲେ,'ମୋର ମନେହୁଏ, ପ୍ରାଏର ଏଇମର ଖୁବ୍ ବିଳାସରେ ଥାନ୍ତି, ମଦ୍ୟ ପିଇବା ଓ ଶିକାର କରିବାରେ ତାଙ୍କର ଆନନ୍ଦ । ଆଉ ସାର ବ୍ରାଏନ ଗିଲବର୍ଟ ! ତାଙ୍କର ଯେତିକି ସୁନାମ ଅଛି, ସେତିକି ଦୁର୍ନାମ ମଧ୍ୟ ଅଛି । ସେ ଖୁବ୍ ସାହସୀ ଓ ବଳବାନ୍ ବୋଳି ଶୁଣାଯାଏ । ପୁଣି ଆଉ କେତେକ କହନ୍ତି, ସେ ବଡ଼ ଗର୍ବୀ ଓ ନିର୍ଦ୍ଦୟ ।'

 

ସେଡ଼୍ରିକ ଜଣେ ଭୃତ୍ୟକୁ ଡାକି କହିଲେ, “ଅସୁଉଆଲ୍ଡ଼, ଆମର ଏ ଅତିଥି ଦୁଇ ଜଣ ମଦ ପିଇବାକୁ ଭଲପାନ୍ତି । ତାଙ୍କ ପାଇଁ ଉତ୍କଷ୍ଟ ମଦ ଦେବ ।” ତପ୍ତରେ ରାଓଏନାଙ୍କର ଜଣେ ଦାସୀଙ୍କୁ କହିଲେ, “ଲେଡ଼ି ରାଓଏନାଙ୍କୁ କହିଦେବୁ, ତାଙ୍କର ଏଠାକୁ ଆସିବା ଆଜି ଦରକାର ନାହିଁ, କିନ୍ତୁ ସେ ଇଚ୍ଛା କଲେ ଆସିପାରନ୍ତି ।”

 

ଏହା ଶୁଣି ଦାସୀ କହିଲା,” ଏଠାକୁ ଆସି ପବିନ୍ତ୍ର ତୀର୍ଥର ସମ୍ବାଦ ଜାଣିବା ପାଇଁ ତାଙ୍କର ବିଶେଷ ଇଚ୍ଛା ।”

 

ସେଡ଼୍ରିକ୍ ବିରକ୍ତ ହୋଇ କହିଲେ, ‘‘ଯାହା ଇଚ୍ଛା ତାହା କହିବା ତୋର ଅଭ୍ୟାସ । ଏ ଅଭ୍ୟାସଟା ଛାଡ଼ି ପାରୁନାହିଁ । ତୁ ମୋର ଖବର ତାଙ୍କୁ କହିବୁ । ସେ ଯାହା ଭଲ ମନେକରିବେ ତାହା କରିବେ । ତୁ ଆଗରୁ ତାଙ୍କର ଇଚ୍ଛା କଅଣ କହିବା ଦରକାର ନାହିଁ ।”

 

ଦାସୀ ଚାଲିଗଲା । ଲେଡ଼ୀ ରାଓଏନା ଯେ ପାଲେଷ୍ଟାଇନର ସମ୍ବାଦ ଜାଣିବାକୁ ଇଚ୍ଛା କରୁଥିବେ ଏଥିରେ ସେ ବିସ୍ମିତ ହୋଇନଥିଲେ । ତାଙ୍କର ମଧ୍ୟ ସେହି ଇଚ୍ଛା ଥିଲା । କିନ୍ତୁ ଯେଉଁଠାରେ ତାଙ୍କର ଅବାଧ୍ୟ ପୁତ୍ର ଯୁଦ୍ଧ କରୁଥିଲା, ସେ ସ୍ଥାନର କଥା ଭୁଲିଯିବାକୁ ସେ ଚେଷ୍ଟା କରୁଥିଲେ । ସେ କହିଲେ, “ନା, ନା, ଯେଉଁ ପୁଅ ମୋର ଅବାଧ୍ୟ ସେ ଆଉ ମୋର ପୁଅ ନୁହେଁ । ନା, ତା’ର ସମ୍ବାଦ ଶୁଣିବା ମୋର ଦରକାର ନାହିଁ ।”

 

ସେ ମୁହଁ ତଳକୁ ପୋତି ନିଜ ଚିନ୍ତା ମଧ୍ୟରେ ବୁଡ଼ିରହିଲେ । କିଛି ସମୟ ପରେ ପାଦ ଶବ୍ଦ ଶୁଣି ସେ ମୁଣ୍ଡ ଟେକିଲେ । ହଲ୍‍ର ଅପର ଦ୍ଵାରବାଟେ ଭୃତ୍ୟମାନେ ମଶାଲ ଆଲୁଅ ଦେଖାଇ ଅତିଥିମାନଙ୍କୁ ଭିତରକୁ ଆଣିଲେ ।

 

ଏଥିମଧ୍ୟରେ ବିଶିଷ୍ଟ ଅତିଥିଦ୍ୱୟ ପୋଷାକ ପରିବର୍ତ୍ତନ କରିସାରିଥିଲେ । ପ୍ରାଏର ଏଇମର ଗୋଟିଏ ମୂଲ୍ୟବାନ୍ ଚକ୍‍ଚକିଆ ଢିଲା ଜାମା କୋଟ୍ ଉପରେ ପିନ୍ଧିଥିଲେ । ତାଙ୍କ ଆଙ୍ଗୁଠିରେ ଗୋଟିଏ ବଡ଼ ସୁନାମୁଦି ଥିଲା । ମୁଣ୍ଡର ଟୋପିଟି ଲାଲ ଦିଶୁଥିଲା । ଟେମ୍ପଲାର ନାଇଟ୍ ଗିଲବର୍ଟ ଗୋଟିଏ ଗୋଲାପୀରଙ୍ଗର ରେଶମୀ ପୋଷାକ ପିନ୍ଧିଥିଲେ । ତା’ ଉପରେ ଥିଲା ଏକ ଢିଲା ଧଳା ଜାମା । ସେହି ଜାମାର କାନ୍ଧ ପାଖରେ କଳାରଙ୍ଗର କ୍ରଶ ଚିହ୍ନ ଥିଲା । ଏହି ଚିହ୍ନଟି ତାଙ୍କ ଧର୍ମ ସମ୍ପ୍ରଦାୟର ସଙ୍କେତ ।

 

ଏ ଦୁଇଜଣଙ୍କ ପଛରେ କିଛି ଦୂରରେ ରହି ତୀର୍ଥଯାତ୍ରୀ ଜଣକ ଆସୁଥିଲେ । ତାଙ୍କର ପୋଷାକ ଅତି ସରଳ । ଗୋଟିଏ କୃଷ୍ଣବର୍ଣ୍ଣର ଢିଲା ଜାମାରେ ତାଙ୍କର ସମସ୍ତ ଶରୀର ଆବୃତ ଥିଲା । ତାଙ୍କ ପାଦରେ ମୋଟା ଜୋତା ଓ ହାତରେ ଖଣ୍ଡିଏ ବାଡ଼ି ଥିଲା । ସେ ଧୀର ଭାବରେ ହଲ୍ ଭିତରେ ପ୍ରବେଶ କରି ନିଃଶବ୍ଦରେ ଗୋଟିଏ ନିଆଁ କୁଣ୍ଡ ପାଖରେ ବସିଗଲେ ।

 

ସେଡ଼୍ରିକ ନିଜ ଆସନରୁ ଉଠିଯାଇ ଅତିଥିମାନଙ୍କୁ ସ୍ଵାଗତ ଜଣାଇ କହିଲେ, “ଆପଣମାନେ ଆଜି ରଥାରଉଡ଼୍‍କୁ ଶୁଭାଗମନ କରିଥିବାରୁ ମୁଁ ଆନନ୍ଦିତ । ଆପଣମାନେ ମୋର ଶୁଭ ଅଭିବାଦନ ଗ୍ରହଣ କରନ୍ତୁ । ମୁଁ ଆପଣମାନଙ୍କ ଫରାସୀ ଭାଷାରେ କଥାବାର୍ତ୍ତା କରିବାକୁ ଅକ୍ଷମ । ତେଣୁ ଇଂରାଜି ଭାଷା ବ୍ୟବହାର କରୁଛି । ସେଥିପାଇଁ କିଛି ମନେକରିବେନାହିଁ ।”

 

ପ୍ରାଏର ଏଇମର ଉତ୍ତର କଲେ, “ମୁଁ ଆନନ୍ଦରେ ଆପଣଙ୍କ ସହିତ ଇଂରାଜି ଭାଷାରେ କଥାବାର୍ତ୍ତା ହୋଇପାରିବି । ମୋର ବୁଢ଼ୀମାଆଙ୍କର ଭାଷା ଥିଲା ଇଂରାଜି ।”

 

ଗିଲବର୍ଟ ଗର୍ବ ପ୍ରକାଶ କରି କହିଲେ, “ମୁଁ କିନ୍ତୁ ସବୁବେଳେ କେବଳ ଫରାସୀ ଭାଷା ବ୍ୟବହାର କରେ । ଫରାସୀ ଦେଉଛି ରାଜା ରିଚାର୍ଡ଼ଙ୍କର ଭାଷା, ଏ ଦେଶର କଚେରୀର ଭାଷା । ତେବେ ଇତର ଲୋକଙ୍କ ସଙ୍ଗେ କଥାବାର୍ତ୍ତା ହେବା ପାଇଁ ମୋର ଇଂରାଜି ଭାଷାରେ ଯଥେଷ୍ଟ ଜ୍ଞାନ ଅଛି ।’’

 

ଶେଷ କଥାଟିରେ ସେଡ଼୍ରିକଙ୍କର କ୍ରୋଧ ଜାତ ହେଲା । ସାକ୍‍ସନମାନଙ୍କର ମାତୃଭାଷା ଇଂରାଜି ଯେଉଁମାନେ କହନ୍ତି ସେମାନେ ଇତରଲୋକ; କେବଳ ଫରାସୀ ଭାଷା ବ୍ୟବହାର କରୁଥିବା ଲୋକେ ବିଶିଷ୍ଟ ଲୋକ–ଏପରି ମନ୍ତବ୍ୟରେ ସାକ୍‍ସନ୍‍ଅଭିମାନୀ ସେଡ଼୍ରିକଙ୍କର କ୍ରୋଧ ଜାତ ହେବାରେ କିଛି ଆଶ୍ଚର୍ଯ୍ୟ ନାହିଁ । କିନ୍ତୁ ସେ କ୍ରୋଧକୁ ଦମନ କରି ଅତିଥିମାନଙ୍କୁ ନିଜ ପାଖରେ ବସିବା ପାଇଁ ଅନୁରୋଧ କଲେ ଓ ତତ୍ପରେ ଭୃତ୍ୟମାନଙ୍କୁ ଆହାର୍ଯ୍ୟ ଆଣିବାକୁ ଆଦେଶ ଦେଲେ । ଠିକ୍ ଏତିକିବେଳେ ଟେବୁଲ ପଛପଟୁ ଗୋଟିଏ ଦ୍ଵାର ଖୋଲିଲା ଓ ଲେଡ଼ି ରାଓଏନା ଚାରିଜଣ ଦାସୀଙ୍କ ସହିତ ସେହି ହଲରେ ପ୍ରବେଶ କଲେ । ସେଡ଼୍ରିକ ଆଶା କରିନଥିଲେ ଯେ ରାଓଏନା ଏହି ଅତିଥିମାନଙ୍କ ପାଖକୁ ଆସିବେ । ତେଣୁ ସେ ହଠାତ୍ ବିସ୍ମିତ ହୋଇଗଲେ । କିନ୍ତୁ ସେ ଉଠିଯାଇ ତାଙ୍କୁ ଆଣି ନିଜର ଡାହାଣ ପାଖ ଚଉକିରେ ବସାଇଦେଲେ ।

 

ରାଓଏନା ଚଉକିରେ ବସିବାମାତ୍ରେ ଟେମ୍ପଲାର ନାଇଟ ଗିଲବର୍ଟ ତାଙ୍କ ସଙ୍ଗୀଙ୍କ କାନ ପାଖରେ ଚୁପ୍‍ଚୁପ୍ କରି କହିଲେ, “ଅସ୍ତ୍ର ପ୍ରତିଯୋଗିତାରେ ମୁଁ ଆପଣଙ୍କର ସୁନାହାର ପିନ୍ଧି ପାରିବିନାହିଁ । ଆପଣ ବାଜିରେ ଜିଣିଲେ । ମଦଟିଣ ଆପଣଙ୍କର ପ୍ରାପ୍ୟ ।”

 

ପ୍ରାଏର ଏଇମର ସେହିପରି ଚୁପ୍‍ଚୁପ୍ କରି କହିଲେ, “ମୁଁ ତ ଆଗରୁ ସେଇ କଥା କହିଥିଲି । ତୁମ ଉପରେ ସେଡ଼୍ରିକଙ୍କର ନଜର ରହିଛି । ସେଆଡ଼କୁ ସେପରି ଏକ ଆଖିରେ ଚାହିଁ ରହନାହିଁ ।”

 

ରାଓଏନା ଯେ ଖୁବ୍ ସୁନ୍ଦରୀ ଏଥିରେ ସନ୍ଦେହ ନାହିଁ । ଉଚ୍ଚତା ବେଶି ନୁହେ କି କମ୍ ନୁହେ, ଯେତିକି ହେଲେ ସୁନ୍ଦର ଦେଖାଯିବ ସେତିକି । ଦେହର ରଙ୍ଗ ଦୁଗ୍‍ଧପରି ଶୁଭ୍ର; ଆଖିଯୋଡ଼ିକ ଗାଢ଼ ନୀଳ । ଦୀର୍ଘ କେଶ ପୃଷ୍ଠଦେଶକୁ ଲମ୍ବିଥିଲା ଓ ସେଥିରେ କେତେ ରତ୍ନ ଖଚିତ ଥିଲା । ଦେହରେ ଈଷତ୍ ସବୁଜରଙ୍ଗର ରେଶମୀ ପୋଷାକ ଥିଲା । ସର୍ବୋପରି ପଶମର ଗୋଟିଏ ଲାଲରଙ୍ଗର କୋଟ୍ ଥିଲା ।

 

ଟେମ୍ପଲାର ନାଇଟଙ୍କର ତୀକ୍ଷ୍ଣ ଦୃଷ୍ଟି ରାଓଏନାଙ୍କ ଆଖିରେ ପଡ଼ିଥିଲା । ସେ ଗୋଟିଏ ଓଢ଼ଣିରେ ନିଜର ମୁଖକୁ ଆବୃତ କରିଦେଲେ । ସେଡ଼୍ରିକ୍ ଏହା ଲକ୍ଷ୍ୟ କରି ଏହାର କାରଣ ଅନୁମାନ କରିପାରିଲେ । ସେ କହିଲେ, “ଟେମ୍ପଲାର ନାଇଟ୍ ମହାଶୟ, ଆମର ସାକ୍‍ସନ ମହିଳାମାନଙ୍କ ମୁଖରେ ସୂର୍ଯ୍ୟକିରଣ ପଡ଼ିନଥାଏ । ତେଣୁ ଆପଣଙ୍କ ତୀକ୍ଷ୍ଣ ଦୃଷ୍ଟିର ତେଜ ସହିବାକୁ ଅକ୍ଷମ ।”

 

ଏହି ବ୍ୟଙ୍ଗୋକ୍ତି ଶୁଣି ଗିଲବର୍ଟ ଲଜ୍ଜିତ ହୋଇ କହିଲେ, “ଯଦି ମୁଁ ଅଜ୍ଞାତସାରରେ ଅପମାନ ଦେଇଥାଏ କ୍ଷମା ମାଗୁଅଛି–ଅର୍ଥାତ୍ ଲେଡ଼ି ରାଓଏନାଙ୍କ ନିକଟରେ କ୍ଷମା ପ୍ରାର୍ଥନା କରୁଅଛି ।”

 

ପ୍ରାଏର ଏଇମର କହିଲେ, “ତୁମକୁ ଦଣ୍ଡ ଦେବାଦ୍ଵାରା ସେ ଆମ ସମସ୍ତଙ୍କୁ ଦଣ୍ଡ ଦେଇ ଅଛନ୍ତି । କିନ୍ତୁ ସେ ଯେଉଁମାନଙ୍କୁ ଅସ୍ତ୍ର ପ୍ରତିଯୋଗିତାରେ ଦେଖିବେ, ସେମାନଙ୍କ ପ୍ରତି ଏପରି ନିର୍ଦ୍ଦୟ ହେବେ ନାହିଁ ବୋଲି ଆମର ବିଶ୍ୱାସ ।”

 

ସେଡ଼୍ରିକ କହିଲେ, “ଆମେମାନେ ଅସ୍ତ୍ର ପ୍ରତିଯୋଗିତାକୁ ଯିବାରେ କିଛି ସ୍ଥିରତା ନାହିଁ । ଯେତେବେଳେ ଇଂଲଣ୍ଡ ସ୍ଵାଧୀନ ଥିଲା ସେତେବେଳେ ଏପରି ଅସ୍ତ୍ର ପ୍ରତିଯୋଗିତା ନ ଥିଲା । ଏ ଗୋଟାଏ ବୈଦେଶିକ ଆମୋଦ । ଏଥିପ୍ରତି ମୋର ଆଦୌ ଆଗ୍ରହ ନ ଥାଏ ।”

 

ସେଡ଼୍ରିକଙ୍କ କଥା ପ୍ରତି କୌଣସି ଗୁରୁତ୍ଵ ନଦେଇ ଏଇମର କହିଲେ, “ଆପଣଙ୍କୁ ପ୍ରବର୍ତ୍ତାଇ ଅସ୍ତ୍ର ପ୍ରତିଯୋଗିତାକୁ ଆମ ସଙ୍ଗରେ ନେଇ ପାରିବୁ ବୋଲି ଆମର ଆଶା । ଏଥିରେ ଭୟର କାରଣ କିଛି ନାହିଁ । ଟେମ୍ପଲାର ନାଇଟ୍ ଗିଲବର୍ଟ ଆମ୍ଭମାନଙ୍କୁ ରକ୍ଷା କରିବାକୁ ଖୁବ୍ ସମର୍ଥ-। ସେ ପାଖରେ ଥିଲେ ଆମେ ନିରାପଦ ।”

 

ସେଡ଼୍ରିକ ଉଦାସୀନ ଭାବରେ କହିଲେ, “ମୁଁ ଇଂଲଣ୍ଡର ଯେ କୌଣସି ସ୍ଥାନକୁ ଯାଇଛି, ସେଠାରେ ମୋର ଖଣ୍ଡା ଓ ମୋର ବିଶ୍ଵସ୍ତ ଅନୁଚର ହିଁ ମୋତେ ନିରାପଦରେ ରଖିଆସିଅଛନ୍ତି । ଅନ୍ୟ କାହାରି ସାହାଯ୍ୟ କେବେ ଆବଶ୍ୟକ ପଡ଼ିନାହିଁ । ଯଦି ଆମେ ଯାଉ ତେବେ ମୋ ସଙ୍ଗରେ ଆମର ପ୍ରତିବେଶୀ ଏଥେଲଷ୍ଟେନ ଯିବେ । ଏଇମର ମହାଶୟ, ଆପଣଙ୍କର ସ୍ଵାସ୍ଥ୍ୟ କାମନା କରି ମୁଁ ଏହି ମଦ୍ୟ ପାନ କରୁଅଛି । ଆଶାକରେ ଏହା ଆପଣଙ୍କର ରୁଚିକର ହେବ ।”

 

ସଙ୍ଗେ ସଙ୍ଗେ ଟେମ୍ପଲାର ନାଇଟ୍ ମଦ୍ୟପାତ୍ର ଉଠାଇ କହିଲେ, “ମୁଁ ଲେଡ଼ି ରାଓଏନାଙ୍କର ସ୍ଵାସ୍ଥ୍ୟ କାମନା କରୁଅଛି ।”

 

ଲେଡ଼ି ରାଓଏନା ଗମ୍ଭୀର ଭାବରେ କହିଲେ, “ଆପଣଙ୍କୁ ସେ କଷ୍ଟ ସ୍ଵୀକାର କରିବାକୁ ପଡ଼ିବ ନାହିଁ । ମୁଁ ଚାହେଁ, ଆପଣଙ୍କଠାରୁ ପାଲେଷ୍ଟାଇନର କିଛି ସମ୍ବାଦ ଶୁଣିବି ।”

 

ଗିଲବର୍ଟ ଉତ୍ତର କଲେ, “ଆପଣଙ୍କୁ ଜଣାଇବା ଭଳି କିଛି ସମ୍ବାଦ ନାହିଁ । ଉଭୟ ପକ୍ଷରୁ ଯୁଦ୍ଧ ବିରତି ଚୁକ୍ତି ହୋଇଛି, ଏତିକି ମାତ୍ର ।”

 

ଏହି ସମୟରେ ଜଣେ ଭୃତ୍ୟ ଆସି ସେଡ଼୍ରିକଙ୍କୁ ଜଣାଇଲା, “ମହାଭାଗ, କେହି ଜଣେ ଫାଟକ ପାଖରେ ଥାଇ ରାତିକ ପାଇଁ ଆଶ୍ରୟ ପ୍ରାର୍ଥନା କରୁଅଛି ।”

 

ଲୋକଟିକୁ ଘରକୁ ଡାକି ଆଣି ତା’ର ସମସ୍ତ ଅଭାବ ପୂରଣ କରିବାପାଇଁ ସେଡ଼୍ରିକ ଭୃତ୍ୟକୁ ଆଦେଶ ଦେଲେ ।

 

ଇହୁଦୀ ଆଇଜାକ୍

 

କିଛି ସମୟ ପରେ ଭୃତ୍ୟଟି ଫେରିଆସି ସେଡ଼୍ରିକଙ୍କ କାନ ପାଖରେ ଚୁପ୍‍ଚୁପ୍ କରି କହିଲା–“ଏହି ଲୋକଟି ୟର୍କର ଜଣେ ଇହୁଦୀ । ତା’ର ନାମ ଆଇଜାକ୍ ।”

 

ଲୋକଟି ଖୁବ୍ ଉଚ୍ଚ ଓ କ୍ଷୀଣକାୟ । ସେ ବହୁ ଦୂରରୁ ନମସ୍କାର କରି ଧୀରେ ଧୀରେ ଟେବୁଲ ଆଡ଼କୁ ଅଗ୍ରସର ହେଲା । ତା’ର ବାଳଗୁଡ଼ିକ ଧଳା, ମୁହଁର ଲମ୍ବ ଦାଢ଼ି ମଧ୍ୟ ଧଳା । ଦେହରେ ଗୋଟିଏ ଲମ୍ବ କଳାକୋଟ୍ ଥିଲା । ଇହୁଦୀ ଜାତିର ଲୋକଙ୍କ ପରି ସେ ମୁଣ୍ଡରେ ଗୋଟିଏ ହଳଦିଆ ଟୋପି ପିନ୍ଧିଥିଲା । ତାକୁ କେହି ସ୍ୱାଗତ ସମ୍ଭାଷଣ ଜଣାଇଲେ ନାହିଁ କିମ୍ଵା କୁଶଳ ପ୍ରଶ୍ନ ପଚାରିଲେ ନାହିଁ । କେବଳ ସେଡ଼୍ରିକ୍ ସାମାନ୍ୟ ମୁଣ୍ଡ ହଲାଇ ଚାକରମାନଙ୍କ ଟେବୁଲ ଆଡ଼କୁ ହାତ ଦେଖାଇ ସେଠାକୁ ଯିବାପାଇଁ ସଙ୍କେତ ଦେଲେ । କୌଣସି ଚାକର ସୁଦ୍ଧା ତାକୁ ଡାକିଲେ ନାହିଁ । ଶେଷରେ ତୀର୍ଥଯାତ୍ରୀ ଜଣକ ନିଆଁ କୁଣ୍ଡ ପାଖରୁ ଉଠିଯାଇ କହିଲା, “ତୁମେ ଆସି ମୋ ଜାଗାରେ ବସ । ମୁଁ ଖାଇସାରିଲିଣି । ନିଆଁ ପାଖରେ ବସିବାରୁ ମୋର ଦେହ ବେଶ୍ ଗରମ ହୋଇଗଲାଣି ।”

 

ଏହା କହି ସେ ନିଆଁ କୁଣ୍ଡରେ କିଛି କାଠ ପକାଇ ଦେଲା ଓ ନିଜେ କିଛି ଖାଦ୍ୟ ଆଣି ବୃଦ୍ଧ ଆଗରେ ରଖିଦେଲା । ଆଇଜାକ୍ ଖାଇବାକୁ ଆରମ୍ଭ କରିବାରୁ ସେ ହଲ୍‍ର ଅନ୍ୟ ପାଖକୁ ଚାଲିଗଲା ।

 

ଏଥି ମଧ୍ୟରେ ପ୍ରାଏର ଏଇମର ଓ ସେଡ଼୍ରିକଙ୍କ ମଧ୍ୟରେ ଶିକାର ବିଷୟରେ ଆଲୋଚନା ଚାଲିଥିଲା । ଏଇମର କହିଲେ, “ଅବଶ୍ୟ ଆପଣଙ୍କର ମାତୃଭାଷା ଇଂରାଜି ପ୍ରତି ବିଶେଷ ଅନୁରାଗ ଅଛି । କିନ୍ତୁ ଶିକାରରେ ସୁଦ୍ଧା ଫରାସୀ ଭାଷା ବ୍ୟବହାର କରୁ ନ ଥିବାର ଦେଖି ମୁଁ ବିସ୍ମିତ ହେଉଅଛି ।”

 

ସେଡ଼୍ରିକ୍‍ ଗମ୍ଭୀର ହୋଇ କହିଲେ, “ଏଇମର ମହାଶୟ, ଫରାସୀ ଭାଷା ନ ଶିଖିଲେ ମଧ୍ୟ ମୁଁ ବେଶ୍ ଚଳିପାରୁଛି । ଫରାସୀ ଭାଷାର ସାହାଯ୍ୟ ନ ନେଇ ମୁଁ ସ୍ୱଚ୍ଛନ୍ଦରେ ଶିକାର କରିପାରୁଛି । ପଦେ ସୁଦ୍ଧା ଫରାସୀ ଭାଷା ବ୍ୟବହାର ନ କରି ମୁଁ ଶିକାରରେ ଶିଙ୍ଘା ବଜାଇପାରୁଛି, କୁକୁରମାନଙ୍କୁ ଆଦେଶ ଦେଇ ପାରୁଛି, ଶିକାର ମଲେ ତାକୁ କାଟିପାରୁଛି–କିଛି ବାକି ରହିଯାଉନାହିଁ-।”

 

ଏହି ସମୟରେ ଟେମ୍ପଲାର ନାଇଟ୍ କହିଲେ, “ଫରାସୀ ଭାଷା ଯେ କେବଳ ଶିକାର ପାଇଁ ଖୁବ୍ ଉପଯୁକ୍ତ ତାହା ନୁହେଁ–ଯୁଦ୍ଧ ଓ ପ୍ରେମ ବ୍ୟାପାରରେ ସୁଦ୍ଧା ଏହି ଫରାସୀଭାଷା ବ୍ୟବହାରର ଯୋଗ୍ୟ ।”

 

ସେଡ଼୍ରିକ ଦେଖିଲେ, ଫରାସୀ ଓ ଇଂରାଜି ଭାଷା ନେଇ ବିବାଦ ବଢ଼ାଇବା ସୁନ୍ଦର ହେବ ନାହିଁ । ତେଣୁ କଥାର ଗତି ଫେରାଇବା ପାଇଁ ସେ ଜଣେ ଚାକରକୁ କହିଲେ, “ଯାଅ, ମଦ ନେଇ ଆସ । ଜାତି ଭାଷା ନିର୍ବିଶେଷରେ ଯେଉଁ ପରାକ୍ରାନ୍ତ ବୀରମାନେ ଖ୍ରୀଷ୍ଟିଆନ ଧର୍ମର ମହତ୍ତ୍ୱ ରହିବା ପାଇଁ ଯୁଦ୍ଧ କରୁଅଛନ୍ତି ସେମାନଙ୍କ ଉଦ୍ଦେଶ୍ୟରେ ମଦ୍ୟ ପାନ କରିବି ।”

 

ଗିଲବର୍ଟ ଏହା ଶୁଣି କହିଲେ, “ତାହା ହେଲେ ଆପଣ କେବଳ ଟେମ୍ପଲାର ନାଇଟ୍‍ମାନଙ୍କ ଉଦ୍ଦେଶ୍ୟରେ ମଦ୍ୟ ପାନ କରିବେ ବୋଲି କହୁଛନ୍ତି ।”

 

ଏହି ସମୟରେ ଲେଡ଼ି ରାଓଏନା ପଚାରିଲେ, “ରାଜା ରିଚାର୍ଡ଼ଙ୍କ ସୈନ୍ୟ ଦଳ ମଧ୍ୟରେ କଅଣ ପ୍ରଶଂସନୀୟ ବୀର ନଥିଲେ ?”

 

ଟେମ୍ପଲାର ନାଇଟ୍ ଉତ୍ତର କଲେ, “ମୋତେ କ୍ଷମା କରିବେ, ରିଚାର୍ଡ଼ ଅନେକ ବୀର ସୈନିକ ନେଇ ପାଲେଷ୍ଟାଇନକୁ ଯାଇଥିଲେ । ସେମାନଙ୍କ ସାହସ, ବୀରତ୍ଵ... ।”

 

ସେ ବାକ୍ୟ ଶେଷ ନ କରୁଣୁ ତୀର୍ଥଯାତ୍ରୀ ଜଣକ କହି ଉଠିଲେ “ଅତୁଳନୀୟ ଥିଲା ।”

 

ଏବେ ସମସ୍ତଙ୍କ ଦୃଷ୍ଟି ତୀର୍ଥଯାତ୍ରୀଙ୍କ ଆଡ଼କୁ ଆକୃଷ୍ଟ ହେଲା । ସେ କହିବାକୁ ଲାଗିଲେ, “ମୁଁ ଜୋର୍ ଦେଇ କହିପାରେ, ସେମାନଙ୍କର ସାହସ ଓ ବୀରତ୍ଵ ଯଥାର୍ଥରେ ଅତୁଳନୀୟ ଥିଲା । ଏହାର ପ୍ରମାଣ ସ୍ୱରୂପ ମୁଁ ଗୋଟିଏ ଅସ୍ତ୍ର ପ୍ରତିଯୋଗିତାର ଉଦାହରଣ ଦେବି । ଏହି ପ୍ରତିଯୋଗିତା ମୁଁ ସ୍ୱଚକ୍ଷୁରେ ଦେଖିଥିଲି । ସେଦିନ ରାଜା ରିଚାର୍ଡ଼ ଓ ତାଙ୍କର ପାଞ୍ଚଜଣ ନାଇଟ୍ ପ୍ରତ୍ୟେକେ ତିନିଥର ଲେଖାଏଁ ପ୍ରତିଦ୍ୱନ୍ଦୀମାନଙ୍କ ସହିତ ଯୁଦ୍ଧ କରି ସେମାନଙ୍କୁ ତଳେ ପକାଇ ଦେଲେ । ଏହି ପ୍ରତିଦ୍ଵନ୍ଦୀମାନଙ୍କ ମଧ୍ୟରୁ ସାତଜଣ ଥିଲେ ଟେମ୍ପଲାର୍ ନାଇଟ୍ । ସାର ଗିଲବର୍ଟ ମଧ୍ୟ ଏକଥା ଜାଣନ୍ତି ।”

 

ଏହି ବିଦ୍ରୂପୋକ୍ତିରେ ଗିଲବର୍ଟଙ୍କ ମୁହଁ କ୍ରୋଧରେ ଲାଲ ପଡ଼ିଗଲା । ହାତ ଆସି ବେଳେବେଳେ ଅସିମୁଠା ଉପରେ ରହିଗଲା । ସେଡ଼୍ରିକ ଏହା ଦେଖି ହସି ହସି କହିଲେ, “ଯାତ୍ରୀ ମହାଶୟ, ଯଦି ରିଚାର୍ଡ଼ଙ୍କ ପକ୍ଷର ନାଇଟ୍‍ମାନଙ୍କ ନାମ କହିପାରିବ ତେବେ ଏହି ସୁନାହାରଟି ତୁମକୁ ପୁରସ୍କାର ଦେବି ।” ତୀର୍ଥଯାତ୍ରୀ ଉତ୍ତର କଲେ, “ସେମାନଙ୍କର ନାମ କହିବାରେ ମୋର ଆନନ୍ଦ ଅଛି, ତେଣୁ ମୁଁ ପୁରସ୍କାର ନେବାକୁ ଇଚ୍ଛା କରେ ନାହିଁ । ମୁଁ ସେମାନଙ୍କର ନାମ କହୁଛି, ଶୁଣନ୍ତୁ । ଅବଶ୍ୟ ଇଂଲଣ୍ଡର ରାଜା ସିଂହ–ହୃଦୟ ରିଚାର୍ଡ଼ଙ୍କ ନାମ ପ୍ରଥମେ ଉଲ୍ଲେଖଯୋଗ୍ୟ । ଦ୍ୱିତୀୟ ସ୍ଥାନ ଅଧିକାର କରିବେ ଲିସେଷ୍ଟର୍‍ର ଅର୍ଲ । ତୃତୀୟ ସ୍ଥାନର ଅଧିକାରୀ ହେବେ ଗିସ୍‍ଲାଣ୍ଡର ଡିଉକ୍ ସାର୍ ଟମାସ ମୁଲଟନ ।”

 

ସେଡ଼୍ରିକ ଗର୍ବ ସହକାରେ କହିଲେ, “ମୁଲଟନ ନିଶ୍ଚୟ ଜଣେ ସାକ୍‍ସନ ।”

 

ତୀର୍ଥଯାତ୍ରୀ ପୁଣି କହିଲେ, “ଚତୁର୍ଥ ହେଉଛନ୍ତି ସାର୍ ଫକ୍ ଡଇଲି ଓ ପଞ୍ଚମ ହେଉଛନ୍ତି ସାର୍ ଏଡ଼ଉଇନ୍ ଟର୍ନହାମ୍ ।”

 

ଏହି ସମୟରେ ସେଡ଼୍ରିକ କହିଉଠିଲେ, “ସେ ମଧ୍ୟ ଜଣେ ବିଶୁଦ୍ଧ ସାକ୍‍ସନ । ଆଚ୍ଛା, ଷଷ୍ଠ କିଏ ? ଶେଷ ନାଇଟ୍‍ଙ୍କର ନାମ କଅଣ ?”

 

ତୀର୍ଥଯାତ୍ରୀ ଟିକିଏ ଚିନ୍ତା କରି କହିଲେ, “ଷଷ୍ଠ ଜଣକ ଜଣେ ଅଳ୍ପବୟସ୍କ ନାଇଟ୍ । ତାଙ୍କ ନାମଟା ମୋର ସ୍ମରଣ ହେଉନାହିଁ ।”

 

ଏହି ସମୟରେ ଗିଲବର୍ଟ ଘୃଣା ସହକାରେ କହିଲେ, “ନାମଟା ମନେପଡ଼ୁନାହିଁ–ମୁଁ ସ୍ମରଣ କରାଇ ଦେଇ ପାରିବି । ଶେଷ ନାଇଟ୍ ଜଣକର ନାମ ଆଇଭାନହୋ । ସେ ସସ୍ତଙ୍କଠାରୁ ସାହସୀ ବୋଲି ମୁଁ ନିଃସନ୍ଦେହ ରୂପେ କହିପାରେ । ମୁଁ ଯେ ତାଙ୍କ ପାଖେ ହାରିଗଲି ତା’ର କାରଣ ହେଉଛି, ମୋର ଘୋଡ଼ାଟା ପଡ଼ିଗଲା ।”

 

ଯେଉଁ ପୁଅର ସେଡ଼୍ରିକ ପୈତୃକ ସମ୍ପତ୍ତିରୁ ବଞ୍ଚିତ କରିଥିଲେ ତାରି ବୀରତ୍ଵ କଥା ଶୁଣିବାକୁ ସେ ପ୍ରସ୍ତୁତ ନ ଥିଲେ । ଅବଶ୍ୟ ମନେ ମନେ ସେ ନିଜ ପୁତ୍ର ନିମନ୍ତେ ଗର୍ବ ଅନୁଭବ କରୁଥିଲେ । ହଠାତ୍ ଏଇମରଙ୍କ ଡାକରେ ତାଙ୍କର ଚିନ୍ତାରେ ବାଧା ଜାତ ହେଲା । ଏଇମର କହିଲେ, “ସାର୍ ସେଡ଼୍ରିକ, ଆଜି ଆମ୍ଭେମାନେ ଘୋଡ଼ାରେ ବସି ବହୁତ ଦୂର ଆସିଛୁ । ଲେଡ଼ି ରାଓଏନାଙ୍କ ଶୁଭ କାମନା କରି ମଦ୍ୟ ପାନ କରିବା ପରେ ଶୋଇବାକୁ ଯିବା ଆମର ଇଚ୍ଛା । ଆଶାକରେ ଆପଣ ଏହାର ଏଥିରେ ଆପତ୍ତି କରିବେ ନାହିଁ ।”

 

ପ୍ରାଏର ଏଇରମ ଏପରି କହିବାର ବିଶେଷ କାରଣ ଥିଲା । କଥାବାର୍ତ୍ତା ଯେପରି ଗତି କରୁଥିଲା, ସେଥିରେ ସେଡ଼୍ରିକ ଓ ଗିଲବର୍ଟଙ୍କ ଭିତରେ କଳି ଲାଗିଯିବ ବୋଲି ତାଙ୍କର ଆଶଙ୍କା ହୋଇଥିଲା । ତେଣୁ ପରିସ୍ଥିତି ସମ୍ଭାଳି ନେବାପାଇଁ ଏପରି କହିଲେ । ବାସ୍ତବରେ ପ୍ରାଏର ଏଇମର ଶାନ୍ତିପ୍ରିୟ ଲୋକ ଥିଲେ । ତେଣୁ ତାଙ୍କ ପକ୍ଷରେ ଏପରି କହିବା ସ୍ଵାଭାବିକ ।

 

ପଥିକମାନେ ମଦ୍ୟ ପାନ କରି ନିଜ ନିଜ ପାଇଁ ନିର୍ଦ୍ଦିଷ୍ଟ ଘରକୁ ଗଲେ । କିନ୍ତୁ ତୀର୍ଥଯାତ୍ରୀ ଜଣଙ୍କ ତାଙ୍କ କୋଠରିକୁ ଯିବାବେଳେ ଲେଡ଼ି ରାଓଏନାଙ୍କର ଜଣେ ଚାକର ତାଙ୍କୁ ଅଟକାଇ କହିଲା ଯେ ତାଙ୍କଠାରୁ ପାଲେଷ୍ଟାଇନର ସମ୍ବାଦ ଶୁଣିବା ରାଓଏନାଙ୍କର ଅଭିପ୍ରାୟ । ତୀର୍ଥଯାତ୍ରୀ ଚାକର ସଙ୍ଗେ ଯାଇ ରାଓଏନାଙ୍କ କୋଠରିରେ ଉପସ୍ଥିତ ହେଲେ । ରାଓଏନା ଗୋଟିଏ ସୁସଜ୍ଜିତ ସିଂହାସନ ଉପରେ ବସିଥିଲେ ଓ ତାଙ୍କ ପଛରେ ତିନିଜଣ ପରିଚାରିକା ଛଡ଼ା ହୋଇ ରହିଥିଲେ । ତୀର୍ଥଯାତ୍ରୀ ଜାନୁପାତ କରି ରାଇଏନାଙ୍କୁ ସମ୍ମାନ ପ୍ରଦର୍ଶନ କଲେ ।

 

ରାଓଏନା କହିଲେ, “ତୁମେ ଏବେ ଆଇଭାନହୋ'ଙ୍କ କଥା କହୁଥିଲେ । କେଉଁଠାରେ ତୁମର ତାଙ୍କ ସାକ୍ଷାତ ହୋଇଥିଲା ? ତାଙ୍କର ସମ୍ବାଦ କଅଣ ?”

 

ତୀର୍ଥଯାତ୍ରୀ ଉତ୍ତର କଲେ, “ମୁଁ ତାଙ୍କ ବିଷୟରେ ବିଶେଷ କିଛି ଜାଣେ ନାହିଁ । ଆପଣ ତାଙ୍କର ସମ୍ବାଦ ପାଇବାକୁ ଆଗ୍ରହୀ ବୋଲି ମୁଁ ଜାଣି ନ ଥିଲି । ସେ ଶୀଘ୍ର ଇଂଲଣ୍ଡକୁ ଫେରି ଆସିବେ ବୋଲି ଶୁଣୁଥିଲି ।”

 

ରାଓଏନା କେବଳ ଗୋଟିଏ ଦୀର୍ଘଶ୍ୱାସ ପକାଇ ଆଇଭାନହୋ କେବେ ଆସିବା ସମ୍ଭବ ଓ ପଥରେ ତାଙ୍କର କିଛି ବିପଦର ସମ୍ଭାବନା ଅଛି କି ନା ପଚାରିଲେ ।

 

ତୀର୍ଥଯାତ୍ରୀ ଆଇଭାନହୋଙ୍କର ଆସିବାର ସମୟ ସମ୍ବନ୍ଧରେ କିଛି କହିପାରିଲେ ନାହିଁ । କିନ୍ତୁ ପଥରେ ତାଙ୍କର କୌଣସି ଶଙ୍କାର କାରଣ ନାହିଁ ବୋଲି ମତ ପ୍ରକାଶ କଲେ ।

 

ତହୁଁ ରାଓଏନା ତାଙ୍କୁ ଗୋଟିଏ ସ୍ୱର୍ଣ୍ଣ ମୁଦ୍ରା ଉପହାର ହେଇ ଧନ୍ୟବାଦ ଅର୍ପଣ କଲେ । ତୀର୍ଥଯାତ୍ରୀ ରଓଏନାଙ୍କ ଠାରୁ ବିଦାୟ ନେଇ ନିଜ କୋଠରୀକୁ ବିଶ୍ରାମ କରିବା ନିମନ୍ତେ ଗଲେ । ସେଠାରେ ଥିବା ଭୃତ୍ୟକୁ ଦେଖି ସେ ପଚାରିଲେ, ‘‘ଇହୁଦୀ ଭଦ୍ରଲୋକ କେଉଁଠାରେ ଶୋଇଛନ୍ତି-?” ସେ ତାଙ୍କ ପାଖ ଘରେ ଶୋଇଛନ୍ତି ବୋଲି ଉତ୍ତର ମିଳିଲା । ତତ୍ପରେ ତୀର୍ଥଯାତ୍ରୀ ଗୁର୍ଥର ଶୋଇବା ସ୍ଥାନ ବିଷୟରେ ପ୍ରଶ୍ନ କଲେ । ଭୃତ୍ୟଟି ଉତ୍ତର କଲା, “ସେ ଅପରପାର୍ଶ୍ଵରେ ଶୋଇଛି-।”

 

ତୀର୍ଥଯାତ୍ରୀ ଭୃତ୍ୟଠାରୁ ମଶାଲଟି ନେଇ ନିଜ କୋଠରୀକୁ ଗଲେ ଓ ଘରଟିକୁ ଉତ୍ତମ ରୂପେ ଦେଖିନେଲେ । ଘର ଭିତରେ ବିଶେଷ ଆସବାବ ନ ଥିଲା । କେବଳ ଖଣ୍ଡିଏ ଖଟ ପଡ଼ିଥିଲା ଓ ତା’ ପାଖରେ ଗୋଟିଏ ଟୁଲ ଓ ଦୁଇ ତିନିଟି ମେଣ୍ଢା ଚମଡ଼ା ଥିଲା । ତୀର୍ଥଯାତ୍ରୀ ମଶାଲ ଲିଭାଇ ଦେଇ ଶୋଇବାକୁ ଗଲେ ।

 

ସେ ଗଭୀର ନିଦ୍ରାରେ ଶୋଇ ପଡ଼ିଲେ । ପାହାନ୍ତିଆ ବେଳକୁ ନିଦ ଭାଙ୍ଗିବାରୁ ସେ ଇହୁଦୀଙ୍କ କୋଠରୀରେ ଧୀର ପଦରେ ପ୍ରବେଶ କଲେ । ସେ ନିଜର ବାଡ଼ି ସାହାଯ୍ୟରେ ଇହୁଦୀଙ୍କୁ ନିଦରୁ ଉଠାଇଲେ । ଆଇଜାକ୍ ହଠାତ୍ ଭୟରେ ଉଠି ଚମକି ପଡ଼ିଲେ । ତୀର୍ଥଯାତ୍ରୀ ଧୀର ସ୍ଵରରେ କହିଲେ, “ମୁଁ ବନ୍ଧୁ ଭାବରେ ଆପଣଙ୍କ ପାଖକୁ ଆସିଛି । ମୋତେ ଭୟ କରିବାର କିଛି କାରଣ ନାହିଁ ।” ଆଇଜାକ୍ ଉତ୍ତର କଲେ, “ମୋ ଭଳି ଇତର ବୃଦ୍ଧ ଇହୁଦୀଠାରେ ଆପଣଙ୍କର କି କାର୍ଯ୍ୟ ଥାଇପାରେ ବୁଝିପାରୁ ନାହିଁ ।”

 

ତୀର୍ଥଯାତ୍ରୀ ଜଣାଇ ଦେଲେ, “ଏଇ ମୁହୂର୍ତ୍ତରେ ଏ ଘର ଛାଡ଼ି ଚାଲି ନ ଗଲେ ତୁମର ଭୟଙ୍କର ବିପଦ ଘଟିବ । ଏହି କଥା କହି ଦେବାପାଇଁ ଆସିଛି ।”

 

ଇହୁଦୀ ଅତ୍ୟନ୍ତ କାତର ହୋଇ ପଡ଼ିଲେ । ଟିକିଏ ରହିଯାଇ ପଚାରିଲେ, “ମୋଭଳି ଦରିଦ୍ର ବୃଦ୍ଧ ଲୋକର କିଏ କାହିଁକି କ୍ଷତି କରିବ ?”

 

ତୀର୍ଥଯାତ୍ରୀ କହିଲେ, ‘‘କାଲି ରାତିରେ ଟେମ୍ପଲାର ନାଇଟ୍ ଗଲାବେଳେ ତାଙ୍କର ଚାକରମାନଙ୍କୁ କହୁଥିଲେ, ‘ତୁମେ କେଉଁବାଟେ ଯିବ ସେମାନେ ଲକ୍ଷ୍ୟ ରଖିଥିବେ । ତୁମେ କିଛି ଦୂର ଚାଲିଗଲା ପରେ ବାଟରେ ସେମାନେ ତୁମକୁ ତାଙ୍କ ଦୁର୍ଗରେ ବନ୍ଦୀ କରି ରଖିବେ । ମୁଁ ସେ କଥା ଶୁଣିପାରିଥିଲି । ତେଣୁ ଶୀଘ୍ର ପଳାଇଯିବା ତୁମର ଉଚିତ ।”

 

ଆଇଜାକ କାନ୍ଦ କାନ୍ଦ ହୋଇ କହିଲେ, “ସେମାନେ ମୋତେ ବନ୍ଦୀ କଲେ ଘୋର ଯନ୍ତ୍ରଣା ଦେବେ । ଓଃ ! ମୁଁ କଅଣ କରିବି ? ସେ କଥା ଭାବିଲାବେଳକୁ ମୋର ଛାତି କମ୍ପି ଉଠୁଛି-।”

 

ତୀର୍ଥଯାତ୍ରୀ କହିଲେ, “ମୋ କଥା ଶୁଣ । ଘରର ଲୋକେ ସମସ୍ତେ ଶୋଇଛନ୍ତି । ତୁମେ ବର୍ତ୍ତମାନ ଚାଲିଯାଅ । ମୁଁ ତୁମକୁ ଗୋଟାଏ ଗୁପ୍ତ ବାଟରେ ନେଇ ନରାପଦ ସ୍ଥାନରେ ଛାଡ଼ିଦେବି ।”

 

ଆଇଜାକ ଏହି ପ୍ରସ୍ତାବରେ ରାଜି ହୋଇ ଶୀଘ୍ର ଯିବାକୁ ପ୍ରସ୍ତୁତ ହୋଇଗଲେ । ତୀର୍ଥଯାତ୍ରୀ ମଧ୍ୟ ଯିବାକୁ ପ୍ରସ୍ତୁତ । କିନ୍ତୁ ଗୋଟିଏ ସମସ୍ୟା ପହଞ୍ଚିଲା । ଆଗେ ଘରୁ କିପରି କେଉଁବାଟେ ବାହାରିବାକୁ ହେବ ?

 

ତୀର୍ଥଯାତ୍ରା ଖୁବ୍ ବୁଦ୍ଧିମାନ୍ ଲୋକ । ସେ ପ୍ରଥମେ ପାଖ କୋଠରୀକୁ ଯାଇ ଗୁର୍ଥକୁ ଉଠାଇଲେ । କିନ୍ତୁ ଫାଟକ ଖୋଲି ଆଲଜାକ ଓ ତୀର୍ଥଯାତ୍ରୀକୁ ବାହାରକୁ ଛାଡ଼ି ଦେବାପାଇଁ ଗୁର୍ଥର ସାହସ ହେଲାନାହିଁ । ତୀର୍ଥଯାତ୍ରୀ ନଇଁ ପଡ଼ି ଗୁର୍ଥର କାନରେ ଫୁସ୍ ଫୁସ୍ କରି କଅଣ କହିଲେ । ମୁହୂର୍ତ୍ତକ ଭିତରେ ସେ ବଦଳିଗଲା । ତୀର୍ଥଯାତ୍ରୀ ଧୀର ସ୍ଵରରେ କହିଲେ, ‘‘ଗୁର୍ଥ, ଯାଆ, କବାଟ ଫିଟାଇ ଦେ ଓ ଆମପାଇଁ ଯୋଡ଼ିଏ ଗଧ ଆଣ । ଆମେ ଚାଲିଯାଉଁ ।” ଏହା ପରେ ସେ ପୁଣି ଗୁର୍ଥ କାନରେ ଚୁପ୍ ଚୁପ୍ କରି କିଛି କହିଲେ ।

 

ଗୁର୍ଥ ଦୁଇଟି ଗଧ ଆଣିବାରୁ ଆଇଜାକ ଓ ତୀର୍ଥଯାତ୍ରୀ ସେମାନଙ୍କ ଉପରେ ବସି ରଥରଉଡ଼୍‍ରୁ ବାହାରିଗଲେ । ଦୁହେଁଯାକ ଖୁବ୍ ବେଗରେ ଗଧକୁ ଚଳାଇଲେ । କେତେ ଘଣ୍ଟା ଏହିପରି ଯିବା ପରେ ସେମାନେ ଗୋଟିଏ ଛୋଟ ପାହାଡ଼ର ଶିଖରରେ ପହଞ୍ଚିଲେ । ଏହିଠାରେ ଦୁହେଁ ଗଧରୁ ଓହ୍ଲାଇ ଛିଡ଼ା ହେଲେ । ତୀର୍ଥଯାତ୍ରୀ ଆଗକୁ ହାତ ଦେଖାଇ କହିଲେ, “ହେଇଟି, ଆଗରେ ଶେଫିଲଡ୍ ସହର ଦିଶୁଛି । ଏଣିକି ତୁମେ ଏକୁଟିଆ ଯାଅ; ମୁଁ ଏଇଥରୁ ବିଦାୟ ନେଉଛି-।”

 

ଆଇଜାକ୍ ତାଙ୍କୁ ବହୁତ ଧନ୍ୟବାଦ ଦେଲେ । ତୀର୍ଥଯାତ୍ରୀ କହିଲେ, “ମୁଁ ପରା କହୁଛି, ମୋତେ ଧନ୍ୟବାଦ ଦେବା ଦରକାର ନାହିଁ । ମୋର କୌଣସି ପୁରସ୍କାର ଲୋଡ଼ା ନାହିଁ । ତୁମକୁ ସାହାଯ୍ୟ କରିବାହିଁ ମୋର ଯଥେଷ୍ଟ ପୁରସ୍କାର ।”

 

ଏହା କହି ସେ ଗଧ ଉପରେ ବସି ଚାଲିଯାଉଥିଲେ । କିନ୍ତୁ ଆଇଜାକ୍ ତାଙ୍କୁ ଅଟକାଇ ରଖି କହିଲେ, “ମୋତେ ଧନ୍ୟବାଦ ନ ଦେଲେ କ୍ଷତି ନାହିଁ । କିନ୍ତୁ ମୁଁ ତୁମକୁ ଟିକିଏ ସାହାଯ୍ୟ କରିବାକୁ ଚାହେଁ । ମୁଁ ଜାଣେ, ତୁମର ବର୍ତ୍ତମାନ ଗୋଟିଏ ଘୋଡ଼ା ଓ ସାଞ୍ଜୁ ଖୁବ୍ ଦରକାର ।”

 

ତୀର୍ଥଯାତ୍ରୀ–ତୁମର ଏପରି ଭାବିବାର କାରଣ କଅଣ ?

 

ଆଇଜାକ୍–ମୁଁ କିପରି ଏହା ଜାଣିଲି, ତାହା କହିବା ଦରକାର ନାହିଁ । କିନ୍ତୁ ତୁମେ କିପରି ଏ ଦୁଇଟି ଜିନିଷ ପାଇପାରିବ, ତାହା କହିପାରିବ । ଲିସେଷ୍ଟର ସହରରେ ଜଣେ ଇହୁଦୀ ଅଛନ୍ତି । ସେ ଖୁବ୍ ଧନୀଲୋକ । ସେ ଲମ୍ବାର୍ଦ୍ଦିରୁ ଆସି ଲିସେଷ୍ଟାରରେ ରହିଅଛନ୍ତି । ତୁମେ ତାଙ୍କ ପାଖକୁ ଯିବ । ତାଙ୍କ ପାଖରେ ବହୁତ୍ ସାଞ୍ଜୁ ଅଛି–ଘୋଡ଼ା ମଧ୍ୟ ଅଛନ୍ତି । ମୁଁ ଖଣ୍ଡିଏ ଚିଠି ଦେଉଛି । ତାଙ୍କୁ ଚିଠିଟି ଦେଖାଇଲେ ସେ ତୁମକୁ ତୁମର ମନଲାଖି ଘୋଡ଼ାଟିଏ ଓ ସାଞ୍ଜୁ ଦେବେ । ତାହାହେଲେ ତମେ ଯାଇ ଅସ୍ତ୍ରକ୍ରୀଡ଼ାରେ ଯୋଗ ଦେଇ ପାରିବ । ଅସ୍ତ୍ରକ୍ରୀଡ଼ା ଶେଷ ହେଲେ ତାଙ୍କ ଘୋଡ଼ା ଓ ସାଞ୍ଜୁ ପ୍ରଭୃତି ପୁଣି ଫେରାଇଦେବ ।”

 

ଏହା ଶୁଣି ତୀର୍ଥଯାତ୍ରୀ କହିଲେ, “ଏହା କିପରି ସମ୍ଭବ ? ତୁମେ ଜାଣିଥିବ, କୌଣସି ନାଇଟ୍ ଏହି ଅସ୍ତ୍ରକ୍ରୀଡ଼ାରେ ହାରିଗଲେ ତା’ର ଘୋଡ଼ା ଓ ସାଞ୍ଜୁ ପ୍ରଭୃତି ବିଜେତା ନାଇଟ୍ ଅଧିକାର କରେ ।”

 

ଆଇଜାକ୍ ଉତ୍ତର କଲେ, “ହଁ, ସେ ନିୟମ ମୋତେ ଜଣାଅଛି । କିନ୍ତୁ ସେ ପ୍ରଶ୍ନ କାହିଁକି-? ମୁଁ ଭଲରୂପେ ଜାଣେ ତୁମେ ଅସ୍ତ୍ରକ୍ରୀଡ଼ାରେ ହାରିବ ନାହିଁ । ତେଣୁ ଅନ୍ୟ କୌଣସି ନାଇଟ୍ ତୁମର ଘୋଡ଼ା ବା ଅସ୍ତ୍ର ଶସ୍ତ୍ର ନେଇ ପାରିବ ନାହିଁ ।”

 

ଏହିପରି କଥାବାର୍ତ୍ତା ଶେଷରେ ତୀର୍ଥଯାତ୍ରୀ ଇହୁଦୀଙ୍କଠାରୁ ଖଣ୍ଡିଏ ଚିଠି ନେଇ ବିଦାୟ ନେଲେ । ଏହିଠାରେ ଦୁହେଁ ଭିନ୍ନ ଭିନ୍ନ ବାଟରେ ଚାଲିଗଲେ ।

 

ଆଶ୍‍ବିର ଅସ୍ତ୍ରକ୍ରୀଡ଼ା

 

ଆଶ୍‍ବିରେ ଅସ୍ତ୍ରକ୍ରୀଡ଼ା ହେବ ବୋଲି ଦେଶର ଚାରିଆଡ଼ୁ ଅନେକ ଲୋକ ଆସିଥାନ୍ତି । ଦେଶର ନାମଜାଦା ବୀରମାନେ ଏହି କ୍ରୀଡ଼ାରେ ଯୋଗ ଦେବେ । ରାଜା ରିଚାର୍ଡ଼ ଜେରୁଜେଲମର ଧର୍ମଯୁଦ୍ଧକୁ ଯାଇଥିବାରୁ ତାଙ୍କ ଭାଇ ଜନ୍ ରାଜ୍ୟ ବୁଝୁଥାନ୍ତି । ସେ ମଧ୍ୟ ଏହି ଅସ୍ତ୍ରକ୍ରୀଡ଼ା ପ୍ରତିଯୋଗିତା ପରିଚାଳନା ଲାଗି ଆସିବାର କଥା ଥାଏ । ତେଣୁ ବହୁତ ଲୋକ ଆଶ୍‍ବିରେ ରୁଣ୍ଡ ହୋଇଥାନ୍ତି ।

 

ସହରର ବାହାରେ ପ୍ରାୟ ଏକ ମାଇଲ ଦୂରରେ ଏହି କ୍ରୀଡ଼ା ନିମନ୍ତେ ଗୋଟିଏ ପ୍ରକାଣ୍ଡ ପଡ଼ିଆ ସ୍ଥିର ହୋଇଥାଏ । ଏହାର ଚାରିପାଖେ ଅନେକ ଗଛ । ପ୍ରତିଯୋଗିତା ପାଇଁ ନିର୍ଦ୍ଦିଷ୍ଟ ଅଂଶଟି କାଠର ବାଡ଼ ଦ୍ଵାରା ଆବୃତ କରାଯାଇଥିଲା । ପ୍ରତ୍ୟେକ ଦିଗରେ ଗୋଟିଏ ଲେଖାଏଁ ଫାଟକ ଥିଲା । ଏଇ ଫାଟକ ବାଟେ ପ୍ରତିଯୋଗୀ ନାଇଟ୍ ମାନେ ପଡ଼ିଆ ଭିତରକୁ ଆସିବାର କଥା-। ପ୍ରତି ପାଖରେ ଜଣେ ଲେଖାଏଁ ଘୋଷଣାକାରୀ ଓ ତାଙ୍କ ଅଧୀନରେ ଛଅ ଜଣ ଲେଖାଏଁ ବାଦ୍ୟକାର ଥିଲେ । ଏମାନଙ୍କ ଛଡ଼ା ଅନେକ ସାହାଯ୍ୟକାରୀ ମଧ୍ୟ ରହିଥିଲେ ।

 

ପଡ଼ିଆର ଦକ୍ଷିଣ ପାଖରେ ଗୋଟିଏ ଉଚ୍ଚ ଜାଗାରେ ପାଞ୍ଚଟି ତମ୍ବୁ ପଡ଼ିଥିଲା । ପ୍ରତିଦ୍ଵନ୍ଦୀମାନଙ୍କୁ ଯେଉଁ ନାଇଟ୍‍ମାନେ ଆହ୍ୱାନ ଦେବେ, ସେଇମାନଙ୍କ ଉଦ୍ଦେଶ୍ୟରେ ଏହି ତମ୍ବୁ ଗୁଡ଼ିକ ଥିଲା । ପ୍ରତି ତମ୍ବୁ ଉପରେ ସେଥିରେ ଥିବା ନାଇଟ୍‍ଙ୍କର ଢାଲ ରହିଥିଲା । ତମ୍ବୁର ଦ୍ଵାର ପାଖରେ ତାଙ୍କର ଏସ୍‍କ୍ୱାୟାର ଛିଡ଼ା ହୋଇ ରହିଥିଲେ । ପାଞ୍ଚଟି ତମ୍ବୁ ମଧ୍ୟରୁ ମଝିଟିରେ ଥିଲେ ବ୍ରାଏନ ଡିବକ୍ସ ଗିଲ୍‍ବର୍ଟ । ଗିଲ୍‍ବର୍ଟକୁ ବିଶେଷ ସମ୍ମାନ ଦେଖାଇବା ପାଇଁ ତାଙ୍କୁ ଏହି ତମ୍ବୁଟି ଦିଆଯାଇଥିଲା । ତାଙ୍କ ତମ୍ବୁର ଦୁଇ ପାଖରେ ରେଜିନାଲଡ଼ ଫ୍ରଣ୍ଟ ଡିବଫ ଓ ଫଲିପ୍ ମାଲ୍ ଉଇସିନ୍‍ଙ୍କର ତମ୍ବୁ ରହିଥିଲା ।

 

ଏହାର ବିପରୀତ ପାର୍ଶ୍ଵରେ ଆହ୍ଵାନକାରୀଙ୍କ ସହ ଯୁଦ୍ଧ କରିବାକୁ ପ୍ରସ୍ତୁତ ଥିବା ବୀରମାନଙ୍କ ପାଇଁ ସ୍ଥାନ ନିର୍ଦ୍ଦିଷ୍ଟ ଥିଲା । ଦର୍ଶକମାନଙ୍କ ବସିବା ପାଇଁ ଦୁଇଟି ବୃହତ୍ ମଞ୍ଚର ବ୍ୟବସ୍ଥା ଥିଲା । ଗୋଟିଏ ମଞ୍ଚ ଉପରେ ରାଜକୀୟ ପତାକା ଉଡ଼ୁଥିଲା । ଏହି ମଞ୍ଚଟି ରାଜା ଜନ୍ ଓ ତାଙ୍କର ବନ୍ଧୁମାନଙ୍କ ନିମନ୍ତେ ପ୍ରସ୍ତୁତ ହୋଇଥିଲା । ବିଶିଷ୍ଟ ଦର୍ଶକ ଓ ସେମାନଙ୍କ ମହିଳାମାନଙ୍କ ପାଇଁ ଅନ୍ୟ ମଞ୍ଚଟି ଅଭିପ୍ରେତ ଥିଲା । ରାଜା ଜନ୍‍ଙ୍କ ମଞ୍ଚ ଉପରେ ରାଜସିଂହାସନ ରଖାଯାଇଥିଲା । ଅନ୍ୟ ମଞ୍ଚ ଉପରେ ମଧ୍ୟ ଗୋଟିଏ ସିଂହାସନ ଥିଲା । କିନ୍ତୁ ଏଥିରେ କେହି ବସିବାର କଥା ନୁହେଁ । ଅସ୍ତ୍ରକ୍ରୀଡ଼ା ପ୍ରତିଯୋଗିତାର ଶେଷଦିନ ବିଜୟୀ ନାଇଟ୍ ଯେଉଁ ରମଣୀଙ୍କୁ ପ୍ରେମ ଓ ସୌନ୍ଦର୍ଯ୍ୟର ରାଣୀ ବୋଲି ନିର୍ବାଚନ କରିବେ, ସେ ଏହା ଉପରେ ବସିବେ ।

 

ନିର୍ଦ୍ଦିଷ୍ଟ ଦିନ ଚାହୁଁ ଚାହୁଁ ମଞ୍ଚ ଦୁଇଟିରେ ଥିବା ସମସ୍ତ ଆସନ ପୂର୍ଣ୍ଣ ହୋଇଗଲା । ସାଧାରଣ ଦର୍ଶକମାନେ ନିଜ ନିଜର ସ୍ଥାନ ସ୍ଥିର କରିନେଲେ । ଚାରିଆଡ଼େ ଲୋକାରଣ୍ୟ ବୋଧ ହେଲା । ଏହି ଦର୍ଶକ ମଣ୍ଡଳୀ ମଧ୍ୟରେ ବୃଦ୍ଧ ଇହୁଦୀ ଆଇଜାକ୍ ଓ ତାଙ୍କର ସୁନ୍ଦରୀ କନ୍ୟା ରେବେକା ମଧ୍ୟ ରହିଥିଲେ । ଆଇଜାକ୍ ଲୋକ ଗହଳି ମଧ୍ୟରେ ଆଗେଇଲା ବେଳେ ରେବେକା ଦୃଢ଼ ଭାବରେ ତାଙ୍କ ହାତକୁ ଧରିଥାନ୍ତି । ଏହିପରି ସେ ଦୁହେଁ ବହୁ କଷ୍ଟରେ ଦର୍ଶକମାନଙ୍କର ପ୍ରଥମ ଧାଡ଼ିରେ ଉପସ୍ଥିତ ହେଲେ ।

 

ରାଜା ଜନ୍ ଆସିବାମାତ୍ରେ ଲୋକମାନେ ଆନନ୍ଦ ଧ୍ଵନି କରି ତାଙ୍କୁ ଅଭ୍ୟର୍ଥନା ଜଣାଇଲେ । ତାଙ୍କର ଚକ୍‍ଚକ୍ ସ୍ୱର୍ଣ୍ଣ ଖଚିତ ପୋଷାକ ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରୁଥିଲା । ସ୍ନେହପାଳିତ ବାଜପକ୍ଷୀଟି ତାଙ୍କ ବାହୁ ଉପରେ ବସିଥିଲା । ପଛେ ପଛେ ତାଙ୍କର ବନ୍ଧୁମାନେ ଆସିଲେ । ଏମାନଙ୍କ ମଧ୍ୟରେ କେତେ ଜଣ ଟେମ୍ପଲାର ନାଇଟ୍ ଓ ପ୍ରାଏର ଏଇମର ମଧ୍ୟ ଥିଲେ । ଜନ୍ ତାଙ୍କର ସୁସଜ୍ଜିତ ଘୋଡ଼ା ଉପରେ ଚଢ଼ିଥିଲେ । ବନ୍ଧୁମାନଙ୍କ ସହିତ ମଧୁର ଗଳ୍ପ କରି କରି ଓ ସୁନ୍ଦରୀ ମହିଳାମାନଙ୍କୁ ଚାହିଁ ଚାହିଁ ସେ ହସହସ ମୁହଁରେ ମଞ୍ଚ ପାଖକୁ ଆସିଲେ ।

 

ସମସ୍ତେ ମଞ୍ଚ ଉପରେ ବସିଲା ପରେ ଜନ୍‍ଙ୍କ ଆଦେଶରେ ଘୋଷଣାକାରୀମାନେ ଅସ୍ତ୍ରକ୍ରୀଡ଼ା ପ୍ରତିଯୋଗିତାର ନିୟମମାନ ପଢ଼ି ଶୁଣାଇଦେଲେ ।

 

ପ୍ରଥମ ନିୟମ ହେଉଛି, ଆହ୍ଵାନକାରୀ ନାଇଟ୍‍ଙ୍କ ଆହ୍ୱାନ ଯିଏ ଗ୍ରହଣ କରିବା ତାହା ସହିତ ସେହି ନାଇଟ୍ ଯୁଦ୍ଧ କରିବାକୁ ବାଧ୍ୟ ହେବେ ।

 

ଦ୍ଵିତୀୟତଃ, କୌଣସି ନାଇଟ୍ ଅନ୍ୟ ଜଣକ ସହିତ ଯୁଦ୍ଧ କରିବାକୁ ଇଚ୍ଛା କଲେ ନିଜର ବର୍ଚ୍ଛା ଦ୍ୱାରା ତାଙ୍କର ଢାଲକୁ ସ୍ପର୍ଶ କରିଲେ ଯଥେଷ୍ଟ ହେଲା ।

 

ତୃତୀୟତଃ, ପ୍ରତିଯୋଗିତା ଶେଷରେ ରାଜା ଜନ୍ ଯାହାକୁ ବିଜୟୀ ବୋଲି ଘୋଷଣା କରିବେ ସେ ଗୋଟିଏ ଯୁଦ୍ଧ ଅଶ୍ୱ ପୁରସ୍କାର ପାଇବେ ଏବଂ ସେ ପ୍ରେମ ଓ ସୌନ୍ଦର୍ଯ୍ୟର ରାଣୀଙ୍କୁ ନିର୍ବାଚନ କରିବାର ଅଧିକାର ପାଇବେ ।

 

ଚତୁର୍ଥରେ, ପ୍ରତିଯୋଗିତାର ଦ୍ୱିତୀୟ ଦିନ ସାଧାରଣ ପ୍ରତିଯୋଗିତା ହେବ ଓ ସେଥିରେ ଯେ କୌଣସି ନାଇଟ୍ ଯୋଗ ଦେଇ ପାରିବେ । ଏଥିପାଇଁ ପ୍ରତିଯୋଗୀମାନଙ୍କୁ ଦୁଇ ଦଳରେ ବିଭକ୍ତ କରାଯିବ । ଦ୍ଵିତୀୟ ଦିନର ପ୍ରତିଯୋଗିତାରେ ରାଜା ଯାହାଙ୍କୁ ବିଜୟୀ ବୋଲି ଘୋଷଣା କରିବେ ତାଙ୍କ ମସ୍ତକରେ ପ୍ରେମ ଓ ସୌନ୍ଦର୍ଯ୍ୟର ରାଣୀ ମୁକୁଟ ପିନ୍ଧାଇଦେବେ । ଶେଷ ଦିନ ଲୋକସାଧାରଣ ବିବିଧ କ୍ରୀଡ଼ା ଓ ଧନୁର୍ବିଦ୍ୟାରେ କୃତିତ୍ଵ ପ୍ରଦର୍ଶନ କରିବେ ।

 

ନିୟମାବଳୀ ପାଠ ପରେ ଘୋଷଣାକାରୀମାନେ ଚାଲିଗଲେ । ରଙ୍ଗଭୂମିର ପ୍ରାନ୍ତ ଭାଗରେ କେବଳ ବିଚାରକମାନେ ନିଜ ନିଜ ଘୋଡ଼ା ଉପରେ ବସି ରହିଲେ । ଉତ୍ତର ପାର୍ଶ୍ଵରେ ବହୁସଂଖ୍ୟକ ନାଇଟ୍ ନିଜ ନିଜର ଘୋଡ଼ା ଉପରେ ବସି ଅପେକ୍ଷା କରି ରହିଥାନ୍ତି । ଆହ୍ୱାନକାରୀମାନଙ୍କର ଆହ୍ୱାନ ଶୁଣିଲା ମାତ୍ରେ ସେମାନେ ଯୁଦ୍ଧ କରିବାକୁ ପ୍ରସ୍ତୁତ ।

 

ଯଥା ସମୟରେ ରଙ୍ଗଭୂମିର ଫାଟକ ଫିଟିବାରୁ ପ୍ରଥମ ପାଞ୍ଚଜଣ ଅଶ୍ୱାରୋହୀ ନାଇଟ୍ ରଙ୍ଗଭୂମିରେ ପ୍ରବେଶ କଲେ । ସେମାନେ ଆହ୍ୱାନକାରୀମାନଙ୍କର ତମ୍ବୁ ପର୍ଯ୍ୟନ୍ତ ଯାଇ ନିଜ ନିଜ ପ୍ରତିଦ୍ଵନ୍ଦୀଙ୍କର ଢାଲକୁ ବର୍ଚ୍ଛାରେ ଛୁଇଁଦେଲେ । ଏହା ପରେ ସେମାନେ ରଙ୍ଗଭୂମିର ଏକ ପ୍ରାନ୍ତରେ ଧାଡ଼ି ହୋଇ ପ୍ରତିଦ୍ୱନ୍ଦୀମାନଙ୍କୁ ଅପେକ୍ଷା କରି ରହିଲେ ।

 

ସଙ୍କେତ ଦିଆଯିବା ମାତ୍ରେ ବ୍ରାଏନ ଡିବଇସ ଗିଲବର୍ଟଙ୍କ ନେତୃତ୍ୱରେ ପାଞ୍ଚଜଣଯାକ ଆହ୍ଵାନକାରୀ ନିଜ ନିଜ ଘୋଡ଼ା ଉପରେ ବସି ରଙ୍ଗଭୂମି ଅତିକ୍ରମ କରି ପ୍ରଥମ ପାଞ୍ଚଜଣଙ୍କ ସହିତ ଯୁଦ୍ଧ ଆରମ୍ଭ କଲେ । ଏହି ଯୁଦ୍ଧରେ ତିନିଜଣ ନାଇଟ୍ ପରାସ୍ତ ହେଲେ, ଜଣେ ଧାଡ଼ିରୁ ବାହାରି ଯାଇ ଯୁଦ୍ଧ କରିବାକୁ ଅନିଚ୍ଛା ପ୍ରକାଶ କଲେ । କେବଳ ବର୍ଚ୍ଛାଟି ମଧ୍ୟ ଭାଙ୍ଗିଯାଇଥିଲା ।

 

ପାଞ୍ଚଜଣ ଲେଖାଏଁ ଆହୁରି ଦୁଇଟି ଦଳ ଗୋଟିଏ ପରେ ଗୋଟିଏ ଆସି ଆହ୍ଵାନକାରୀମାନଙ୍କ ସହିତ ଯୁଦ୍ଧ କଲେ, କିନ୍ତୁ ସେମାନେ ମଧ୍ୟ ପ୍ରଥମଦଳ ପରି ଅକୃତକାର୍ଯ୍ୟ ହେଲେ । ଚତୁର୍ଥ ଦଳରେ ତିନିଜଣ ମାତ୍ର ନାଇଟ୍ ଥିଲେ । ସେମାନେ ଡିବଇସ ଗିଲବର୍ଟ ଓ ଫ୍ରଣ୍ଟ ଡିବଫଙ୍କୁ ଅତ୍ୟନ୍ତ ଶକ୍ତିଶାଳୀ ମନେକରି ଅନ୍ୟ ତିନି ଜଣଙ୍କ ଢାଲକୁ ବର୍ଚ୍ଛାରେ ସ୍ପର୍ଶ କଲେ । ଏଥର ଯୁଦ୍ଧରେ ମଧ୍ୟ ସେହି ତିନିଜଣ ଆହ୍ୱାନକାରୀ ଜୟୀ ହେଲେ ।

 

ଗୋଟିଏ ପରେ ଗୋଟିଏ ଏହିପରି ଚାରିଟି ଦଳ ଆସି ନିର୍ମାନ ନାଇଟ୍‍ମାନଙ୍କ ପାଖରେ ହାରିଯିବାର ଦେଖି ସେଡ଼୍ରିକ ଘୋର ଦୁଃଖ ଅନୁଭବ କଲେ । ଜଣେ ସୁଦ୍ଧା ସାକ୍‍ସନ ସେଦିନ କୌଣସି କୃତିତ୍ୱ ଦେଖାଇ ପାରିଲେ ନାହିଁ । ସେ ନିଜେ ସାକ୍‍ସନ ବୋଲି ବିଶେଷ ଗର୍ବ ଅନୁଭବ କରୁଥିଲେ । ତେଣୁ ସେ ଲଜ୍ଜିତ ହେବା ସ୍ଵାଭାବିକ । ସେ ଇଥେଲଷ୍ଟେନଙ୍କ ଆଡ଼କୁ ଚାହିଁ କହିଲେ, “ଆଜି ସାକ୍‍ସନମାନେ କିଛି ମାତ୍ର କୃତିତ୍ୱ ଦେଖାଉ ନାହାନ୍ତି । ଏଥେଲଷ୍ଟେନ, ତୁମେ କାହାରିକୁ ଯୁଦ୍ଧ ପାଇଁ ଆହ୍ଵାନ କଲେ ଭଲ ହୁଅନ୍ତା ନାହିଁ ?” କିନ୍ତୁ ଏଥେଲଷ୍ଟେନ ବିଶେଷ ଉତ୍ସାହ ଦେଖାଇଲେ ନାହିଁ । କହିଲେ, “ଆଜି ଯୁଦ୍ଧ କରିବାକୁ ମୋର ଇଚ୍ଛା ନାହିଁ । ମୁଁ ନିଶ୍ଚୟ କାଲିର ପ୍ରତିଯୋଗିତାରେ ଯୋଗ ଦେବି ।”

 

ସେଦିନର ପ୍ରତିଯୋଗିତା ଶେଷ ହେଲା ଓ ସେଥିରେ ଗିଲବର୍ଟ ବିଜୟୀ ହେଲେ ବୋଲି ଘୋଷଣା କରିବାକୁ ପ୍ରିନସ୍ ଜନ୍ ବାହାରିଛନ୍ତି, ଏହି ସମୟରେ ଉତ୍ତର ପାଖ ଫାଟକ ବାଟେ ଜଣେ ନାଇଟ୍ ଗୋଟିଏ କୃଷ୍ଣବର୍ଣ୍ଣ ଅଶ୍ଵ ପୃଷ୍ଠରେ ବସି ରଙ୍ଗଭୂମିରେ ପ୍ରବେଶ କଲେ । ତାଙ୍କ ଢାଲ ଉପରେ ଗୋଟିଏ ଭଙ୍ଗା ଗଛ ଓ ଗୋଟିଏ ଖଣ୍ଡାର ଚିତ୍ର ଥିଲା । ଏହା ତଳେ ଲେଖାଥିଲା ‘ଉତ୍ତରାଧିକାରରୁ ବଞ୍ଚିତ’ । ସେ ବର୍ଚ୍ଛା ଅବନତ କରି ରାଜାଙ୍କୁ ସମ୍ମାନ ପ୍ରଦର୍ଶନ କଲେ ଓ ଆହ୍ଵାନକାରୀମାନଙ୍କ ତମ୍ବୁ ଆଡ଼କୁ ଅଗ୍ରସର ହେଲେ । ଦର୍ଶକମାନଙ୍କ ଭିତରେ ଆଲୋଚନା ଚାଲିଲା–ଏହି ନାଇଟ୍ କାହା ସହିତ ଯୁଦ୍ଧ କରିବେ । ଏଥି ମଧ୍ୟରେ ‘ଉତ୍ତରାଧିକରରୁ ବଞ୍ଚିତ’ ନାଇଟ୍ ମଝିରେ ଥିବା ତମ୍ବୁ ପାଖକୁ ସିଧା ଯାଇ ଗିଲବର୍ଟଙ୍କ ଢାଲ ଉପରେ ନିଜର ବର୍ଚ୍ଛାକୁ ସ୍ପର୍ଶ କଲେ ।

 

ଦର୍ଶକମାନେ ବିସ୍ମୟରେ ସ୍ତବ୍‍ଧ ହୋଇଗଲା । ଯେଉଁ ଗିଲବର୍ଟଙ୍କ ଦ୍ଵାରା ଏତେ ନାଇଟ୍ ପରାସ୍ତ ହୋଇଛନ୍ତି, ତାଙ୍କ ସହିତ ଯୁଦ୍ଧ କରିବାକୁ ବାହାରୁଥିବା ଏ ନାଇଟ୍ ଜଣକ କିଏ ? ସେତେବେଳକୁ ଗିଲବର୍ଟ ନିଜର ତମ୍ବୁ ଆଗରେ ଛିଡ଼ା ହୋଇଥିଲେ । ସେ ନିତାନ୍ତ ବେଖାତିର ଦେଖାଇ ପଚାରିଲେ, “ତୁମେ କଅଣ ମରଣ ପାଇଁ ପ୍ରସ୍ତୁତ ହୋଇ ଆସିଛ ?”

 

‘ଉତ୍ତରାଧିକାରରୁ ବଞ୍ଚିତ’ ନାଇଟ୍ ଉତ୍ତର କଲେ, “ତୁମେ ଯଦି ମୃତ୍ୟୁ ପାଇଁ ପ୍ରସ୍ତୁତ, ମୁଁ ତୁମ ଅପେକ୍ଷା ଅଧିକ ପ୍ରସ୍ତୁତ ।”

 

ଗିଲବର୍ଟ–ତାହାହେଲେ ଶେଷ ଥର ପାଇଁ ସୂର୍ଯ୍ୟଙ୍କୁ ଦେଖି ନିଅ । କାଲି ସକାଳର ସୂର୍ଯ୍ୟ ଦେଖିବା ତୁମ ଭାଗ୍ୟରେ ଘଟିବ ନାହିଁ ।

 

ଉତ୍ତରାଧିକାରରୁ ବଞ୍ଚିତ ନାଇଟ୍–ତୁମର ଏହି ଉପଦେଶ ପାଇଁ ଧନ୍ୟବାଦ । ମୋର ମଧ୍ୟ ତୁମକୁ ଗୋଟିଏ ଉପଦେଶ ଦେବାର ଅଛି । ତୁମର ଘୋଡ଼ା ଓ ବର୍ଚ୍ଛା ବଦଳାଇ ଆସ । ସେଥିରେ ତୁମର ଉପକାର ହେବ ।

 

ଏତିକି କହି ସେ ରଙ୍ଗଭୂମିରେ ଅପରପ୍ରାନ୍ତକୁ ଫେରିଯାଇ ଗିଲବର୍ଟଙ୍କୁ ଅପେକ୍ଷା କରି ରହିଲେ । ଗିଲବର୍ଟ ଏହି ଅଜ୍ଞାତ ନାଇଟ୍‍ଙ୍କୁ ଘୃଣା କରୁଥିଲେ ସତ, କିନ୍ତୁ ସେ ତାଙ୍କର ଉପଦେଶ ଅନୁସାରେ ନିଜର କ୍ଳାନ୍ତ ଅଶ୍ୱଟି ପରିବର୍ତ୍ତେ ଗୋଟିଏ ନୂତନ ଅଶ୍ଵ ଓ ନୂତନ ଢାଲ ନେଇ ଯୁଦ୍ଧ କରିବାକୁ ବାହାରିଲେ ।

 

ସଙ୍କେତବାଦ୍ୟ ବାଜି ଉଠିଲା । ଉଭୟ ନାଇଟ୍ ପରସ୍ପର ଆଡ଼କୁ ବିଜୁଳି ପରି ବେଗରେ ଚମକି ଆସିଲେ । ପ୍ରଥମ ଆକ୍ରମଣରେ ଦୁହିଁଙ୍କର ବର୍ଚ୍ଛା ଭାଙ୍ଗି ଖଣ୍ଡ ଖଣ୍ଡ ହୋଇଗଲା ଓ ଦୁହିଁଙ୍କର ଅଶ୍ଵ ପରସ୍ପରର ସମ୍ମୁଖୀନ ହୋଇ କିଛି ବେଳ ପର୍ଯ୍ୟନ୍ତ କେବଳ ପଛ ଗୋଡ଼ ଉପରେ ଛିଡ଼ା ହୋଇ ରହିଲେ । ଦୁହେଁଯାକ ପଛକୁ ଫେରିପଡ଼ି ନୂଆ ବର୍ଛା ଧରି ପୁଣି ଯୁଦ୍ଧ କରିବାକୁ ବାହାରିଲେ । ଦର୍ଶକମାନେ ଉତ୍କଣ୍ଠିତ ହୋଇ କେବଳ ଚାହିଁ ରହିଲେ । କାହାରି ତୁଣ୍ଡରୁ କଥା ବାହାରିଲା ନାହିଁ ।

 

ପ୍ରିନ୍‍ସ ଜନ୍ ସଙ୍କେତ ଦେବାରୁ ପୁଣି ଯୁଦ୍ଧ ଲାଗିଲା । ଏଥର ଗିଲବର୍ଟଙ୍କର ବର୍ଚ୍ଛା ଅନ୍ୟ ନାଇଟ୍‍ଙ୍କର ଢାଲରେ ଆଘାତ କଲା; କିନ୍ତୁ ବର୍ଚ୍ଛାଟି ଭାଙ୍ଗିଗଲା । ଉତ୍ତରାଧିକାରରୁ ବଞ୍ଚିତ ନାଇଟ୍ ଗିଲବର୍ଟଙ୍କ ମସ୍ତକାବରଣକୁ ଲକ୍ଷ୍ୟ କରି ବର୍ଚ୍ଛା ଦ୍ଵାରା ଆଘାତ କଲେ । ଏହି ଆଘାତ ଫଳରେ ଗିଲବର୍ଟ ନିଜର ଯୋଡ଼ା ସହିତ ତଳେ ପଡ଼ିଗଲେ ।

 

ମୁହୂର୍ତ୍ତକ ମଧ୍ୟରେ ସେ ଭୂମିରୁ ଉଠି ଛିଡ଼ା ହୋଇଗଲେ । ସେ କ୍ରୋଧରେ ଅନ୍ଧ ପରି ହୋଇ ଯାଇଥିଲେ । ନିଜର ଖଣ୍ଡା ବାହାରକରି ପ୍ରତିଦ୍ଵନ୍ଦୀ ଆଡ଼କୁ ଯିବାରୁ ପ୍ରତିଦ୍ୱନ୍ଦୀ ମଧ୍ୟ ଘୋଡ଼ାରୁ ଓହ୍ଲାଇ ପଡ଼ି ନିଜର ଖଣ୍ଡା ବାହାର କଲେ । ବିଚାରକମାନେ ଦେଖିଲେ ଏ ପ୍ରକାର ଯୁଦ୍ଧର ପରିଣାମ ଭୟାବହ ହୋଇପାରେ । ତେଣୁ ସେମାନେ ଦୁହିଁଙ୍କ ମଝିକୁ ଚାଲିଆସି ଯୁଦ୍ଧ ବନ୍ଦ କରିଦେଲେ ।

 

ଗିଲବର୍ଟ ରାଗରେ କହିଲେ, “ଏତିକିରେ ଆମର ଯୁଦ୍ଧ ଶେଷ ହେଲା ବୋଲି ଭାବନାହିଁ-। ଅନ୍ୟତ୍ର ପୁଣି ଆମର ବଳ ପରୀକ୍ଷା ହେବ ।”

 

ଉତ୍ତରାଧିକାରରୁ ବଞ୍ଚିତ ନାଇଟ୍ ଉତ୍ତର କଲେ, “ସେଥିପାଇଁ ମୁଁ ପ୍ରସ୍ତୁତ; କିନ୍ତୁ ସେପରି ସୁଯୋଗ ନ ଘଟିଲେ ମୋର ଦୋଷ ନାହିଁ ।”

 

ଗିଲବର୍ଟ ନିଜ ତମ୍ବୁକୁ ଫେରିଗଲେ । ଏଣେ ଅଜ୍ଞାତ ନାଇଟ୍ ନିଜ ସ୍ଥାନକୁ ଫେରିଆସି ଅନ୍ୟ ନାଇଟ୍‍ମାନଙ୍କୁ ଆହ୍ୱାନ ଜଣାଇଲେ । ଫ୍ରଣ୍ଟ ଡିବଫ, ଫିଲିପ୍ ମାଲଉଇସିନ୍ ଓ ଅନ୍ୟ ଦୁଇଜଣ ନାଇଟ୍ ଏହି ଅଜ୍ଞାତ ନାଇଟ୍ ସହିତ ଯୁଦ୍ଧ କରି ହାରିଗଲେ । ଶେଷରେ ଯିଏ ଯୁଦ୍ଧ କରିଥଲେ ତାଙ୍କର ନାମ ରାଲଫ୍ ଡିଭିପଣ୍ଟ । ଅଜ୍ଞାତ ନାଇଟ୍ ସହିତ ଯୁଦ୍ଧବେଳେ ସେ ଭୂମିରେ ପଡ଼ି ଏପରି ଆଘାତ ପାଇଲେ ଯେ ସେଥିରେ ସେ ଅଚେତନ ହୋଇ ପଡ଼ିଲେ । କେତେଜଣ ଭୃତ୍ୟ ତାଙ୍କୁ ଟେକି ତମ୍ବୁକୁ ନେଇଗଲେ ।

 

ଅଜ୍ଞାତ ନାଇଟ୍ ଏହିପରି ପାଞ୍ଚାଜଣ ନାଇଟ୍‍ଙ୍କୁ ପରାସ୍ତ କରି ସେଦିନ ବିଜୟୀ ହେଲେ-। ଦର୍ଶକମାନେ ତାଙ୍କର ପ୍ରଂଶସା ଧ୍ଵନି କଲେ ଓ ପ୍ରିନ୍‍ସ ଜନ୍ ତାଙ୍କୁ ବିଜେତା ବୋଲି ଘୋଷଣା କଲେ-

 

ପ୍ରତିଯୋଗିତାରେ ବିସ୍ମୟ

 

ପ୍ରଥମ ଦିନର ପ୍ରତିଯୋଗିତା ଶେଷ ହେଲା । ବର୍ତ୍ତମାନ ବିଜୟୀ ବୀର ପ୍ରିନ୍‍ସ ଜନ୍‍ଙ୍କଠାରୁ ପୁରସ୍କାର ଗ୍ରହଣ କରିବାର କଥା । ବିଚାରକମାନେ ଏହି ଅଜ୍ଞାତ ନାଇଟ୍‍ଙ୍କ ବିଜୟରେ ତାଙ୍କୁ ସମ୍ବର୍ଦ୍ଧନା ଜଣାଇ କହିଲେ, “ଆପଣ ମସ୍ତକର ଆବରଣ ଖୋଲି ପ୍ରିନ୍‍ସ ଜନ୍‍ଙ୍କଠାରୁ ପୁରସ୍କାର ଗ୍ରହଣ କରିବାକୁ ଚାଲନ୍ତୁ ।” କିନ୍ତୁ ସେ ବିନୀତ ଭାବରେ କହିଲେ, “ମୋତେ କ୍ଷମା କରନ୍ତୁ-। ବର୍ତ୍ତମାନ ମୁଁ କାହାରିକୁ ମୋର ମୁଖ ଦେଖାଇବାକୁ ଇଚ୍ଛୁକ ନୁହେ ।” ନିଜର ମୁଖ ନ ଦେଖାଇବା ବା ପରିଚୟ ନ ଦେବା ସେପରି ଦୋଷାବହ ନୁହେ । ତେଣୁ ବିଚାରକମାନେ ଏଥିରେ ଆପତ୍ତି କଲେ ନାହିଁ ।

 

ପ୍ରିନ୍‍ସ ଜନ୍‍ଙ୍କର ଅନୁଚରମାନେ ସମସ୍ତେ ପରାଜିତ ହୋଇ ଥିବାରୁ ତାଙ୍କର ମନ ନିତାନ୍ତ ଖରାପ ଥିଲା । ବର୍ତ୍ତମାନ ବିଜେତା ନାଇଟ୍ ମୁଖ ଦେଖାଇବା ପାଇଁ ଅନିଚ୍ଛୁକ ଥିବା ସମ୍ବାଦରେ ସେ ବିରକ୍ତ ହୋଇ କହିଲେ, “ଆଜିର ବିଜେତା ନାଇଟ୍ ଖାଲି ଉତ୍ତରାଧିକାରରୁ ବଞ୍ଚିତ ନୁହନ୍ତି, ସାଧାରଣ ଭଦ୍ରତାରୁ ମଧ୍ୟ ବଞ୍ଚିତ । ଆପଣମାନେ କେହି ତାକୁ ଜାଣନ୍ତି କି ?”

 

ମରିସ୍ ଡିବ୍ରେସି କହିଲେ, “ମହାରାଜ, ଲୋକଟା କିଏ ମୁଁ ଅନୁମାନ ସୁଦ୍ଧା କରି ପାରୁନାହିଁ । ଏକାଥରକେ ଜଣକ ପରେ ଜଣେ ଏହିପରି ପାଞ୍ଚଜଣ ପ୍ରସିଦ୍ଧ ନାଇଟ୍‍ଙ୍କୁ ହରାଇ ଦେଲା ଭଳି ବୀର ବ୍ରିଟେନରେ କେହି ଅଛି ବୋଲି ମୋର ଧାରଣା ନ ଥିଲା । ସେ ଡିଭିପଣ୍ଟଙ୍କୁ ଯେପରି ଆଘାତ କରି ତଳେ ପକାଇଦେଲା, ତାହା ମୁଁ ଜୀବନରେ ଭୁଲି ପାରିବି ନାହିଁ ।”

 

ଅନ୍ୟ ଜଣେ ଅନୁଚର କହିଲା, “ବଇସ ଗିଲବର୍ଟ ମଧ୍ୟ କମ୍ ଭୋଗି ନାହାନ୍ତି । ମୁଁ ଦେଖିଛି, ସେ ତିନିଥର ଘୋଡ଼ାରୁ ପଡ଼ି ଧୂଳିରେ ଗଡ଼ିଯାଇଥିଲେ ।”

 

ପ୍ରିନ୍‍ସ ଜନ୍‍ଙ୍କୁ ନିଜ ଲୋକଙ୍କର ଏପରି ପରାଜୟ କାହାଣୀ ଶୁଣିବାକୁ ଭଲ ଲାଗୁ ନ ଥିଲା । ସେ ସେମାନଙ୍କୁ ଆଉ କିଛି କହିବାକୁ ସୁଯୋଗ ଦେଲେ ନାହିଁ ।

 

ଏହି ସମୟରେ ଜଣେ ବିଚାରକ ଆସି ରାଜାଙ୍କୁ ଜଣାଇଲେ, “ମହାରାଜା, ଆଜିର ବିଜେତା ଅପେକ୍ଷା କରିଛନ୍ତି । ତାଙ୍କୁ ଅଭ୍ୟର୍ଥନା କରିବାକୁ ହେବ ।”

 

ରାଜା ବିରକ୍ତ ହୋଇ କହିଲେ, “ସେ ତା’ର ପରିଚୟ ଦେବାକୁ ଚାହେଁ ନାହିଁ । ସେ କିଏ–ଜଣା ପଡ଼ିବାଯାଏ ଅପେକ୍ଷା କରି ରହିଥାଉ ।”

 

ଫିଜର୍ସ ନାମକ ଜଣେ ଅନୁଚର ରାଜାଙ୍କୁ କହିଲା, “ମହାରାଜା, ବିଜେତାଙ୍କୁ ଏପରି ଅପେକ୍ଷା କରି ରହିବାର ଦେଖି ଲୋକ–ସାଧାରଣ ଅସନ୍ତୁଷ୍ଟ ହେବେ । ଅବଶ୍ୟ ସେ କିଏ ମୁଁ ଜାଣେ ନାହିଁ । ତେବେ ମୋର ସନ୍ଦେହ ହେଉଛି, ଯେଉଁ ନାଇଟ୍‍ମାନେ ରାଜା ରିଚାର୍ଡ଼ଙ୍କ ସହିତ ପବିତ୍ର ଜେରୁଜେଲମ୍ ଉଦ୍ଧାର ପାଇଁ ଯାଇଥିଲେ ସେହିମାନଙ୍କ ଭିତରୁ ଏ ମଧ୍ୟ ଜଣେ ହୋଇପାରିଥାଏ । ରିଚାର୍ଡ଼ଙ୍କ ନାଇଟ୍‍ମାନଙ୍କ ଭିତରୁ କେହି କେହି ଫେରି ଆସିଥିବାର ଶୁଣାଯାଏ ।

 

ଜନ୍‍ଙ୍କର ଅନୁଚରମାନଙ୍କ ଭିତରେ ଆଲୋଚନା ଚାଲିଲା । କେହି କେହି କହିଲେ, “ଏ ନାଇଟ ହୁଏ ତ ସ୍ୱୟଂ ସିଂହ–ହୃଦୟ ରାଜା ରିଚାର୍ଡ଼ ଛଦ୍ମବେଶରେ ଆସୁଥିବେ ।”

 

ରିଚାର୍ଡ଼ଙ୍କ ନାମ ଶୁଣିଲା କ୍ଷଣି ଜନ୍‍ଙ୍କର ସମସ୍ତ ଶରୀର କମ୍ଫି ଉଠିଲା । ସେ ଧୈର୍ଯ୍ୟ ଧରି ନ ପାରି ଚିତ୍କାର କଲେ, “ଫିଜର୍ସ, ଡିବ୍ରେସି ମନେରଖିଥାଅ, ତୁମେମାନେ ମୋତେ ସାହାଯ୍ୟ କରିବ ବୋଲି ପ୍ରତିଜ୍ଞା କରିଛ । ତୁମେମାନେ ସର୍ବଦା ମୋର ଅନୁଗତ ରହିବ ।”

 

ଫିଜର୍ସ ଉତ୍ତର କଲେ, “ବିପଦର କୌଣସି ଆଶଙ୍କା ନାହିଁ । ଆପଣ କଅଣ ନିଜର ଭାଇ ରିଚାର୍ଡ଼ଙ୍କୁ ଦେଖି ନାହାନ୍ତି ? ତାଙ୍କର ବିଶାଳ ଶରୀର ଓ ଆଜିର ଏହି ଅଜ୍ଞାତ ନାଇଟ୍‍ର ଶରୀର ମଧ୍ୟରେ ଥିବା ପାର୍ଥକ୍ୟ ଦେଖନ୍ତୁ । ଏଡ଼େ ଛୋଟ ଆକାରର ସାଞ୍ଜୁରେ ରିଚାର୍ଡ଼ ରହି ପାରିବେ କିପରି ? ଆଉ ଏହି ନାଇଟ୍ ଯେଉଁ ଘୋଡ଼ାରେ ବସିଥିଲା, ତାହା ଉପରେ ରିଚାର୍ଡ଼ ବସିଲେ ସେ ଭୂଇଁରେ ଚିପି ହୋଇ ଯାଆନ୍ତା । ଚିନ୍ତା କରନ୍ତୁ ନାହିଁ ।”

 

ଏହି ସମୟରେ ବିଚାରକମାନେ ବିଜୟୀ ବୀରଙ୍କୁ ଆଣି ପ୍ରିନ୍‍ସ ଜନ୍‍ଙ୍କ ପାଖରେ ଉପସ୍ଥିତ କରାଇଲେ । ଜନ୍ କୌଣସି ମତେ ବିଜେତାକୁ ପୁରସ୍କାର ଦେଲେ । ଅଜ୍ଞାତ ନାଇଟ୍ ପୁରସ୍କାର ଗ୍ରହଣ କଲେ, କିନ୍ତୁ କିଛି ମାତ୍ର ନ କହି କେବଳ ପ୍ରଣାମ କରି ଚାଲିଗଲେ । ସେ ଯେତେବେଳେ ନିଜ ଘୋଡ଼ା ଉପରେ ବସି, ବର୍ଚ୍ଛା ଆଗରେ ପତାକା ଉଡ଼ାଇ ରଙ୍ଗଭୂମିରେ ବୁଲିଲେ ଲୋକେ କରତାଳି ଓ ଆନନ୍ଦ ଧ୍ଵନି ଦେଇ ତାଙ୍କୁ ଅଭ୍ୟର୍ଥନା ଜଣାଇଲେ ।

 

ଏତିକିରେ ବିଜେତାଙ୍କର କର୍ତ୍ତବ୍ୟ ଶେଷ ହୋଇ ନ ଥିଲା । ପ୍ରିନ୍‍ସ ଜନ୍ ତାଙ୍କୁ କହିଲେ, “ତୁମର ଆହୁରି ଗୋଟିଏ କର୍ତ୍ତବ୍ୟ ଓ ଅଧିକାର ଅଛି । କେଉଁ ସୁନ୍ଦରୀ ମହିଳା କାଲିର ଉତ୍ସବରେ ପ୍ରେମ ଓ ସୌନ୍ଦର୍ଯ୍ୟର ରାଣୀ ରୂପେ ଅଧିଷ୍ଠିତ ହେବେ, ତାଙ୍କୁ ତୁମେ ନିର୍ବାଚିତ କରିବ । ତୁମର ବର୍ଚ୍ଛା ଉଠାଅ ।”

 

ଅଜ୍ଞତ ନାଇଟ୍ ରାଜାଦେଶ ପାଳନ କଲେ ଓ ପ୍ରିନ୍‍ସ ଜନ୍ ବିଧି ରକ୍ଷାକରି ଗୋଟିଏ ନୀଳବର୍ଣ୍ଣର କାରୁକାର୍ଯ୍ୟ ଖଚିତ ମୁକୁଟ ସେହି ବର୍ଚ୍ଛାର ଅଗ୍ରଭାଗରେ ରଖିଦେଲେ । ନାଇଟ୍ ଅଶ୍ୱରୁ ଓହ୍ଲାଇ ପଡ଼ି ମହିଳାମାନଙ୍କ ଧାଡ଼ି ଆଗରେ ଚାଲିଲେ । ଯିବା ସମୟରେ ସେ ମସ୍ତକାବରଣ ମଧ୍ୟରୁ ପ୍ରତ୍ୟେକଙ୍କୁ ଲକ୍ଷ୍ୟ କରୁଥିଲେ । ଶେଷରେ ଲେଡ଼ି ରାଓଏନା ତାଙ୍କ ଦୃଷ୍ଟିରେ ପଡ଼ିଲେ । ସେ ସେହିଠାରେ ଟିକିଏ ରହିଯାଇ ବର୍ଚ୍ଛାର ଅଗ୍ରଭାଗରୁ ମୁକୁଟଟି କାଢ଼ି ତାଙ୍କ ପାଦତଳେ ରଖିଦେଲେ । ସଙ୍ଗେ ସଙ୍ଗେ ବାଦ୍ୟ ବାଜି ଉଠିଲା । ଘୋଷଣାକାରୀମାନେ ଜଣାଇ ଦେଲେ ଯେ ଲେଡ଼ି ରାଓଏନା ପ୍ରେମ ଓ ସୌନ୍ଦର୍ଯ୍ୟର ରାଣୀରୂପେ ନିର୍ବାଚିତ ହୋଇଛନ୍ତି । ଏଥିପୂର୍ବରୁ କେବଳ ନର୍ମାନ ମହିଳା ଏହି ସମ୍ମାନ ପାଇ ଆସୁଥିଲେ । ଏବେ ଜଣେ ସାକସନ୍ ମହିଳା ଏହି ଗୌରବ ପାଇଥିବାରୁ ସେମାନେ ମନେ ମନେ ଦୁଃଖିତ ହେଲେ ଓ ନୀରବରେ ଏହି ଘୋଷଣା ଗ୍ରହଣ କଲେ । କିନ୍ତୁ ସାଧାରଣ ଲୋକେ ଆନନ୍ଦ ଧ୍ଵନି କରି କହିଲେ–ଲେଡ଼ି ରାଓଏନା ଦୀର୍ଘଜୀବୀ ହୁଅନ୍ତୁ ।'

 

ପ୍ରିନ୍‍ସ ଜନ୍ ଲେଡ଼ି ରାଓଏନା ନିକଟକୁ ଆସି ତାଙ୍କୁ ଅଭିନନ୍ଦନ କଲେ ଓ ପିତାଙ୍କ ସହିତ ରାଜପ୍ରାସାଦରେ ରାତ୍ରି ଭୋଜନ ନିମନ୍ତେ ଆମନ୍ତ୍ରଣ କଲେ ।

 

ଲେଡ଼ି ରାଓଏନା ନୀରବ ରହିଲେ । ତାଙ୍କର ଅଭିଭାବକ ସେଡ଼୍ରିକ ତାଙ୍କ ପକ୍ଷରୁ ସାକ୍‍ସନ ଭାଷାରେ ଉତ୍ତର କଲେ, “ମହାରାଜ, ଆପଣଙ୍କ ନର୍ମାନ ଭାଷା ବୁଝିବାକୁ ଲେଡ଼ୀ ରାଓଏନା ଅକ୍ଷମ । ତେଣୁ ସେ କିଛି ଉତ୍ତର ଦେଉ ନାହାନ୍ତି । ସେହି ହେତୁରୁ ମଧ୍ୟ ସେ ଆପଣଙ୍କ ପ୍ରାସାଦରେ ରାତ୍ରି ଭୋଜନରେ ଯୋଗ ଦେଇ ପାରିବେ ନାହିଁ । କିନ୍ତୁ ପ୍ରେମ ଓ ସୌନ୍ଦର୍ଯ୍ୟର ରାଣୀ ରୂପେ ନିର୍ବାଚିତ ହୋଇଥିବାରୁ କାଲି ସେ ସେହି ଆସନ ଅଳଙ୍କୃତ କରି ନିଜର କର୍ତ୍ତବ୍ୟ କରିବେ ।”

 

ସେଡ଼୍ରିକ ଏହା କହିବା ସଙ୍ଗେ ସଙ୍ଗେ ମୁକୁଟଟିକୁ ରାଓଏନାଙ୍କ ମୁଣ୍ଡରେ ପିନ୍ଧାଇ ଦେଲେ-

 

ପ୍ରିନ୍‍ସ ଜନ୍ ମନେ ମନେ ଅପମାନିତ ବୋଧ କଲେ । ସେଡ଼୍ରିକଙ୍କ ସାକ୍‍ସନ୍ ଭାଷା ବୁଝିପାରୁ ନ ଥିବା ଛଳନା କରି ସେ କହିଲେ, “ଭଦ୍ରଲୋକ କ’ଣ କହୁଛନ୍ତି ?” ସେଡ଼୍ରିକଙ୍କ ଉତ୍ତର ପୁଣି ନର୍ମାନ ଭାଷାରେ ବୁଝାଇ ଦିଆ ଯିବାରୁ ସେ କହିଲେ, “ଭଲ କଥା–ମୁଁ କାଲି ପ୍ରେମ ଓ ସୌନ୍ଦର୍ଯ୍ୟର ମୂକ ରାଣୀଙ୍କୁ ତାଙ୍କ ସିଂହାସନରେ ବସାଇଦେବି ।” ଏହା ପରେ ସେ ଅଜ୍ଞାତ ନାଇଟ୍‍ଙ୍କୁ ଲକ୍ଷ୍ୟ କରି କହିଲେ, “ବିଜୟୀ ନାଇଟ୍, ଅନ୍ତତଃ ତୁମେ ଆମ ସହିତ ରାତ୍ରିଭୋଜନ କରିବାକୁ ଯିବି ବୋଲି ମୋର ଆଶା ।”

 

କିନ୍ତୁ ଏହି ନାଇଟ୍ ପ୍ରିନ୍‍ସ ଜନ୍‍ଙ୍କର ଅନୁରୋଧକୁ ଭଦ୍ରଭାବରେ ପ୍ରତ୍ୟାଖ୍ୟାନ କରି କହିଲେ, “ମୁଁ ଆଜି ଯୁଦ୍ଧରେ କ୍ଳାନ୍ତ ଓ ଅବସନ୍ନ ହୋଇପଡ଼ିଅଛି । ପୁଣି କାଲିର ଯୁଦ୍ଧ ପାଇଁ ମୋତେ ପ୍ରସ୍ତୁତ ହେବାକୁ ପଡ଼ିବ । ତେଣୁ ମୁଁ ଆପଣଙ୍କର ଏହି ଅନୁରୋଧ ରକ୍ଷା କରି ନ ପାରି ନିତାନ୍ତ ଦୁଃଖିତ ।”

 

ଦୁହିଁଙ୍କଠାରୁ ଏପ୍ରକାର ଉତ୍ତର ପାଇ ପ୍ରିନ୍‍ସ ଜନ୍ ନିତାନ୍ତ ବିରକ୍ତ ହୋଇ ରଙ୍ଗଭୂମି ଛାଡ଼ି ଚାଲିଗଲେ । ଜଣେ ବିଚାରକ ଆସି ଉତ୍ତରାଧିକାରରୁ ବଞ୍ଚିତ ବିଜୟୀ ନାଇଟ୍‍ଙ୍କୁ ପ୍ରସ୍ତାବ ଦେଲେ ଯେ ସେ ସେଠାରେ ଥିବା ଗୋଟିଏ ତମ୍ବୁରେ ରହିପାରନ୍ତି । ନାଇଟ୍ ଏହି ପ୍ରସ୍ତାବ ଗ୍ରହଣ କରି ତମ୍ବୁକୁ ଗଲେ । ସେ ସେଠାରେ ପହଞ୍ଚିବା ମାତ୍ରେ ଅନେକ ଏସ୍‍କ୍ୱାୟାର ଓ ଅନୁଚର ତାଙ୍କୁ ସାହାଯ୍ୟ କରିବାକୁ ବାହାରି ପଡ଼ିଲେ । ଏହି ଅଜ୍ଞାତ ନାଇଟ୍‍ଙ୍କର ପରିଚୟ ପାଇବା ସେମାନଙ୍କର ଉଦ୍ଦେଶ୍ୟ ଥିଲା । କିନ୍ତୁ ସେ ସେମାନଙ୍କର ସାହାଯ୍ୟ ଗ୍ରହଣ କରିବାକୁ ମନା କରି ଦେଇ କହିଲେ, “ମୋର ନିଜ ଚାକର ମୋ ପକ୍ଷରେ ଯଥେଷ୍ଟ । ଅନ୍ୟ କାହାରି ସାହାଯ୍ୟ ମୋର ଦରକାର ନାହିଁ ।” ତେଣୁ ଏସ୍‍କ୍ୱାୟାର ଓ ଅନୁଚରମାନେ ବାଧ୍ୟ ହୋଇ ଚାଲିଗଲେ । ତମ୍ବୁ ଭିତରେ ନିଜର ସାଞ୍ଜୁ ଓ ମସ୍ତକାବରଣ ଖୋଲି ରଖି ବିଜୟୀ ନାଇଟ୍ ଖାଇବାକୁ ବସିଲେ ।

 

ତାଙ୍କର ଭୋଜନ ଶେଷ ହେଲାବେଳକୁ ଭୃତ୍ୟ ଆସି ଖବର ଦେଲା, “ପାଞ୍ଚଜଣ ଲୋକ ନିଜ ନିଜର ଘୋଡ଼ା ଧରି ଆପଣଙ୍କ ସାକ୍ଷାତ୍ ପାଇଁ ଅପେକ୍ଷା କରି ରହିଅଛନ୍ତି ।”

 

ସେତେବେଳକୁ ଅନ୍ଧାର ହୋଇଆସିଥିଲା । ବିଜେତା ନାଇଟ୍ ଗୋଟିଏ ଲମ୍ବ ପୋଷାକରେ ଦେହକୁ ଆବରଣ କଲେ ଓ ମୁଣ୍ଡରେ ଗୋଟିଏ ଟୋପି ପିନ୍ଧିଲେ । ଟୋପିଟି ଏପରି ନିର୍ମିତ ହୋଇଥିଲା ଯେ ତାହାଦ୍ଵାରା ତାଙ୍କ ମୁହଁର ଅର୍ଦ୍ଧାଧିକ ଅଂଶ ଲୁଚିଯାଇଥିଲା । ତେଣୁ ତାଙ୍କୁ ଏହି ବେଶରେ କେହି ଚିହ୍ନିପାରିବାର ସମ୍ଭାବନା ନ ଥିଲା । ସେ ବାହାରକୁ ଆସି ପାଞ୍ଚଜଣ ଲୋକ ଓ ପାଞ୍ଚଟି ଘୋଡ଼ା ଦେଖି ପାରିଲେ । ପ୍ରତ୍ୟେକ ଘୋଡ଼ାର ପିଠିରେ ଗୋଟିଏ ଲେଖାଏଁ ସାଞ୍ଜୁ ରଖାଯାଇଥିଲା । ଏହି ପାଞ୍ଚଜଣ ଯେ ଏସ୍‍କ୍ୱାୟାର ତାହା ସେମାନଙ୍କର ବେଶଭୂଷାରୁ ଜଣାପଡ଼ିଯାଉଥିଲା ।

 

ସେମାନଙ୍କ ଭିତରୁ ଜଣେ ଆଗେଇ ଆସି କହିଲେ, “ନାଇଟ୍ ମହାଶୟ, ମୁଁ ହେଉଛି ସାର୍ ବ୍ରାଏନ ଡିବଇସ ଗିଲ୍‍ବର୍ଟଙ୍କର ଏସ୍‍କ୍ୱାୟାର । ସେ ଆଜି ଆପଣଙ୍କ ନିକଟରେ ପରାଜିତ ହୋଇଅଛନ୍ତି । ତେଣୁ ପ୍ରତିଯୋଗିତାର ନିୟମ ଅନୁସାରେ ମୁଁ ତାଙ୍କର ଅଶ୍ଵ ଓ ସାଞ୍ଜୁ ଆପଣଙ୍କୁ ଅର୍ପଣ କରୁଅଛି । ଆପଣ ଏହାକୁ ଗ୍ରହଣ କରନ୍ତୁ କିମ୍ବା ଇଚ୍ଛାକଲେ ଏହା ପରିବର୍ତ୍ତରେ ଅର୍ଥ ଗ୍ରହଣ କରନ୍ତୁ ।”

 

ଅନ୍ୟ ଚାରିଜଣ ମଧ୍ୟ ସେହିପରି ପରିଚୟ ଦେଇ ନିଜ ନିଜ ପ୍ରଭୁଙ୍କର ଅଶ୍ଵ ଓ ସାଞ୍ଜୁ ଅର୍ପଣ କଲେ ଓ ସେ ଇଚ୍ଛା କଲେ ଏହାର ବିନିମୟରେ ଅର୍ଥ ଦେବାକୁ ମତ ପ୍ରକାଶ କଲେ ।

 

ପ୍ରତ୍ୟେକଙ୍କର ବକ୍ତବ୍ୟ ଶୁଣି ସାରି ବିଜୟୀ ବୀର ପ୍ରଥମ ବ୍ୟକ୍ତିଙ୍କ ଛଡ଼ା ଅନ୍ୟ ଚାରିଜଣଙ୍କୁ କହିଲେ, “ତୁମର ପ୍ରଭୁଙ୍କୁ ଜଣାଇଦିଅ, ସେମାନେ ଉଦାରହୃଦୟ ବୀର ପୁରୁଷ । ସେମାନଙ୍କୁ ନିଜର ଅଶ୍ଵ ଓ ସାଞ୍ଜୁରୁ ବଞ୍ଚିତ କରିବା ମୋର ଇଚ୍ଛା ନୁହେଁ । କିନ୍ତୁ ସମସ୍ତେ ଜାଣନ୍ତି, ମୁଁ ଜଣେ ନାଇଟ୍ ହେଲେହେଁ ଉତ୍ତରାଧିକାରରୁ ବଞ୍ଚିତ । ମୋର ନିଜର କିଛି ଧନ ସମ୍ପତ୍ତି ନାହିଁ । ତେଣୁ ମୁଁ ଅଶ୍ଵ ଓ ସାଞ୍ଜୁ ପରିବର୍ତ୍ତେ ଅର୍ଥ ନେବାକୁ ପ୍ରସ୍ତୁତ ।”

 

ଏହା ଶୁଣି ସାର୍ ରେଜିନାଲ୍ଡ଼୍ ଫ୍ରଣ୍ଟ ଡିବଫଙ୍କ ଏସ୍‍କ୍ୱାୟାର କହିଲା, “ଆମର ପ୍ରଭୁମାନେ କହିଛନ୍ତି ଯେ ପ୍ରତ୍ୟେକ ଘୋଡ଼ା ଓ ସାଞ୍ଜୁ ପାଇଁ ଏକଶତ କ୍ରାଉନ୍ ଦିଆଯାଇପାରିବ ।”

 

ଏହା ଶୁଣି ବିଜୟୀ ନାଇଟ୍ କହିଲେ, “ମୋର ଏତେ ଅର୍ଥର ମଧ୍ୟ ଆବଶ୍ୟକ ନାହିଁ । ସେଥିରେ ଅଧିକରେ ମୁଁ ସନ୍ତୁଷ୍ଟ ହେବି । ଅନ୍ୟ ଅଧିକ ତୁମେମାନେ ଆପଣା ମଧ୍ୟରେ ବାଣ୍ଟି ନେଇପାର । ଘୋଷଣାକାରୀ, ବାଦ୍ୟକାର ଓ ଭୃତ୍ୟମାନଙ୍କୁ ମଧ୍ୟ ସେଥିରୁ କିଛି ଦେଇପାରିବ ।”

 

ଏଥିରେ ଏସ୍‍କ୍ୱାୟାରମାନେ ଆନନ୍ଦିତ ହୋଇ ତାଙ୍କୁ ଧନ୍ୟବାଦ ଦେଲେ ଓ ପ୍ରଣାମ ଜଣାଇଲେ । ଏହା ପରେ ସେ ପ୍ରଥମ ଏସ୍‍କ୍ୱାୟାରଙ୍କୁ ସମ୍ବୋଧନ କରି କହିଲେ, “ତୁମର ପ୍ରଭୁଙ୍କୁ ଜଣାଇଦେବ, ମୁଁ ବର୍ତ୍ତମାନ ତାଙ୍କର ଅଶ୍ଵ କିମ୍ବା ତା’ ପରିବର୍ତ୍ତରେ ଅର୍ଥ ଗ୍ରହଣ କରିପାରିବି ନାହିଁ । ଆମ ଦୁହିଁଙ୍କ ଭିତରେ ଯୁଦ୍ଧ ଶେଷ ହୋଇ ନ ଥିଲା । ବିଚାରକମାନେ ଆମର ଯୁଦ୍ଧ ବନ୍ଦ କରିଦେଇଥିଲେ । ତେଣୁ ତାଙ୍କର ଘୋଡ଼ା ଓ ସାଞ୍ଜୁ ତାଙ୍କୁ ଫେରାଇଦେବ । ଯଦି ସେ ଫେରାଇ ନ ନିଅନ୍ତି, ତୁମେ ନିଜେ ରଖିପାର ।”

 

ଏହା କହି ସେ ନିଜ ତମ୍ବୁରେ ପ୍ରବେଶ କଲେ ଓ ଏସ୍‍କ୍ୱାୟାରମାନେ ବିଦାୟ ନେଲେ । ତମ୍ବୁ ଭିତରେ ସେ ନିଜର ଚାକରକୁ କହିଲେ, “ଗୁର୍ଥ, ଏତେବେଳଯାଏ ମୁଁ ମୋର ମାତୃଭୂମି ଇଂଲଣ୍ଡର ଗୌରବ ରଖିପାରିଛି ବୋଲି ମୋର ବିଶ୍ଵାସ ।”

 

ଗୁର୍ଥ ଉତ୍ତର କଲା, “ମୁଁ ମଧ୍ୟ କମ୍ କରିଛି ବୋଲି ମନେ ହୁଏ ନାହିଁ । ମୁଁ ଜଣେ ନାର୍ମାନ ନାଇଟ୍‍ର ଅଭିନୟ କରି ମନ୍ଦ ଫଳ ଦେଖାଇନାହିଁ । ସବୁଠାରୁ ଆଶ୍ଚର୍ଯ୍ୟର କଥା, ସେଡ଼୍ରିକ ମଧ୍ୟ ମୋତେ ଚିହ୍ନିପାରିନାହାଁନ୍ତି । ତାଙ୍କର ବିଶ୍ଵାସ ମୁଁ ଜଙ୍ଗଲରେ ତାଙ୍କ ଘୁଷୁରି ପଲ ଜଗି ରହିଥିବି ।”

 

ଅଜ୍ଞାତ ନାଇଟ୍ କହିଲେ, “ସେ ସବୁ ବର୍ତ୍ତମାନ ଆଲୋଚନା କରିବାରେ ସମୟ ନାହିଁ । ଆମର ଆହୁରି ଅନେକ କାମ ବାକି ଅଛି । ଏ ସୁନାଥଳୀଟି ନେଇ ଆଶ୍‍ବିକୁ ଯାଅ ଓ ଆଇଜାକ୍‍ଙ୍କୁ ଖୋଜି ତାଙ୍କୁ ଥଳୀଟି ଦେଇଆସ । ସେ ମୋତେ ଘୋଡ଼ା ଓ ସାଞ୍ଜୁ ପ୍ରଭୁତି ଯୋଗାଇ ଦେବାର ବ୍ୟବସ୍ଥା କରି ଯେଉଁ ଉପକାର କରିଛନ୍ତି ସେଥିର ମୂଲ୍ୟ ଦେବା ଉଚିତ ।”

 

ନାଇଟ୍‍ଙ୍କ ଆଦେଶରେ ଗୁର୍ଥ ଆଶ୍‍ବିକୁ ଯାଇ ଆଇଜାକ୍‍ଙ୍କର ସନ୍ଧାନ ନେଲେ । ବୃଦ୍ଧ ଆଇଜାକ୍ ସହର ବାହାରେ ଗୋଟିଏ ଘରେ ରହୁଥିଲେ । ଗୁର୍ଥ ସେଠାରେ ଉପସ୍ଥିତ ହେଲେ ।

 

ଆଇଜାକ୍ ଗୋଟିଏ ଟେବୁଲ ପାଖରେ ବସି ସାମାନ୍ୟ ମଦ ପିଇବାକୁ ଯାଉଛନ୍ତି, ଏହି ସମୟରେ ତାଙ୍କର ଜଣେ ଚାକର ଆସି ଜଣାଇଲା ଯେ କେହି ଜଣେ ଦେଖା କରିବାକୁ ଆସିଛନ୍ତି ।

 

ରେବେକା ବାପାଙ୍କ ପାଖରେ ବସିଥିଲେ । ଆଇଜାକ୍ ତାଙ୍କୁ ମୁହଁରେ ଘୋଡ଼ଣି ଦେବାକୁ କହି ଚାକରକୁ କହିଲେ, “ଯା, ଭଦ୍ରଲୋକଙ୍କୁ ଭିତରକୁ ଡାକିଆଣ ।”

 

ଗୁର୍ଥ ନିଜର ଟୋପିଟି ମୁଁହ ଆଡ଼କୁ ଟାଣି ଆଣି ଘର ଭିତରକୁ ଆସି ପଚାରିଲା, “ଆପଣଙ୍କ ନାମ ଆଇଜାକ୍ ?”

 

ଆଇଜାକ୍ ଏହାର ଉତ୍ତରରେ 'ହଁ' ବୋଲି ଆଗନ୍ତୁକର ପରିଚୟ ମାଗିଲେ ।

 

ଗୁର୍ଥ ଉତ୍ତର କଲେ, “ମୋର ନାମ ଜାଣିବାରେ କିଛି ପ୍ରୟୋଜନ ନାହିଁ । ମୁଁ ଆପଣଙ୍କୁ କିଛି ଟଙ୍କା ଦେବାକୁ ଆସିଛି । ତେଣୁ ମୋ ପକ୍ଷରେ ଆପଣଙ୍କ ପରିଚୟ ଦରକାର । ଆପଣ ଟଙ୍କା ନେବେ । ତେଣୁ କିଏ ଟଙ୍କା ଦେଲା ତାହା ନ ଜାଣିଲେ କିଛି କ୍ଷତି ନାହିଁ ।”

 

ଆଇଜାକ୍ ଆନନ୍ଦିତ ହୋଇ କହିଲେ, “ତେବେ ତୁମେ ଟଙ୍କା ନେଇ ଆସିଛ । ମୋତେ ଦେବାପାଇଁ ଆସିଛ ? ବେଶ୍ ! କିନ୍ତୁ ତୁମକୁ କିଏ ପଠାଇଛି ?”

 

ଗୁର୍ଥ ଉତ୍ତର କଲେ, “କ୍ରୀଡ଼ା ପ୍ରତିଯୋଗିତାରେ ଅଧିକାରରୁ ବଞ୍ଚିତ' ଯେଉଁ ନାଇଟ୍ ଯୁଦ୍ଧ କରୁଥିଲେ ସେ ମୋତେ ଟଙ୍କା ଦେଇ ପଠାଇଅଛନ୍ତି । ଲମ୍ବାର୍ଦିର ଇହୁଦୀ ତାଙ୍କୁ ଯେଉଁ ସାଞ୍ଜୁ ଯୋଗାଇ ଦେଇଥିଲେ, ତାହାର ମୂଲ୍ୟସ୍ୱରୂପ ସେ ଏହା ପଠାଇ ଅଛନ୍ତି । ଘୋଡ଼ାଟିକୁ ଆପଣଙ୍କ ଅସ୍ତାବଲରେ ବାନ୍ଧି ଦେଇ ଆସିଛି । ସାଞ୍ଜୁର ମୂଲ୍ୟ ସକାଶେ କେତେ ଦେବି କହନ୍ତୁ ?”

 

ଆଇଜାକ୍ ଆନନ୍ଦରେ କହିଉଠିଲେ, “ମୁଁ ପରା ଜାଣେ ସେ ଜଣେ ଖୁବ୍ ଭଲ ଲୋକ ! ତୁମେ ଆଗେ କହିଲ, କେତେ ଟଙ୍କା ଆଣି ଆସିଛ ? ଥଳୀଟା ତ ଖୁବ୍ ବଡ଼ ଦିଶୁଛି !”

 

ଗୁର୍ଥ କହିଲା, “ସେଥିରେ ଟଙ୍କା ନାହିଁ । ବାଜେ ଜିନିଷ ଅଛି ।”

 

ଆଇଜାକ୍ ଟିକିଏ ଚିନ୍ତା କରି କହିଲେ, “ମୋତେ ସାଞ୍ଜୁର ଦାମ୍ ପଚାରୁଛ । ଆଚ୍ଛା, ମୁଁ ଯଦି ତା’ର ଦାମ୍ ଅଶୀକ୍ରାଉନ୍ ବୋଲି କହେ, ଦେଇପାରିବ ତ ?”

 

ଗୁଥ ଉତ୍ତର କଲା, “ହଁ, ଦେଇପାରିବି, ମୋଠାରେ ଠିକ୍ ସେତିକି ଅଛି । କିନ୍ତୁ ସେତକ ଦେଲା ପରେ ତାଙ୍କ ପାଖେ କିଛି ରହିବ ନାହିଁ । ମୁଁ କହୁଛି, ଆପଣ ସତୁରି କ୍ରାଉନ୍ ନିଅନ୍ତୁ । ଆଉ ଦଶ କ୍ରାଉନ୍ ସେ ଖରଚ କରିବେ । ଯଦି ସତୁରି କ୍ରାଉନ୍ ନ ନେବେ ତେବେ ମୁଁ ସବୁ ଟଙ୍କା ନେଇ ତାଙ୍କୁ ଫେରାଇଦେବି ।”

 

ଶେଷରେ ଆଇଜାକ୍ ଅଶି କ୍ରାଉନ୍ ଗଣି ନେଇ ଗୋଟିଏ ରସିଦ ଲେଖିଦେଲେ । ଗୁର୍ଥ ଘରୁ ବାହାରକୁ ଚାଲି ଆସିଲା ବେଳକୁ ପାହାଚ ଉପରେ ଗୋଟିଏ ନାରୀ ମୂର୍ତ୍ତି ଦେଖିବାକୁ ପାଇଲା-। ସେ ଆଇଜାକ୍‍ଙ୍କ କନ୍ୟା ରେବେକାଙ୍କ ଛଡ଼ା ଅନ୍ୟ କେହି ନୁହନ୍ତି । ସେ ଗୁର୍ଥକୁ ଡାକି ବାପା କେତେ ଟଙ୍କା ନେଇଛନ୍ତି ବୋଲି ପଚାରିଲେ । ଗୁର୍ଥ ସତ କଥା କହିଲା । ତହୁଁ ରେବେକା କହିଲେ, “ମୋର ବାପା ଆପଣଙ୍କ ସଙ୍ଗେ ପରିହାସ କରୁଥିଲେ । ପ୍ରକୃତରେ ଟଙ୍କା ନେବା ତାଙ୍କର ଉଦ୍ଦେଶ୍ୟ ନୁହେ । ମୋର ବାପା ଆପଣଙ୍କ ପ୍ରଭୁଙ୍କ ଠାରୁ ଯେଉଁ ଉପକାର ପାଇଛନ୍ତି, ତାହା ଜୀବନରେ ପରିଶୋଧ କରି ପାରିବେ ନାହିଁ । ଏଇ ଥଳୀଟି ନିଅନ୍ତୁ । ଏଥିରେ ଶହେ କ୍ରାଉନ ଅଛି । ପ୍ରଭୁଙ୍କର ଟଙ୍କା ତାଙ୍କୁ ଫେରାଇ ଦେଇ ଅବଶିଷ୍ଟ ଆପଣ ନିଜେ ଖରଚ କରିବେ ।”

 

ଗୁର୍ଥ ଥଳୀଟି ଧରି ବାହାରି ଆସିଲା । ତମ୍ବୁରେ ପହଞ୍ଚି ଦେଖିଲା ଯେ ନାଇଟ୍ ଶୋଇ ଆସୁଛନ୍ତି । ସେ ଧୀରେ ତମ୍ବୁ ଭିତରକୁ ଯାଇ ଶୋଇଲା । ଅଳ୍ପ ସମୟ ମଧ୍ୟରେ ଦୁହେଁଯାକ ଗାଢ଼ ନିଦ୍ରାରେ ଶୋଇପଡ଼ିଲେ ।

 

ସେଡ଼୍ରିକଙ୍କର ବିସ୍ମୟ

 

ତତ୍ପର ଦିନ ପହରକ ବେଳକୁ ରଙ୍ଗଭୂମିର ଚାରିପାଖ ଲୋକାରଣ୍ୟ ହୋଇଗଲା । ବିଚାରକମଣ୍ଡଳୀ ଓ ଘୋଷଣାକାରୀମାନେ ଆଗରୁ ଆସି ପ୍ରତିଯୋଗୀମାନଙ୍କୁ ଦୁଇଟି ଦଳରେ ବିଭକ୍ତ କରି ସାରିଥିଲେ । ଗୋଟିଏ ଦଳର ନେତା ହୋଇଥିଲେ ଉତ୍ତରାଧିକାରରୁ ବଞ୍ଚିତ ନାଇଟ୍ ଓ ଅପର ଦଳର ନେତୃତ୍ଵ ନେଇଥିଲେ ସାର୍ ଗିଲବର୍ଟ । ସାକ୍ସନବୀର ଏଥେଲଷ୍ଟେନ ଗିଲ୍ବର୍ଟଙ୍କ ଦଳରେ ରହିଥିଲେ । ସେ ସ୍ଵେଚ୍ଛାରେ ଏହି ଦଳକୁ ଯାଇଥିଲେ ଓ ଏଥିରେ ଏକ କାରଣ ଥିଲା । ପୂର୍ବ ଦିନ ଯେଉଁ ଅଜ୍ଞାତ ନାଇଟ୍ ଲେଡ଼ି ରାଓଏନାଙ୍କୁ ପ୍ରେମ ଓ ସୌନ୍ଦର୍ଯ୍ୟର ରାଣୀରୂପେ ନିର୍ବାଚନ କରିଥିଲେ, ତାଙ୍କ ପ୍ରତି ଏଥେଲଷ୍ଟେନଙ୍କର କ୍ରୋଧ ଜାତ ହୋଇଥିଲା । ତେଣୁ ସେ ତାଙ୍କ ବିରୁଦ୍ଧରେ ଯୁଦ୍ଧ କରିବାକୁ ଇଚ୍ଛା କରିଥିଲେ । ବିଶେଷତଃ ସେଡ଼୍ରିକ ଏହି ଏଥେଲଷ୍ଟେନଙ୍କୁ ରାଓଏନାଙ୍କର ଭାବୀସ୍ଵାମୀରୂପେ ସ୍ଥିର କରିଥିବାରୁ ତାଙ୍କର ଏହି ନାଇଟ୍ ପ୍ରତି ଈର୍ଷା ହେବା ସ୍ଵାଭାବିକ ।

 

ଯଥା ସମୟରେ ଲେଡ଼ି ରାଓଏନା ଉପସ୍ଥିତ ହେଲେ ଓ ପ୍ରିନ୍‍ସ ଜନ୍ ତାଙ୍କୁ ସିଂହାସନରେ ବସାଇ ଦେଲେ । ସେ ଦିନ ପାଇଁ ପ୍ରତିଯୋଗିତାର ନିୟମାବଳୀ ପଢ଼ି ଶୁଣାଇ ଦିଆଗଲା । ପ୍ରତିଯୋଗୀମାନେ ଯୁଦ୍ଧ ପାଇଁ ପ୍ରସ୍ତୁତ ହୋଇଗଲେ ।

 

ପ୍ରତ୍ୟେକ ଦଳର ନାଇଟ୍‍ମାନେ ରଙ୍ଗଭୂମିରେ ପ୍ରବେଶ କରି ଦୁଇଟି ଲେଖାଏଁ ଧାଡ଼ିରେ ବିଭକ୍ତ ହୋଇଗଲେ । ସମ୍ମୁଖ ଧାଡ଼ିର ମଝିରେ ଥିଲେ ପ୍ରତ୍ୟେକ ଦଳର ନେତା । ପ୍ରତ୍ୟେକ ନାଇଟ୍ ନିଜର ବର୍ଚ୍ଛାକୁ ସିଧା ଟେକି ଧରିଥିଲେ ଓ ତାହାର ଆଗରେ ତାଙ୍କର ପତାକା ଉଡ଼ୁଥିଲା । ବିଚାରକମାନେ ଦେଖିଲେ, ପ୍ରତିଯୋଗିତାର ସମସ୍ତ ନିୟମ ପାଳିତ ହୋଇଅଛି । ତହୁଁ ଜଣେ ବିଚାରକ ଯୁଦ୍ଧ ଆରମ୍ଭର ସଙ୍କେତ ଦେଲେ ।

 

ସଙ୍ଗେ ସଙ୍ଗେ ଉଭୟଦଳ ଚିତ୍କାର କରି ପରସ୍ପରକୁ ଆକ୍ରମଣ କରିବାକୁ ଅଗ୍ରସର ହେଲେ । ସେମାନଙ୍କ ଅଶ୍ଵମାନଙ୍କର ପଦାଘାତରେ ଏତେ ଧୂଳି ଉଡ଼ିଲା ଯେ କେତେବେଳେ ପର୍ଯ୍ୟନ୍ତ କିଛି ଦେଖାଗଲା ନାହିଁ । କିଛି ସମୟ ପରେ ପ୍ରାୟ ଅଧେ ନାଇଟ୍‍ ଘୋଡ଼ାରୁ ଖସି ପଡ଼ିଥିବାର ଦେଖାଗଲା । କେତେକ ନାଇଟ୍ ଆଘାତପ୍ରାପ୍ତ ହୋଇ ଭୂମି ଉପରେ ପଡ଼ିଥିଲେ । କେହି କେହି ଖଣ୍ଡାରେ ଯୁଦ୍ଧ କରିବାକୁ ଚେଷ୍ଟିତ ଥିଲେ । ଅଳ୍ପ କେତେ ଜଣ ଯୁଦ୍ଧଭୂମିରୁ ପଳାଇ ଯାଉଥିଲେ । ଏହା ପରେ ପଛ ଧାଡ଼ିର ନାଇଟମାନେ ପରସ୍ପରକୁ ଆକ୍ରମଣ କରିବାକୁ ବାହାରିଲେ-। ରଙ୍ଗଭୂମିରେ ଭୀଷଣ ଗୋଳମାଳ ସୃଷ୍ଟି ହେଲା ।

 

ଉଭୟ ଦଳ ନିଜ ନିଜର ରଣଧ୍ଵନି କରି ପରସ୍ପରକୁ ଆକ୍ରମଣ କଲେ । ଯୁଦ୍ଧର ଧ୍ଵନି ସଙ୍ଗେ ରଣବାଦ୍ୟ ଚାଲିଥାଏ । ଆହତମାନଙ୍କର ଆର୍ତ୍ତଧ୍ଵନି ତାହା ମଧ୍ୟରେ ଲୋପ ପାଇଯାଉଥାଏ ।

 

ଏହି ଯୁଦ୍ଧ ଦେଖି ଦର୍ଶକମାନେ ଯଥେଷ୍ଟ ଆନନ୍ଦ ଅନୁଭବ କଲେ । ସମୟ ସମୟରେ କୌଣସି ନାଇଟ୍ ଆହତ ହୋଇ ତଳେ ପଡ଼ିଗଲାବେଳେ ରଙ୍ଗମଞ୍ଚରେ ଥିବା ତାଙ୍କର ପ୍ରିୟଜନମାନେ ଚିତ୍କାର କରି ଉଠୁଥିଲେ । କିନ୍ତୁ ଲୋକସାଧାରଣ ଯୁଦ୍ଧର ଭୀଷଣତାରେ କାତର ନ ହୋଇ ଉତ୍ତେଜିତ ହୋଇ ଉଠୁଥିଲେ ।

 

ଶେଷରେ ଉତ୍ତରାଧିକାରରୁ ବଞ୍ଚିତ ନାଇଟ୍‍ ଓ ସାର୍ ଗିଲବର୍ଟ ପରସ୍ପରକୁ ଆକ୍ରମଣ କଲେ । ଅଳ୍ପ ସମୟ ମଧ୍ୟରେ ଦୁହିଁଙ୍କର ବର୍ଚ୍ଛା ଭାଙ୍ଗି ଖଣ୍ଡ ଖଣ୍ଡ ହୋଇଗଲା । ତହୁଁ ସେମାନେ ଅସିଯୁଦ୍ଧ ଆରମ୍ଭ କରିଦେଲେ । ଏଣେ ଏଥେଲଷ୍ଟ୍ରେନ ଓ ଫ୍ରଣ୍ଟ ଡିବଫ ଦେଖିଲେ ଯେ ସେମାନଙ୍କ ସହିତ ଯୁଦ୍ଧ କରିବାକୁ କେହି ପ୍ରତିଦ୍ଵନ୍ଦୀ ନାହାନ୍ତି । ତେଣୁ ସେ ଦୁହେଁ ଯାଇ ସେହି ଉତ୍ତରାଧିକାରରୁ ବଞ୍ଚିତ ନାଇଟ୍‍ଙ୍କ ସହିତ ଯୁଦ୍ଧ କରିବାକୁ ଅଗ୍ରସର ହେଲେ ।

 

ଜଣକ ବିରୁଦ୍ଧରେ ଏକ ସଙ୍ଗରେ ତିନିଜଣ ଯୁଦ୍ଧ କରିବାକୁ ଯାଉଥିବାରୁ ଦର୍ଶକମାନେ ସ୍ଵତଃ ସେହି ଅଜ୍ଞାତ ନାଇଟ୍‍ଙ୍କ ପ୍ରତି ସହାନୁଭୂତି ପ୍ରକାଶ କଲେ । ସେମାନେ ଚିତ୍କାର କରି ତାଙ୍କୁ ସାବଧାନ କରିଦେଲେ । ସେ ସାର୍ ଗିଲବର୍ଟଙ୍କୁ ଏକ ଆଘାତ କରି ନିଜର ଘୋଡ଼ାକୁ ଏପରି ବୁଲାଇ ଦେଲେ ଯେ ଏଥେଲଷ୍ଟ୍ରେନ ଓ ଫ୍ରଣ୍ଟ ଡିବଫ ପରସ୍ପର ଧକ୍କା ଖାଇଲେ । କିନ୍ତୁ ମୁହୂର୍ତ୍ତକ ମଧ୍ୟରେ ସେମାନେ ସୁବିଧାଜନକ ସ୍ଥାନକୁ ଚାଲିଆସିଲେ । ସାର୍ ଗିଲବର୍ଟ ମଧ୍ୟ ଏଥି ମଧ୍ୟରେ ନିଜର ସ୍ଥାନକୁ ଫେରିଆସିଥିଲେ । ଅଗତ୍ୟା ଉତ୍ତରାଧିକାରରୁ ବଞ୍ଚିତ ନାଇଟ୍ ପୁଣି ତିନିଜଣଯାକ ପ୍ରତିଦ୍ଵନ୍ଦୀଙ୍କର ସମ୍ମୁଖୀନ ହେଲେ । ଏପରି ଏକ ଯୁଦ୍ଧର ପରିଣାମ ବିଷୟରେ ତିନିଜଣ ଆକ୍ରମଣ କରିବା ଅନ୍ୟାୟ । ତେଣୁ ଦର୍ଶକମାନେ ପ୍ରିନ୍‍ସ ଜନ୍‍ଙ୍କୁ ଅନୁରୋଧ କଲେ ଯେ ଏ ଅନ୍ୟାୟ ଯୁଦ୍ଧ ବନ୍ଦ କରାଯାଉ ।

 

କିନ୍ତୁ ପ୍ରିନ୍‍ସ ଜନ୍ ଦର୍ଶକମାନଙ୍କ ଅନୁରୋଧ ନ ଶୁଣି କହିଲେ, “ତା’ ହୋଇ ନ ପାରେ । ଏହି ନାଇଟ୍ ଏତେ ବେଳଯାଏ ନିଜର ପରିଚୟ ଦେଇନାହିଁ । ମୋର ଆମନ୍ତ୍ରଣକୁ ଆଗ୍ରାହ୍ୟ କରି ମୋତେ ଅପମାନ ଦେଇଅଛି । କାଲି ସେ ବିଜୟୀ ହୋଇ ପୁରସ୍କାର ପାଇଛି । ଆଜି ସେ କିପରି କୃତିତ୍ୱ ଦେଖାଇବ, ସମସ୍ତେ ଜାଣନ୍ତୁ ।”

 

ଏହିପରି ବିଷମ ଯୁଦ୍ଧ ଚାଲିଥିବାବେଳେ ଏକ ବିଚିତ୍ର ଘଟନା ଘଟିଲା । ହଠାତ୍ ରଙ୍ଗଭୂମିରେ ଆଉ ଜଣେ ନାଇଟ୍ ଦେଖାଦେଲେ । ତାଙ୍କର ଘୋଡ଼ାଟି କୃଷ୍ଣବର୍ଣ୍ଣର ଓ ସେ ନିଜକୁ କୃଷ୍ଣବର୍ଣ୍ଣର ସାଞ୍ଜୁରେ ଆବୃତ୍ତ କରିଥିଲେ । ଏତେବେଳଯାଏ ଏହି ନାଇଟ୍ ଆତ୍ମରକ୍ଷା ଛଡ଼ା କେବେ କାହାରିକୁ ଆକ୍ରମଣ କରିବା ଦେଖାଯାଉ ନ ଥିଲା । ଅଜ୍ଞାତ ନାଇଟ୍‍ଙ୍କର ବିପଦ ଦେଖି ସେ ତାଙ୍କୁ ସାହାଯ୍ୟ କରିବାକୁ ବାହାରି ପଡ଼ିଲେ । ସେତେବେଳକୁ ଉତ୍ତରାଧିକାରରୁ ବଞ୍ଚିତ ନାଇଟ୍ ସାର୍ ଗିଲ୍‍ବର୍ଟଙ୍କ ସହିତ ଯୁଦ୍ଧ କରୁଥିଲେ ଓ ଫ୍ରଣ୍ଟ ଡିବଫ୍ ତାଙ୍କୁ ପଛଆଡ଼ୁ ଆଘାତ କରିବା ପାଇଁ ଖଣ୍ଡା ଉଞ୍ଚାଇଥିଲେ । ଏହି ସମୟରେ କୃଷ୍ଣବର୍ଣ୍ଣ ନାଇଟ୍ ଫ୍ରଣ୍ଟ ଡିବଫଙ୍କ ମସ୍ତକାବରଣ ଉପରେ ଉପରେ ପ୍ରଚଣ୍ଡ ଆଘାତ କଲେ । ଏହା ଫଳରେ ଫ୍ରଣ୍ଟ ଡିଫର ଓ ତାଙ୍କ ଘୋଡ଼ା ଉଭୟେ ତଳେ ପଡ଼ିଗଲେ । ଏହା ପରେ ସେ ଏଥେଲଷ୍ଟ୍ରେନ୍‍ଙ୍କୁ ଆକ୍ରମଣ କରି ତାଙ୍କ ହାତରୁ କୁଠାର ଛଡ଼ାଇ ନେଲେ ଓ ତାଙ୍କୁ ଏପରି ଆଘାତ କଲେ ଯେ ସେ ଅଚେତନ ହୋଇ ତଳେ ପଡ଼ିଗଲେ । ଏହିପରି ସେ ଉତ୍ତରାଧିକାରରୁ ବଞ୍ଚିତ ନାଇଟ୍‍ଙ୍କୁ ଏକ ବିଷମ ପରିସ୍ଥିତିରୁ ରକ୍ଷା କରି ରଙ୍ଗଭୂମିର ଏକ ପାଖକୁ ଅପସରି ଗଲେ ।

 

ଅଜ୍ଞାତ ନାଇଟ୍ ଓ ସାର୍ ଗିଲ୍‍ବର୍ଟଙ୍କ ମଧ୍ୟରେ ପୁଣି ଯୁଦ୍ଧ ଚାଲିଲା । କିନ୍ତୁ ସାର୍ ଗିଲ୍‍ବର୍ଟଙ୍କ ଘୋଡ଼ା ଆଘାତ ପାଇଥିବାରୁ ଅଳ୍ପ ସମୟ ମଧ୍ୟରେ ତଳେ ପଡ଼ିଗଲା । ତା’ ସଙ୍ଗେ ସଙ୍ଗେ ସାର୍ ଗିଲ୍‍ବର୍ଟ ମଧ୍ୟ ତଳେ ପଡ଼ିଗଲେ । ଅଜ୍ଞାତ ନାଇଟ୍ ଘୋଡ଼ାରୁ ଡେଇଁପଡ଼ି ସାର୍ ଗିଲ୍‍ବର୍ଟଙ୍କ ଛାତି ଉପରେ ପାଦ ରଖି କହିଲେ, “ଏବେ ପରାସ୍ତ ହେଲ ବୋଲି ସ୍ଵୀକାର କର । ନଚେତ୍ ମୋର ଖଣ୍ଡାରେ ତୁମର ପ୍ରାଣ ନେବି ।” ପ୍ରିନ୍‍ସ ଜନ୍ ଗିଲ୍‍ବର୍ଟଙ୍କର ଜୀବନ ରକ୍ଷାକରିବା ପାଇଁ ଏତିକିରେ ଯୁଦ୍ଧ ବନ୍ଦ ହେଲା ବୋଲି ଆଦେଶ ଦେଲେ ।

 

ସେ ଦିନର ବିଜୟୀ ବୀର କିଏ ଏହା ପ୍ରିନ୍‍ସ ଜନ୍ ଘୋଷଣା କରିବାର କଥା । ତାଙ୍କ ମତରେ କୃଷ୍ଣବର୍ଣ୍ଣର ନାଇଟ୍ ଏହି ସମ୍ମାନର ଅଧିକାରୀ ବୋଲି ବିବେଚିତ ହେଲେ । କେତେକ ଦର୍ଶକ ଏଥିରେ ଆପତ୍ତି କରି କହିଲେ, “କୃଷ୍ଣବର୍ଣ୍ଣର ନାଇଟ ଦୁଇଜଣ ବୀରଙ୍କୁ ପରାସ୍ତ କରିଛନ୍ତି; କିନ୍ତୁ ଏହି ଅଜ୍ଞାତ ନାଇଟ ଅପର ପକ୍ଷରେ ନେତାଙ୍କ ସହିତ ଛଅଜଣ ନାଇଟଙ୍କୁ ପରାସ୍ତ କରିଅଛନ୍ତି-। ତେଣୁ ବିଜେତାର ଗୌରବ ତାଙ୍କର ପ୍ରାପ୍ୟ ହେଉଛି ।” କିନ୍ତୁ ପ୍ରିନ୍‍ସ ଜନ୍ ଏ ଯୁକ୍ତି ନ ଶୁଣି କୃଷ୍ଣବର୍ଣ୍ଣର ନାଇଟ୍‍ଙ୍କୁ ଶ୍ରେଷ୍ଠ ବୋଲି ଘୋଷଣା କଲେ । କିନ୍ତୁ ସେତେବେଳକୁ କୃଷ୍ଣବର୍ଣ୍ଣର ନାଇଟ୍‍ ରଙ୍ଗଭୂମିରେ କିମ୍ଵା ତା’ ଆଖପାଖରେ ନ ଥିଲେ । ଅଗତ୍ୟା ପ୍ରିନ୍‍ସ ଜନ୍ ସେହି ଅଜ୍ଞାତ ନାଇଟ୍‍ଙ୍କୁ ସେ ଦିନର ବିଜେତା ବୋଲି ସ୍ଵୀକାର କରିବାକୁ ବାଧ୍ୟ ହେଲେ । ସେ କହିଲେ, “ହେ ଉତ୍ତରାଧିକାରରୁ ବଞ୍ଚିତ ନାଇଟ୍, କାଲି ପରି ଆଜି ମଧ୍ୟ ତୁମେ ପ୍ରତିଯୋଗିତାରେ ବିଜୟୀ ହୋଇଅଛ । ପ୍ରେମ ଓ ସୌନ୍ଦର୍ଯ୍ୟର ରାଣୀ ସ୍ୱହସ୍ତରେ ତୁମକୁ ପୁରସ୍କାର ପ୍ରଦାନ କରିବେ-।”

 

ଦର୍ଶକମାନଙ୍କ ମଧ୍ୟରେ ଆନନ୍ଦଧ୍ଵନି ଉଠିଲା । ବାଦ୍ୟଧ୍ଵନି ଓ ଲୋକମାନଙ୍କ କୋଳାହଳ ମଧ୍ୟରେ ଅଜ୍ଞାତ ନାଇଟ୍ ଲେଡ଼ି ରାଓଏନାଙ୍କ ଆଡ଼କୁ ଚାଲିଲେ । ସେ ରାଓଏନାଙ୍କ ସିଂହାସନ ନିକଟରେ ଜାନୁପାତ କରି ସମ୍ମାନ ଦେଖାଇଲେ । ବିଚାରକମାନେ କହିଲେ, “ପୁରସ୍କାର ଗ୍ରହଣ କରିବା ପୂର୍ବରୁ ବିଜୟୀ ନାଇଟ୍ ମସ୍ତକର ଆବରଣ ଖୋଲି ଦେବା ଉଚିତ ।” ଅନିଚ୍ଛା ସତ୍ତ୍ୱେ ସେ ଆବରଣ ବାହାର କରିଦେଲେ । ଏହି ନାଇଟ୍‍ଙ୍କର ମୁଖକୁ ଦେଖିବା ମାତ୍ରେ ସେଡ଼୍ରିକ ଯେତିକି ବିସ୍ମିତ ହେଲେ, ରାଓଏନା ମଧ୍ୟ ତତୋଧିକ ବିସ୍ମିତ ହେଲେ । ଏହି ଅଜ୍ଞାତ ଯୁବକଙ୍କୁ ଚିହ୍ନିବାରେ ବାକି ରହିଲା ନାହିଁ । ଏ ହେଉଛନ୍ତି ସ୍ୱୟଂ ଉଇଲଫ୍ରେଡ଼ ଆଇଭାନହୋ; ଯାହାଙ୍କୁ ସେଡ଼୍ରିକ ଉତ୍ତରାଧିକାରରୁ ବଞ୍ଚିତ କରିଥିଲେ ।

 

ରାଓଏନା ଏପରି ବିସ୍ମୟସତ୍ତ୍ଵେ ନିଜର କର୍ତ୍ତବ୍ୟ ଭୁଲିଯାଇ ନ ଥିଲେ । ସେ ବିଜୟର ପୁରସ୍କାରରୂପେ ମୁକୁଟଟିକୁ ତାଙ୍କ ମସ୍ତକରେ ପିନ୍ଧାଇଦେଲେ ଓ “କହିଲେ, ସାର୍ ନାଇଟ୍ ଆଇଭାନହୋ, ଆଜି ତୁମେ ପ୍ରତିଯୋଗିତାରେ ବିଜୟ ଲାଭ କରି ଏହି ପୁରସ୍କାରର ଅଧିକାରୀ ହୋଇଅଛ । ବାସ୍ତବରେ ତୁମେ ଏ ସମ୍ମାନର ଉପଯୁକ୍ତ ପାତ୍ର ।”

 

ସାର୍ ଆଇଭାନହୋ ମସ୍ତକ ଅବନତ କରି ପୁରସ୍କାର ଗ୍ରହଣ କଲେ ଏବଂ ରାଓଏନାଙ୍କ ହସ୍ତ ଚୁମ୍ବନ କଲେ । କିନ୍ତୁ ସେ ଆଉ ଉଠି ପାରିଲେ ନାହିଁ । ଅଚେତନ ହୋଇ ସେହିଠାରେ ପଡ଼ିଗଲେ । ବିଚାରକମାନେ ଦଉଡ଼ି ଆସି ତାଙ୍କର ସାଞ୍ଜୁ କାଢ଼ି ଦେଲେ । ଦେଖାଗଲା ଯେ ଗୋଟିଏ ସ୍ଥାନରେ ବର୍ଚ୍ଛା ତାଙ୍କର ବର୍ମକୁ ଭେଦ କରି ଶରୀରକୁ ମଧ୍ୟ ଭେଦ କରିଛି । କେତେକ ଭୃତ୍ୟ ସେବାଶ୍ରୁଶ୍ରୂଷା ପାଇଁ ତାଙ୍କୁ ସେଠାରୁ ଉଠାଇ ନେଲେ ।

 

ଅଜ୍ଞାତ ନାଇଟ୍ ହେଉଛନ୍ତି ସାର୍ ଆଇଭାନହୋ–ଏହି ସମ୍ବାଦ ବିଜୁଳି ପରି କ୍ଷଣକ ମଧ୍ୟରେ ସବୁଆଡ଼େ ବ୍ୟାପିଗଲା । ପ୍ରିନ୍‍ସ ଜନ୍ ଏହି ସମ୍ବାଦରେ ମର୍ମାହତ ହେଲେ । ସେ ସମବେତ ଅନୁଚରମାନଙ୍କୁ କହିଲେ, “ପ୍ରଥମରୁ କେଜାଣି କାହିଁକି ଏହି ନାଇଟ୍‍ଙ୍କୁ ମୁଁ ଘୃଣା କରି ଆସିଛି । ଏ ଯେ ରାଜା ରିଚାର୍ଡଙ୍କର ଜଣେ ଅନୁଚର ଏହା ଜାଣିବା ପୂର୍ବରୁ ତା’ର ଆଚରଣରେ ମୁଁ ବିରକ୍ତି ଅନୁଭବ କରି ଆସିଛି ।”

 

ଫିଜର୍ସ ମନ୍ତବ୍ୟ କଲେ, “ଆପଣଙ୍କ ଚିନ୍ତାର କାରଣ ନାହିଁ । ସେ ଯେଉଁ ଆଘାତ ପାଇଛି, ସେଥିରୁ ଆରୋଗ୍ୟ ଲାଭ କରିବ ବୋଲି ଆଶା ଦେଖାଯାଉନାହିଁ ।”

 

ପ୍ରିନ୍‍ସ ଜନ୍ କହିଲେ, “ଯାହାହେଉ, ତା’ର ଚିକିତ୍ସା ପାଇଁ ମୋର ଚିକିତ୍ସକଙ୍କୁ ପଠାଇଦିଅ-।”

 

ସେତେବେଳକୁ ଆଇଭାନହୋଙ୍କୁ ରଙ୍ଗଭୂମିରୁ ଅନ୍ତର କରାଯାଇସାରିଥିଲା । ତେଣୁ ପ୍ରିନ୍‍ସ ଜନ୍‍ଙ୍କ ଆଦେଶର କିଛି ମୂଲ୍ୟ ନ ଥିଲା ।

 

ପ୍ରିନସ୍ ଜନ୍ ରଙ୍ଗଭୂମି ତ୍ୟାଗ କରି ଯିବାକୁ ବସିଛନ୍ତି, ଏହି ସମୟରେ ଜଣେ ପତ୍ରବାହକ ଆସି ତାଙ୍କ ହାତରେ ଖଣ୍ଡିଏ ପତ୍ର ଦେଲା । ପତ୍ରଟି ଫ୍ରାନ୍‍ସର ରାଜାଙ୍କ ନିକଟରୁ ଆସିଥିଲା । ଜନ୍ ସିଲ୍ ଭାଙ୍ଗି ପତ୍ରଟି ପଢ଼ିବାକୁ ଲାଗିଲେ । ତାଙ୍କର ମୁଖ ବିବର୍ଣ୍ଣ ହୋଇ ଆସିଲା । ଏଥିରେ ଫ୍ରାନ୍‍ସର ରାଜା ଲେଖିଥିଲେ ଯେ ରାଜା ରିଚାର୍ଡ଼ ଫ୍ରାନସର ଅବରୋଧରୁ ଚାଲିଯାଇ ଅଛନ୍ତି । ସେ ଚିଠିଟି ପଢ଼ିସାରି ସାର ଫିଜର୍ସଙ୍କ ହାତକୁ ବଢ଼ାଇଦେଲେ ।

 

ଫିଜର୍ସ ଚିଠିଟି ପଢ଼ିସାରି କହିଲେ, “ବର୍ତ୍ତମାନ ଆମର ପ୍ରସ୍ତୁତ ହେବା ଦରକାର । ୟର୍କରେ ଥିବା ଆମର ସୈନ୍ୟମାନଙ୍କୁ ଏକତ୍ର କରିବାକୁ ହେବ । ବିଳମ୍ବ କଲେ ପରିଣାମ ଭୀଷଣ ହୋଇପାରେ । ମୋ ମତରେ ଏହି ପ୍ରତିଯୋଗିତା ଅତିଶ୍ରୀଘ୍ର ଶେଷ କରିଦେବାକୁ ହେବ ।

 

ଏହା ପରେ ଧନୁଶର ସାହାଯ୍ୟରେ ଲକ୍ଷ୍ୟଭେଦ ପ୍ରତିଯୋଗିତା ହେଲା । ଏଥିରେ ଲକ୍‍ସ୍‍ଲି ନାମକ ଜଣେ ଧନୁର୍ଦ୍ଧର ବିଜୟୀ ହେଲେ । ପ୍ରିନ୍‍ସ ଜନ୍ ତାଙ୍କୁ ନିର୍ଦ୍ଦିଷ୍ଟ ପୁରସ୍କାର ଦେଇ କହିଲେ, “ତୁମର କୃତିତ୍ଵରେ ମୁଁ ସନ୍ତୁଷ୍ଟ । ତୁମେ ଇଚ୍ଛା କଲେ ମୋର ସୈନ୍ୟ ଦଳରେ ରହିପାର । ତୁମକୁ ଶହେ କ୍ରାଉନ୍ ବେତନ ଦିଆଯିବ ।” କିନ୍ତୁ ଲକ୍‍ସି ବିନୀତ ଭାବରେ କହିଲେ, “ମୁଁ ରାଜା ରିଚାର୍ଡ଼ଙ୍କର ସେବା କରିବାକୁ ପ୍ରତିଜ୍ଞାବଦ୍ଧ । ତେଣୁ ଆପଣଙ୍କର ସେବା କରିବାକୁ ଅକ୍ଷମ ।” ପ୍ରିନ୍‍ସ ଜନ୍ ଏହି ଉତ୍ତରରେ ନିତାନ୍ତ ବିରକ୍ତ ହେଲେ । କିନ୍ତୁ ସେ ଆଉ କହିବା ପୂର୍ବରୁ ଲକ୍‍ସ୍‍ଲି ସେଠାରୁ ଚାଲିଯାଇଥିଲେ ।

 

ପ୍ରିନ୍‍ସ ଜନ୍ ନାନା ଚିନ୍ତାରେ ଅସ୍ଥିର ହୋଇ ପଡ଼ିଥିଲେ । ପ୍ରତିଯୋଗିତା ଶେଷ ହେଲା ବୋଲି ଘୋଷଣା କରି ସେ ଜଣେ ଅନୁଚରକୁ କହିଲେ, “ତୁମେ ଅତି ଶୀଘ୍ର ଆଶ୍‍ବିକୁ ଯାଇ ସେଠାରେ ଆଇଜାକ୍‍ର ସନ୍ଧାନ ନିଅ । ତାଙ୍କୁ କହିବ, ଆଜି ସନ୍ଧ୍ୟା ପୂର୍ବରୁ ସେ ମୋ ପାଖକୁ ଦଶହଜାର କ୍ରାଉନ୍ ପଠାଇଦେବେ ।”

 

ମରିସ୍ ଡିବ୍ରେସିଙ୍କର କୌଶଳ

 

ଫିଜର୍ସ ଆଶ୍‍ବିକୁ ଯାଇ ସେଠାରେ ଥିବା ଜନ୍‍ଙ୍କର ବନ୍ଧୁମାନଙ୍କୁ ଏକତ୍ର କରିବାକୁ ଲାଗିଲେ । ସେମାନେ ସମସ୍ତେ ଯେ ଜନ୍‍ଙ୍କୁ ପ୍ରକୃତରେ ସମର୍ଥନ କରୁଥିଲେ ତାହା ନୁହେଁ । ଅଧିକାଂଶ ଲୋକ ନିଜ ନିଜର ସୁବିଧା ହାସଲ କରିବା ପାଇଁ ତାଙ୍କର ଅନୁସରଣ କରୁଥିଲେ । ଫିଜର୍ସ ସେମାନଙ୍କୁ ଖୋଜି ନାନା ଆଶା ଦେଖାଇଲେ । ସେ ସେମାନଙ୍କୁ କହିଲେ, “ଜନ୍ ରାଜା ହେଲେ ତୁମେମାନେ ବଡ଼ ବଡ଼ ଜମିଦାରୀ ପାଇ ସୁଖରେ ରହିବ । କିନ୍ତୁ ରିଚାର୍ଡ଼ ଫେରିଆସିଲେ ଦୁର୍ଦ୍ଦଶାର ସୀମା ରହିବ ନାହିଁ ।” ତାଙ୍କ କଥାରେ ଅନେକେ ୟର୍କକୁ ଆସି ଜନ୍‍ଙ୍କୁ ସମର୍ଥନ କରିବାକୁ ରାଜି ହେଲେ । ଫିଜର୍ସଙ୍କର ଇଚ୍ଛା ଥାଏ, ରିଚାର୍ଡ଼ ଇଂଲଣ୍ଡକୁ ଫେରିଆସିବା ପୂର୍ବରୁ ଜନ୍‍ଙ୍କର ସିଂହାସନରେ ଅଭିଷେକ ହୋଇଯାଉ ।

 

ସେଦିନ ଫିଜର୍ସ ଆଶ୍‍ବି ଦୁର୍ଗକୁ ଫେରିଲାବେଳକୁ ଅନେକ ରାତି ହୋଇଗଲା । ସେ ଆସି ଦେଖିଲେ, ଡିବ୍ରେସି ଜଣେ ଇଂରେଜ ପାଇକର ପୋଷାକ ପିନ୍ଧି ରହିଛନ୍ତି । ତାଙ୍କ ଦେହରେ ସବୁଜ ରଙ୍ଗର ଜାମା, ମୁଣ୍ଡରେ ଚମଡ଼ାର ଟୋପି, କାନ୍ଧରେ ଶିଙ୍ଗା ଓ ହାତରେ ଧନୁଶର ।

 

ତାଙ୍କର ଏପରି ଅଦ୍ଭୁତ ପୋଷକ ଦେଖି ଫିଜର୍ସ ପଚାରିଲେ, “ତୁମେ ଏ ବିଚିତ୍ର ପୋଷାକ ପିନ୍ଧି କୁଆଡ଼େ ବାହାରିଛ ? ଏ କଅଣ ଖେଳ କଉତୁକର ବେଳ ? ତୁମେ ଯାଇ ଜନ୍‍ଙ୍କୁ ବନ୍ଧୁମାନଙ୍କୁ ଉତ୍ସାହ ଦେବା ଉଚିତ । ତୁମେ କୁଆଡ଼େ ଯାଇଥିଲ ?”

 

ଡିବ୍ରେସି ଧୀର ଭାବରେ କହିଲେ, “ତୁମେ ଯେପରି ତୁମ କାମରେ ଲାଗିଛ ମୁଁ ସେହିପରି ମୋ କାମ କରୁଛି ।”

 

ଫିଜର୍ସ ବିସ୍ମିତ ହୋଇ କହିଲେ, “ମୁଁ ମୋ କାମ କରୁଛି ? ମୁଁ ମୋ ପାଇଁ କାମ କରୁନାହିଁ, ପ୍ରିନ୍‍ସ ଜନ୍‍ଙ୍କ କାମ କରୁଛି । ଏଭଳି ବିଚିତ୍ର ପୋଷାକ ପିନ୍ଧି ତୁମେ କ’ଣ କରୁଛ କହିଲ-?”

 

ଡିବ୍ରେସି ପୂର୍ବ ପରି ଧୀରସ୍ଥିର ଭାବରେ କହିଲେ, “ମୁଁ ଗୋଟିଏ ଗୃହିଣୀ ଯୋଗାଡ଼ କରିବାରେ ଲାଗିଛି । ଆଗରେ ଦଳେ ସାକ୍‍ସନ୍ ଯାଇଛନ୍ତି । ମୁଁ ଏଇ ପୋଷାକରେ ସେମାନଙ୍କ ପଛେ ପଛେ ଯାଇ ସୁନ୍ଦରୀ ରାଓଏନାଙ୍କୁ ନେଇ ଆସିବି ।”

 

ଫିଜର୍ସ ଏହା ଶୁଣି କହିଲେ, “ତୁମେ କ’ଣ ପାଗଳ ହୋଇଗଲଣି ? ଯେଉଁ ସାକ୍‍ସନମାନେ ଯାଇଛନ୍ତି ବୋଲି କହୁଛ, ସେମାନେ ଖୁବ୍ ଧନୀ, କ୍ଷମତାଶାଳୀ–ଏ କଥା ଭୁଲିଗଲେ ଚଳିବ ନାହିଁ । ବର୍ତ୍ତମାନ ସମୟ ଯେପରି ସେଥିରେ ପ୍ରିନ୍‍ସ ଜନ୍ ସେମାନଙ୍କୁ ଅସନ୍ତୁଷ୍ଟ କରିବାକୁ ଚାହିଁବେ ନାହିଁ । ଯଦି ତୁମେ ରାଓଏନାଙ୍କୁ ନେଇ ଆସ, ତାଙ୍କୁ ଫେରାଇ ଦେବାପାଇଁ ଜନ୍ ତୁମକୁ ବାଧ୍ୟ କରିବେ ।”

 

ଡିବ୍ରେସି ବିରକ୍ତ ହେଲା ପରି କହିଲେ, “କିପରି ଫେରାଇ ଦେବାକୁ ବାଧ୍ୟ କରିବେ ସେ କଥା ଦେଖାଯିବ । ଜନ୍ ସାକ୍‍ସନମାନଙ୍କୁ ଅସନ୍ତୁଷ୍ଟ କରିବାକୁ ଚାହାନ୍ତି ନାହିଁ । ମୋତେ ମଧ୍ୟ ଅସନ୍ତୁଷ୍ଟ କରିବାକୁ ଚାହିଁବେ ନାହିଁ । କିନ୍ତୁ ମୁଁ ଧରା ପଡ଼ିବି ନାହିଁ । ଦେଖୁଛ, ମୁଁ ସାକ୍‍ସନ ପାଇକର ପୋଷାକ ପିନ୍ଧିଛି । ଯେଉଁ ବିଦ୍ରୋହୀମାନେ ୟର୍କଶାୟାରର ଜଙ୍ଗଲ ଭିତରେ ଲୁଚି ରହିଛନ୍ତି, ସେଇମାନଙ୍କ ଉପରେ ଦୋଷଟା ଲଦିଦେବି । ସେଇଟା ବି କଠିନ କାମ ନୁହେଁ । ଆଜି ରାତିଟି ସାକ୍‍ସନ୍ ଦଳ ସେଣ୍ଟ ଉଇଥୋଲଡ଼ୁ କନଭେଣ୍ଟରେ କଟାଇବେ । କାଲିକି ମୁଁ ଓ ମୋର ଲୋକମାନେ ସେମାନଙ୍କର ଖୁବ୍ ନିକଟରେ ପହଞ୍ଚିଯିବୁ । ଆମେମାନେ ସେମାନଙ୍କୁ ଆକ୍ରମଣ କରିବୁ । ସେତେବେଳେ ମୁଁ ମୋ ନିଜ ବେଶ ଧରି ସୁନ୍ଦରୀ ରାଓଏନାଙ୍କୁ ସେମାନଙ୍କ ହାତରୁ ଉଦ୍ଧାର କରି ଆଣିବି । ମୁଁ ରାଓଏନାଙ୍କୁ ନେଇ ଫ୍ରଣ୍ଟ ଡିବଫଙ୍କ ଗଡ଼ରେ ରଖିବି, ନ ହେଲେ ଫ୍ରାନ୍‍ସକୁ ନେଇ ଚାଲିଯିବି । ସେ ମୋତେ ବିବାହ କରି ମୋର ସ୍ତ୍ରୀ ନ ହେବା ପର୍ଯ୍ୟନ୍ତ କେହି ତାଙ୍କର ସନ୍ଧାନ ପାଇବେ ନାହିଁ ।”

 

ଫିଜର୍ସ ହସି ହସି କହିଲେ, “ଏ ବୁଦ୍ଧି ତ ତୁମଠାରୁ ବାହାରିବାର କଥା ନୁହେଁ । କହ ଦେଖି, ଏ ଉପାୟ କିଏ ବାହାର କରିଛି ?”

 

ଡିବ୍ରେସି ଉତ୍ତର କଲେ, “ତୁମେ ଯେତେବେଳେ ଜାଣିବାକୁ ଚାହୁଁଛ, ସତକଥା କହିବାରେ କ୍ଷତି ନାହିଁ । ଟେମ୍ପଲାର ନାଇଟ ସାର୍ ଗିଲବର୍ଟ ଏ ଉପାୟଟି ବତାଇ ଦେଇଅଛନ୍ତି । ତାଙ୍କର ନିଜ ଲୋକେ ଜଙ୍ଗଲର ଦସ୍ୟୁ ସାଜିବେ । ମୁଁ ସେଇମାନଙ୍କଠାରୁ ରାଓଏନାଙ୍କୁ ଉଦ୍ଧାର କରି ଆଣିବି ।”

 

ଫିଜର୍ସ ଡିବ୍ରେସିଙ୍କୁ ସାବଧାନ କରି କହିଲେ, “ଉପାୟଟା ମନ୍ଦ ନୁହେଁ । କିନ୍ତୁ ସାବଧାନ ଥିବ, ଶେଷରେ ରାଓଏନା ଯେପରି ତୁମ ହାତରୁ ଖସିଯାଇ ସାର୍ ଗିଲ୍‍ବର୍ଟଙ୍କ ହାତରେ ନ ପଡ଼ନ୍ତି । ମୁଁ ତାଙ୍କୁ ଭଲ କରି ଚିହ୍ନିଛି । ସେ ଖାଲି ନେଇ ଜାଣନ୍ତି, ଦେଇଜାଣନ୍ତି ନାହିଁ । ମୋତେ ଉପାୟଟା ଭଲ ଦିଶୁନାହିଁ । କିନ୍ତୁ ତୁମେ ସେଇ ଉପାୟ କରିବାକୁ ସ୍ଥିର କରିସାରିଛ । ତେଣୁ ମୋ କହିବାରେ କିଛି ଲାଭ ନାହିଁ । ଯାହା କରିବାର ଶୀଘ୍ର କର ।”

 

ଡିବ୍ରେସି ଉତ୍ତର କଲେ, “ଅଳ୍ପ କେତେ ଘଣ୍ଟା ଭିତରେ ସବୁ କାମ ଶେଷ ହୋଇଯିବ । ଏତକ କାମ ସରିଗଲେ ମୁଁ ୟର୍କକୁ ଯାଇ ତୁମର ପ୍ରସ୍ତାବ ମତେ କାର୍ଯ୍ୟ କରିବି । ମୋର ଲୋକମାନେ ଅପେକ୍ଷା କରି ରହିଛନ୍ତି । ମୁଁ ଜଣେ ନାଇଟ୍ । ସୁନ୍ଦରୀ ରମଣୀକୁ ଅନୁସରଣ ନକରି ରହିବି କିପରି ?”

 

ଡିବ୍ରେସି ଚାଲିଯିବାରୁ ଫିଜର୍ସ ମନକୁ ମନ କହିଲେ, “ଏ ଗୋଟାଏ ନାଇଟ୍–ଅସଲ ଗଧ ତେବେ କିଏ ? ଯାହାହେଉ, ମୋର ପ୍ରସ୍ତାବ କାର୍ଯ୍ୟରେ ପରିଣତ କରିବାକୁ ହେଲେ ଏହାର ମଧ୍ୟ ସାହାଯ୍ୟ ଦରକାର । ମୋର କୌଶଳଟା ସଫଳ ହେଲେ ଜନ୍ ହେବେ ସମଗ୍ର ଇଂଲଣ୍ଡର ରାଜା; ମୁଁ ହେବି ତାଙ୍କର ପ୍ରଧାନମନ୍ତ୍ରୀ ।”

 

ଏହି ସମୟରେ ସ୍ୱୟଂ ପ୍ରିନ୍‍ସ ଜନ୍ ଆସି ଫିଜର୍ସଙ୍କୁ ଡାକି ନେଲେ ।

 

ସେଡ଼୍ରିକଙ୍କ ଦଳର ଦୁରବସ୍ଥା

 

ଆଇଭାନହୋ ବିଜେତା ଭାବରେ ପୁରସ୍କାର ଆଣିଲାବେଳେ ଅଚେତ ହୋଇ ତଳେ ପଡ଼ିଯାଇଥିଲେ । ସେଡ଼୍ରିକ ତାଙ୍କର ଏହି ଅବସ୍ଥା ଦେଖି ତାଙ୍କୁ ନିଜ ପାଖରେ ରଖି ଚିକିତ୍ସା କରାଇବେ ବୋଲି ଭାବିଥିଲେ । ଯେତେହେଲେ ଆଇଭାନହୋ ତାଙ୍କ ନିଜର ପୁଅ । କିନ୍ତୁ ପରମୁହୂର୍ତ୍ତରେ ତାଙ୍କର ପୂର୍ବ ଅଭିମାନ ଆସିଲା । ସେ ପୁଅକୁ ସଙ୍ଗରେ ନେଲେ ନାହିଁ । କିଛି ସମୟ ପରେ ସେ ଅସୱ୍ୟାଲ୍ଡ଼ ବୋଲି ଜଣେ ଅନୁଚରକୁ ପୁଅର ଅବସ୍ଥା ବୁଝିବାକୁ ପଠାଇଲେ ।

 

ସେତେବେଳକୁ ଆଇଭାନହୋ ରଙ୍ଗଭୂମିରେ ନ ଥିଲେ । ଜଣେ ଭଦ୍ରମହିଳା ତାଙ୍କୁ ନିଜ ଗାଡ଼ିରେ ଅନ୍ୟତ୍ର ନେଇଯାଇଥିଲେ, ଅସୱ୍ୟାଲ୍ଡ଼ ଦେଖିଲେ, ଆଇଭାନହୋ ସେଠାରେ ନାହାନ୍ତି; କିନ୍ତୁ ଗୁର୍ଥ ଅତି ଦୁଃଖିତ ହୋଇ ଏଣେତେଣେ ବୁଲୁଛି । ସେ ତାକୁ ବନ୍ଦୀ କରି ସେଡ଼୍ରିକଙ୍କ ପାଖକୁ ନେଇଗଲେ । ଫଳତଃ ସେଡ଼୍ରିକ ପୁଅର କୌଣସି ସମ୍ବାଦ ନ ପାଇ ଆଶ୍‍ବି ପରିତ୍ୟାଗ କଲେ ।

 

କିଛି ଦୂର ଯିବା ପରେ ସେଡ଼୍ରିକ ଓ ତାଙ୍କ ଅନୁଚରମାନେ ଉଇଥୋଲ୍ଡ଼ କନଭେଣ୍ଟରେ ପହଞ୍ଚିଲେ । କନଭେଣ୍ଟର ସନ୍ନ୍ୟାସୀମାନେ ସେମାନଙ୍କୁ ଅଭ୍ୟର୍ଥନା କରି ଅତିଥିସତ୍କାର କଲେ । ତତ୍ପର ଦିନ ସକାଳେ ସେଡ଼୍ରିକ ତାଙ୍କ ଅନୁଚରମାନଙ୍କ ସହିତ ପୁଣି ଯିବାକୁ ବାହାରିଲେ । ସେମାନେ କନଭେଣ୍ଟର ଫାଟକ ଅତିକ୍ରମ କଲାବେଳକୁ କାହୁଁ ଗୋଟାଏ କାଳିଆ କୁକୁର ଆସି ଭୁକି ଭୁକି ସେମାନଙ୍କର ଅନୁସରଣ କଲା ।

 

ଏଥେଲଷ୍ଟେନ କୁକୁରର ଶବ୍ଦରେ ବିରକ୍ତ ହୋଇ କହିଲେ, “ଏ କୁକୁରଟାର ରାବ ଶୁଣି ମୋତେ ବଡ଼ ବିରକ୍ତ ଲାଗୁଛି । ଠିକ୍ ବାହାରିଲା ବେଳକୁ କୁକୁରର ରାବ ବଡ଼ ଅଶୁଭ । ବର୍ତ୍ତମାନ ଗଲେ କିଛି ଅମଙ୍ଗଳ ଘଟିବ ବୋଲି ମୋର ବିଶ୍ୱାସ । ଚାଲ, କନଭେଣ୍ଟକୁ ଫେରିଯିବା । ଖାଇ ପିଇ ସାରି ପରେ ବାହାରିଲେ ଭଲ ହେବ ।”

 

କିନ୍ତୁ ସେଡ଼୍ରିକ ଯିବାକୁ ଅଧୀର । ସେ କହିଲେ, “ସେ ସବୁ ଅନ୍ଧବିଶ୍ୱାସ । ବେଳ ଚାଲିଯାଉଛି । କୁକୁରଟା ରାବିଲେ କିଛି କ୍ଷତି ନାହିଁ । ମୁଁ ସେ କୁକୁରକୁ ଭଲ କରି ଚିହ୍ନେ । ସେ ହେଉଛି ଆମ ଗୁର୍ଥର । ଗୁର୍ଥ ଯେପରି ନିକର୍ମା ତା’ର କୁକୁର ମଧ୍ୟ ସେହିପରି । “

 

ଏହା କହି ସେଡ଼୍ରିକ ବେଗରେ ନିଜର ଘୋଡ଼ାକୁ ଚଳାଇଲେ । ତାଙ୍କ ଅନୁଚରମାନେ ମଧ୍ୟ ସେହିପରି ଘୋଡ଼ା ଚଳାଇଲେ । ଦ୍ୱିପ୍ରହର ବେଳକୁ ସେମାନେ ଗୋଟିଏ ଝରଣା ପାଖରେ ପହଞ୍ଚିଲେ । ଏହିଠାରୁ ସମସ୍ତେ ଘୋଡ଼ାରୁ ଓହ୍ଲାଇ ଆଣିଥିବା ଖାଦ୍ୟ ଖାଇଲେ ଓ କିଛି ସମୟ ବିଶ୍ରାମ ନେଲେ । ତାହା ପରେ ପୁଣି ସେମାନେ ଯିବାକୁ ଲାଗିଲେ । ସନ୍ଧ୍ୟାବେଳକୁ ସେମାନେ ଗୋଟିଏ ବନର ମଧ୍ୟ ଭାଗରେ । ନିଜର ଗଡ଼ ସେଠାରୁ ଅନେକ ଦୂର । ଏହି ଜଙ୍ଗଲଟି ବିପଦପୂର୍ଣ୍ଣ-। ଏଥିରେ ଅନେକ ବିଦ୍ରୋହୀ ଦସ୍ୟୁ ଦଳ ଦଳ ହୋଇ ରହିଥିବାର ଜଣାଥିଲା । ତଥାପି ସେଡ଼୍ରିକଙ୍କ ମନରେ ଆଦୌ ଭୟ ନ ଥିଲା । ତାଙ୍କର ଅନୁଚର ଓ ଭୃତ୍ୟମାନଙ୍କର ସଂଖ୍ୟା ଊଣା ନଥିଲା ଓ ସେମାନେ ଆତ୍ମରକ୍ଷା କରି ପାରିବେ ବୋଲି ତାଙ୍କର ବିଶ୍ଵାସ ଥିଲା । ଆଉ ଗୋଟିଏ କଥା, ସେ ଜଣେ ଉଚ୍ଚ କୁଳର ସାକ୍‍ସନ । ବିଦ୍ରୋହୀ ଦସ୍ୟୁମାନେ ସାଧାରଣତଃ ସାକ୍‍ସନମାନଙ୍କର ଅନିଷ୍ଟ କରନ୍ତି ନାହିଁ; ବରଂ ସେମାନଙ୍କୁ ଭକ୍ତି କରି ସାହାଯ୍ୟ କରିଥାନ୍ତି ।

 

ଏହି ସମୟରେ ହଠାତ୍ ଜଙ୍ଗଲର ଏକ ପାର୍ଶ୍ୱରୁ କରୁଣ ଚିତ୍କାର ଶୁଣିଗଲା ‘ରକ୍ଷାକର, ରକ୍ଷାକର ।’ ସେଡ଼୍ରିକ ଓ ତାଙ୍କର ଅନୁଚରମାନେ ଶବ୍ଦ ଯେଉଁ ଦିଗରୁ ଆସୁଥିଲା, ସେହି ଆଡ଼କୁ ଯାଇ ଦେଖିଲେ ଗୋଟିଏ ଘୋଡ଼ାଗାଡ଼ି ପାଖରେ ଜଣେ ସୁନ୍ଦରୀ ରମଣୀ ବସିଅଛି । ଗାଡ଼ିରେ ଘୋଡ଼ା ଲାଗି ନ ଥିଲେ । ରମଣୀର ମୂଲ୍ୟବାନ୍ ବେଶଭୂଷାରୁ ତାହାର ଉଚ୍ଚ କୁଳର ପରିଚୟ ମିଳୁଥିଲା । ଗାଡ଼ି ନିକଟରେ ଜଣେ ବୃଦ୍ଧ ବସିଥିଲେ । ତାଙ୍କର ହଳଦିଆ ଟୋପିରୁ ଜଣାଯାଉଥିଲା ଯେ ସେ ଜଣେ ଇହୁଦୀ । ସେଡ଼୍ରିକ ନିକଟକୁ ଯାଇ ଉଭୟଙ୍କୁ ଚିହ୍ନି ପାରିଲେ । ବୃଦ୍ଧ ହେଉଛନ୍ତି ଆଇଜାକ୍ ଓ ରମଣୀଟି ହେଉଛନ୍ତି ତାଙ୍କର କନ୍ୟା ରେବେକା ।

 

ବୃଦ୍ଧଙ୍କଠାରୁ ଜଣାଗଲା, ସେ ଦୁହେଁ କ୍ରୀଡ଼ା ପ୍ରତିଯୋଗିତା ଦେଖିବାକୁ ଯାଇଥିଲେ । ସେମାନଙ୍କ ସଙ୍ଗରେ ଜଣେ ବନ୍ଧୁ ଥିଲେ । ସେ ପୀଡ଼ିତ ଥିବାରୁ ତାଙ୍କୁ ସାହାଯ୍ୟ କରିବାକୁ ଓ ପଥ ମଧ୍ୟରେ ବିପଦରୁ ରକ୍ଷାକରିବାପାଇଁ ବୃଦ୍ଧ ଛଅଜଣ ଲୋକ ନିଯୁକ୍ତ କରିଥିଲେ । ଫେରିବାବେଳେ ସେଠାରେ ପହଞ୍ଚି ସେମାନେ ଜଣେ କାଠୁରିଆକୁ ଦେଖିଲେ । କାଠୁରିଆ କହିଲା ଯେ ନିକଟରେ ଦଳେ ବିଦ୍ରୋହୀ ଦସ୍ୟୁ ଅଛନ୍ତି; ତେଣୁ ସାବଧାନ ରହିବା ଉଚିତ । କିନ୍ତୁ ଏହା ଶୁଣି ଲୋକମାନେ ସେମାନଙ୍କୁ ଛାଡ଼ି ପଳାଇଗଲେ । ସଙ୍ଗରେ ଗାଡ଼ିର ଘୋଡ଼ାକୁ ମଧ୍ୟ ନେଇଗଲେ । ବର୍ତ୍ତମାନ ସେ ଦୁହେଁ ନିରାଶ୍ରୟ । ବୃଦ୍ଧ ସେମାନଙ୍କ ସହିତ ନିରାପଦ ସ୍ଥାନ ପର୍ଯ୍ୟନ୍ତ ଯିବାପାଇଁ ଇଚ୍ଛା ପ୍ରକାଶ କଲେ-

 

ଏଥେଲଷ୍ଟେନ୍ ବିରକ୍ତ ହେଲା ପରି କହିଲେ, “ତୁମ କଥା ତୁମେ ବୁଝ । ଆମଠାରୁ କିଛି ସାହାଯ୍ୟର ଆଶା ରଖ ନାହିଁ ।”

 

କିନ୍ତୁ ସେଡ଼୍ରିକ ସେମାନଙ୍କ ଦୁଃଖରେ ସହାନୁଭୂତି ଦେଖାଇ କହିଲେ, “ଗୋଟିଏ କଥା କରାଯାଉ । ଆମର ଚାରି ଜଣ ଚାକର ଅଛନ୍ତି । ସେଥି ଭିତରୁ ଦୁଇଜଣ ଯାଆନ୍ତୁ । ଯୋଡ଼ିଏ ଘୋଡ଼ା ମଧ୍ୟ ନିଅନ୍ତୁ । ବୃଦ୍ଧ ଓ ତାଙ୍କ ଝିଅଙ୍କୁ ସେମାନେ ନିକଟବର୍ତ୍ତୀ ଗ୍ରାମରେ ଛାଡ଼ି ଦେଇ ଆସିବେ-।”

 

ରେବେକା ଏ ପ୍ରସ୍ତାବରେ ରାଜି ହେଲେ ନାହିଁ । ତାଙ୍କର ଆଶଙ୍କା ହେଲା, ଚାକରମାନେ ପଳାଇ ଯାଇ ପାରନ୍ତି । ସେ ରାଓଏନାଙ୍କ ପାଖକୁ ଯାଇ ଅନୁରୋଧ କଲେ, “ଆମମାନଙ୍କୁ ଆପଣମାନେ ସଙ୍ଗରେ ନେଇ ଯାଆନ୍ତୁ । ମୁଁ ନିଜ ପାଇଁ ବା ମୋର ବୃଦ୍ଧ ପିତାଙ୍କ ପାଇଁ ଏପରି ଅନୁରୋଧ କରୁନାହିଁ । ଆମ ସାଥିରେ ଯେଉଁ ରୋଗଗ୍ରସ୍ତ ଲୋକଟି ଅଛନ୍ତି, ତାଙ୍କରି ପାଇଁ ମୋର ଏ ବିନୀତ ଅନୁରୋଧ ।”

 

ରାଓଏନା ସେଡ଼୍ରିକଙ୍କୁ ଏହି ଅନୁରୋଧ ଜଣାଇବାରୁ ସେ କହିଲେ, “ବାସ୍ତବିକ୍ ଏମାନଙ୍କୁ ଏପରି ଅବସ୍ଥାରେ ଏଠାରେ ଛାଡ଼ି ଯିବା ଉଚିତ ହେବ ନାହିଁ । ରୋଗାକ୍ରାନ୍ତ ଲୋକଟି ପାଇଁ ଦୁଇଟି ଘୋଡ଼ା ଦେଲେ ଚଳିବ । ବୃଦ୍ଧ ଓ ତାଙ୍କ ଝିଅ ବସି ଯିବାପାଇଁ ମଧ୍ୟ ଘୋଡ଼ାର ଅଭାବ ହେବ ନାହିଁ-।”

 

ସେଡ଼୍ରିକଙ୍କ ଆଦେଶରେ ଚାକରମାନେ ବୋଝ ନେଉଥିବା ଦୁଇଟି ଘୋଡ଼ାଙ୍କ ପିଠିରୁ ବୋଝ ଖଲାସ କରିବାରେ ଲାଗିଲେ । ନିଜର ଜିନିଷପତ୍ର ପୁଣି ଥରେ ସଜଡ଼ାଗଲା । ଏହି ଅବସରରେ ଗୁର୍ଥ ଓଏମ୍ବା ନିକଟକୁ ଆସି ତାର ଶୃଙ୍ଖଳ ଫିଟାଇ ଦେବାକୁ କହିଲା । ଓଏମ୍ବା ସୁଯୋଗ ଦେଖି ଶୃଙ୍ଖଳ ଫିଟାଇଦେବା ମାତ୍ରେ ଗୁର୍ଥ ସମସ୍ତଙ୍କ ଅଞ୍ଜାତସାରରେ ବଣ ଭିତରକୁ ଚାଲିଗଲା ।

 

ସମସ୍ତେ ଆହୁରି କିଛି ଦୂର ଯିବା ପରେ ରାସ୍ତାଟି ଖୁବ୍ ସରୁ ଦେଖାଗଲା । ସେଥିରେ ଏକ ସଙ୍ଗରେ ଦୁଇ ଜଣ ମାତ୍ର ଯାଇ ପାରିବେ । ସେଡ଼୍ରିକ ଓ ଏଥେଲଷ୍ଟେନ ବୁଝିପାରିଲେ, ସ୍ଥାନଟି ଖୁବ୍ ବିପଜ୍ଜନକ । ତେଣୁ ସେ ଦୁହେଁ ପଥର ଏହି ଅଂଶଟିକୁ ଖୁବ୍ ଶୀଘ୍ର ପାର ହୋଇ ଯିବାକୁ ଚେଷ୍ଟା କଲେ । କିଛି ଦୂର ଯିବା ପରେ ଛୋଟ ନଈଟିଏ ପଡ଼ିଲା । ନଈର ଦୁଇ ପାଖେ ନାନାପ୍ରକାର ବୁଦା-। ସେଡ଼୍ରିକଙ୍କ ଦଳର କେତେ ଜଣ ନଈ ପାରି ହୋଇଗଲେଣି–ଏହି ସମୟରେ ବୁଦାମାନଙ୍କ ଭିତରୁ ଅନେକ ଲୋକ ବାହାରିପଡ଼ିଲେ । ସେମାନଙ୍କ ସଂଖ୍ୟା ଅତି ଅଧିକ ଥିବାରୁ ସେଡ଼୍ରିକଙ୍କ ଅନୁଚରମାନେ ଆତ୍ମରକ୍ଷା କରିବାର ଉପାୟ ପାଇଲେ ନାହିଁ । ସେଡ଼୍ରିକ ସମସ୍ତ ଶକ୍ତି ପ୍ରୟୋଗ କରି ଏହି ବିଦ୍ରୋହୀ ଦସ୍ୟୁମାନଙ୍କ ସହ ଯୁଦ୍ଧ କଲେ । ତାଙ୍କ ବର୍ଚ୍ଛାର ଆଘାତରେ ଜଣେ ଭୀଷଣ ଭାବରେ ଆହତ ହୋଇ ପଡ଼ିଲା । ବିଦ୍ରୋହୀମାନେ ଏଥେଲଷ୍ଟେନଙ୍କୁ ଘୋଡ଼ା ଉପରୁ ଟାଣି ନେଇଗଲେ । ସେ ଆତ୍ମରକ୍ଷା କରିବାକୁ ଅବସର ସୁଦ୍ଧା ପାଇଲେ ନାହିଁ । ଚାକରମାନେ ବିସ୍ମୟରେ ସ୍ତମ୍ଭୀଭୂତ ହୋଇ ରହିଲେ । ରାଓଏନା, ରେବେକା ଓ ବୃଦ୍ଧ ଇହୁଦୀ ଆଇଜାକ୍ ଅକ୍ଳେଶରେ ସେମାନଙ୍କ ହାତରେ ପଡ଼ିଲେ । କେବଳ ଓଏମ୍ଵା ବୁଦା ଭିତରକୁ ପଳାଇଯାଇ ରକ୍ଷା ପାଇଗଲା ।

 

ଓଏମ୍ବା ଜଙ୍ଗଲ ଭିତରେ ବୁଲୁ ବୁଲୁ ତା’ର ଗୁର୍ଥ ସଙ୍ଗେ ଭେଟ ହେଲା । ସେ ଓଏମ୍ଵାଠାରୁ ଶୁଣିପାରିଲା ଯେ ସେଡ଼୍ରିକ ଓ ତାଙ୍କ ଦଳର ସମସ୍ତେ ବିଦ୍ରୋହୀମାନଙ୍କ ହାତରେ ବନ୍ଦୀ ହୋଇଅଛନ୍ତି-। ଏବେ କିପରି ସେମାନଙ୍କୁ ମୁକ୍ତ କରିବେ ଦୁହେଁ ତାହା ଚିନ୍ତା କରିବାକୁ ଲାଗିଲେ ।

 

ଗୁର୍ଥ କହିଲା, “ଓଏମ୍ବା, ତୋର ସାହସ ଅଛି, ହାତରେ ହତିଆର ମଧ୍ୟ ଅଛି । ଆମେ ମାତ୍ର ଦୁଇ ଜଣ ସତ, ତଥାପି ହଠାତ୍ ବିଦ୍ରୋହୀମାନଙ୍କୁ ଆକ୍ରମଣ କଲେ କିଛି ଫଳ ହୋଇପାରେ-।” ସେମାନେ ଏହିପରି ବିଚାର କରୁଥିବାବେଳେ ଆଉ ଜଣେ ଆସି ସେମାନଙ୍କ ପାଖେ ପହଞ୍ଚିଲା-। ଲୋକଟି ଜଣେ ବିଦ୍ରୋହୀ ଦସ୍ୟୁ ହୋଇଥିବ ବୋଲି ଭାବି ପ୍ରଥମେ ସେମାନେ ଭୟ କରି ଯାଇଥିଲେ । କିନ୍ତୁ ଦେଖାଗଲା, ଲୋକଟି ହେଉଛି ଲକସ୍‍ଲି, ଯିଏ ଧନୁର୍ବିଦ୍ୟାରେ କୃତିତ୍ଵ ଦେଖାଇ ପୁରସ୍କାର ପାଇଥିଲା ।

 

ଲକସ୍‍ଲି ଏ ଦୁହିଁଙ୍କଠାରୁ ସମସ୍ତ ଘଟଣା ଶୁଣି କହିଲା, “ତୁମେ ଦୁହେଁ ଏହିଠାରେ ଥାଅ-। ମୁଁ ଏକୁଟିଆ ଯାଇ ଯାହା କରିବାର କରୁଛି । ମୁଁ ଫେରି ନ ଆସିବା ଯାଏ ତୁମେମାନେ ଏଠାରୁ କୁଆଡ଼େ ଯିବନାହିଁ । “ଏତିକି କହି ସେ ଚାଲିଗଲା । କିନ୍ତୁ ଅଳ୍ପ ସମୟ ପରେ ସେ ଫେରିଆସି କହିଲା, “ଯାହାଙ୍କୁ ତୁମେ ବିଦ୍ରୋହୀ ଡକାୟତ ବୋଲି କହୁଛ, ମୁଁ ସେମାନଙ୍କୁ ଚିହ୍ନି ସାରିଲାଣି-। ସେମାନେ କେଉଁଠାକୁ ଯାଉଛନ୍ତି, ତାହା ମଧ୍ୟ ମୋତେ ଜଣା । ସେମାନେ ସେଡ଼୍ରିକ ବା ତାଙ୍କ ଲୋକଙ୍କର କିଛି ଅନିଷ୍ଟ କରିବେ ନାହିଁ । ପୁଣି ସେମାନେ ସଂଖ୍ୟାରେ ଏତେ ଅଧିକ । ଆମେ ତିନିଜଣ ସେମାନଙ୍କର କିଛି କରି ପାରିବା ନାହିଁ । ମୋ ସାଥିରେ ଚାଲ; ଆମେ ଗୁଡ଼ିଏ ଲୋକ ସଂଗ୍ରହ କରି ସେମାନଙ୍କୁ ଉଦ୍ଧାର କରିବାର ଚେଷ୍ଟା କରିବା ।”

 

ଗୁର୍ଥ ଓ ଓଏମ୍ବାକୁ ସଙ୍ଗରେ ଘେନି ଲକସ୍‍ଲି ବହୁତ ଦୂର ଯିବା ପରେ ଜଙ୍ଗଲ ଭିତରେ ଗୋଟିଏ ମୁକ୍ତ ପଡ଼ିଆ ଦେଖାଗଲା । ସେଠାରେ କେବଳ ଗୋଟିଏ ବଡ଼ ବରଗଛ ଥିଲା । ଏହି ଗଛର ନିକଟବର୍ତ୍ତୀ ହେଲାମାତ୍ରେ ହଠାତ୍ ଛଅଜଣ ପାଇକ ଧନୁଶର ଧରି ବାହାରିପଡ଼ିଲେ । ସେମାନେ ଏ ତିନିଜଣଙ୍କୁ ଶର ମାରିବାକୁ ଉଦ୍ୟତ ହେଉଥିଲେ; କିନ୍ତୁ ଏ ତିନିଜଣଙ୍କ ଭିତରେ ଲକସ୍‍ଲିଙ୍କୁ ଦେଖି ସେମାନେ ବିସ୍ମିତ ହୋଇ ତାଙ୍କୁ ସମ୍ମାନ ଦେଖାଇଲେ ଓ ତାଙ୍କୁ ଆଦରରେ ଡାକିନେଲେ । ଗୁର୍ଥ ଓ ଓଏମ୍ବା ବୁଝିପାରିଲେ ଏମାନେ ହେଉଛନ୍ତି ଲକସ୍‍ଲିଙ୍କର ଅନୁଚର; ଲକସ୍‍ଲି ଏମାନଙ୍କର ନେତା ।

 

ଲକସ୍‍ଲି ନିଜ ଦଳର ମୁଖିଆ କର୍ମୀମାନେ କିଏ କଅଣ କରୁଛନ୍ତି ବୁଝିନେଲେ । ତତ୍ପରେ ସେ ସଙ୍ଗୀମାନଙ୍କୁ କହିଲେ, “ଫ୍ରାୟାରଙ୍କୁ ଆଣିବା ପାଇଁ ମୁଁ ନିଜେ ଯାଉଛି । ଆମର ଅନେକ କାମ କରିବାକୁ ଅଛି । ଏଥି ମଧ୍ୟରେ ତୁମେମାନେ ଦଳର ସମସ୍ତଙ୍କୁ ଏକତ୍ର କରି କାଲି ସକାଳୁ ଏଇଠାରେ ମୋ ସହିତ ଦେଖାକର । ଫ୍ରଣ୍ଟ ଡ଼ିବଫ ଟର୍କୁଇଲଷ୍ଟୋନ ଗଡ଼ରେ ରହୁଛନ୍ତି । କେତେଜଣ ନର୍ମାନ ବିଦ୍ରୋହୀ ଦସ୍ୟୁବେଶରେ ବନ୍ଦୀମାନଙ୍କୁ ନେଇ ସେଠାକୁ ଯାଉଛନ୍ତି । ତୁମ ଭିତରୁ ଦୁଇଜଣ ସେଠାକୁ ଯିବ ଓ ସେଠାର ଅବସ୍ଥା ଦେଖିବ । ବନ୍ଦୀମାନଙ୍କୁ ଉଦ୍ଧାର କରି ନିର୍ମାନମାନଙ୍କୁ ଉପଯୁକ୍ତ ଶାସ୍ତି ଦେବାକୁ ହେବ ।”

 

ଏତିକି କହି ଲକସ୍‍ଲି ଫ୍ରାୟାରଙ୍କ କୋଠରୀ ଆଡ଼କୁ ଚାଲିଲେ ।

 

ଫ୍ରାୟାର ଗୋଟିଏ ଧର୍ମ ସମ୍ପ୍ରଦାୟର ନେତା ଥିଲେ ହେଁ ପ୍ରକୃତରେ ଧର୍ମ ଚର୍ଚ୍ଚା ଅପେକ୍ଷା ମଉଜ ମଜଲିସରେ ଦିନ କଟାଇବାକୁ ଭଲ ପାଉଥିଲେ, ହରିଣ ଶିକାର କରିବା ଓ ମଦ ପିଇବା ତାଙ୍କର ପ୍ରଧାନ କାମ ଥିଲା ।

 

ଲକସ୍‍ଲି ଫ୍ରାୟାରଙ୍କ କୋଠରୀ ପାଖରେ ପହଞ୍ଚି ଦେଖିଲେ, ସେ ଘର ଭିତରେ ବସି ଗୀତ ଗାଉଛନ୍ତି । ଅନେକ ବେଳ ଯାଏ କବାଟରେ ଧକ୍କା ମାରିବା ପରେ ଫ୍ରାୟାରଙ୍କର ଗୀତ ବନ୍ଦ ହେଲା । କୋଠରୀ ଭିତରେ ସେ କୃଷ୍ଣବର୍ଣ୍ଣର ନାଇଟ୍‍ଙ୍କ ସହିତ ଭୋଜନ ଶେଷ କରି ଗୀତ ଗାଉଥିଲେ । କେହି ଜଣେ କବାଟରେ ଧକ୍‍କା ମାରୁଥିବାର ଜାଣିପାରି ସେ ଅତି ଶୀଘ୍ର ଟେବୁଲ ଉପରୁ ଅଇଁଠା ବାସନ ଓ ମଦ୍ୟପାତ୍ର ପ୍ରଭୃତି ଲୁଚାଇ ଦେଲେ । କୃଷ୍ଣବର୍ଣ୍ଣର ନାଇଟ୍‍ ଅସ୍ତ୍ର ପ୍ରତିଯୋଗିତାରୁ ଫେରି ଆସିଲା ବେଳେ ବାଟ ଭୁଲିଯାଇ ଫ୍ରାୟାରଙ୍କର ଆତିଥ୍ୟ ଗ୍ରହଣ କରିଥିଲେ-। କବାଟରେ ଆଘାତ ଶବ୍ଦ ଶୁଣି ସେ ତତ୍‍କ୍ଷଣାତ୍ ନିଜର ପୋଷାକ ପିନ୍ଧି ଚାଲିଯିବାକୁ ପ୍ରସ୍ତୁତ ହେଲେ । ଫ୍ରାୟାର ତାଙ୍କୁ କହିଲେ, “ଆପଣ ଜଣେ ପଥିକ । ମୁଁ ହେଉଛି ଗୋଟିଏ ଧର୍ମ ସମ୍ପ୍ରଦାୟର ଲୋକ । ମୋତେ ବିରକ୍ତ କରନ୍ତୁ ନାହିଁ । ନିଜ ବାଟରେ ଯାଆନ୍ତୁ ।”

 

ଏଣେ କବାଟରେ ଧକ୍‍କା ମାରି ଲକସ୍‍ଲି କହିଲେ, “ଶୀଘ୍ର କବାଟ ଖୋଲ । ତୁମର ଭୟର କାରଣ ନାହିଁ । ମୁଁ ହେଉଛି ଲକସ୍‍ଲି ।”

 

ଫ୍ରାୟାର କବାଟ ଫିଟାଇଦେଲେ ଓ ଲକସ୍‍ଲି କୋଠରୀରେ ପଶିଯିବାମାତ୍ରେ ପଚାରିଲେ, “ଏ ଭଦ୍ର ଲୋକ କିଏ ?”

 

ଫ୍ରାୟାର ଉତ୍ତର କଲେ, “ସେ ଆମରି ସମ୍ପ୍ରଦାୟର ଜଣେ ଲୋକ । ରାତିଯାକ ଆମେ ଦୁହେଁ ପ୍ରାର୍ଥନା ଓ ଧର୍ମଶାସ୍ତ୍ର ଚର୍ଚ୍ଚା କରୁଛୁ ।”

 

ଲକସ୍‍ଲି ବ୍ୟଙ୍ଗ କରି କହିଲେ, “ହଁ, ମୁଁ ଏଠାରେ ପହଞ୍ଚିଲାବେଳକୁ ତୁମମାନଙ୍କର ପ୍ରାର୍ଥନା ଶୁଣିଥିଲି । ସେ କଥା ଥାଉ, ଏବେ ତୁମେ ଠେଙ୍ଗାଟି ଧରି ବାହାରିପଡ଼ । ଆମର ଅନେକ କାମ ଅଛି ।” ଫ୍ରାୟାର ଯିବାପାଇଁ ପ୍ରସ୍ତୁତ ହେଲେ ।

 

ଇତ୍ୟବସରରେ ଲକସ୍‍ଲି କୃଷ୍ଣବର୍ଣ୍ଣର ନାଇଟ୍‍ଙ୍କୁ ଗୋଟିଏ ପାଖକୁ ଡାକିନେଇ କହିଲେ, “ମୁଁ ତୁମକୁ ଆଗରୁ ଦେଖିଥିଲା ପରି ମନେହେଉଛି । ଆଶ୍‍ବିରେ ଅସ୍ତ୍ର ପ୍ରତିଯୋଗିତା ଚାଲିଥିଲାବେଳେ ତୁମେ ଆଇଭାନହୋଙ୍କୁ ସାହାଯ୍ୟ ଦେଇ ଇଂରେଜ ଜାତିର ମାନ ମର୍ଯ୍ୟାଦା ରଖିଥିଲ–ଏହା କଅଣ ସତ ନୁହେଁ ?”

 

କୃଷ୍ଣବର୍ଣ୍ଣର ନାଇଟ୍‍ ଉତ୍ତର କଲେ, “ତାହା ସତ ହୋଇଥିଲେ କ୍ଷତି କଅଣ ? ମୁଁ କି ଅନ୍ୟାୟ ବା କଲି ?”

 

ଲକସ୍‍ଲି କହିଲେ, “ମୁଁ ତୁମକୁ ଠିକ ଚିହ୍ନିଛି । ତୁମେ ଅନ୍ୟାୟ କରିଛ ବୋଲି ମୁଁ କହୁନାହିଁ । ବରଂ ବୁଝୁଛି, ତୁମେ ବଡ଼ ପରୋପକାରୀ । ବର୍ତ୍ତମାନ ଗୋଟିଏ କାମରେ ସାହାଯ୍ୟ ଦରକାର । ଦଳେ ନର୍ମାନ ସେଡ଼୍ରିକ, ଲେଡ଼ି ରାଓଏନା ଓ ଏଥେଲଷ୍ଟେନଙ୍କୁ ଧରି ନେଇ ଟର୍କୁଇଲଷ୍ଟୋନ ଗଡ଼ରେ ବନ୍ଦୀ କରି ରଖିଛନ୍ତି । ଗଡ଼ଟା ଏଠାରୁ ବେଶି ଦୂର ନୁହେ । ଏମାନଙ୍କୁ ଉଦ୍ଧାର କରିବାରେ ତୁମେ ଆମକୁ ସାହାଯ୍ୟ କର ।”

 

କୃଷ୍ଣବର୍ଣ୍ଣର ନାଇଟ୍‍ କହିଲେ, “ସେମାନଙ୍କୁ ଉଦ୍ଧାର କରିବାକୁ ମୁଁ ପ୍ରସ୍ତୁତ ହୋଇ ଆସିଛି-। କିନ୍ତୁ ମୁଁ ତୁମର ପରିଚୟ ଜାଣିବାକୁ ଚାହେଁ ।”

 

ଲକସ୍‍ଲି ଉତ୍ତର କଲେ, “ବର୍ତ୍ତମାନ ମୁଁ ଏତିକିମାତ୍ର ପରିଚୟ ଦେଇପାରେ ଯେ ମୁଁ ମୋ ଦେଶର ଓ ଦେଶବାସୀଙ୍କର ଜଣେ ବନ୍ଧୁ । ଏହା ଛଡ଼ା ଅଧିକ ପରିଚୟ ଦେଇପାରୁନାହିଁ । ତୁମେ ତ ନିଜର ପରିଚୟ ଦେଇ ନାହଁ !”

 

କୃଷ୍ଣବର୍ଣ୍ଣର ନାଇଟ ସକଳ ପ୍ରକାର ସାହାଯ୍ୟ ଦେବାକୁ ସ୍ଵୀକାର କଲେ । ଏଥି ମଧ୍ୟରେ ଫ୍ରାୟାର ଠେଙ୍ଗା, ଧନୁଶର, ଖଣ୍ଡା ପ୍ରଭୃତି ଧରି ପାଇକ ବେଶରେ ପ୍ରସ୍ତୁତ ହୋଇ ଅପେକ୍ଷା କରିଥିଲେ ।

 

ସମସ୍ତେ ବାହାରିଗଲେ । ଉଦ୍ଦେଶ୍ୟ, ଫ୍ରଣ୍ଟ ଡିବଫଙ୍କ ଗଡ଼ ଆକ୍ରମଣ ପାଇଁ ସମସ୍ତେ କିପରି ଏକତ୍ର ହେବେ ।

 

ଟର୍କୁଇଲଷ୍ଟୋନ ଗଡ଼ର ବନ୍ଦୀ

 

ସେଦିନ ଡିବ୍ରେସି ଓ ଗିଲବର୍ଟ ସେଡ଼୍ରିକ ପ୍ରଭୃତିଙ୍କୁ ବନ୍ଦୀକରି ଟର୍କୁଇଲଷ୍ଟୋନ ଗଡ଼ ଅଭିମୁଖରେ ଚାଲିଲେ । ରାତିରେ ମଧ୍ୟ ବିଶ୍ରାମ ନ କରି ସେମାନେ ଚାଲିବାରେ ଲାଗିଲେ । ସକାଳ ହୋଇ ଆସିଲାବେଳକୁ ସେମାନେ ଗଡ଼ର ନିକଟରେ ପହଞ୍ଚିଗଲେ ।

ଗଡ଼ର ନିକଟବର୍ତ୍ତୀ ହୁଅନ୍ତେ ଗିଲବର୍ଟ ଡ୍ରିବ୍ରେସିଙ୍କୁ କହିଲେ, “ଏବେ ତୁମେ ବିଦାୟ ନେଇ ଅବଶିଷ୍ଟ କାର୍ଯ୍ୟ ପାଇଁ ପ୍ରସ୍ତୁତ ହୁଅ ।” କିନ୍ତୁ ଡିବ୍ରେସି ଏଥିରେ ସ୍ଵୀକୃତ ହେଲେ ନାହିଁ । ସେ କହିଲେ, “ମୁଁ ଖୁବ୍ ଭାବିଚିନ୍ତି ସ୍ଥିର କରିଛି, ତୁମେମାନେ ଗଡ଼ ଭିତରକୁ ନ ଯିବା ପର୍ଯ୍ୟନ୍ତ ମୁଁ ଯିବି ନାହିଁ ।”

ଗିଲବର୍ଟ ଏଥିରେ ବିସ୍ମିତ ହୋଇ ପଚାରିଲେ, “ଆମର ତ ସେପରି ପ୍ରସ୍ତାବ ନ ଥିଲା–ତୁମର ଏ ପରିବର୍ତ୍ତନର କାରଣ କଅଣ ?”

ଡିବ୍ରେସି କୌଣସି ସ୍ପଷ୍ଟ ଉତ୍ତର ନ ଦେଇ କହିଲେ, “ମୁଁ ତୁମମାନଙ୍କ ସଙ୍ଗରେ ଗଡ଼ ଭିତରକୁ ଗଲେ କ୍ଷତି କଅଣ ?”

ଏବେ ଗିଲବର୍ଟ ଡିବ୍ରେସିଙ୍କର ସନ୍ଦେହର କାରଣ ଅନୁମାନ କରିପାରି କହିଲେ, “ତୁମର ଭୟ କରିବାର କିଛି କାରଣ ନାହିଁ । ତୁମେ ସନ୍ଦେହ କରୁଛ ଯେ ମୁଁ ତୁମର ରାଓଏନାକୁ ତୁମଠାରୁ ଛଡ଼ାଇ ନେବି । କିନ୍ତୁ ତୁମର ସେ ସନ୍ଦେହ ଅମୂଳକ । ବନ୍ଦୀମାନଙ୍କ ଭିତରେ ଅନ୍ୟ ଜଣେ ଯୁବତୀ ଅଛି । ସେ ତୁମର ରାଓଏନାଠାରୁ ଶତଗୁଣରେ ସୁନ୍ଦରୀ । ମୁଁ ରାଓଏନାକୁ ଚାହିଁବି କାହିଁକି ?”

ଡିବ୍ରେସି–“ତାହାହେଲେ ତୁମ କଅଣ ସେ ଆଇଜାକ୍‍ର ଝିଅ ରେବେକା କଥା କହୁଛ ? ତାକୁ ନେବାକୁ ତୁମର ଇଚ୍ଛା ?”

ଗିଲବର୍ଟ–‘‘ମୁଁ ତାକୁ ନେବାକୁ ଇଚ୍ଛା କରିବାରେ କଅଣ ଦୋଷ ଅଛି ? ମୁଁ ତାକୁ ନେଲେ କେହି ବାଧା ଦେଇ ପାରିବ କି ?”

ଡିବ୍ରେସି–“କେହି ବାଧା ଦେଇ ପାରିବେ ନାହିଁ ମୁଁ ସେ କଥା ସ୍ଵୀକାର କରୁଛି । କିନ୍ତୁ ମୋର ଧାରଣା ଥିଲା, ଆଇଜାକ୍‍ର ଝିଅ ଉପରେ ତୁମର ଲୋଭ ନ ଥିଲା, ଥିଲା ବୁଢ଼ାର ଟଙ୍କା ସୁନା ଉପରେ ।”

ଗିଲବର୍ଟ–“ମୋର ରେବେକା ଉପରେ ଯେତିକି ଲୋଭ, ଆଇଜାକ୍‍ର ଟଙ୍କା ଉପରେ ବି ସେତିକି ଲୋଭ । କିନ୍ତୁ ବୁଢ଼ାର ଟଙ୍କା ଉପରେ ମୋର ଦାବୀ ଅଧେ ମାତ୍ର । ଫ୍ରଣ୍ଟ ଡିବଫ ଯେ ଆମକୁ ତାଙ୍କ ଗଡ଼ ଛାଡ଼ିଦେବେ, ସେଥିପାଇଁ ସେ ନିଶ୍ଚୟ ଟଙ୍କାରୁ ଅଧେ ନେବେ । ରେବେକା ହେଉଛି ପୂରା ମୋର । ତୁମେ ପୂର୍ବ ପ୍ରସ୍ତାବ ଅନୁସାରେ ଏଇଠାରୁ ଚାଲିଯାଅ । ତୁମର ଭୟ କରିବାର ଲବମାତ୍ର କାରଣ ନାହିଁ ।”

ଡିବ୍ରେସି–“ନା, ନା, ମୋ ଜିନିଷ ପାଖରେ ମୁଁ ରହିବି; ଛାଡ଼ି ଦେଇ ଯାଇ ପାରିବି ନାହିଁ । ତମ କଥା ସତ ହୋଇପାରେ; ନ ହୋଇପାରେ ମଧ୍ୟ । ତେଣୁ ମୁଁ ନିଶ୍ଚିତକୁ ଛାଡ଼ି ଅନିଶ୍ଚିତର ଆଶାରେ ରହିବି କାହିଁକି ?”

 

ଏଥିମଧ୍ୟରେ ସେମାନେ ବନ୍ଦୀମାନଙ୍କ ସହିତ ଗଡ଼ର ପରିଖା ପାଖେ ପହଞ୍ଚିଯାଇଥିଲେ-। ଡିବ୍ରେସି ନିଜ ଶିଙ୍ଗାକୁ ତିନିଥର ବଜାଇଲେ । ଯେଉଁ ସୈନ୍ୟମାନେ ଉଠା ପୋଲ ପାଖରେ ଜଗିଥଲେ, ସେମାନେ ପୋଲଟିକୁ ତଳକୁ ପକାଇଦେଲେ । ସମସ୍ତେ ଗଡ଼ ଭିତରକୁ ପ୍ରବେଶ କଲେ-

 

ଏଥେଲଷ୍ଟେନ ଓ ସେଡ଼୍ରିକଙ୍କୁ ଗୋଟିଏ ହଲକୁ ନିଆଯାଇ ସେଠାରେ ସେମାନଙ୍କୁ କିଛି ଖାଇବାକୁ ଦିଆଗଲା । ସେମାନଙ୍କୁ କାହିଁକି ଏଠାକୁ ଅଣାଯାଇଛି ସେମାନେ ଜାଣିପାରିଲେ ନାହିଁ ।

 

ହତଭାଗ୍ୟ ଆଇଜାକ୍‍କୁ ଟାଣି ଟାଣି ଗୋଟିଏ ଅନ୍ଧାରୁଆ ଛୋଟ ଘରେ ବନ୍ଦୀ କରି ରଖାଗଲା । ସେ ଘରର କାନ୍ଥମାନଙ୍କରେ ଲୁହାର ଜଞ୍ଜିର ଓ ହାତକଡ଼ା ଗୋଡ଼କଡ଼ା ପ୍ରଭୃତି ଝୁଲୁଥିଲା । ଗୋଟିଏ ଜଞ୍ଜିରରେ କେତେଗୁଡ଼ିଏ ହାଡ଼ ବନ୍ଧା ହୋଇ ଥିଲା । କୌଣସି ହତଭାଗ୍ୟ ବନ୍ଦୀର ମୃତ୍ୟୁ ପରେ ତା’ର ହାଡ଼ଗୁଡ଼ିକ ଏପରି ରଖାଯାଇଥିବାର ଅନୁମିତ ହେଲା ।

 

ଘର ଭିତରେ ଭୀଷଣ ଶୀତ । ଆଇଜାକ୍ ତା’ର ଚିରା କୁରୁତାଟିରେ ଦେହକୁ ଘୋଡ଼ାଇବାର ଚେଷ୍ଟା କଲା । କିଛି ସମୟ ପରେ ଫ୍ରଣ୍ଟ ଡିବଫ୍ ସେହି ବନ୍ଦୀଶାଳାରେ ପ୍ରବେଶ କଲେ । ତାଙ୍କ ସାଥିରେ ଗିଲବର୍ଟଙ୍କର ଦୁଇଜଣ ଚାକର ଥିଲେ । ସେମାନେ ଗୋଟିଏ ବଡ଼ତରାଜୁ ଓ କେତେକ ବଟ୍‍କରା ଧରିଥିଲେ । ଫ୍ରଣ୍ଟ ଡିବଫଙ୍କର ବିଶାଳ ଦେହ; ସେଥିରେ ସେ ଚମଡ଼ାର ଗୋଟିଏ କୋଟ୍ ପିନ୍ଧିଥିଲେ । ତାଙ୍କର କମରରେ ଗୋଟିଏ ପ୍ରକାଣ୍ଡ ଛୁରା ଝୁଲୁଥିଲା । ତାଙ୍କୁ ଦେଖି ଆଇଜାକ୍‍ର ପ୍ରାଣ କଣ୍ଠାଗ୍ରତ ହୋଇ ଆସିଲା । ସେମାନେ ବନ୍ଦୀଶାଳାରେ ପଶି ଭିତରୁ କବାଟଟି ବନ୍ଦ କରିଦେଲେ । ଡିବଫଙ୍କ କ୍ରୁଦ୍ଧ ଆଖିରୁ ଅଗ୍ନିକଣା ବାହାରିଲା ପରି ବୋଧ ହେଉଥିଲା । ଆଇଜାକ୍ ଏହି ଆଖିକୁ ଚାହିଁ ଭୟରେ ସ୍ତମ୍ଭୀଭୂତ ହୋଇଗଲା ।

 

ଡିବଫ ଆଇଜାକ୍‍ର ନିକଟକୁ ଆସି କହିଲେ, “ରେ ଆଇଜାକ୍, ଏଇ ତରାଜୁ ଆଉ ବଟକରାକୁ ଦେଖ । ଏଇଥିରେ ତୋତେ ଏକ ହଜାର ପାଉଣ୍ତ ରୂପା ଓଜନ କରି ଦେବାକୁ ହେବ । ଶୁଣିଲୁ ?”

 

ଆଇଜାକ୍ କରୁଣ ସ୍ୱରରେ କହିଲା, “ହେ ଭଗବାନ୍, ହଜାର ପାଉଣ୍ତ ରୂପା କିଏ, ମୁଁ କିଏ ? ଏ ୟର୍କ ସହରରେ ଯେତେ ଇହୁଦୀ ଅଛନ୍ତି, ସେ ସମସ୍ତଙ୍କ ଘରୁ ରୂପା ଆଣିଲେ ବି ହଜାରେ ପାଉଣ୍ତ ହୋଇପାରିବ ନାହିଁ । ଏପରି ଅସମ୍ଭବ ଦାବୀ କଲେ ମୁଁ କଅଣ କରିପାରିବି ?”

 

ଡିବଫ ଟିକିଏ ନରମ ହୋଇ କହିଲେ, “ଆଚ୍ଛା, ଯଦି ରୂପା ଦେଇ ନ ପାରିବୁ, ମୁଁ ସୁନା ଦେବାକୁ ରାଜି ଅଛି । ହଜାରେ ପାଉଣ୍ତ ରୂପା ବଦଳରେ ହଜାରେଟି ମୋହର ଦେଲେ ତୋତେ ଛାଡ଼ି ଦିଆଯିବ । ତା ନ ହେଲେ, ତୋ ଉପରେ କିଭଳି ଅତ୍ୟାଚାର କରାଯିବ ତାହା ଅନୁମାନ କରିପାରିଥିବୁ ।”

 

ଆଇଜାକ୍ ବିକଳ ହୋଇ କହିଲା, “ଆପଣ ମୋର ହର୍ତ୍ତାକର୍ତ୍ତା; ଇଚ୍ଛା କଲେ ମାରିପାରନ୍ତି, ଇଚ୍ଛା କଲେ ତାରି ପାରନ୍ତି । ମୁଁ ନିହାତି ଗରିବ ବୁଢ଼ା ଲୋକ । ମୋର ସାହା ଭରସା କେହି ନାହିଁ । ମୋ ଉପରେ ଟିକିଏ ଦୟା କରନ୍ତି ।”

 

ଡିବଫ ଉତ୍ତର କଲେ, “ତୁ ବୁଢ଼ା ଲୋକ, ଏକଥା ସତ; କିନ୍ତୁ ତୋ ପାଖରେ ଧନ ଅଛି ବୋଲି କିଏ ନ ଜାଣେ ? ତୋତେ ସାବଧାନ କରି ଦେଉଛି । ମୋ ଆଗରେ ଚାଲାଖି କଲେ ତୋର ରକ୍ଷା ନାହିଁ । ଏଇ ବନ୍ଦୀଶାଳାକୁ ଦେଖି । ଏ କଅଣ ଚାଲାଖି ଖେଳିବାର ଜାଗା ? ତୋଠାରୁ ଶତଗୁଣରେ ଧନୀ ମାନୀ କେତେ ବନ୍ଦୀ ଏଇ କୋଠରୀରେ ପ୍ରାଣ ହରାଇଛନ୍ତି । ବାହାର ଲୋକେ ସେମାନଙ୍କର ନାମ ଗନ୍ଧ ପାଇନାହାନ୍ତି । ଚୁପ୍ କରି ସୁନା ମୋହର ଦେଇ ନ ଦେଲେ ତୋତେ ଅନେକ କଷ୍ଟ ସହି ଜୀବନ ଦେବାକୁ ପଡ଼ିବ ।”

 

ଏହା ପରେ ଚାକର ଦୁହେଁ ଡିବଫଙ୍କ ଆଦେଶରେ ଆଇଜାକ୍ ପାଖରେ ନିଆଁ ଜାଳି ତା’ ଉପରେ ଗୋଟିଏ କରେଇରେ କିଛି ତେଲ ଗରମ କଲେ । ଡିବଫ ଏହାକୁ ଦେଖାଇ ଆଇଜାକ୍‍କୁ କହିଲେ, “ଦେଖ, ତୋତେ ଏଇ ନିଆଁ ପାଖରେ ରଖି ତୋ ଉପରେ ଟିକିଏ ଟିକିଏ ଗରମ ତେଲ ଢଳା ହେଉଥିବ । ସେଥିରେ ତୁ ଛଟପଟ ହେଉଥିବୁ; କିନ୍ତୁ ଶୀଘ୍ରେ ତୋ ପ୍ରାଣ ବାହାରି ଯାଇପାରିବ ନାହିଁ । ଏବେ ଦୁଇଟି କଥାକୁ ବିଚାର କରି ଦେଖ୍ । ହଜାରେ ପାଉଣ୍ଡ ରୂପା ଦେବୁ କି ତୋ ଉପରେ ଗରମ ତେଲ ଢଳା ହେବ ?”

 

ଆଇଜାକ୍ କାନ୍ଦ କାନ୍ଦ ହୋଇ କହିଲା, “ଆପଣ ଯାହା କହୁଛନ୍ତି ତା କେବେ ସତ ହୋଇ ନ ପାରେ । ଅସମ୍ଭବ କଥା ।”

 

“ସତ କି ମିଛ ଦେଖିବାକୁ ତିଆରି ହୁଅ”–ଡିବଫ ଉତ୍ତର କଲେ ।

 

ଆଇଜାକ୍ ଦେଖିଲା ଡିବଫଙ୍କ ମୁହଁରେ ଦୟାର ଲେଶମାତ୍ର ଚିହ୍ନ ନାହିଁ । ସେ ଭୟରେ କାତର ହୋଇ କହିଲା, “ମୁଁ ହଜାରେ ପାଉଣ୍ଡ ରୂପା ଦେବି । କିନ୍ତୁ ମୋ ପାଖରେ ଏତେ ରୂପା ନାହିଁ-। ମୁଁ ମୋର ଜାତିଭାଇଙ୍କଠାରୁ ଧାରଉଧାର କରି ଦେବି । କେବେ, କେଉଁଠାରେ ଦେବି ହୁକୁମ ଦେଲେ ମୁଁ ଯୋଗାଡ଼ରେ ଲାଗିବି ।”

 

ଡିବଫ କର୍କଶ ସ୍ଵରରେ କହିଲେ, “ତୋତେ ଏ ବନ୍ଦୀଶାଳାର ବାହାରକୁ ଛାଡ଼ି ଦିଆଯାଇ ପାରିବ ନାହିଁ । ଏଇ ଘର ଭିତରେ, ଏଇ ତରାଜୁରେ ରୂପା ଓଜନ କରି ଦେବାକୁ ହେବ ।”

 

ଆଇଜାକ୍ ଉତ୍ତର କଲା, “ତେବେ ମୋର ଝିଅ ରେବେକାକୁ ଅନୁମତି ଦେଲେ ସେ ମୋର ଚିଠି ନେଇ ୟର୍କକୁ ଯିବ । ସେଠାରୁ ମୋର ବନ୍ଧୁମାନେ ରୂପା ଆଣି ଏଠାରେ ଦାଖଲ କରିବେ ।”

 

ଡିବଫ ବିସ୍ମିତ ହେଲାପରି କହିଲେ, “ରେବେକା ? ରେବେକା ତୋର ଝିଅ ? ଏ କଥା ମୁଁ ଟିକିଏ ଆଗରୁ ଜାଣିଥିଲେ ଭଲ ହୋଇଥାନ୍ତା । ଏଇ ଟିକିଏ ଆଗରୁ ମୁଁ ତାଙ୍କୁ ଗିଲବର୍ଟଙ୍କର ଚାକରାଣୀ ହେବାପାଇଁ ପଠାଇଦେଇଛି ।”

 

ଏହା ଶୁଣିଲା କ୍ଷଣି ଆଇଜାକ୍ ବିକଳ ହୋଇ କାନ୍ଦି ଉଠିଲା । ସେ ଡିବଫଙ୍କ ପାଦ ତଳେ ପଡ଼ି କହିଲା, “ହଜାରେ ପାଉଣ୍ଡ ରୂପା ନିଅନ୍ତୁ, ତା’ର ହଜାର ଗୁଣ ନିଅନ୍ତୁ । ଯାହା କିଛି ଅଛି ସବୁ ନିଅନ୍ତୁ; ମୋର ଏକମାତ୍ର ପ୍ରାର୍ଥନା ମୋର ଝିଅର ଇଜ୍ଜତ ନିଅନ୍ତୁ ନାହିଁ; ତାକୁ ନିରାପଦରେ ଯିବାକୁ ଛାଡ଼ି ଦିଅନ୍ତୁ । ମୋର ଏ ବୃଦ୍ଧି ବୟସରେ ସେହି ଝିଅଟି ଏକମାତ୍ର ଆଶ୍ରୟ । ତାକୁ ମୋଠାରୁ ଛଡ଼ାଇ ନେଲେ ମୋର ପ୍ରାଣରେ କି ପ୍ରୟୋଜନ ?”

 

ଡିବଫ୍ କହିଲେ, “ଏ କଥା ମୁଁ ଆଗରୁ ଜାଣିଥିଲେ ହୋଇଥାନ୍ତା । ଗିଲବର୍ଟ ମୋର ଅନ୍ତରଙ୍ଗ ବନ୍ଧୁ । ତାଙ୍କୁ ଯାହା କରିଛି ତାର ଅନ୍ୟଥା ହେବନାହିଁ ।

 

ଆଇଜାକ୍ ହତାଶାରେ ପାଗଳ ପରି କହି ଉଠିଲା, “ତୁମେ ଚୋର, ତୁମେ ଡକାଏତ । ମୋ ଝିଅକୁ କେଉଁଠି ରଖିଛ, ଆଣି ଦିଅ । ତା’ ନ ହେଲେ ମୋଠାରୁ କିଛି ପାଇବ ନାହିଁ ।”

 

ଡିବଫ୍ ରାଗିଯାଇ କହିଲେ, “ଆଇଜାକ୍ ! ତୋର ମୁଣ୍ଡ ବିଗିଡ଼ିଛି ? ଫୁଟନ୍ତା ତେଲ କଥା ଭୁଲିଗଲୁଣି କି ?

 

ଆଇଜାକ୍ କହିଲା, “ତୁମେ ଯାହା ଇଚ୍ଛା ତାହା କରିପାର । ମାରିବାକୁ ମୁଁ ପ୍ରସ୍ତୁତ । ତୁମେ ଯେପରି ଇଚ୍ଛା, ସେପରି ମୋତେ ମାରିପାର । ମୋର ଛାର ଜୀବନଠାରୁ ମୋ ଝିଅର ମୂଲ୍ୟ ଅଧିକ ।”

 

ଡିବଫ୍ ରାଗରେ ଚାକର ଦୁହିଙ୍କୁ କହିଲେ, “ବୁଢ଼ା ଦେହରୁ ଲୁଗାପଟା ବାହାର କରି ତାକୁ ଲୁହାକଡ଼ାରେ ବାନ୍ଧି ନିଆଁ ପାଖକୁ ନିଅ । ସେ ଦେଖୁ, ମୁଁ କ’ଣ କରିପାରେ ।”

 

ଚାକର ଦୁହେଁ ଆଇଜାକ୍ ଦେହରୁ କୁରୁତା କାଢ଼ିବାକୁ ଯାଉଛନ୍ତି ଏହି ସମୟରେ ଗଡ଼ର ବାହାର ପାଖରୁ ଶିଙ୍ଗାଧ୍ଵନି ଶୁଣାଗଲା । କେହି ଜଣେ ଡିବଫ୍‍ଙ୍କୁ ଡାକିବାରୁ ସେ ହଠାତ୍ ଘରର ଦରଜା ବନ୍ଦ କରି ଚାକରମାନଙ୍କ ସହିତ ବାହାରି ଗଲେ ।

 

ଆଇଜାକ୍ ଏପରି ଏକ ଆସନ୍ନ ବିପଦରୁ ରକ୍ଷା ପାଇଥିବାରୁ ଈଶ୍ୱରଙ୍କୁ ଧନ୍ୟବାଦ ଦେଲା । ସେ ମନେ ମନେ ନିଜର ଝିଅ ରେବେକାର ଅବସ୍ଥା ଚିନ୍ତା କରିବାକୁ ଲାଗିଲା ।

 

ରାଓଏନାଙ୍କୁ ଗୋଟିଏ କୋଠରିକୁ ନିଆଗଲା । କୋଠାରିଟି ନିତାନ୍ତ ମଇଳା । ବହୁଦିନ ହେଲା ଏ ଘରଟି ବ୍ୟବହୃତ ହେଉ ନ ଥିଲା; କିନ୍ତୁ ଦିନେ ଏହି କୋଠରିଟି ଅତି ସୁନ୍ଦର ଥିଲା । ଏଥିରେ ଅତି ସୁନ୍ଦର ଉପକରଣମାନ ଥିଲା । ସେଥିରେ ଡିବଫ୍‍ଙ୍କର ସ୍ତ୍ରୀ ରହୁଥିଲେ । ତାଙ୍କ ମୃତ୍ୟୁ ପରେ ଆଉ କେହି ସେଠାକୁ ଆସି ନ ଥିଲେ କି ସେ କୋଠରିର କୌଣସି ଯତ୍ନ ନେଇ ନଥିଲେ । ଆଜି ସେହି କୋଠରି ହୋଇଛି ରାଓଏନାଙ୍କର ବନ୍ଦୀଶାଳା ।

 

ଦିବା ଦ୍ୱିପ୍ରହର ବେଳକୁ ଡିବ୍ରେସି ସେହି କୋଠରିରେ ପ୍ରବେଶ କଲେ । ତାଙ୍କର ପୋଷାକପତ୍ର ଆଡ଼ମ୍ବରପୂର୍ଣ୍ଣ । ସେ କୋଠରିରେ ପ୍ରବେଶ କଲା ମାତ୍ରେ ମୁଣ୍ଡ ନୁଆଁଇ ରାଓଏନାଙ୍କୁ ପ୍ରଣାମ କଲେ; କିନ୍ତୁ ରାଓଏନା ଛିଡ଼ା ହୋଇ ରହିଲେ । ସେ ରାଓଏନାଙ୍କୁ ବସିବା ପାଇଁ ଅନୁରୋଧ କଲେ । ମାତ୍ର ସେ ପୂର୍ବ ପରି ଛିଡ଼ାହୋଇ ରହି କହିଲେ, “ମୁଁ ବନ୍ଦିନୀ; ବନ୍ଦିନୀର ବସିବାର ଅଧିକାର କାହିଁ ? ଆପଣ ଯଦି ମୋର ବନ୍ଦିକର୍ତ୍ତା ହୋଇଥାନ୍ତି, ତେବେ ଅନୁଗ୍ରହ କରି ମୋ ପାଇଁ କି ବ୍ୟବସ୍ଥା କରୁଛନ୍ତି କୁହନ୍ତୁ ? ମୋର ଭାଗ୍ୟରେ କଅଣ ଅଛି,ତାହା ମୋତେ ଜଣାନ୍ତୁ ।”

 

ଡିବ୍ରେସି ଉତ୍ତର କଲେ, “ମୁଁ ତୁମର ବନ୍ଦିକର୍ତ୍ତା ସତ; କିନ୍ତୁ ତୁମେ ନିଜ ରୂପରେ ମୋତେ ବନ୍ଦୀ କରିଅଛ ।”

 

ରାଓଏନା ବିଷର୍ଣ୍ଣ ମୁଖରେ କହିଲେ,” ମୁଁ ଆପଣଙ୍କର ପରିଚୟ ପାଇନାହିଁ । କିନ୍ତୁ ଆପଣ ଯାହା କହିଲେ, ତାହା କେବଳ ବିଦ୍ରୁପ ବୋଲି ମନେହୁଏ । ମୋ ପ୍ରତି ଯେଉଁ ବ୍ୟବହାର କରାଯାଉଛି ତାହା ଭଦ୍ରୋଚିତ ନୁହେଁ ।”

 

ଡିବ୍ରେସି କହିଲେ, ‘‘ତୁମ ପ୍ରତି ଦୁର୍ବ୍ୟବହାର ହୋଇଥିଲେ, ସେଥିପାଇଁ ତୁମେ ହିଁ ଦାୟୀ; ମୁଁ ନୁହେଁ । ମୁଁ ତୁମକୁ ମୋର ହୃଦୟର ସିଂହାସନରେ ଆସନ ଦେଇଛି ।”

ରାଓଏନାଙ୍କ ମୁଖ କ୍ରୋଧରେ ଆରକ୍ତ ହୋଇଗଲା । ସେ କହିଲେ, “ମୁଁ କହୁଛି ଯେ ଆପଣଙ୍କ ସଙ୍ଗେ ମୋର ପରିଚୟ ସୁଦ୍ଧା ନାହିଁ; ଅଥଚ ଆପଣ ପାଗଳ ପରି ପ୍ରଳାପ କରୁଛନ୍ତି । ଦୟା କରି ଏ ପ୍ରକାର ଭାଷା ବ୍ୟବହାର କରନ୍ତୁ ନାହିଁ ।”

ଡିବ୍ରେସିଙ୍କର ଆତ୍ମବଡ଼ିମା ଉପରେ ଆଘାତ ଲାଗିଲା । ସେ କ୍ରୁଦ୍ଧ ହୋଇ କହିଲେ, “ସୁନ୍ଦରି ! ମୁଁ ଦେଖୁଛି, ତୁମେ ବୀର ପ୍ରେମିକର ଭାଷା ଶୁଣିବାକୁ ପ୍ରସ୍ତୁତ ନୁହେଁ । ତେଣୁ ମୋତେ ଇତର ଲୋକର ଭାଷାରେ କହିବାକୁ ହେବ । ସ୍ପଷ୍ଟ କଥା ହେଉଛି, ତୁମକୁ ମୋର ସ୍ତ୍ରୀ ହେବାକୁ ପଡ଼ିବ । ତାହା ଛଡ଼ା ତୁମର ଅନ୍ୟ ଗତି ନାହିଁ । ହଁ, ମୋର ପରିଚୟ ଜାଣିବାକୁ ଚାହୁଁଥିଲ । ମୋର ନାମ ହେଉଛି ମରିସ୍ ଡିବ୍ରେସି । ମୋର ଯାହା ଇଚ୍ଛା, ତାହା ନ କରି ମୁଁ ଛାଡ଼େ ନାହିଁ । ମୋର ଇଚ୍ଛା ବିରୁଦ୍ଧରେ ଛିଡ଼ା ହେବାଭଳି କୌଣସି ଲୋକ ଦେଖାଯାଇ ନାହିଁ । ତୁମକୁ କେହି ଏଠାରୁ ଉଦ୍ଧାର କରିବାକୁ ଆସିବେ ବୋଲି ଆଶା କରିଥିଲେ, ସେ ତୁମର ଭ୍ରମ । ରିଚାର୍ଡ଼ ଯେ ଫେରିଆସି ପୁଣି ଇଂଲଣ୍ଡର ସିଂହାସନରେ ବସିବେ ସେ ଆଶା ଦୁରାଶା ମାତ୍ର । ଆଇଭାନହୋ ମଧ୍ୟ ତୁମକୁ ସାହାଯ୍ୟ କରିବ ବୋଲି ଆଶା ରଖିଥିଲି ତାହା ତୁମର ମହାନ୍ ଭ୍ରମ । ଏବେ ଆଇଭାନହୋ ମୋର କବଳରେ ପଡ଼ିଛି । ଗୁପ୍ତ କଥା ହେଲେ ବି ତୁମକୁ କହିଲେ କ୍ଷତି ନାହିଁ–ଆଇଭାନହୋ ଏଇ ଗଡ଼ ଭିତରେ ମୋର ବନ୍ଦୀ ହୋଇ ରହିଛି ।

ରାଓଏନା ଗଭୀର ବିସ୍ମୟ ଓ ଦୁଃଖରେ କହି ଉଠିଲେ–“ ଆଇଭାନହୋ, ଏଇ ଦୁର୍ଗରେ ବନ୍ଦୀ !”

ଡିବ୍ରେସି କହିଲେ, “ମୋର ବିଶ୍ୱାସ, ତୁମେ ଆଇଭାନହୋର ବନ୍ଦୀ ହେବା କଥା ଆଗରୁ ଜାଣିଥିଲ । ଯେଉଁ ଲୋକଟି ଆହତ ହୋଇ ରେବେକା ସହିତ ଗାଡ଼ିରେ ଆସିଥିଲା, ସେ ଯେ ଆଇଭାନହୋ ତାହା ତୁମକୁ ନିଶ୍ଚୟ ଜଣାଥିବ ।

ରାଓଏନା ଉଦାସୀନ ଭାବରେ କହିଲେ, “ସେ ଏଠାରେ ବନ୍ଦୀ ହୋଇଥିଲେ ମଧ୍ୟ ତାଙ୍କର ଚିନ୍ତାର କାରଣ ନାହିଁ । ତାଙ୍କର ବନ୍ଧୁମାନେ ଅର୍ଥ ବିନିମୟରେ ତାଙ୍କୁ ମୁକ୍ତ କରି ପାରିବେ ।”

Unknown

ଡିବ୍ରେସି ଉତ୍ତର କଲେ, “ତୁମର ଧାରଣା ଭୁଲ । ଟଙ୍କା ବଳରେ ସବୁଠାରେ ସବୁ କାମ ହୁଏ ନାହିଁ । ତୁମର ମନେ ଥିବ, ଆଇଭାନହୋଙ୍କର ସବୁ ସମ୍ପତ୍ତି ରାଜା ଜନ୍ ଫ୍ରଣ୍ଟ ଡିବଫ୍‍ଙ୍କୁ ଦାନ କରି ଦେଇଅଛନ୍ତି । ଏବେ ଆଇଭାନହୋ ଡିବଫ୍‍ଙ୍କୁ ହାତରେ ପଡ଼ିଛି । ସେ ତାଙ୍କୁ ଶେଷ ନ କରି ଛାଡ଼ିଦେବେ ବୋଲି କାହିଁକି ଆଶା କରାଯିବ ? ଆଇଭାନହୋ ଆହତ ଅବସ୍ଥାରେ ଏଠାରେ ବନ୍ଦୀ-। ତାଙ୍କୁ ଡିବଫ୍ ଅକ୍ଳେଶରେ ହତ୍ୟା କରି ପାରନ୍ତି କିମ୍ବା ଡାକ୍ତରଙ୍କ ଦ୍ଵାରା ବିଷ ପ୍ରୟୋଗ କରାଇ ତାର ପ୍ରାଣ ନେଇ ପାରନ୍ତି । ଆଇଭାନହୋର ମୃତ୍ୟୁ ସମ୍ବାଦ ବାହାର ଦୁନିଆ ଜାଣିବାର ସମ୍ଭାବନା ନାହିଁ ।”

ରାଓଏନା ଏବେ ବୁଝିପାରିଲେ ଯେ କେବଳ ତାଙ୍କର ଜୀବନ ବିପନ୍ନ ନୁହେଁ, ଆଇଭାନହୋଙ୍କର ଜୀବନ ମଧ୍ୟ । ସେ କିଛିବେଳ ଯାଏ ଡିବ୍ରେସିଙ୍କୁ ଚାହିଁ ରହିଲେ । ସେ ବୁଝିପାରିଲେ ଯେ ଡିବ୍ରେସି ଦୃଢ଼, କଠୋର, ଯାହା ଇଚ୍ଛା ତାହା କରିପାରେ । ପୁଣି ଏଠାରେ ଡିବ୍ରେସିର ବିରୋଧ କରିବା ଭଳି କେହି ନାହିଁ । ରାଓଏନା ନୈରାଶ୍ୟରେ କାତର ହୋଇ ତଳେ ପଡ଼ିଗଲେ । ତାଙ୍କ ଆଖିରୁ ଲୁହଧାର ବହିଗଲା ।

 

ଡିବ୍ରେସି ନିର୍ଦ୍ଦୟ ସତ; କିନ୍ତୁ ରାଓଏନାଙ୍କ ଭଳି ସୁନ୍ଦରୀ ଯୁବତୀର ଏ ଦୁର୍ଦ୍ଦଶା ଦେଖି ତାଙ୍କର ପଥର ହୃଦୟ ମଧ୍ୟ ତରଳିଗଲା । ସେ ପାଖକୁ ଯାଇ ରାଓଏନାଙ୍କୁ ଆଶ୍ୱାସନା ଦେବାକୁ ଲାଗିଲେ । କିନ୍ତୁ ଏହାର ଫଳ ବିପରୀତ ହେଲା । ରାଓଏନା ଆହୁରି ଉଚ୍ଚ ସ୍ୱରରେ କାନ୍ଦିବାକୁ ଲାଗିଲେ । ଡିବ୍ରେସି କଅଣ କରିବେ କିଛି ସ୍ଥିର କରି ପାରିଲେ ନାହିଁ । ଏହି ସମୟରେ ବାହାରେ ଶିଙ୍ଗାଧ୍ୱନି ଶୁଣାଯିବାରୁ ଡିବ୍ରେସି ରାଓଏନାଙ୍କୁ ଛାଡ଼ି ବାହାରକୁ ଚାଲିଗଲେ ।

ଏଣେ ରେବେକା ଗଡ଼ର ଅନ୍ୟ ଏକ ଅଂଶରେ ଗୋଟିଏ କୋଠରିରେ ବନ୍ଦିନୀ । ସେ ଘରଟିକୁ ଉତ୍ତମରୂପେ ପରୀକ୍ଷା କରି ଦେଖିଲେ ଯେ ସେଠାରୁ ପଳାଇବାର କୌଣସି ଉପାୟ ନାହିଁ-। ସେ ନିଜର ଅନିଶ୍ଚିତ ଭବିଷ୍ୟତ ବିଷୟ ଚିନ୍ତା କରୁଛନ୍ତି, ଏହି ସମୟରେ ଜଣେ ଦୀର୍ଘ କାୟ ବ୍ୟକ୍ତି ସେ ଗୃହରେ ପ୍ରବେଶ କଲେ । ସେ ଗୋଟିଏ ସବୁଜ ବର୍ଣ୍ଣର ପୋଷାକ ପିନ୍ଧିଥିଲେ ଓ ତାଙ୍କ ମୁଖ ଗୋଟିଏ ସୂକ୍ଷ୍ମ ବସ୍ତ୍ରରେ ଆବୃତ ଥିଲା । ରେବେକା ମନେକଲେ ଯେ ଏହି ଲୋକଟି ଜଣେ ରାଜ୍ୟରୁ ବିତାଡ଼ିତ ବନବାସୀ ଦସ୍ୟୁ ହୋଇଥିବ । ତେଣୁ ତାକୁ ସନ୍ତୁଷ୍ଟ କରିବା ଉଦ୍ଦେଶ୍ୟରେ ରେବେକା ନିଜର ବହୁମୂଲ୍ୟ ଅଳଙ୍କାର ସବୁ ଦେହରୁ ବାହାର କରି ତାକୁ କହିଲେ, “ମୋର ଏହି ଅଳଙ୍କାରଗୁଡ଼ିକ ନେଇ ମୋ ପ୍ରତି ଓ ମୋର ବୃଦ୍ଧ ପିତାଙ୍କ ପ୍ରତି ଟିକିଏ ଦୟା କର ।”

କିନ୍ତୁ ଏହି ‘ବନବାସୀ' ଦସ୍ୟୁଟି ଅଳଙ୍କାରଗୁଡ଼ିକ ଗ୍ରହଣ ନ କରି କହିଲା, “ସୁନ୍ଦରି ! ତୁମର ସୌନ୍ଦର୍ଯ୍ୟ ନିକଟରେ ଏଗୁଡ଼ିକ ଅତି ତୁଚ୍ଛ । ଅଳଙ୍କାର ସହିତ ଯେଉଁ ହୀରା ଖଞ୍ଜାଯାଇଛି ତାହା କଅଣ ତୁମର ଚକ୍ଷୁଠାରୁ ଅଧିକ ଉଜ୍ଜ୍ୱଳ ?”

ରେବେକା ଆଗନ୍ତୁକର ଭାଷାରୁ ବୁଝପାରିଲେ ଯେ ସେ ଜଣେ ବନବାସୀ ରାଜଦ୍ରୋହୀ ହୋଇ ନ ପାରନ୍ତି । ସେ କହିଲେ, “ଆପଣ ଇତର ରାଜଦ୍ରୋହୀ ଦସ୍ୟୁ ନୁହନ୍ତି । ଆପଣ ନିଶ୍ଚୟ ଜଣେ ନର୍ମାନ୍ । ଆପଣ ମୋର ଅଳଙ୍କାର ଗ୍ରହଣ କରିବାକୁ ଇଚ୍ଛୁକ ନୁହନ୍ତି । ଅନୁଗ୍ରହ କରି କହନ୍ତୁ, ଆପଣ ମୋଠାରୁ କଅଣ ଚାହାନ୍ତି ?”

ଆଗନ୍ତୁକ ମୁହଁର ଆବରଣ କାଢ଼ି ଦେଇ କହିଲେ, “ତୁମର ଅନୁମାନ ଯଥାର୍ଥ । ମୁଁ ରାଜଦ୍ରୋହୀ ବନବାସୀ ଦସ୍ୟୁ ନୁହେଁ । ଏବେ ଦେଖ, ତୁମ ଆଗରେ ଯେ ଛିଡ଼ା ହୋଇଛି, ସେ ହେଉଛି ଜଣେ ଟେମ୍ପଲାର ନାଇଟ୍, ବଇସ୍ ଗିଲବର୍ଟ ।”

ରେବେକା ଉତ୍ତର କଲେ, “କାଲି ରାତିର ଘଟଣା ଲାଗି ଆପଣ ଲଜ୍ଜିତ ହେବେ ବୋଲି ମୁଁ ଆଶା କରିଥିଲି ।”

ଗିଲବର୍ଟ ଉଦ୍ଧତ ସ୍ୱରରେ କହିଲେ, “ତୁମେ ଯାହା କହିଲ ଠିକ୍ । କିନ୍ତୁ ମନେ ରଖିଥାଅ, ଏଠାରେ ତୁମର ଏଭଳି ଗର୍ବ ଶୋଭା ପାଏ ନାହିଁ । ତୁମେ ମୋର ବନ୍ଦିନୀ ଓ ତୁମ ପ୍ରତି ମୁଁ ଯଥେଚ୍ଛା ବ୍ୟବହାର କରିପାରେଁ । ତୁମେ ଚିତ୍କାର କରିପାର; କିନ୍ତୁ ଜାଣିଥାଅ ତୁମର ଚିତ୍କାର ଏ ଦୁର୍ଗର ପ୍ରାଚୀର ଭେଦକରି ବାହାରକୁ ଯିବନାହିଁ । କେହି ତୁମକୁ ସାହାଯ୍ୟ କରିବାକୁ ଏଠାକୁ ଆସି ପାରିବେ ନାହିଁ । ତୁମେ ନିଜର ଭାଗ୍ୟକୁ ମାନି ନେବା ଉଚିତ । ମୋର ପତ୍ନୀତ୍ୱ ସ୍ୱୀକାର କର । ଦେଖିବ ସୌଭାଗ୍ୟ ଦେଖି କେତେ ନର୍ମାନ୍ ମହିଳା ତୁମକୁ ଈର୍ଷା କରିବେ ।”

ରେବେକା କ୍ରୋଧାନ୍ଧ ହୋଇ କହିଲେ, “ତା’ କଦାପି ହୋଇ ନପାରେ । ଭୟ ଦେଖାଇ ମୋତେ ବଶୀଭୂତ କରିବାର ଆଶା ବିଡ଼ମ୍ବନା ମାତ୍ର । ମୁଁ ତୁମ୍ଭଙ୍କୁ ଘୃଣା କରେଁ । ମୁଁ ଏ ପ୍ରକାର ଭୟ ପ୍ରଦର୍ଶନରେ ବିଚଳିତ ହେବାର ପାତ୍ରୀ ନୁହେଁ ।”

ଏହା କହି ରେବେକା ହଠାତ୍ ଝରକା ଉପରକୁ ଚାଲିଗଲେ । ଗିଲବର୍ଟ ତାଙ୍କୁ ଧରିବାପାଇଁ ହାତ ବଢ଼ାଇବାରୁ ରେବେକା କହିଲେ, “ନରାଧମ, ମୋତେ ସ୍ପର୍ଶ କର ନାହିଁ । ମୋତେ ଧରିବାକୁ ଚେଷ୍ଟା କଲେ ମୁଁ ଏହିଠାରୁ ତଳକୁ ଡେଇଁପଡ଼ି ଆତ୍ମହତ୍ୟା କରିବି ।”

 

ଟେମ୍ପଲାର ନାଇଟ୍ ଗିଲବର୍ଟ ରେବେକାଙ୍କ କଥାରେ ଦବିଗଲେ । ସେ ତାଙ୍କୁ ଧରିବାକୁ ଅଗ୍ରସର ନ ହୋଇ ଧୀର ସ୍ୱରରେ କହିଲେ, “ଦୟାକରି ତଳକୁ ଓହ୍ଲାଇ ଆସ । ମୁଁ ଶପଥ କରି କହୁଛି, ମୁଁ ତୁମର କିଛି ଅନିଷ୍ଟ କରିବି ନାହିଁ ।”

 

ତଥାପି ରେବେକା ତଳକୁ ଓହ୍ଲାଇ ନ ଆସି କହିଲେ, “ମୁଁ ତୁମକୁ ବିଶ୍ୱାସ କରି ପାରୁନାହିଁ-। ତୁମ ଭଳି ଲୋକଙ୍କୁ ବିଶ୍ଵାସ କରିବାର ପରିଣାମ କଅଣ ତାହା ମୋତେ ବେଶ୍ ଜଣାଅଛି ।”

 

ଗିଲବର୍ଟ ଶାନ୍ତ ଭାବରେ କହିଲେ, “ତୁମେ ମୋ ପ୍ରତି ଅନ୍ୟାୟ କରୁଛ, ରେବେକା ! ସ୍ୱୀକାର କରୁଛି, ମୁଁ କେତେ ଆଇନବିରୁଦ୍ଧ କାର୍ଯ୍ୟ କରିଛି; କିନ୍ତୁ କେବେ ଯେ ମୁଁ ମୋର ଶପଥ ଭଙ୍ଗ କରିଛି, ତାହା ସ୍ମରଣ ହେଉନାହିଁ ।”

 

ରେବେକା ଝରକା ଉପରୁ କାନ୍ଥପାଖକୁ ଓହ୍ଲାଇ ଆସି କହିଲେ, “ତେବେ ତୁମେ ଯେଉଁଠାରେ ଅଛ, ସେହିଠାରେ ରହିଥାଅ । ଯଦି ତୁମେ ପାହୁଣ୍ଡେ ମାତ୍ର ମୋ ଆଡ଼କୁ ଆସ, ତେବେ ମୁଁ ଆଉ ତୁମକୁ ବିଶ୍ୱାସ କରିବି ନାହିଁ । ତେଣିକି ଈଶ୍ୱରଙ୍କ ଉପରେ ବିଶ୍ଵାସ ରଖି ଯାହା ମୋର କର୍ତ୍ତବ୍ୟ ମନେ ହେବ, ତାହା କରିବି ।”

 

ଗିଲବର୍ଟ ଦେଖିଲେ, ରେବେକାଙ୍କର ଆଖିରେ ଅଗ୍ନିର ତେଜ । ମୁଖରେ ଏକ ଅପୂର୍ବ ଦୀପ୍ତି । ସେ ଏପରି ନରୀମୂର୍ତ୍ତି କେବେ ଦେଖି ନଥିଲେ । ନମ୍ରଭାବରେ ଗିଲବର୍ଟ କହିଲେ, “ଆମେ ଦୁହିଙ୍କ ମଧ୍ୟରେ ଶାନ୍ତି ପ୍ରତିଷ୍ଠିତ ହେଉ ।”

 

ରେବେକା ଗମ୍ଭୀର ସ୍ଵରରେ କହିଲେ, “ବେଶ୍, ମୁଁ ମଧ୍ୟ ଶାନ୍ତି ଚାହେଁ; କିନ୍ତୁ ଆମ ଦୁହିଙ୍କ ମଧ୍ୟରେ ଏହି ବ୍ୟବଧାନ ରହିଥିବ ।”

 

ଗିଲବର୍ଟ କହିଲେ, “ସୁନ୍ଦର ! ତୁମେ ମୋତେ ଭୟ କରିବାର ଲବ ମାତ୍ର କାରଣ ନାହିଁ । ତୁମେ ମୋର ହେବ, ଏଥିରେ ସନ୍ଦେହ ନାହିଁ; କିନ୍ତୁ ମୁଁ ତୁମକୁ ବଳପୂର୍ବକ ନେବାକୁ ଚାହେଁ ନାହିଁ । ତୁମର ସ୍ଵୀକୃତିରେ, ତୁମରି ଇଚ୍ଛା ଅନୁସାରେ ମୁଁ ତୁମକୁ ଗ୍ରହଣ କରିବି ।”

 

ଏହି ସମୟରେ ବାହାରେ ଶିଙ୍ଗାଧ୍ୱନି ହେଲା । ଗିଲବର୍ଟ କହିଲେ, “ବାହାରେ କେହି ଶିଙ୍ଗାଧ୍ୱନି କରି ମୋତେ ଡାକୁଛି । ବର୍ତ୍ତମାନ ମୋତେ ବିଦାୟ ଦିଅ । ମୁଁ ପରେ ଆସି ପୁଣି ତୁମ ସଙ୍ଗେ କଥାବାର୍ତ୍ତା ହେବି ।”

 

ଏହା କହି ଗିଲବର୍ଟ ବାହାରକୁ ଚାଲିଗଲେ ।

 

ଓଏମ୍ବା ଟର୍‍କୁଇଲ୍ ଷ୍ଟୋନ୍ ଦୁର୍ଗରେ ପ୍ରବେଶ କଲେ

 

ଗିଲବର୍ଟ ଦୁର୍ଗର ହଲ ଭିତରକୁ ପଶିବା ମାତ୍ରେ ତାଙ୍କର ଆଖି ପଡ଼ିଲା ଡିବ୍ରେସିଙ୍କ ଉପରେ ।

 

ଡିବ୍ରେସି କହିଲେ, “ବୋଧହୁଏ ମୋ ପରି ତୁମେ ମଧ୍ୟ ଅନେକ ବାଧାର ସମ୍ମୁଖୀନ ହୋଇଛ; କିନ୍ତୁ ମୋ ଅପେକ୍ଷା ତୁମେ ଅଧିକ କୃତକାର୍ଯ୍ୟ ହୋଇଛ ବୋଲି ମୋର ବିଶ୍ଵାସ । ସେ ସାକ୍‍ସନ ସୁନ୍ଦରୀ ଭାବିଥିଲା, ମୋର ପ୍ରେମଗ୍ନିକୁ ତା’ର ଲୋତକଜଳରେ ଲିଭାଇ ଦେବ । ତାକୁ ବୋଧହୁଏ ଗୋଟିଏ ପିଶାଚୀ ଗ୍ରାସିଛି ।”

 

ଗିଲବର୍ଟ କହିଲେ, “ରାଓଏନାକୁ ଗୋଟିଏ ପିଶାଚୀ ଗ୍ରାସିଥିଲେ, ରେବେକାଠାରେ ଶହ ଶହ ପିଶାଚୀ ପ୍ରବେଶ କରିଛନ୍ତି । ଗୋଟିଏ ସ୍ତ୍ରୀଲୋକର ପୁଣି କି ତେଜ ! ଫ୍ରଣ୍ଟ ଡିବଫ୍ କାହାନ୍ତି-?”

 

ଡିବଫ୍ ସେ ବୁଢ଼ା ଇହୁଦୀ ଆଇଜାକ୍ ସଙ୍ଗେ କଥାବାର୍ତ୍ତା ହେଉଛନ୍ତି । ମୁଁ ଦେଖୁଛି, ପଥରରୁ ପାଣି ବାହାର କରିବା ସହଜ ହୋଇପାରେ; କିନ୍ତୁ ଆଇଜାକ୍ ଠାରୁ ଟଙ୍କା ବାହାର କରିବା ସହଜ ନୁହେଁ ।”

 

ଗିଲବର୍ଟ ଓ ଡିବ୍ରେସି ଏହିପରି କଥାବାର୍ତ୍ତା ହେଉଥିଲାବେଳେ ପ୍ରଥମେ ଡିବଫ୍ ହଲ୍ ଭିତରେ ପ୍ରବେଶ କରି କହିଲେ, “କଅଣ ଗୋଟିଏ ବଡ଼ ଗୋଳମାଳ ଶୁଣାଯାଉଥିଲା ? ଏଇ ଚିଠିଟାକୁ ଦେଖ । ସାକ୍‍ସନ ଭାଷାରେ ଲେଖାହୋଇଛି । ନିଅ ।”

 

ଏହା କହି ସେ ଖଣ୍ଡିଏ ଚିଠି ଡିବ୍ରେସିଙ୍କ ହାତକୁ ବଢ଼ାଇ ଦେଲେ; କିନ୍ତୁ ସେ ମଧ୍ୟ ଏହାକୁ ପଢ଼ି କିଛି ବୁଝିପାରିଲେ ନାହିଁ । ତହୁଁ ଗିଲବର୍ଟ କହିଲେ, “ଆଚ୍ଛା, ଚିଠିଟା ମୋତେ ଦେଲ ଦେଖି । ମୁଁ ସାକ୍‍ସନ୍ ଭାଷା ପଢ଼ିପାରେ; ଟିକିଏ ଟିକିଏ ବୁଝିପାରେଁ ମଧ୍ୟ ।” ଏହାପରେ ଚିଠିଟିକୁ ଚାହିଁଦେଇ ସେ କହିଲେ, “ବାଃ କମ୍ ଧମକ ଦିଆଯାଇନାହିଁ । ପରିହାସ ହୋଇ ନ ଥିଲେ, ଏପରି ଚିଠି କେହି ଲେଖିବାକୁ ସାହସ କରନ୍ତା ନାହିଁ ।”

 

ଡିବଫ୍‍ କ୍ରୁଦ୍ଧ ହୋଇ କହିଲେ, “ପରିହାସ, ଆମ ସଙ୍ଗେ ପରିହାସ ! ଗିଲବର୍ଟ, ଚିଠିଟା ପଢ଼ି ମୋତେ ଶୁଣାଅ ତ । ମୋ ସଙ୍ଗେ ପରିହାସ କରିବାକୁ କାହାର ସାହସ !”

 

ଗିଲବର୍ଟ ଚିଠିଟି ପଢ଼ି ବୁଝାଇ ଦେଲେ–ସେଡ଼୍ରିକ ଓ ତାଙ୍କର ଲୋକମାନଙ୍କୁ ଏକ ଘଣ୍ଟା ମଧ୍ୟରେ ନିରାପଦରେ ଦୁର୍ଗରୁ ମୁକ୍ତ କରି ନ ଦେଲେ ସେଡ଼୍ରିକଙ୍କର ବିଦୁଷକ ଓଏମ୍ବା, ତାଙ୍କର ଘୁଷୁରିଆ ଗୁର୍ଥ, ବ୍ଲାକ୍ ନାଇଟ୍ ଓ ଲକ୍‍ସିଲି ଆମର ଏହି ଦୁର୍ଗକୁ ଆକ୍ରମଣ କରିବେ ।

 

ଚିଠିପଢ଼ା ଶେଷ ହେବାରୁ ଗିଲବର୍ଟ ଓ ଡିବ୍ରେସି ହସି ହସି ଗଡ଼ିଗଲେ । କିନ୍ତୁ ଫ୍ରଣ୍ଟ ଡିବଫ୍ କଥାଟାକୁ ହସରେ ଉଡ଼ାଇ ଦେଇ ପାରିଲେ ନାହିଁ । ସେ କହିଲେ, “ଆପଣମାନେ ଏ ଚିଠିକୁ ଏପରି ହସରେ ଉଡ଼ାଇ ଦେବା ଠିକ୍ ନୁହେଁ ।”

 

ସେ ନିଜର ଜଣେ ଏସ୍‍କ୍ୱାୟାରକୁ ଡାକି ପଚାରିଲେ, “ଆଚ୍ଛା, କେତେ ଲୋକ ସେମାନଙ୍କୁ ସାହାଯ୍ୟ କରିବେ ବୋଲି ତୁମେ ଆଶା କରୁଛ ?” ଏସ୍‍କ୍ୱାୟାର ଉତ୍ତର କଲେ, “ଜଙ୍ଗଲରେ ଅନ୍ତତଃ ଦୁଇଶହ ଲୋକ ଅଛନ୍ତି । ସେମାନେ ଆମ ବିରୁଦ୍ଧରେ ଯୋଗ ଦେଇ ପାରନ୍ତି-।” ଫ୍ରଣ୍ଟ ଡ଼ିବଫ୍ ବିରକ୍ତ ସ୍ଵରରେ କହିଲେ, “ମୁଁ ଦେଖୁଛି, ଅନ୍ୟ ଲୋକଙ୍କୁ ଗଡ଼ରେ ସ୍ଥାନ ଦେବାର ଅର୍ଥ ବିପଦ ଡାକି ଆଣିବା । ମୋର ପ୍ରଧାନ ବୀରମାନେ ବର୍ତ୍ତମାନ ୟର୍କରେ । ଯେଉଁମାନେ ଏଠାରେ ଅଛନ୍ତି ସେମାନେ ଗଡ଼ ରକ୍ଷାକରି ପାରିବା କଷ୍ଟକର । କଅଣ କହୁଛ ଡିବ୍ରେସି !”

 

ଡିବ୍ରେସି ଉତ୍ତର କଲେ “ମୋ ମତରେ ୟର୍କରୁ ଆମର ଲୋକମାନଙ୍କୁ ଡକାଇ ଆଣିଲେ ଭଲ ହେବ ।”

 

ଡିବଫ୍ କହିଲେ, “କିନ୍ତୁ କିଏ ସମ୍ବାଦ ନେଇ ୟର୍କ ଯିବ ? କିପରି ଯିବ ? ଯିଏ ଚିଠି ନେଇ ଯିବ, ତାକୁ ସେମାନେ ବାଟରୁ ଧରିନେବେ ।

 

ଟିକିଏ ଚିନ୍ତା କରି ସେ ପୁଣି କହିଲେ, “ମୋତେ ଗୋଟାଏ ଉପାୟ ଦିଶୁଛି । କାଗଜ କଲମ ଅଣାଅ ।”

 

କାଗଜ କଲମ ଆସିବାରୁ ଡିବ୍ରେସି ଲେଖିଲେ–‘‘ଆମ୍ଭେ ରେଜିନାଲ୍ଡ଼ ଫ୍ରଣ୍ଟ ଡ଼ିବଫ ସାମାନ୍ୟ ଚାକରଠାରୁ ଆହ୍ଵାନ ଶୁଣି ନପାରୁଁ । ଯେଉଁମାନେ ରାଜ୍ୟ ଛାଡ଼ି ପଳାଇ ଯାଇଅଛନ୍ତି ସେମାନଙ୍କୁ ଆମେ ଲବ ମାତ୍ର ଗ୍ରାହ୍ୟ କରୁନାହୁଁ । ବ୍ଲାକ୍ ନାଇଟ୍ ମନେ ରଖିବା ଉଚିତ–ସେ ଯେଉଁ ଅନୁଚରମାନଙ୍କୁ ରଖିଛନ୍ତି ସେଥିରେ କେହି ତାଙ୍କୁ ନାଇଟ୍ କହି ନପାରେ । ଆମ୍ଭେ ଜଣାଇ ଦେବାକୁ ଚାହୁଁ ଯେ ଅଦ୍ୟ ଦିବା ଦ୍ୱିପ୍ରହର ସମୟରେ ଦୁର୍ଗର ବନ୍ଦୀମାନଙ୍କର ମସ୍ତକ ଛେଦନ କରାଯିବ । ତୁମ୍ଭଙ୍କୁ ଜଣାଇ ଦେଉଅଛୁ ଯେ ତୁମ୍ଭେ ହିଁ ଏମାନଙ୍କର ମୃତ୍ୟୁ ନିମନ୍ତେ ଦାୟୀ ଏବଂ ସେହି ହେତୁରୁ ସେମାନଙ୍କ ମୃତ୍ୟୁଦଣ୍ଡ ପୂର୍ବରୁ ତୁମ୍ଭେ ଜଣେ ଧର୍ମଯାଜକଙ୍କୁ ପଠାଇ ପାରିଲେ ସେ ସେମାନଙ୍କ ଆତ୍ମାର ସଦ୍‍ଗତି ନିମନ୍ତେ ପ୍ରାର୍ଥନା କରିବେ ।”

 

ଏହି ପତ୍ରଟି ଜଣେ ଲୋକ ହାତରେ ପଠାଇ ଦିଆଗଲା ।

 

ଓଏମ୍ବା ଓ ଗୁର୍ଥ ବ୍ଲାକ୍ ନାଇଟ୍ ସହିତ ଦୁର୍ଗଠାରୁ କିଛି ଦୂରରେ ଗୋଟିଏ ଗଛମୂଳେ ଅପେକ୍ଷା କରିଥିଲେ । ସେମାନଙ୍କର ଭୟର କିଛି କାରଣ ନ ଥିଲା । ଦୁଇଶହ ଲୋକ ସେମାନଙ୍କ ପାଖରେ ପ୍ରସ୍ତୁତ ହୋଇ ରହିଥିଲେ । ଯେକୌଣସି ମୁହୂର୍ତ୍ତରେ ଆହୁରି ଲୋକ ପହଞ୍ଚିବାର ଆଶା ଥିଲା । ଏହି ଲୋକମାନେ ସେଡ଼୍ରିକଙ୍କର ରୟତ । ତେଣୁ ସେମାନେ ସେଡ଼୍ରିକ ଓ ରାଓଏନାଙ୍କୁ ଉଦ୍ଧାର କରିବାପାଇଁ ଆସିଥିଲେ ।

 

ଲୋକଟି ପତ୍ର ଖଣ୍ଡିକ ଆଣି ଗୁର୍ଥ ହାତରେ ଦେଲା । ଗୁର୍ଥ ଦେଖିଲା ଯେ ଏହା ନର୍ମାନ୍ ଭାଷାର ଲେଖା । ସେ ନର୍ମାନ୍ ଭାଷା ଜାଣି ନ ଥିବାରୁ ଚିଠିଟି ବ୍ଳାକ୍ ନାଇଟ୍‍ଙ୍କୁ ହାତକୁ ବଢ଼ାଇଦେଇ ପଢ଼ିବାକୁ କହିଲା । ବ୍ଲାକ୍ ନାଇଟ୍ ପତ୍ରଟି ପଢ଼ି ଗୁର୍ଥ ଓ ଓଏମ୍ବାଙ୍କୁ ତାହାର ମର୍ମ ବୁଝାଇ ଦେଲେ ।

 

ଗୁର୍ଥ କ୍ରୋଧାନ୍ଧ ହୋଇ କହିଲା, “କମ୍ ଦୁଃସାହସ ନୁହେଁ ତ ! ସେଡ଼୍ରିକଙ୍କୁ ହତ୍ୟା କରିବା ପୂର୍ବରୁ ଆମେ ତା’ର ଗଡ଼କୁ ଭାଙ୍ଗି ଭୂଇଁରେ ମିଶାଇ ଦେବୁ ।”

 

ଲକ୍‍ସିଲି କହିଲେ, “ଗୁର୍ଥ, ଏପରି ବିଚଳିତ ହୁଅ ନାହିଁ । କାହାରିକୁ ହତ୍ୟା କରିବାର ସାହସ ସେମାନଙ୍କର ନାହିଁ । ଏ ଚିଠି ସମୟ ନେବାପାଇଁ ଗୋଟିଏ କୌଶଳ ଛଡ଼ା ଆଉ କିଛି ନୁହେଁ ।”

 

ବ୍ଳାକ୍ ନାଇଟ୍ କହିଲେ, “ମୋ ମତରେ ଆମର କେହି ଜଣେ ଗଡ଼ ଭିତରେ ପଶି ସେଥିରେ କେତେ ଲୋକ ଅଛନ୍ତି ବୁଝି ଆସିଲେ ସୁବିଧା ହୁଅନ୍ତା । ଜଣେ ଧର୍ମଯାଜକ ପଠାଇବା ପାଇଁ ଚିଠିରେ ଲେଖା ଅଛି । ଆମର ଫ୍ରାୟାରଙ୍କୁ ପଠାଇ ଦେଲେ ସେ ଗଡ଼ର ଖବର ଆଣି ପାରନ୍ତେ ।”

 

କିନ୍ତୁ ଫ୍ରାୟାର ଗଡ଼ ଭିତରକୁ ଯିବାପାଇଁ ରାଜି ହେଲେ ନାହିଁ । କିଛି ସମୟ ଯାଏ ସମସ୍ତେ ନୀରବ ରହିଲେ ।

 

ଓଏମ୍ବା କହିଲା, “ମୁଁ ଦେଖୁଛି, ଆମର ଫ୍ରାୟାର ବୁଦ୍ଧିମାନ୍ ଲୋକ ସତ; କିନ୍ତୁ ଭୟାଳୁ । ଆଚ୍ଛା, ବୁଦ୍ଧିମାନ ଲୋକ ଯେଉଁଠାକୁ ଯିବାକୁ ଭୟ କରନ୍ତି, ମୁର୍ଖଲୋକେ ସେଠାକୁ ନିର୍ଭୟରେ ପଶିଯାନ୍ତି । ତେଣୁ ମୁଁ ସେ କାମର ଭାର ନେଉଛି । ମୁଁ ଫ୍ରାୟାରଙ୍କ ପୋଷାକ ପିନ୍ଧି ଗଡ଼ ଭିତରକୁ ଯିବି । ସେଡ଼୍ରିକ୍ ଓ ତାଙ୍କର ବନ୍ଧୁମାନେ ହୁଏତ ହତାଶ ହୋଇ ପଡ଼ିଥିବେ । ମୋତେ ଦେଖିଲେ ସେମାନଙ୍କର ସାହସ ଆସିବ ।”

 

ଓଏମ୍ଵା ଫ୍ରାୟାରଙ୍କ ପୋଷାକ ପିନ୍ଧିଲା । ଫ୍ରାୟାରଙ୍କ ଟୋପି ମୁଣ୍ଡରେ ଦେଇ ସେ ଗଡ଼ ଭିତରକୁ ଚାଲିଲା । ଗଡ଼ର କେତେ ଜଣ ଲୋକ ତାକୁ ଡିବଫ୍‍ଙ୍କ ପାଖକୁ ନେଇଗଲେ ।

 

ଡିବଫ୍‍ଙ୍କର ଚେହେରା ଦେଖି ପ୍ରଥମେ ଓଏମ୍ଵା ଭୟ କରିଗଲା । କିନ୍ତୁ ସେ ସାହସ କରି ଛିଡ଼ାହେଲା । ଡିବଫ୍ ପଚାରିଲେ–“ତୁମେ କିଏ ? କେଉଁଠୁ ଆସିଛ ? ତୁମ ଆସିବାର ଉଦ୍ଦେଶ୍ୟ କଅଣ ?”

 

ଓଏମ୍ବା ବିନୀତ ଭାବରେ ଉତ୍ତର କଲା, “ମୁଁ ଜଣେ ସାମାନ୍ୟ ଧର୍ମଯାଜକ । ମୁଁ ତେଣୁ ସେଣ୍ଟ ଫ୍ରାନ୍‍ସିସ୍ ସମ୍ପ୍ରଦାୟର ଲୋକ । ଦୁର୍ଭାଗ୍ୟବଶତଃ ମୁଁ କେତେଜଣ ରାଜଦ୍ରୋହୀ ଦସ୍ୟୁଙ୍କ ହାତରେ ପଡ଼ିଛି । ସେମାନେ ମୋତେ ବାଧ୍ୟ କରି ଏଠାକୁ ପଠାଇ ଅଛନ୍ତି ଓ କହିଅଛନ୍ତି ଯେ ମୋତେ ଆପଣଙ୍କର କେତେଜଣ ବନ୍ଦୀଙ୍କର ସଦ୍‍ଗତି ଲାଗି ପ୍ରାର୍ଥନା କରିବାକୁ ହେବ ।”

 

ଡିବଫ୍‍ କହିଲେ, “ବେଶ୍, ଆଗ ମୋତେ କୁହ, ବଣ ଭିତରେ ଥିବା ବିଦ୍ରୋହୀମାନଙ୍କର ସଂଖ୍ୟା କେତେ ହେବ ? ସତ କୁହ, ନୋହିଲେ ତୁମକୁ ପ୍ରହାର ଦିଆଯିବ ।

 

ଫ୍ରାୟାରବେଶୀ ଓଏମ୍ଵା ଉତ୍ତର କଲା, “ମୁଁ ସତ ନ କହିବି କାହିଁକି ? ବଣ ଭିତରେ ଥିବା ସେ ବିଦ୍ରୋହୀଗୁଡ଼ାଙ୍କୁ ଭଲକରି ଚାହିଁବାକୁ ମୋର ସାହସ ନଥିଲା । ତେବେ ମୋର ଅନୁମାନ, ସେମାନଙ୍କର ସଂଖ୍ୟା ପାଞ୍ଚଶହରୁ ଊଣା ହେବନାହିଁ ।”

 

ଟେମ୍ପଲାର ନାଇଟ୍ ଗିଲବର୍ଟ ଡିବଫ୍‍ଙ୍କ ପାଖକୁ ଚାଲିଆସି କହିଲେ, “କଅଣ, ଏତେ ଗୁଡ଼ାଏ ଲୋକ ଅଛନ୍ତି ? ଡିବଫ୍, ଆଉ ବେଳେ ନାହିଁ । ଆମକୁ ଶୀଘ୍ର କାର୍ଯ୍ୟ କରିବାକୁ ହେବ ।”

 

ଗିଲବର୍ଟ ଡିବଫ୍‍ଙ୍କୁ ଅଲଗା ଡାକିନେଇ ଚୁପ୍ ଚୁପ୍ କରି ପଚାରିଲେ, “ଆପଣ ଏ ଲୋକକୁ ଚିହ୍ନନ୍ତି ?”

 

ଡିବଫ୍ ଉତ୍ତର କଲେ, “ନା, ମୁଁ ତାକୁ ଚିହ୍ନେ ନାହିଁ । ଦୂରବର୍ତ୍ତୀ ଗୋଟିଏ ଧର୍ମମନ୍ଦିରର ସେ ଜଣେ ଫ୍ରାୟାର ।”

 

ତହୁଁ ଗିଲବର୍ଟ କହିଲେ, “ତେବେ ଏ ଲୋକଟାକୁ ବେଶି ବିଶ୍ୱାସ କରିବା ଉଚିତ ନୁହେଁ । ତା’ ହାତରେ କୌଣସି ଖବର ପଠାଇବା ନିରାପଦ ହୋଇ ନ ପାରେ । ତେବେ ଗୋଟିଏ କଥା କରାଯାଉ । ତା’ ହାତରେ ଗୋଟିଏ ଚିଠି ଦେଇ ଡିବ୍ରେସିଙ୍କ ଲୋକଙ୍କ ପାଖକୁ ପଠାଇବା । ଏଥିମଧ୍ୟରେ ବନ୍ଦୀ ସାକ୍‍ସନ୍‍ମାନଙ୍କ ମୃତ୍ୟୁଦଣ୍ଡର ବ୍ୟବସ୍ଥା କରିବା ଓ ଏହି ଫ୍ରାୟାର ସେମାନଙ୍କ ପାଇଁ ପ୍ରାର୍ଥନା କରୁ । ତାହାହେଲେ ସନ୍ଦେହର କୌଣସି କାରଣ ରହିବ ନାହିଁ ।”

 

ଡିବଫ୍ ଏହି ପ୍ରସ୍ତାବରେ ସ୍ଵୀକୃତ ହୋଇ ଜଣେ ଭୃତ୍ୟ ସହିତ ଓଏମ୍ଵାକୁ ସେଡ଼୍ରିକ ଓ ଏଥେଲଷ୍ଟେନ୍‍ଙ୍କ ପାଖକୁ ପଠାଇ ଦେଲେ ।

 

ଓଏମ୍ଵା ସେଡ଼୍ରିକଙ୍କ ବନ୍ଦୀଗୃହର ବାହାରେ ରହି କହିଲା, “ଆପଣ ଶାନ୍ତି ଲାଭ କରନ୍ତୁ ।”

 

ସେଡ଼୍ରିକ ଘର ଭିତରୁ କହିଲେ, “ଆପଣ ଘର ଭିତରକୁ ସ୍ଵଚ୍ଛନ୍ଦରେ ଆସି ପାରନ୍ତି । ଆପଣଙ୍କ ଆଗମନର ଉଦ୍ଦେଶ୍ୟ କଅଣ ?”

 

ଓଏମ୍ବା ଉତ୍ତର କଲା, “ଆପଣମାନଙ୍କୁ ମୃତ୍ୟୁପାଇଁ ପ୍ରସ୍ତୁତ ହେବାକୁ ଜଣାଇ ଦେବାପାଇଁ ଆସିଛି ।”

 

ସେଡ଼୍ରିକ କହିଲେ, “ଆମର ମୃତ୍ୟୁ ! ସେ କଥା ଅସମ୍ଭବ । ଆମକୁ ହତ୍ୟା କରିବ, ଏପରି କେହି ସାହସ କରି ନ ପାରେ ।”

 

ଓଏମ୍ବା ଜଣାଇଲା, “ଲୋକ ହତାଶ ହୋଇ ପଡ଼ିଲେ ଯାହା ଇଚ୍ଛା ତାହା କରିପାରେ । ତେଣୁ ଯେକୌଣସି ଅବସ୍ଥାରେ ସମ୍ମୁଖୀନ ହେବାପାଇଁ ପ୍ରସ୍ତୁତ ରହିବା ଉଚିତ ।”

 

ସେଡ଼୍ରିକ ଏଥେଲଷ୍ଟେନ୍‍ଙ୍କୁ କହିଲେ, “ଏହି ଲୋକଟି ଯାହା କହିଲା, ଶୁଣିଲ । ଏବେ ଆମକୁ ମରଣ ପାଇଁ ପ୍ରସ୍ତୁତ ହେବାକୁ ପଡ଼ିବ । ପ୍ରକୃତ ମନୁଷ୍ୟ ପରି ମରିବା ବରଂ ଭଲ; କିନ୍ତୁ ପରର ଦାସତ୍ଵ ସ୍ଵୀକାର କରି ପଶୁଭଳି ବଞ୍ଚିରହିବା ଭଲ ନୁହେଁ ।”

 

ଓଏମ୍ବା ଚୁପ୍ ଚୁପ୍ କରି କହିଲା, “ଏତେ ଅଧୀର ହେବାର ପ୍ରୟୋଜନ ନାହିଁ । ଚାରିଆଡ଼କୁ ଦେଖି ଚାହିଁ କାର୍ଯ୍ୟ କରିବା ଉଚିତ ।”

 

ସେଡ଼୍ରିକ କହି ଉଠିଲେ–“ଏ ସ୍ଵର ମୋର ଖୁବ୍ ପରିଚିତ ମନେ ହେଉଛି । ତୁମେ କିଏ-?”

 

ଓଏମ୍ଵା ମୁଣ୍ଡରୁ ଟୋପି ଓ ଧର୍ମଯାଜକର ପୋଷାକ ଫିଙ୍ଗି ଦେଇ କହିଲା, “ମୁଁ ଆପଣଙ୍କର ବିଶ୍ଵସ୍ତ ଭୃତ୍ୟ ବିଦୂଷକ ଓଏମ୍ବା । କିନ୍ତୁ ମୁଁ ବର୍ତ୍ତମାନ ଆପଣଙ୍କୁ ଗୋଟିଏ ଗୁରୁତ୍ଵପୂର୍ଣ୍ଣ ପରାମର୍ଶ ଦେବାକୁ ଏଠାକୁ ଆସିଛି । ଆପଣଙ୍କ ଜୀବନ ବାସ୍ତବରେ ସଙ୍କଟାପନ୍ନ । ଜୀବନରକ୍ଷା ଲାଗି ଆପଣ ମୋର ଏହି ଧର୍ମଯାଜକ ପୋଷାକ ପିନ୍ଧି ନିର୍ଭୀକ ଭାବରେ ଗଡ଼ ଫାଟକବାଟେ ଚାଲିଯାଆନ୍ତୁ ।”

 

ସେଡ଼୍ରିକ୍ ବିସ୍ମିତ ହୋଇ କହିଲେ, “ମୁଁ ଏ ଉପାୟରେ ଚାଲିଗଲେ, ତୁମକୁ ସେମାନେ ହତ୍ୟା କରିବେ, ଏଥିରେ ସନ୍ଦେହ ନାହିଁ । ଏହାର ପ୍ରତିକାର କଅଣ ?”

ଓଏମ୍ବା ଉତ୍ତର କଲା, “ଆପଣ ମୋ ଲାଗି ଚିନ୍ତା କରିବା ଦରକାର ନାହିଁ । ମୁଁ ଯେକୌଣସିଠାରେ ମରିବାକୁ ପ୍ରସ୍ତୁତ । ତେବେ ଏ ଦୁର୍ଗ ମଧ୍ୟରେ ମଲେ କ୍ଷତି କଅଣ ?”

ସେଡ଼୍ରିକ ପୁଣି କହିଲେ, “ତୁମ କଥା ଅନୁସାରେ କାର୍ଯ୍ୟ କଲେ ମୋର ଜୀବନ ରକ୍ଷା ହୋଇପାରେ । କିନ୍ତୁ ଅନ୍ୟମାନଙ୍କ ଅବସ୍ଥା କଅଣ ହେବ ?”

ଓଏମ୍ବା କହିଲା, “ସେଥିପାଇଁ ଚିନ୍ତିତ ହୁଅନ୍ତୁ ନାହିଁ । ଗଡ଼ ଫାଟକରେ ପହଞ୍ଚିଲେ ଦେଖି ପାରିବେ, ପାଞ୍ଚଶହ ଲୋକ ପ୍ରସ୍ତୁତ ହୋଇ ରହିଛନ୍ତି । ଘଣ୍ଟାକ ଆଗେ ମୁଁ ସେମାନଙ୍କ ନେତାଙ୍କ ସଙ୍ଗେ ବିଚାର କରି ଆସିଛି । ସେମାନେ ସମସ୍ତ ବନ୍ଦୀଙ୍କୁ ଉଦ୍ଧାର କରିନେବେ । ଦରକାର ହେଲେ ସେଥିପାଇଁ ଏ ଗଡ଼କୁ ଭାଙ୍ଗି ଚୁନା କରିଦେବେ । ଦୁର୍ଗ ରକ୍ଷା ପାଇଁ କେତେ ଲୋକ ଜଗି ରହିଛନ୍ତି ତାହା ସେମାନେ ଜାଣିବା ଦରକାର ।”

ସେଡ଼୍ରିକ କହିଲେ, “ମୁଁ ସେ ସମ୍ବାଦ ଦେଇପାରିବି । ମୋର ଏଠାରୁ ଚାଲିଯିବା ଆବଶ୍ୟକ । ଯେତେ ଶୀଘ୍ର ପାରେଁ ତୁମମାନଙ୍କୁ ଉଦ୍ଧାର କରିବି ।”

ସେଡ଼୍ରିକ ଓଏମ୍ବାଠାରୁ ଫ୍ରାୟାରର ପୋଷାକ ପିନ୍ଧିଲେ ଓ ବିଦାୟ ନେଇ ବାହାରି ଗଲେ । ଓଏମ୍ବା ବନ୍ଦୀଗୃହରେ ରହିଲା ।

ସେଡ଼୍ରିକ ବାହାରି ଯାଉଥିବାବେଳେ ଦୈବାତ୍ ଡିବଫ୍ ତାଙ୍କୁ ଦେଖି କହିଲେ, “ଦେଖ ଫ୍ରାୟାର, ତୁମକୁ ଗୋଟାଏ କାମ କରିବାକୁ ହେବ । ଗଡ଼ ବାହାରେ ଯେଉଁ ଲୋକଗୁଡ଼ାକ ଅଛନ୍ତି ସେମାନଙ୍କୁ ତୁମେ କହ ଯେ ଗଡ଼ ଆକ୍ରମଣ କରିବା ଦରକାର ନାହିଁ । ଅନ୍ତତଃ ଦିନକ ଭିତରେ ଯେପରି ସେମାନେ ଗଡ଼ ଉପରେ ଆକ୍ରମଣ ନ କରନ୍ତି ତା’ର ଉପାୟ କର । ଆଉ ଗୋଟିଏ କଥା-। ଏ ଚିଠି ଖଣ୍ଡିକ ନେଇ ଫିଲିପ୍ ମାଲଭୋଇସିନ୍‍ଙ୍କୁ ଦେବ । ସେ ଏହାକୁ ପାଇ ୟର୍କକୁ ପଠାଇ ଦେବେ ।” ଏହା କହି ସେ ଖଣ୍ଡିଏ ଚିଠି ଫ୍ରାୟାର–ସେଡ଼୍ରିକ (ଛଦ୍ମବେଶୀ ସେଡ଼୍ରିକ) ହାତକୁ ବଢ଼ାଇ ଦେଲେ ।

ଡିବଫ ଫାଟକ ପର୍ଯ୍ୟନ୍ତ ସେଡ଼୍ରିକଙ୍କ ସଙ୍ଗେ ଆସି ତାଙ୍କୁ କିଛି ଟଙ୍କାଦେଇ ଫେରିଗଲେ । ସେ ଯେ ଫ୍ରାୟାର ନୁହନ୍ତି, ଛଦ୍ମବେଶୀ ସେଡ଼୍ରିକ ଏହା ଡିବଫ ଆଦୌ ଜାଣି ପାରିଲେ ନାହିଁ । ବିଦାୟ ନେଲାବେଳେ ଡିବଫ କହିଲେ, “ଫ୍ରାୟାର ମହାଶୟ, ଚିଠିଟି ଠିକ୍ ଲୋକକୁ ଦେଇ ଫେରି ଆସିଲେ, ତୁମକୁ ଆହୁରି ପୁରସ୍କାର ଦିଆଯିବ; କିନ୍ତୁ ତା’ କରି ନପାରିଲେ ତୁମର ଅବସ୍ଥା କଅଣ ହେବ ଅନୁମାନ କରିପାରିବ ।”

ସେଡ଼୍ରିକ ଉତ୍ତର କଲେ, “ଆପଣ ନିଶ୍ଚିନ୍ତ ରହନ୍ତୁ । ଶୀଘ୍ର ଫେରିଆସି ମୁଁ ଆପଣଙ୍କୁ ସାକ୍ଷାତ କରିବି ।”

ଗଡ଼ ବାହାରେ ପହଞ୍ଚିଲା ମାତ୍ରେ ସେଡ଼୍ରିକ ଟିକିଏ ରହି ବୁଲିପଡ଼ି ଗଡ଼ ଆଡ଼କୁ ଚାହିଁଲା । ସେ ଡିବଫଙ୍କ ଟଙ୍କାକୁ ଫିଙ୍ଗିଦେଇ କହିଲେ, “ବିଶ୍ୱାସଘାତକ ନର୍ମାନ ! ତୋର ଶୀଘ୍ର ମରଣ ହେଉ । ତୋର ଏ ପାପ ଧନକୁ ସ୍ପର୍ଶ କରିବା ମଧ୍ୟ ଉଚିତ ନୁହେଁ ।”

ଅବଶ୍ୟ ଡିବଫ ଦୂରରେ ଥିବାରୁ କିଛି ଶୁଣି ପାରି ନ ଥିଲେ; କିନ୍ତୁ ସେଡ଼୍ରିକ ଫେରି ପଡ଼ି କିଛି ଫିଙ୍ଗୁଥିବାର ଦୂରରୁ ଦେଖି ପାରି ତାଙ୍କ ମନରେ ଟିକିଏ ସନ୍ଦେହ ହେଲା । ସେ ଗଡ଼ ଭିତରକୁ ଯିବାମାତ୍ରେ ସାକ୍‍ସନ ବନ୍ଦୀମାନଙ୍କୁ ଡକାଇ ପଠାଇଲେ ।

 

ଡିବଫ ମନର ଶାନ୍ତିପାଇଁ କିଛି ମଦ ପିଇ ବନ୍ଦୀମାନଙ୍କ ଆସିବାକୁ ଅପେକ୍ଷା କରି ବସି ରହିଲେ ।

 

ଓଏମ୍ଵା ଓ ଏଥେଲଷ୍ଟେନଙ୍କୁ ଜଣେ ଚାକର ନେଇଆସି ତାଙ୍କ ଆଗରେ ଛିଡ଼ା କରାଇ ଦେଲା । ଡିବଫ ସେ ଦୁହିଙ୍କୁ ଚାହିଁ କହିଲେ, “ଟର୍କୁଇଲ–ଷ୍ଟୋନ ଗଡ଼ରେ ରହିବାରେ କିପରି ମଜା ଜାଣି ପାରିଥିବ । ଏବେ ଭାବିଚିନ୍ତି କୁହ–ଟଙ୍କା ଦେଇ ଏଠାରୁ ମୁକ୍ତି ପାଇବାର ଇଚ୍ଛା ଅଛି କି ନା ? ସେ ଇଚ୍ଛା ନ ଥିଲେ ତୁମ ପାଦରେ ଦଉଡ଼ି ବାନ୍ଧି ତୁମ ମୁଣ୍ଡ ତଳକୁ କରି ଝରକା ପାଖରେ ଝୁଲାଇ ଦିଆଯିବ । କୁଆ ଶାଗୁଣା ତୁମ ଦେହର ମାଂସ ଟିକି ଟିକି କରି ଖାଇବେ ।”

 

ଓଏମ୍ଵା ଏଥିରେ ଡରି ନ ଯାଇ କହିଲା, “ବେଶ୍, ଭଲ କଥା । ପିଲାଟି ଦିନୁ ମୋର ସବୁ ଓଲଟା । ସମସ୍ତେ ଯାହାକୁ ଭଲ କହନ୍ତି, ମୁଁ ତାକୁ ମନ୍ଦ କହେ । ସମସ୍ତଙ୍କ ଗୋଡ଼ ତଳକୁ ମୁଣ୍ଡ ଉପରକୁ । ମୋର ମୁଣ୍ଡ ତଳକୁ ରହିବ ଗୋଡ଼ ଉପରକୁ ରହିବ । ଏଥିରେ ମୋର ଖୁସି ହେବାର କଥା ।”

 

ଡିବଫ ଏଭଳି କଥା ଶୁଣି ଆଶ୍ଚର୍ୟ୍ୟ ହୋଇଗଲେ । ସେ ରାଗିଯାଇ କହିଲେ, “ଏ ଲୋକଟା କିଏ ? ତାକୁ ଆଣିଲା କିଏ ?”

 

ହଠାତ୍ ଓଏମ୍ଵା ତା’ ମୁଣ୍ଡର ଆବରଣଟିକୁ କାଢ଼ି ଫିଙ୍ଗି ଦେଲା ।

 

ଏହି ସମୟରେ ଡିବ୍ରେସି ସେଠାରେ ପହିଞ୍ଚିଲେ । ସେ କହିଲେ, “ସେ କିଏ ମୁଁ କହି ପାରିବି । ସେ ହେଉଛି ସେଡ଼୍ରିକଙ୍କର ବିଦୁଷକ । ତା’ ଛଡ଼ା ଏପରି କଥା କିଏ କରନ୍ତା ? ତୁମେ ଯେଉଁ ଲୋକକୁ ଫ୍ରାୟାର ବୋଲି ମନେ କରି ଗଡ଼ ଭିତରକୁ ଛାଡ଼ିଥିଲ ଏ ହେଉଛି ସେଇ । ଏବେ ସେଡ଼୍ରିକ ତା’ର ପୋଷାକ ପିନ୍ଧି ଗଡ଼ ବାହାରକୁ ଯେ ଚାଲି ଗଲେଣି ଏଥିରେ ମୋର ସନ୍ଦେହ ନାହିଁ ।

 

ଡିବଫଙ୍କ କ୍ରୋଧର ସୀମା ରହିଲା ନାହିଁ । ସେ ରାଗରେ କମ୍ପି କହିଲେ, “ମୋ ସଙ୍ଗେ ଥଟ୍ଟା ! ଆଚ୍ଛା, ଏହାର ଫଳ ଏ ଲୋକଟାକୁ ଭୋଗିବାକୁ ପଡ଼ିବ ।”

 

ଓଏମ୍ଵାର ଦଶା କଅଣ ହୋଇଥାନ୍ତା, କୁହାଯାଇ ନ ପାରେ; କିନ୍ତୁ ଠିକ୍ ଏହି ସମୟରେ ଜଣେ ଏସ୍‍କ୍ୱାୟାର ଆସି ଡିବଫଙ୍କୁ ଜଣାଇଲା, “ଜଣେ ମଙ୍କ୍ ଭିତରକୁ ଆସିବାକୁ ଆପଣଙ୍କ ଅନୁମତି ଅପେକ୍ଷାରେ ଫାଟକ ପାଖରେ ଅଛନ୍ତି ।”

 

ଡିବଫ ସଙ୍ଗେ ସଙ୍ଗେ ଉତ୍ତର ଦେଲେ, “ଯାଅ, ଲୋକଟାକୁ ଆଗେ ତଲାସ କରି ଦେଖ-। ସେ ପ୍ରକୃତରେ କିଏ ଠିକ୍ କରି ବୁଝ । ତାହାପରେ ଭିତରକୁ ଛାଡ଼ି । ଏବେ କାହାକୁ ବିଶ୍ୱାସ କରିହେବ ନାହିଁ । ଏହାରି ଭଳି ସେ ଛଦ୍ମବେଶୀ ଅନ୍ୟ କେହି ହୋଇ ପାରିଥାଏ । ଯାଅ ସେ ପ୍ରକୃତରେ ଜଣେ ମଙ୍କ୍ ନ ହୋଇ ଅନ୍ୟ କେହି ହୋଇଥିଲେ ତା’ର ପ୍ରାଣ ନ ନେଇ ଛାଡ଼ିବି ନାହିଁ-।”

 

ଏସ୍‍କ୍ଵାୟାର କହିଲେ, “ସେପରି ଆଶଙ୍କା କରିବାର କାରଣ ନାହିଁ । ଆପଣଙ୍କର ଏସ୍‍କ୍ଵାୟାର ଜସିଲିନ୍ ତାଙ୍କୁ ଭଲରୂପେ ଜାଣନ୍ତି । ତାଙ୍କର ନାମ ହେଉଛି ବ୍ରଦର ଆମ୍ବୋଜ ।”

 

ଡିବଫ ବନ୍ଦୀ ଦୁହିଙ୍କୁ ପୁଣି ବନ୍ଦୀଶାଳାକୁ ନେବାକୁ ଆଦେଶ ଦେଇ ଏସ୍‍କ୍ଵାୟାରଙ୍କୁ କହିଲେ, “ତାହା ହେଲେ ତାଙ୍କୁ ଏଠାକୁ ଅଣାଅ । ସେ କଅଣ କହିବାକୁ ଆସିଛନ୍ତି ଦେଖାଯାଉ ।”

 

ବ୍ରଦର ଆମ୍ବୋଜ ଆସିଲା ମାତ୍ରେ ବଡ଼ ଚିନ୍ତିତ ଭାବରେ କହିଲେ, “ଓଃ ! ଏତେବେଳକୁ ମଣିଷ ଟିକିଏ ନିଶ୍ଚିନ୍ତ ହେଲା । ଆପଣ ନିଶ୍ଚୟ ଆମର ଜରଭକ୍‍ସର ପ୍ରାଏରଙ୍କୁ ଜାଣନ୍ତି । ଆପଣ ତାଙ୍କର ଜଣେ ବିଶିଷ୍ଟ ବନ୍ଧୁ ।” ଏତିକି କହି ସେ ଆଶ୍ଵସ୍ତିର ନିଃଶ୍ୱାସ ପକାଇଲେ ।

 

ଡିବଫଙ୍କର ଧୈର୍ଯ୍ୟ ନ ଥିଲା । ସେ କହି ଉଠିଲେ, “ହଁ, ହଁ, ଯାହା କହିବାର ଶୀଘ୍ର କହନ୍ତୁ-। ଦେଖନ୍ତୁ, ମୋର ସମୟର ବଡ଼ ଅଭାବ । ଜରଭକ୍‍ସର ପ୍ରାଏର କଅଣ ଖବର ଦେଇଛନ୍ତି-?”

 

ବ୍ରଦର ଆମ୍ବୋଜ ପୁଣି ଥରେ ଦୀର୍ଘ ନିଃଶ୍ଵାସ ପକାଇ କହିଲେ, “ଜଗଭକ୍‍ସର ଫ୍ରାଏର ବର୍ତ୍ତମାନ ମହା ବିପଦରେ ପଡ଼ି ଅଛନ୍ତି । ଦଳେ ଦସ୍ୟୁ ତାଙ୍କୁ ବନ୍ଦୀକରି ରଖି ଅଛନ୍ତି । ତାଙ୍କ ପାଖରେ ଯାହା ଧନରତ୍ନ ଥିଲା ସେ ସବୁ ସେମାନେ ନେଇଛନ୍ତି; କିନ୍ତୁ ସେତିକିରେ ସେମାନେ ସନ୍ତୁଷ୍ଟ ନୁହନ୍ତି । ପ୍ରାଏରଙ୍କ ମୁକ୍ତି ପାଇଁ ସେମାନେ ଆହୁରି ଟଙ୍କା ଦାବୀ କରୁଛନ୍ତି । ଆପଣ ତାଙ୍କର ଅନ୍ତରଙ୍ଗ ବନ୍ଧୁ । ତେଣୁ ସେ ମୋତେ ଆପଣଙ୍କ ପାଖକୁ ପଠାଇ ଅଛନ୍ତି । ଆପଣ ତାଙ୍କର ଅନ୍ତରଙ୍ଗ ବନ୍ଧୁ । ତେଣୁ ସେ ମୋତେ ଆପଣଙ୍କ ପାଖକୁ ପଠାଇ ଅଛନ୍ତି । ଆପଣ ଟଙ୍କା ଦେଇ ତାଙ୍କୁ ମୁକ୍ତ କରାନ୍ତୁ; ନଚେତ୍ ଜନବଳ ଦେଇ ତାଙ୍କୁ ଦସ୍ୟୁମାନଙ୍କ ହାତରୁ ଉଦ୍ଧାର କରନ୍ତୁ ।”

 

ଡିବଫ ଟିକିଏ ଚିନ୍ତାକରି କହିଲେ, “ଏପରି ଅବସ୍ଥାରେ ତାଙ୍କର ସାହାଯ୍ୟ କରିବା ଆମର କର୍ତ୍ତବ୍ୟ ସତ; କିନ୍ତୁ ବର୍ତ୍ତମାନ କିଛି କରି ପାରିବାର ଆଶା ନାହିଁ । ଦେଖ, ଗଡ଼ ଚାରିପଟେ ଶତ୍ରୁମାନେ ବେଢ଼ି ରହିଛନ୍ତି । ସେମାନଙ୍କ ସଂଖ୍ୟା ଆମ ଲୋକମାନଙ୍କର ଦଶଗୁଣ ହେବ । ଯେ କୌଣସି ମୁହୂର୍ତ୍ତରେ ସେମାନେ ଗଡ଼ି ଆନ୍ତ୍ରମଣ କରିପାରନ୍ତି । ଏପରିସ୍ଥଳେ ଆମେ ବାସ୍ତବିକ ନିରୁପାୟ ।”

 

ବ୍ରଦର ଆମ୍ବ୍ରୋଜ ଏହାଶୁଣି କହିଲେ, “ଆପଣ ଯାହା କହିଲେ, ତାହା ସତ । ମୁଁ ଆପଣଙ୍କୁ କହିବାକୁ ଭୁଲି ଯାଇଛି ଯେ, ମୁଁ ଆସିଲାବେଳେ ଗୁଡ଼ାଏ ଲୋକଙ୍କୁ ଦେଖିଲି । ସେମାନେ ଦୁର୍ଗର ବାହାର ପାଚିରୀରେ ସିଡ଼ି ଲଗାଇ ଭିତରେ ପ୍ରବେଶ କରିବାକୁ ଚେଷ୍ଟା କରୁଥିଲେ ।”

 

ଏହା ଶୁଣିଲା ମାତ୍ରେ ଡିବଫ ତାଙ୍କ ପାଖରେ ଥିବା ଲୋକଙ୍କୁ କହିଲେ, “ଶୀଘ୍ର ପାଚିରୀ ପାଖକୁ ଯାଇ ଦେଖ, ସେମାନେ କଅଣ କରୁଛନ୍ତି ।”

 

ଡିବ୍ରେସି ଯାଇ ଦେଖିଲେ ଯେ ଶହ ଶହ ପାଇକ ଜଙ୍ଗଲରେ ଏକାଠି ହୋଇ ଅଛନ୍ତି । ସେମାନଙ୍କ ଭିତରୁ ଅନେକେ ବାହାର ପାଚିରୀ ଆଡ଼କୁ ଚାଲିଛନ୍ତି । ଏହା ଦେଖି ସେ ନିଜର ଶିଙ୍ଗା ବଜାଇ ଗଡ଼ ଭିତରର ସୈନ୍ୟମାନଙ୍କୁ ସାବଧାନ କରି ଦେଲେ ଓ ଆଦେଶ ଦେଲେ ଯେ ସେମାନେ ଗଡ଼ ପାଚିରୀ ଜଗି ରହନ୍ତୁ ।

 

ବ୍ରଦର ଆମ୍ବ୍ରୋଜ ପୁଣି ଅନୁନୟ କରି କହିଲେ, “ଆପଣମାନେ ହେଉଛନ୍ତି ଫାଏରଙ୍କର ବନ୍ଧୁ । ତାଙ୍କର ଏ ବିପଦରେ ଆପଣଙ୍କ ଛଡ଼ା ଆଉ କିଏ ଅଛି ? ତାଙ୍କ ଅନୁରୋଧ କଅଣ ଏକବାରେ ବିଫଳ ହେବ ?”

 

ଡିବଫଙ୍କର ଧୈର୍ଯ୍ୟଚ୍ୟୁତି ଘଟି ଆସିଥିଲା । ସେ କ୍ରୁଦ୍ଧ ସ୍ଵରରେ କହିଲେ, “ଆରେ କିଏ ଅଛ ରେ ! ଏ ଲୋକଟାକୁ ଏଠାରୁ ନେଇଯାଅ । ଯୁଦ୍ଧ ସରିବାଯାଏ ତାକୁ ବନ୍ଦୀ କରି ରଖ ।”

 

ଟେମ୍ପଲାର ନାଇଟ୍ ଗିଲଲର୍ଟ ଗଡ଼ ପାଚିରୀ ଉପରକୁ ଯାଇ ଶତ୍ରୁମାନଙ୍କ ଆଡ଼କୁ ଚାହିଁଲେ । ସେ ଦେଖିଲେ ଯେ ପାଇକମାନେ ଶୃଙ୍ଖଳିତ ଭାବରେ ଆଗେଇଛନ୍ତି । କିପରି ଆସିଲେ ଗଡ଼ର ସୈନ୍ୟମାନେ ସେମାନଙ୍କୁ ଆକ୍ରମଣ କରି ପାରିବେ ନାହିଁ, ସେ ବିଷୟରେ ସେମାନେ ଖୁବ୍ ସତର୍କ । ସେ କହିଲେ–ଏ ପାଇକମାନଙ୍କର ନିଶ୍ଚୟ କେହି ଜଣେ ନେତା ଅଛି । ସେ ନେତା ଜଣେ ନାଇଟ୍ ହୋଇଥିବା ସମ୍ଭବ । ପୁଣି ସେ ଯୁଦ୍ଧ କୌଶଳ ଭଲରୂପେ ଜାଣିଥିବ ।”

 

ଏଥିମଧ୍ୟରେ ଡିବ୍ରେସି ମଧ୍ୟ ପାଚିରୀ ଉପରକୁ ଆସିଥିଲେ । ଡିବଫଙ୍କର କଥା ଶୁଣି ସେ ଜଙ୍ଗଲ ଆଡ଼କୁ ନିରେଖି ଦେଖିଲେ । ହଠାତ୍ ସେ କହି ଉଠିଲେ, “ହଁ, ଠିକ୍ କଥା । ମୁଁ ସେ ନାଇଟ୍‍କୁ ଦେଖି ପାରୁଛି । ସେ ହେଉଛି ସେହି ବ୍ଳାକ ନାଇଟ୍ ଯିଏ ଆଶ୍‍ବି ପ୍ରତିଯୋଗିତାରେ ଏତେ କୃତିତ୍ଵ ଦେଖାଇଥିଲା ।”

 

ଡିବଫ ଉତ୍ତର କଲେ, “ବେଶ୍, ଭଲକଥା । ମୁଁ ତା’ ଉପରେ ପ୍ରତିଶୋଧ ନେବି ବୋଲି ପ୍ରତିଜ୍ଞା କରିଥିଲି । ଏବେ ସେ ବଳେ ବଳେ ଏଠାକୁ ଆସୁଛି । ଏ ସୁଯୋଗ ଛାଡ଼ିବାର ନୁହେଁ ।”

 

ଡିବଫ ଓ ଡିବ୍ରେସି ଗଡ଼ ପାଚିରୀର ଭିନ୍ନ ଭିନ୍ନ ସ୍ଥାନରେ ଥାଇ ଶତ୍ରୁର ଆକ୍ରମଣକୁ ଅପେକ୍ଷା କରି ରହିଲେ ।

 

ଏଣେ ଆଇଭାନହୋ ଗୋଟିଏ ଛୋଟ ଘରେ ପଡ଼ିଥିଲେ । ତାଙ୍କର କ୍ଷତ ଶୁଖି ନ ଥିଲା-। ଗଡ଼କୁ ଆସିବାବେଳୁ ତାଙ୍କୁ ଜଣେ ବୁଢ଼ୀର ତତ୍ତ୍ଵାବଧାନରେ ରଖା ଯାଇଥିଲା । ସେ ବୁଢ଼ୀ ଅନେକ ଦିନରୁ ସେହି ଗଡ଼ରେ ଥିଲା ଓ ତା’ ଉପରେ ଡିବଫଙ୍କର ବିଶ୍ୱାସ ଥିଲା; କିନ୍ତୁ ଆଇଭାନହୋଙ୍କର ସେବା ଶୁଶ୍ରୂଷା କରିବାରେ ତା’ର ଆଦୌ ମନ ନ ଥିଲା । ରେବେକା ଆସି ବୁଢ଼ୀକୁ କହିଲା, “ମାଉସି, ତୁମେ ବୁଢ଼ୀଲୋକ । ଏ ଲୋକର ସେବା କରିବା ତୁମକୁ କଷ୍ଟହେବ-। ଏଣିକି ମୁଁ ତାଙ୍କ କଥା ବୁଝିବି ।” ବୁଢ଼ୀ ଆନନ୍ଦରେ ଆଇଭାନହୋଙ୍କ ସେବା କରିବାର ଭାର ରେବେକା ଉପରେ ଛାଡ଼ି ଦେଇ ନିଶ୍ଚିନ୍ତ ରହିଲା ।

 

ଆଇଭାନହୋ ଯେଉଁ ଘରେ ଥିଲେ, ସେଇଟି ଗଡ଼ ପାଚିରୀର ଖୁବ୍ ନିକଟରେ । ଆଇଭାନହୋଙ୍କର ଦେହର ବଳ ଫେରି ଆସି ନ ଥିଲା । କ୍ଷତ ମଧ୍ୟ ପୂରା ଆରୋଗ୍ୟ ହୋଇ ନ ଥିଲା; କିନ୍ତୁ ବାହାରେ ଗୋଳମାଳ ଶୁଣି ସେ ଅସ୍ଥିର ହୋଇ ଉଠିଲେ । ଆଇଭାନହୋ ବିଛଣାରେ ପଡ଼ିଥିଲେ ଓ ରେବେକା ତାଙ୍କ ପାଖରେ ବସିଥିଲେ । ବାହାରେ ଯୁଦ୍ଧର ଧ୍ଵନି ଶୁଣା ଯାଉଥିଲା ବେଳେ ବୀର ପୁରୁଷ କାହୁଁ ବିଛଣାରେ ପଡ଼ି ରହିବ ? ସେ କହିଲେ, “ରେବେକା, ମୋର ଉଠିବାକୁ ଶକ୍ତି ନାହିଁ । ଯୁଦ୍ଧରେ ପଶି ଶତ୍ରୁ ବଧ କରିବାକୁ ମୋର ମନ ଅସ୍ଥିର ହେଉଛି; କିନ୍ତୁ ଉଠିବାର ଶକ୍ତି ନାହିଁ । ଯଦି ଘୁଷୁରି ଘୁଷୁରି ଝରକା ପର୍ଯ୍ୟନ୍ତ ଯାଇ ପାରନ୍ତି ତେବେ ଅନ୍ତତଃ ଯୁଦ୍ଧ କିପରି ଚାଲିଛି ଦେଖି ପାରନ୍ତି ।

 

ରେବେକା ଆଶ୍ଵାସନା ଦେଇ କହିଲେ, “ଆପଣ ଏପରି ବ୍ୟସ୍ତ ହୁଅନ୍ତୁ ନାହିଁ । ଏପରି ଅସ୍ଥିର ହେଲେ ଦେହ ଆହୁରି ଖରାପ ହେବ । ବାହାରେ ଗୋଳମାଳ ବନ୍ଦ ହୋଇଗଲାଣି । ବୋଧହୁଏ ଯୁଦ୍ଧ ଆଦୌ ହେବ ନାହିଁ ।”

 

ଆଇଭାନହୋ ଏଥିରେ ଆଶ୍ଵସ୍ତ ନ ହୋଇ ଆହୁରି ଅଧୀର ଭାବରେ କହିଲେ, “ତୁମେ ଯୁଦ୍ଧ ବିଷୟରେ କଅଣ ଜାଣ ? ଝଡ଼ ଆସିବା ଆଗରୁ ପବନ ଏକବାରେ ଶାନ୍ତ ହୋଇ ଯାଇଥାଏ । ଗୋଳମାଳ ଯେ ଶୁଣାଯାଉ ନାହିଁ, ତାହା ହେଉଛି ଯୁଦ୍ଧର ପୂର୍ବ ଲକ୍ଷଣ । ଗଡ଼ର ସୈନ୍ୟମାନେ ନିଜ ନିଜ ସ୍ଥାନରେ ପ୍ରସ୍ତୁତ ହୋଇ ରହିଗଲେଣି । କେବଳ ଶତ୍ରୁର ଆକ୍ରମଣକୁ ଅପେକ୍ଷା କରିଛନ୍ତି । ମୁଁ କିପରି ଝରକା ପାଖକୁ ଯାଇ ପାରନ୍ତି କି ?”

 

ରେବେକା କହିଲେ, “ନା, ନା, ଆପଣ ବିଛଣାରୁ ଉଠି ପାରିବେ ନାହିଁ । ମୁଁ ଝରକା ପାଖରେ ଛିଡ଼ା ହୋଇ ଚାହିଁ ରହିବି । ଯାହା ଦେଖିବି ସବୁ ଆପଣଙ୍କୁ କହିବି ।”

 

ଆଇଭାନହୋ କହିଲେ, “ଯଦି ତୁମେ ଝରକା ପାଖରେ ଛିଡ଼ା ହେବ, ତାହାହେଲେ ଦେହକୁ ଢାଲଦ୍ୱାରା ଆବରଣ କରି ରୁହ । ଘରକଣରେ ଗୋଟାଏ ପୁରୁଣା ଢାଲ ପଡ଼ିଛି, ତାକୁ ନେଇଯାଅ ।

 

ରେବେକା ନିଜ ଦେହର ନିମ୍ନ ଭାଗକୁ ଢାଲ ଦ୍ଵାରା ଆବରଣ କରି ଝରକାପାଖରେ ଛିଡ଼ା ହେଲେ । ବାହାରେ ଯାହାସବୁ ଘଟୁଥିଲା, ତାହା ଦେଖିବାରେ ତାଙ୍କର କିଛି ଅସୁବିଧା ନ ଥିଲା-। ସେ ଆଇଭାନହୋଙ୍କୁ କହିଲେ–ଜଙ୍ଗଲ ଧାରରେ ଅନେକ ପାଇକ ଦେଖାଯାଉଛନ୍ତି-

 

ଆଇଭାନହୋ–କାହାର ପତାକା ତଳେ ସେମାନେ ଅଛନ୍ତି ?

 

ରେବେକା–ମୁଁ କୌଣସି ପତାକା ଦେଖି ପାରୁନାହିଁ ।

 

ଆଇଭାନହୋ–ପତାକା ନାହିଁ କିପରି ? ଏ ତ ବଡ଼ ଆଶ୍ଚର୍ଯ୍ୟ ? ସେମାନଙ୍କର କଅଣ କେହି ନେତା ନାହାନ୍ତି ?

 

ରେବେକୀ–ଜଣେ ନେତା ଥିଲାପରି ଜଣା ପଡ଼ୁଛି । କଳାସାଞ୍ଜୁ ପିନ୍ଧିଥିବା ଜଣେ ନାଇଟ୍ ସେମାନଙ୍କୁ ଚାଳନା କରୁଛି ।

 

ଆଇଭାନହୋ–ଦେଖ, ତାଙ୍କର ଢାଲ ଉପରେ କି ଚିହ୍ନ ଅଛି ?

 

ରେବେକା–ଢାଲ ଉପରେ ସୂର୍ଯ୍ୟକିରଣ ପଡ଼ୁଥିବାରୁ ଖାଲି ଚକ୍ ଚକ୍ ଦିଶୁଛି । ତା’ଉପରେ କିଛି ଚିହ୍ନ ଅଛି କି ନା ଜଣା ପଡ଼ୁନାହିଁ ।

 

ଏହି ସମୟରେ ବାହାରର ପାଇକମାନଙ୍କୁ ଆକ୍ରମଣ କରିବା ପାଇଁ ସଙ୍କେତ ଦିଆଗଲା-। ତାହା ସଙ୍ଗେ ସଙ୍ଗେ ଗଡ଼ର ପାଚିରୀ ଉପରୁ ଶିଙ୍ଗାଧ୍ଵନି ଶୁଣାଗଲା ।

 

ପାଇକମାନେ ତୀର ଗତିରେ ଜଙ୍ଗଲରୁ ବାହାରି ପଡ଼ିଲେ । ପ୍ରତ୍ୟେକଙ୍କ ହାତରେ ଧନୁଶର ଓ କାଠର ଢାଲ । ସେମାନେ ବାହାର ପାଚିରୀ ପାଖରେ ପହଞ୍ଚିଲାମାତ୍ରେ ପାଚିରୀ ଉପରେ ଥିବା ସୈନ୍ୟମାନଙ୍କୁ ଲକ୍ଷ୍ୟ କରି ଶର ବୃଷ୍ଟି କଲେ । ପାଚିରୀ ରକ୍ଷା କରୁଥିବା ସୈନ୍ୟମାନେ ମଧ୍ୟ ସେହିପରି ଶରମାରିବାକୁ ଲାଗିଲେ । ଉଭୟ ପକ୍ଷର ଶରବୃଷ୍ଟି ଫଳରେ ସ୍ପଷ୍ଟରୂପେ କିଛି ଦେଖାଗଲା ନାହିଁ । କେଉଁ ପକ୍ଷରୁ କେତେ ହତାହତ ହେଲେ ବୁଝା ପଡ଼ିଲା ନାହିଁ ।

 

ଆଇଭାନହୋ ପଚାରିଲେ–ରେବେକା, କଅଣ ଦେଖି ପାରୁଛ ?

 

ରେବେକା–ଉଭୟପକ୍ଷ ପରସ୍ପରକୁ ଶର ମାରିବାରେ ଲାଗିଛନ୍ତି । କେଉଁ ପକ୍ଷ ଜିଣୁଛନ୍ତି ବୁଝି ପାରୁନାହିଁ । ଶରରେ ଚାରିଆଡ଼ ଅନ୍ଧକାରମୟ; ଏପରିକି ଲୋକମାନେ ମଧ୍ୟ ଦେଖାଯାଉ ନାହାନ୍ତି ।

 

ଆଇଭାନହୋ–ତାହାହେଲେ ଏତେବେଳ ପର୍ଯ୍ୟନ୍ତ ଯୁଦ୍ଧର ଗତି କିଛି ହୋଇନାହିଁ । ପାଇକମାନେ ଏହି ଶରବୃଷ୍ଟି ଭିତରେ ଦୁର୍ଗ ଭିତରକୁ ପଶି ନ ପାରିଲେ କିଛି କରିପାରିବେ ନାହିଁ । ଆଚ୍ଛା ରେବେକା ଦେଖିଲ ସେ ବ୍ଳାକ ନାଇଟ୍ କଅଣ କରୁଛନ୍ତି ?

 

ରେବେକା–ତାଙ୍କୁ ଦେଖୁନାହିଁ । ହଁ ହଁ, ବର୍ତ୍ତମାନ ତାଙ୍କୁ ଦେଖି ପାରିଲି । ସେ ଦଳେ ପାଇକଙ୍କୁ ଘେନି ବାହାର ପାଚିରୀ ଭାଙ୍ଗିବାର ଚେଷ୍ଟା କରୁଛନ୍ତି । କୁର୍‍ହାଡ଼ିରେ ହାଣି ପାଚିରୀରୁ ଖଣ୍ଡେ ଖଣ୍ଡେ ପକାଇ ଦେଉଛନ୍ତି ? ହଁ, ଏବେ ପାଚିରୀରେ ଗୋଟାଏ ଅଂଶ ଭାଙ୍ଗି କଣା ହୋଇଗଲା । ସେହିବାଟେ ପାଇକମାନେ ଭିତରକୁ ପଶି ଯାଉଛନ୍ତି । ଓଃ, କେତେଜଣ ପାଇକ ହଟି ଯାଉଛନ୍ତି । ଭିତରପଟୁ ଡିବଫ୍ ସେମାନଙ୍କୁ ଠେଲି ଦେଉଛନ୍ତି । ଦୁର୍ଗରକ୍ଷକମାନେ ବର୍ତ୍ତମାନ ହାତାହାତି ଯୁଦ୍ଧ କରୁଛନ୍ତି ।”

 

ଯୁଦ୍ଧର ଏହି ଭୀଷଣ ଦୃଶ୍ୟ ଦେଖିବାକୁ ରେବେକାଙ୍କର ଧୈର୍ଯ୍ୟ ନ ଥିଲା । ସେ କିଛି ସମୟ ପାଇଁ ମୁହଁ ବୁଲାଇ ଦେଲେ ।

 

ଆଇଭାନହୋ ପଚାରିଲେ, “ରେବେକା, ଆଉ ଟିକିଏ ଚାହଁ । କଅଣ ଦେଖୁଛ, ମୋତେ କୁହ ।

 

ରେବେକା–ହଁ, ବର୍ତ୍ତମାନ ଡିବଫ ଓ ବ୍ଳାକନାଇଟ୍‍ଙ୍କ ଭିତରେ ହାତାହାତି ଯୁଦ୍ଧ ଚାଲିଛି । ଏଇ, ଏଇ ଜଣେ, ତଳେ ପଡ଼ିଗଲା ।

 

ଆଇଭାନହୋ–ପଡ଼ିଗଲା ! କିଏ ପଡ଼ିଗଲା ? ରେବେକା; କିଏ ପଡ଼ିଗଲା ଶୀଘ୍ର କୁହ ।

 

ରେବେକା–ବ୍ଳାକ ନାଇଟ୍‍ ପଡ଼ିଗଲେ । ନା, ନା, ବ୍ଳାକନାଇଟ୍ ପୁଣି ଉଠିପଡ଼ି ଡିବଫ୍ ସଙ୍ଗେ ପୁଣି ଯୁଦ୍ଧ କରୁଛନ୍ତି । ଏଇ ତାଙ୍କ ଖଣ୍ଡାଟା ଭାଙ୍ଗି ଦୁଇଗଡ଼ ହୋଇଗଲା । ହଁ, ଜଣେ ପାଇକ ହାତରୁ କୁର୍‍ହାଡ଼ିଟିଏ ଟାଣି ନେଇ ସେ ଡିବଫଙ୍କ ସଙ୍ଗେ ଯୁଦ୍ଧ କରୁଛନ୍ତି । ଓଃ କି ପ୍ରହାର ! ଏଇ ତଳେ ପଡ଼ିଗଲା !

 

ଆଇଦ୍ଭାନହୋ–ରେବେକା, କିଏ ପଡ଼ିଗଲା କହୁନାହଁ କାହିଁକି ? କିଏ, ଡିବଫ ?

 

ରେବେକା–ହିଁ, ଡିବଫ ତଳେ ପଡ଼ିଗଲେ । ଟେମ୍ପଲାର ନାଇଟ୍ ଗିଲବର୍ଟ କେତେ ଜଣ ସୈନ୍ୟ ଘେନି ତାଙ୍କୁ ଉଦ୍ଧାର କରିବାକୁ ପହଞ୍ଚିଗଲେଣି । ସୈନ୍ୟମାନେ ତାଙ୍କୁ ଟାଣି ନେଇଗଲେ । ପାଇକମାନେ ପାଚିରୀ ଉପରେ ସିଡ଼ି ଉପରକୁ ଉଠୁଛନ୍ତି । ପାଚିରୀ ଉପରେ ଥିବା ସୈନ୍ୟମାନେ ସେମାନଙ୍କ ଉପରକୁ କାଠ ପଥର ଯାହା ପାଉଛନ୍ତି ଫିଙ୍ଗୁଛନ୍ତି । ସିଡ଼ି ଉପରୁ କେତେ ପାଇକ ଏହି ମାଡ଼ରେ ତଳକୁ ଗଡ଼ି ପଡ଼ୁଛନ୍ତି; କିନ୍ତୁ ଅନ୍ୟ ପାଇକମାନେ ତତ୍‍କ୍ଷଣାତ୍ ସେମାନଙ୍କ ସ୍ଥାନ ପୂରଣ କରୁଅଛନ୍ତି । ଓଃ ! ସିଡ଼ି ଗୁଡ଼ାକ ଖସି ପଡ଼ିଲା । ତା’ ସାଥିରେ ପାଇକମାନେ ମଧ୍ୟ ।

 

ଆଇଭାନହୋ–ତାହା ହେଲେ କଅଣ ପାଇକମାନେ ପରାସ୍ତ ହୋଇଗଲେ ?

 

ରେବେକା–ନା, ନା । ବ୍ଲାକ ନାଇଟ ହାତରେ କୁରହାଡ଼ି ଧରି ଫାଟକ ଉପରେ ପ୍ରହାର କରୁଛନ୍ତି । ହିଁ ! ଫାଟକଟା ଭାଙ୍ଗି ପଡ଼ିବା ସଙ୍ଗେ ପାଇକମାନେ ପିମ୍ପୁଡ଼ି ଧାଡ଼ି ପରି ଭିତରକୁ ପଶି ଯାଉଛନ୍ତି । ଗଡ଼ର ବାହାର ପାଚିରୀ ସେମାନେ ଅତିକ୍ରମ କରି ଭିତରେ ପ୍ରବେଶ କଲେଣି ?

 

ଆଇଦ୍ଭାନହୋ–ସେମାନେ କଅଣ ଜଳିଟା ପାର ହୋଇଗଲେଣି ।

 

ରେବେକା–ନା, ନା । ଗିଲବର୍ଟ ତାଙ୍କ ସୈନ୍ୟମାନଙ୍କୁ ଘେନି ଉଠା ପୋଲ ଉପରେ ଭିତରକୁ ଚାଲିଗଲେ । ତା’ପରେ ପରେ ପୋଲଟାକୁ ଉଠାଇ ଦେଲେ । ତେଣୁ ଆମ ପାଇକମାନଙ୍କ ଯିବାପାଇଁ କିଛି ସୁବିଧା ନାହିଁ । ବୋଧହୁଏ କିଛି ସମୟ ପାଇଁ ଯୁଦ୍ଧ ବନ୍ଦ ହୋଇଗଲା । ପାଇକମାନେ ପୁଣି କିପରି ଆକ୍ରମଣ କରିବେ ସେଥିପାଇଁ ପ୍ରସ୍ତୁତ ହେଉଛନ୍ତି ।

 

ଆଇଭାନହୋ–ମୋର ମନକଷ୍ଟ ତୁମେ ବୁଝିପାରିବ ନାହିଁ ରେବେକା ! ଏତେବେଳେ ମୁଁ ସେହି ବ୍ଲାକ ନାଇଟ୍ ପାଖରେ ରହି ଯୁଦ୍ଧ କରିପାରିଥିଲେ ମୋର ଜୀବନ ସାର୍ଥକ ମାନେ କରିଥାନ୍ତି । ହାୟ, ମୁଁ କି ହତଭାଗ୍ୟ !

 

ରେବେକା ଆଇଭାନଙ୍କ ବିଛଣା ପାଖକୁ ଆସି ତାଙ୍କ ମୁଣ୍ଡରେ ହାତ ବୁଲାଉ ବୁଲାଉ କହିଲେ–ଆପଣ ଏତେ ଦୁର୍ବଳ । ଏପରି ଅବସ୍ଥାରେ ଆପଣ ଯୁଦ୍ଧ କରିବାର ଚିନ୍ତା ମଧ୍ୟ କରିବା ଉଚିତ୍ ନୁହେଁ । ଆପଣଙ୍କ କ୍ଷତ ଆରୋଗ୍ୟ ହୋଇଗଲେ ପୁଣି ଯୁଦ୍ଧ କରିବାର ସୁଯୋଗ ମିଳିପାରେ-। ସେଥିପାଇଁ ବ୍ୟସ୍ତ ହେବାର କିଛି କାରଣ ନାହିଁ ।

 

ଆଇଭାନହୋ ଯୁଦ୍ଧର ବିବରଣ ଶୁଣି ଉତ୍ତେଜିତ ହୋଇ ପଡ଼ିଥିଲେ । ସେ ନିତାନ୍ତ କ୍ଲାନ୍ତ ହୋଇ କିଛି ସମୟ ପରେ ଶୋଇ ପଡ଼ିଲେ ।

 

ଟର୍କୁଇଲ ଦୁର୍ଗର ପତନ

 

ଦୁର୍ଗର ହଲ୍ ଭିତରେ ଗିଲବର୍ଟ ଓ ଡିବ୍ରେସିଙ୍କ ମଧ୍ୟରେ ବିଚାର ଚାଲିଥିଲା । ଡିବ୍ରେସି ପଚାରିଲେ, “ଡିବଫଙ୍କର ଖବର କଅଣ ? ମୁଁ ଶୁଣିଲି ଯେ ତାଙ୍କର ମୃତ୍ୟୁ ହୋଇଯାଇଛି ।”

 

ଗିଲବର୍ଟ ଉତ୍ତର କଲେ, “ନା, ତାଙ୍କର ମୃତ୍ୟୁ ହୋଇନାହିଁ; କିନ୍ତୁ ତାଙ୍କର ଅବସ୍ଥା ଯେପରି ବୋଧହୁଏ ଆଉ କେତେ ଘଣ୍ଟା ମଧ୍ୟରେ ପ୍ରାଣବାୟୁ ବାହାରିଯିବ । କୁଠାରର ଯେଉଁ ଭୀଷଣ ପ୍ରହାର । ଆଉ କିଏ ହୋଇଥିଲେ, ସେହିଠାରେ ତା’ର ମୃତ୍ୟୁ ହୋଇଥାନ୍ତା । ଡିବଫ ସେହିପରି ବଳିଷ୍ଠ ଲୋକ ବୋଲି ଏତେବେଳ ଯାଏ ବଞ୍ଚିଗଲେ । ଯାହା ହେଉ, ପ୍ରିନ୍‍ସ ଜନ୍‍ଙ୍କର ବନ୍ଧୁ ମାନଙ୍କ ଭିତରୁ ଜଣେ ପ୍ରଧାନ ଲୋକ ଚାଲିଗଲା ।”

 

ଡିବ୍ରେସି କହିଲେ, “ଯିଏ ମଲା, ସେ ଗଲା । ତା’ ପାଇଁ ଚିନ୍ତା କରି ଲାଭ କଅଣ ? ଦୁଃଖ କରି ବୃଥା ସମୟ କଟାଇଲେ ଚଳିବ ନାହିଁ । ବର୍ତ୍ତମାନ ଅମେ କିପରି ଦୁର୍ଗ ରକ୍ଷା କରିବା ତାହାହିଁ ପ୍ରଧାନ ଚିନ୍ତାର ବିଷୟ ।

 

ଗିଲବର୍ଟ ପଚାରିଲେ, “ପାଚିରୀର ଯେଉଁ ଅଂଶରେ ତୁମେ ଥିଲ, ସେଠାରେ ପାଇକମାନେ କିପରି ଯୁଦ୍ଧ କରୁଥିଲେ ।

 

ଡିବ୍ରେସି ଉତ୍ତର କଲେ, “ସେ କଥା କଅଣ କହିବି ? ପାଇକଗୁଡ଼ାକ ଯେ ଆମକୁ ଏପରି ଅସ୍ତବ୍ୟସ୍ତ କରିବେ ମୁଁ ଭାବି ନ ଥିଲି । ଭାଗ୍ୟକୁ ମୁଁ ମୋର ଗୋଟାଏ ଭଲ ସାଞ୍ଜୁ ପିନ୍ଧିଥିଲି । ତା ନୋହିଥିଲେ ମୁଁ ପ୍ରାଣ ଘେନି ଫେରି ନ ଥାନ୍ତି ।”

 

ଗିଲବର୍ଟ–ଯାହା ହେଉ, ତୁମେ ସେମାନଙ୍କୁ ଦୁର୍ଗ ଭିତରକୁ ଆସିବାକୁ ଦେଇନାହଁ, କିନ୍ତୁ ଆମ ଅବସ୍ଥା ଶୋଚନୀୟ ହୋଇଗଲା । ବାହାର ପାଖ ପାଚିରୀ ସେମାନେ ଦଖଲ କରିନେଲେ । ଆମକୁ ପଳାଇ ଆସିବାକୁ ହେଲା ।

 

ଡିବ୍ରେସି–ହଁ, ପାଚିରୀକୁ ସେମାନେ ଅଧିକାର କରିବାଦ୍ୱାରା ଆମର କ୍ଷତି ହେଲା । ବର୍ତ୍ତମାନ ପାଚିରୀର ସେହି ଅଂଶରେ ରହି ସେମାନେ ଦୁର୍ଗର ଯେ କୌଣସି ଅଂଶ ଆକ୍ରମଣ କରି ପାରିବେ । ଆମର ସୈନ୍ୟ ସଂଖ୍ୟା ଅଳ୍ପ । ଦୁର୍ଗରକ୍ଷା କରିବା ସେମାନଙ୍କ ପକ୍ଷରେ ଅସମ୍ଭବ କହିଲେ ଚଳେ । ୟର୍କରୁ ମୋର ସୈନ୍ୟମାନେ ଆସି ଯାଇଥିଲେ ଅବସ୍ଥା ଭିନ୍ନ ପ୍ରକାରର ହୋଇଥାନ୍ତା । ସେମାନଙ୍କୁ ଦେଖିଲାକ୍ଷଣି ଏ ପାଇକମାନେ କୁଆଡ଼େ ପଳେଇଥାନ୍ତେ ।

 

ଗିଲବର୍ଟ–ସେମାନେ ଆସିଥିଲେ କଅଣ ହୋଇଥାନ୍ତା, ସେ କଥା କହି ଲାଭ କଅଣ ? ବର୍ତ୍ତମାନ କଅଣ କରିବାକୁ ହେବ ସେ କଥା ସ୍ଥିର କରାଯାଉ ।

 

ଦୁହିଁଙ୍କ ଭିତରେ ଅନେକ ପରାମର୍ଶ ପରେ ସୈନ୍ୟମାନଙ୍କ ଭିତରୁ ଅଧିକାଂଶଙ୍କୁ ଫାଟକ ପାଖରେ ରଖାଗଲା; କାରଣ ପାଇକମାନେ ଫାଟକଟିକୁ ଭାଙ୍ଗି ଦେଇଥିଲେ ଓ ସେହିବାଟେ ଆହୁରି ପାଇକ ପଶି ଆସିବାର ଆଶଙ୍କା ଥିଲା ।

 

ଏଣେ ପାଇକମାନେ ନିଶ୍ଚିନ୍ତ ନଥିଲେ । ଉଠାପୋଲଟି ନଷ୍ଟ ହୋଇ ଯାଇଥିବାରୁ ଜଳି ପାର ହେବାପାଇଁ ସେମାନେ ଗୋଟିଏ ଭେଳା ତିଆରି କରିବାରେ ଲାଗି ଗଲେ । ସନ୍ଧ୍ୟା ହୋଇ ଆସିବାରୁ ପାଇକମାନେ କାମ ବନ୍ଦ କରିବାକୁ ବସିଥିଲେ; କିନ୍ତୁ ବ୍ଲାକ ନାଇଟ ସେମାନଙ୍କୁ ଉତ୍ସାହ ଦେଇ କହିଲେ, ‘‘ଭାଇମାନେ, ଆମେ ଆଜି ରାତି ଭିତରେ ଦୁର୍ଗ ଆକ୍ରମଣ ନ କଲେ ରକ୍ଷାନାହିଁ । ୟର୍କରୁ ଘୋଡ଼ା ସବାର ସୈନ୍ୟମାନେ ଯେ କୌଣସି ମୁହୂର୍ତ୍ତରେ ଆସି ପହଞ୍ଚି ପାରନ୍ତି । ସେମାନେ ଆସିଗଲେ ଆମର ଅବସ୍ଥା କଅଣ ହେବ ?” ପାଇକମାନେ କାମରେ ଲାଗି ପଡ଼ିଲେ ।

 

ବ୍ଲାକ ନାଇଟ ଲକସ୍‍ଲିଙ୍କୁ ପରାମର୍ଶ ଦେଲେ–ତୁମେ ଗଡ଼ର ଆରପଟକୁ କେତେକ ପାଇକ ନେଇ ଯାଅ ଓ ସେ ପାଖରୁ ଶର ମାର । ତାହା ହେଲେ ଗଡ଼ର ସୈନ୍ୟମାନେ ମନେ କରିବେ ଯେ ଆମେ ସେ ପାଖରୁ ଆକ୍ରମଣ କରୁଛୁ । ଆମର ଭେଳା ଉପରେ ସେମାନଙ୍କର ନଜର ପଡ଼ିବ ନାହିଁ ।

 

ଏହି ପରାମର୍ଶ ଅନୁସାରେ କାର୍ଯ୍ୟ ଚାଲିଲା । ଅଳ୍ପ ସମୟ ଭିତରେ ଭେଳା ତିଆରି ହୋଇଗଲା । ବ୍ଲାକନାଇଟ ଓ ସେଡ଼୍ରିକ କେତେକ ପାଇକଙ୍କୁ ସଙ୍ଗରେ ନେଇ ଜଳି ପାର ହୋଇଗଲେ । ସେମାନେ ସଙ୍ଗେ ସଙ୍ଗେ ଗଡ଼ର ପ୍ରଧାନ ଦରଜା ଉପରେ ଚଢ଼ାଉ କଲେ । ସୈନ୍ୟମାନେ ସେମାନଙ୍କର ପ୍ରତିରୋଧ କଲେ । ଏହା ଫଳରେ କେତେକ ପାଇକଙ୍କର ମୃତ୍ୟୁ ଘଟିଲା । ତଥାପି ପାଇକମାନେ ସାହସ ସହକାରେ ଯୁଦ୍ଧ କରୁଥାନ୍ତି ।

 

ଡିବ୍ରେସି ସୈନିକମାନଙ୍କୁ ଉତ୍ସାହ ଦେଇ କହିଲେ–ତୁମକୁ ଲଜ୍ଜା ନାହିଁ । ଛାର ପାଇକ ଗୁଡ଼ାକ ଆମ ଗଡ଼ରେ ପଶିବାକୁ ସାହସ କଲେ । ବାଘର ଘରେ ମିରିଗର ନାଟ ! ମୁଁ ଗୋଟିଏ ଉପାୟ କହୁଛି । ପାଚିରୀ ଉପରେ ଯେଉଁ ଗମ୍ବୁଜ ପରି ବଡ଼ ବଡ଼ ପଥର ଖଣ୍ଡମାନ ଖଞ୍ଜାଯାଇଛି ସେଗୁଡ଼ିକୁ ଭାଙ୍ଗି ତଳକୁ ପକାଇ ଦିଅ । ଗୋଟିଏ ଗୋଟିଏ ପଥରରେ ପଚିଶ ଜଣ ପାଇକ ଛତୁ ହୋଇ ଯିବେ ।

 

ଏଥିମଧ୍ୟରେ ଲକ୍‍ସଲି ତାଙ୍କର ପାଇମାନଙ୍କସହ ବ୍ଲାକ ନାଇଟ୍‍ଙ୍କ ପାଖକୁ ଫେରିଆସିଲେ । ସେ ପାଇକମାନଙ୍କୁ କହିଲେ, “ଇଂଲଣ୍ଡର ଜୟ ହେଉ ! ମହାପୁରୁଷ ସେଣ୍ଟ ଜର୍ଜଙ୍କର ଜୟ । ଭାଇମାନେ, ଏ କଅଣ ? ବ୍ଲାକ ନାଇଟ ଓ ସେଡ଼୍ରିକ୍ ଏଇ ଦୁଇ ଜଣଙ୍କ ଉପରେ ଯୁଦ୍ଧ କରିବାର ଭାର ଛାଡ଼ି ଦେଇ ତୁମେ ନିଶ୍ଚିନ୍ତ ରହିଲେ ଚଳିବ ନାହିଁ । ଶତ୍ରୁକୁ ଧ୍ୱଂସ କର ।”

 

ଜଣେ ସୈନ୍ୟ ପାଚିରୀର ଗୋଟିଏ ଗମ୍ବୁଜକୁ ହାଣି ତଳକୁ ପକାଇବାକୁ ଚେଷ୍ଟା କରୁଥିଲା । ଲକ୍‍ସଲି ତା ଉପରକୁ ଗୋଟିଏ ଶର ମାରିଲେ । ସେତିକିରେ ସେ ପାଚିରି ତଳକୁ ଟଳି ପଡ଼ିଲା । ସଙ୍ଗେ ସଙ୍ଗେ ଆଉ ଜଣେ ସୈନ୍ୟ ଦଉଡ଼ି ଆସି ତାହାର ଅପୂର୍ଣ୍ଣ କାମକୁ ପୂର୍ଣ୍ଣ କରିବାକୁ ଚେଷ୍ଟା କଲା; କିନ୍ତୁ ମୁହୂର୍ତ୍ତକ ମଧ୍ୟରେ ଲକ୍‍ସଲିଙ୍କ ଶର ତା’ର ବକ୍ଷ ଦେଶକୁ ଭେଦ କଲା ଓ ସେ ପୂର୍ବ ସୈନିକର ଅବସ୍ଥାକୁ ପାଇଲା ।

 

ଡିବ୍ରେସି ଅଧୀର ହୋଇ ଜଣେ ସୈନ୍ୟ ହାତକୁ କୁର୍‍ହାଡ଼ି ନେଇ ଚିତ୍କାର କଲେ–ତୁମେମାନେ ଭୀରୁ କାପୁରୁଷ । ଦେଖ, ମୁଁ ନିଜେ ଏ ଗମ୍ବୁଜକୁ କାଟି ଶତ୍ରୁକୁ ଧ୍ଵଂସ କରିବି ।’’ ଏହା କହି ସେ କୁର୍‍ହାଡ଼ିରେ ଗମ୍ବୁଜ ଉପରେ ଆଘାତ କରିବାକୁ ଲାଗିଲେ । ସେଇ ଗମ୍ବୁଜଟି ତଳେ ପଡ଼ି ଯାଇଥିଲେ ବ୍ଲାକ ନାଇଟ ଓ ସେଡ଼୍ରିକଙ୍କ ସହିତ ଭେଳାଟି ମଧ୍ୟ ଧୂଳିସାତ୍ ହୋଇ ଯାଇଥାନ୍ତି । ଲକ୍‍ସଲି ଶର ପରେ ଶର ମାରିବାରେ ଲାଗିଲେ; କିନ୍ତୁ ତାଙ୍କର କୌଣସି ଶର ଡିବ୍ରେସିଙ୍କର ସାଞ୍ଜୁକୁ ଭେଦ କରି ପାରିଲାନାହିଁ । ବର୍ତ୍ତମାନ ଗମ୍ବୁଜଟି ଟଳ ଟଳ ଅବସ୍ଥାରେ ଯେ କୌଣସି ମୁହୂର୍ତ୍ତରେ ଗଡ଼ି ପଡ଼ିପାରେ । ତାହା ହେଲେ ଅବସ୍ଥା କି ଭୀଷଣ ହେବ ?

 

ଠିକ୍ ଏତିକିବେଳେ ଗୋଟିଏ ବିଚିତ୍ର ଘଟନା ଘଟିଲା । ହଠାତ୍ ଗିଲବର୍ଟ ଦଉଡ଼ି ଆସି ଡିବ୍ରେସିଙ୍କୁ କହିଲେ–ଏଠି କଅଣ କରୁଛ ? ତେଣେ ଯେ ଗଡ଼ଧ୍ଵଂସ ପାଇଲାଣି । ନିଆଁ କିପରି ଉପରକୁ ଉଠୁଛି ଦେଖି ପାରୁ ନାହିଁ ।

 

ଡିବ୍ରେସି କିଛି ବୁଝି ନ ପାରି କହିଲେ, “ତୁମେ କଅଣ ପାଗଳ ହୋଇନ ? କଅଣ କହୁଛ-?”

 

ଗିଲବର୍ଟ ଉତ୍ତର କଲେ–ନା, ମୁଁ ପାଗଳ ନୁହେଁ ତୁମର ବୁଦ୍ଧି ଲୋପ ଘଟିଛି । ଗଡ଼ର ପଶ୍ଚିମ ପାଖଯାକ ଜଳୁଛି । ଏଠାରେ ଧୂଆଁ ଦେଖି ପାରୁଥିବ । ନିଆଁ ଲିଭାଇବା ପାଇଁ ମୁଁ ଖୁବ୍ ଉଦ୍ୟମ କରିଥିଲି, କିନ୍ତୁ ପାରିଲି ନାହିଁ । ତୁମେ ସୈନ୍ୟମାନଙ୍କୁ ନେଇ ବାହାରେ ଥିବା ଶତ୍ରୁମାନଙ୍କୁ ତଡ଼ି ଜଳିରେ ପକାଇ ଦିଅ । ଶତ୍ରୁ ସଂଖ୍ୟା ବେଶୀ ନୁହେଁ; ତେଣୁ ତୁମେ ସହଜରେ ସେମାନଙ୍କୁ ହଟାଇ ପାରିବ । ମୁଁ ଆର ପାଖରୁ ଶତ୍ରୁମାନଙ୍କ ସଙ୍ଗେ ଲଢ଼େଇ କରିବି । ଏହିପରି କଲେ ୟର୍କରୁ ସୈନ୍ୟ ଆସି ଆମକୁ ଉଦ୍ଧାର କରିବାଯାଏ ସମୟ ପାଇ ପାରିବା ।

 

ଡିବ୍ରେସି ତାଙ୍କ ସୈନ୍ୟମାନଙ୍କୁ ନେଇ ପ୍ରଧାନ ଫାଟକ ଫିଟାଇ ଜଗି ରହିଲେ । ମାତ୍ର ଫାଟକ ଫିଟିବା ସଙ୍ଗେ ସଙ୍ଗେ ବ୍ଲାକ ନାଇଟ୍ ଭିତରକୁ ପଶି ଆସିଲେ । ସୈନ୍ୟମାନେ ତାଙ୍କୁ ବାଧା ଦେଇପାରିଲେ ନାହିଁ । ତାଙ୍କ ପଛେ ପଛେ ଦଳେ ପାଇକ ମଧ୍ୟ ପଶି ଆସିଲେ । ଡିବ୍ରେସି ଓ ବ୍ଲାକ ନାଇଟଙ୍କ ମଧ୍ୟରେ ଭୀଷଣ ଯୁଦ୍ଧ ଆରମ୍ଭ ହେଲା; କିନ୍ତୁ ଏ ଯୁଦ୍ଧ ବେଶୀ ବେଳଯାଏ ରହିଲା ନାହିଁ । ବ୍ଲାକନାଇଟ୍‍ଙ୍କର ଏକ ପ୍ରଚଣ୍ଡ ଆଘାତରେ ଡିବ୍ରେସି ତଳେ ପଡ଼ିଗଲେ । ବ୍ଲାକନାଇଟ୍ ଡିବ୍ରେସିଙ୍କର ଛାତି ଉପରେ ନିଜ ଖଣ୍ଡାର ମୁନ ରଖି ପଚାରିଲେ, ଜୀବନ ରକ୍ଷା କରିବାକୁ ଇଚ୍ଛା ଥିଲେ ମୋ ନିକଟରେ ଆତ୍ମସମର୍ପଣ କର ।”

 

ଡିବ୍ରେସି ତଥାପି କାତର ନ ହୋଇ କହିଲେ, “ଆପଣ କିଏ ତାହା ପ୍ରକାଶ କରନ୍ତୁ । ଅଜ୍ଞାତ ଲୋକ ନିକଟରେ ମୁଁ ଆତ୍ମସମର୍ପଣ କରି ନ ପାରେ ।”

 

ବ୍ଲାକନାଇଟ ନଇଁପଡ଼ି ତାଙ୍କ କାନପାଖରେ ନିଜର ପରିଚୟ ଜଣାଇ ଦେଲେ ।

 

ଡିବ୍ରେସି ବିନୀତ ଭାବରେ କହିଲେ, “ମୁଁ ଆପଣଙ୍କ ନିକଟରେ ବନ୍ଦୀ ଭାବରେ ଆତ୍ମସମର୍ପଣ କରୁଛି ।” ତହୁଁ ବ୍ଲାକନାଇଟ୍ ଆଦେଶ ଦେଲେ ଗଡ଼ ବାହାରକୁ ଚାଲିଯାଅ । ସେଠାରେ ମୋର ପରବର୍ତ୍ତୀ ଆଦେଶକୁ ଅପେକ୍ଷାକରି ରହିଥାଅ ।”

 

ଡିବ୍ରେସି କହିଲେ, “ଆପଣଙ୍କର ଆଦେଶ ମୋର ଶିରୋଧାର୍ଯ୍ୟ; କିନ୍ତୁ ଯିବା ପୂର୍ବରୁ ମୁଁ ଜଣାଇ ଦେବାକୁ ଚାହେଁ ଯେ ନାଇଟ୍ ଆଇଭାନହୋ ସାଘାଂତିକ ଭାବରେ ଆହତ ହୋଇ ଏହି ଦୁର୍ଗରେ ବନ୍ଦୀ ହୋଇ ରହିଛନ୍ତି । ଶୀଘ୍ର ତାଙ୍କୁ ଉଦ୍ଧାର ନ କଲେ ସେ ବଞ୍ଚି ପାରିବେ ନାହିଁ । ତାଙ୍କ ବନ୍ଦୀଶାଳା ଆଡ଼କୁ ନିଆଁ ମାଡ଼ି ଆସୁଛି ।”

 

ବ୍ଲାକନାଇଟ୍‍ଙ୍କ ଆଦେଶରେ ଡିବ୍ରେସି ଆଇଭାନହୋଙ୍କ ବନ୍ଦୀଶାଳା ଦେଖାଇ ଦେଇ ଗଡ଼ ପାଚିରୀଠାରୁ ଦୂରକୁ ଚାଲିଗଲେ ।

 

ଆଇଭାନହୋ ଶୋଇପଡ଼ିଥିଲେ; କିନ୍ତୁ ଧୂଆଁରେ ତାଙ୍କର ନିଦ ଭାଙ୍ଗିଗଲା । ରେବେକା ବିକଳ ଭାବରେ କହିଲେ, “ଗଡ଼ରେ ନିଆଁ ଲାଗିଲାଣି । ଆମର ଉଦ୍ଧାରର ଉପାୟ କଅଣ ?”

 

ଆଇଭାନହୋ କହିଲେ, “ତୁମେ ଏଠାରୁ ଚାଲିଯାଇ ନିଜର ଜୀବନ ରକ୍ଷାକର । ମୋ ପାଇଁ ଚିନ୍ତା କରିବା ଆବଶ୍ୟକ ନାହିଁ । ମୁଁ ବଞ୍ଚିରହିବା ଭଗବାନଙ୍କର ଇଚ୍ଛା ନୁହେଁ ।”

 

ରେଵେକା ଏହା ଶୁଣି ଆଖି ଛଳଛଳ କରି କହିଲେ, “ନା, ନା, ମୁଁ ନିଜର ଜୀବନ ରକ୍ଷାପାଇଁ ଆପଣଙ୍କୁ ଛାଡ଼ିଯାଇ ପାରିବି ନାହିଁ । ଆମ ଦୁହିଁଙ୍କର ଉଦ୍ଧାରର ଉପାୟ କରିବାକୁ ହେବ-। ତା’ ନ ହୋଇ ମରିବାକୁ ହେଲେ ଦୁହେଁ ଏକ ସଙ୍ଗରେ ମରିବା ।”

 

ଏହି ସମୟରେ ଗିଲବର୍ଟ ବନ୍ଦୀଶାଳାର ଦ୍ଵାର ଖୋଲି ପ୍ରବେଶ କଲେ । ତାଙ୍କ ସାଞ୍ଜୁର ନାନା ସ୍ଥାନରେ ଛିଦ୍ର ଦେଖାଯାଉଥିଲା; ଦେହର କ୍ଷତରୁ ରକ୍ତ ବହୁଥିଲା । ତାଙ୍କୁ ଦେଖି ରେବେକା ଭୟ ଓ ବିସ୍ମୟରେ ଚିତ୍କାର କରିଉଠିଲେ ।

 

ସେ କହିଲେ, “ରେବେକା, ମୁଁ ନିଜ ଜୀବନକୁ ତୁଚ୍ଛକରି ନିଆଁ ଧୂଆଁ ଭିତରେ ଏଠାକୁ ଆସିଛି । ମୋ ସାଙ୍ଗରେ ଚାଲିଆସ । ତାହାହିଁ ତୁମର ଜୀବନରକ୍ଷାର ଏକମାତ୍ର ଉପାୟ ।”

 

ରେବେକା ରୁକ୍ଷ ସ୍ଵରରେ ଉତ୍ତର କଲେ, “ମୁଁ ବରଂ ପ୍ରାଣତ୍ୟାଗ କରିବି; କିନ୍ତୁ ତୁମ ସାଙ୍ଗରେ ଯିବିନାହିଁ ।”

 

ରେବେକାଙ୍କର କଥାକୁ କାନ ନ ଦେଲେ ଗିଲବର୍ଟ ତାଙ୍କୁ ଟେକି ନେଇ ଘରୁ ବାହାରିଗଲେ । ଆଇଭାନହୋ ରେବେକାଙ୍କର ଚିତ୍କାର ଶୁଣି କହିଲେ, “ନିର୍ଲଜ୍ଜ ଗିଲବର୍ଟ, ଜଣେ ଟେମ୍ପଲର ନାଇଟ୍ ହୋଇ ଏପରି କାମ କରିବାକୁ ଯାଉଛ କିପରି ? ରେବେକାକୁ ଛାଡ଼ିଦିଅ ।”

 

କିନ୍ତୁ ଗିଲବର୍ଟ ଏହା ଶୁଣିଲେ ସୁଦ୍ଧା ରେବେକାକୁ ଛାଡ଼ିଲେ ନାହିଁ ।

 

ଆଇଭାନହୋଙ୍କର କଥାଗୁଡ଼ିକ ବ୍ଲାକ୍ ନାଇଟ୍ ଶୁଣିପାରିଲେ । ସେ ବନ୍ଦୀଶାଳାରେ ପ୍ରବେଶ କରି କହିଲେ, “ତୁମର ଏହି ଚିତ୍କାର ଶୁଣି ନଥିଲେ ମୁଁ ଏଠାକୁ ଆସି ତୁମକୁ ସାହାଯ୍ୟ କରିପାରି ନ ଥାନ୍ତି ।”

 

ଆଇଭାନହୋ କହିଲେ, “ଆପଣ ଯଦି ପ୍ରକୃତରେ ନାଇଟ୍‍ ହୋଇଥାନ୍ତି, ତେବେ ମୋତେ ଉଦ୍ଧାର କରିବା କଥା ପଛକୁ ପକାଇ ଦେଇ ଆଗେ ସେ ଟେମ୍ପଲାର ନାଇଟ୍ ଗିଲବର୍ଟ ପଛରେ ଧଇଁଯାନ୍ତୁ । ସେ ରାଓଏନା ଓ ସେଡ଼୍ରିକଙ୍କର କ୍ଷତି କରିପାରେ । ଆପଣ ଆଗେ ସେ ଦୁହିଁଙ୍କୁ ଉଦ୍ଧାର କରନ୍ତୁ ।”

 

ବ୍ଲାକ ନାଇଟ୍ କହିଲେ, “ମୁଁ ସେମାନଙ୍କୁ ନିଶ୍ଚୟ ଉଦ୍ଧାର କରିବି; କିନ୍ତୁ ଆଗେ ତୁମକୁ ଉଦ୍ଧାର କରି ନିଏ ।”

 

ଆଇଭାନହୋ ଆଉ କିଛି କହିବା ପୁର୍ବରୁ ବ୍ଲାକ ନାଇଟ୍ ତାଙ୍କୁ କାନ୍ଧରେ ବୋହି ଗୋଟିଏ ନିରାପଦ ସ୍ଥାନକୁ ନେଇଗଲେ ।

 

ଗଡ଼ର ଏକ ଅଂଶରେ ନିଆଁ ଜଳୁଥିବାବେଳେ ଅନ୍ୟ ଅଂଶମାନଙ୍କରେ ଯୁଦ୍ଧ ଚାଲିଥାଏ । ଅଗଣା, ଘର, ବାହାର ସବୁଠାରେ ପାଇକମାନଙ୍କର ସଙ୍ଗେ ସୈନ୍ୟମାନେ ଯୁଦ୍ଧ ଚଳାଇଥାନ୍ତି । ଯୁଆଡ଼େ ଚାହିଁବ ସିଆଡ଼େ ମୃତସୈନ୍ୟ ପଡ଼ିଥାନ୍ତି; କେତେ ଆହତ ହୋଇ ବିକଳ ଚିତ୍କାର କରୁଥାନ୍ତି-। ସେଡ଼୍ରିକ ଓ ଗୁର୍ଥ ଅନେକ ବେଳଯାଏ ଖୋଜି ଖୋଜି ଲେଡ଼ି ରାଓଏନାଙ୍କର ସନ୍ଧାନ ପାଇଲେ-। ସେତେବେଳକୁ ସେ ଜୀବନର ଆଶା ଛାଡ଼ି ଦେଇଥିଲେ । ସେଡ଼୍ରିକ ରାଓଏନାଙ୍କୁ ଗୁର୍ଥର ତତ୍ତ୍ୱାବଧାନରେ ଛାଡ଼ିଦେଇ ଚାଲିଗଲେ । ବର୍ତ୍ତମାନ ତାଙ୍କର ପ୍ରଧାନ କାଯ୍ୟ ହେଲା ଏଥେଲଷ୍ଟେନ ଓ ଓଏମ୍ବାର ସନ୍ଧାନ ନେବା ।

 

ସେତେବେଳକୁ ସେ ଦୁହେଁ ବନ୍ଦୀଶାଳାରୁ ବାହାରି ଆସି ଅଗଣାରେ ଯୁଦ୍ଧ କରୁଥିଲେ । ସେଡ଼୍ରିକ ଦେଖିଲେ, ଗିଲବର୍ଟ ଗୋଟିଏ ଘୋଡ଼ା ଉପରେ ବସିଛନ୍ତି ଓ କେତେ ଜଣ ସୈନିକ ତାଙ୍କୁ ରକ୍ଷା କରିବାରେ ନିଯୁକ୍ତ ଅଛନ୍ତି ତାଙ୍କ ପାଖରେ ଆଉ କେତେଜଣ ସୈନ୍ୟ ରେବେକାକୁ ଜଗି ରହିଛନ୍ତି । ଗିଲବର୍ଟ ଫାଟକ ବାଟେ ରେବେକାକୁ ନେଇ ପଳାଇବାକୁ ଚେଷ୍ଟା କରିଥିଲେ; କିନ୍ତୁ ପାଇକମାନଙ୍କ ଆକ୍ରମଣ ଫଳରେ ତାଙ୍କର ସେହି ଉଦ୍ୟମ ବିଫଳ ହୋଇଥିଲା ।

 

ଏଥେଲଷ୍ଟେନଙ୍କ ହାତରେ କୌଣସି ଅସ୍ତ୍ର ଶସ୍ତ୍ର ନ ଥିଲା । କିନ୍ତୁ ଗିଲବର୍ଟଙ୍କୁ ଦେଖିଲା କ୍ଷଣି ତାଙ୍କର ରକ୍ତ ତାତି ଉଠିଲା । ସେ ଜଣେ ମୃତସୈନିକର କୁଠାର ଧରି ସୈନିକମାନଙ୍କ ମଧ୍ୟରେ ପ୍ରବେଶ କଲେ ଓ ଗିଲବର୍ଟଙ୍କୁ ଲକ୍ଷ୍ୟ କରି କହିଲେ, “ରେ ନରାଧମ ! ଆଜି ତୋତେ ବଧ କରି ରେବେକାକୁ ଉଦ୍ଧାର କରିବି ।”

 

ଦୁହିଁଙ୍କ ମଧ୍ୟରେ କିଛି ସମୟ ପର୍ଯ୍ୟନ୍ତ ଯୁଦ୍ଧ ହେଲା । ଏଥେଲଷ୍ଟେନ ତଳେ ଛିଡ଼ାହୋଇ ଯୁଦ୍ଧ କରୁଥିଲେ । ଗିଲବର୍ଟ ଥିଲେ ଘୋଡ଼ା ଉପରେ । ତେଣୁ ଗିଲର୍ବଟଙ୍କ ପକ୍ଷରେ ଅସ୍ତ୍ରାଘାତ କରିବା ସହଜ ଥିଲା । ସେ ସୁଯୋଗ ଦେଖି ଏଥେଲଷ୍ଟେନଙ୍କୁ ଖଣ୍ଡାରେ ପ୍ରଚଣ୍ଡ ଆଘାତ କଲେ । ଏଥେଲଷ୍ଟେନ ଅଚେତନ ହୋଇ ତଳେ ପଡ଼ିଗଲେ, ତାଙ୍କ ଦେହ ରକ୍ତରେ ବୁଡ଼ିଗଲା । ପାଇକମାନେ ଏହା ଦେଖି କିଛି ବେଳଯାଏ ଭୟ ଓ ବିସ୍ମୟରେ କିଂକର୍ତ୍ତବ୍ୟ ବିମୁଢ଼ ହୋଇଗଲେ । ଏହି ସୁଯୋଗରେ ଗିଲବର୍ଟ ନିଜର ବିଶ୍ଵସ୍ତ ସୈନ୍ୟମାନଙ୍କୁ ଘେନି ଫାଟକବାଟେ ବାହାରକୁ ଚାଲିଗଲେ ।

 

ଫାଟକ ବାହାରେ ଡିବ୍ରେସି ଛିଡ଼ା ହୋଇଥିବାର ଦେଖି ଗିଲବର୍ଟ ପଚାରିଲେ, “ତୁମେ ଏଠାରେ ରହିଛ କାହିଁକି ? ଆସ, ମୁଁ ତୁମକୁ ନିରାପଦ ସ୍ଥାନକୁ ନେଇଯିବି ।”

 

ଡିବ୍ରେସି ଉତ୍ତର କଲେ, “ନା, ମୁଁ ଏଠାରେ ବନ୍ଦୀ ରହିଛି । ମୁଁ ମୁକ୍ତ ହୋଇ କାହାରି ସଙ୍ଗେ ଯିବାକୁ ମଧ୍ୟ ଇଚ୍ଛା କରେ ନାହିଁ । ତୁମକୁ ଗୋଟିଏ ପରାମର୍ଶ ଦେଉଛି–ଅତି ଶୀଘ୍ର ଫ୍ରାନ୍‍ସକୁ ପଳାଇ ଯାଇ ନିଜର ଜୀବନ ରକ୍ଷା କର ।

 

ଗିଲ୍‍ବର୍ଟ ଆଉ ଅପେକ୍ଷା ନ କରି ସୈନ୍ୟମାନଙ୍କ ସହିତ ରେବେକାକୁ ନେଇ ଜଙ୍ଗଲଆଡ଼କୁ ଚାଲିଗଲେ ।

 

ଏଥି ମଧ୍ୟରେ ନିଆଁ ଗଡ଼ର ଚାରିଆଡ଼କୁ ବ୍ୟାପି ଯାଇଥିଲା । ଗଡ଼ରେ ନିଆଁ ଲାଗିଲା କିପରି ? କି ନର୍‍ମାନ କି ସାକ୍‍ସନ୍ ଉଭୟ ପକ୍ଷର ଲୋକେ ଏହି ବିଷୟ ଆଲୋଚନା କରିବାକୁ ଲାଗିଲେ । ପ୍ରକୃତ ଘଟଣା ହେଉଛି, ଯେଉଁ ବୁଢ଼ୀ ଉପରେ ଆଇଭାନହୋଙ୍କର ସେବା କରିବା ଭାର ଦିଆଯାଇଥିଲା, ସେଇ ବୁଢ଼ୀ ଗଡ଼ରେ ନିଆଁ ଲଗାଇ ଦେଇଥିଲା । ବୁଢ଼ୀ ଉପରେ ଡିବଫ ଅନେକ ଅତ୍ୟାଚାର କରିଥିଲେ ଓ ତାହା ଫଳରେ ସେ ପାଗଳ ପ୍ରାୟ ହୋଇ ଯାଇଥିଲା । ତା’ ମନରେ ପ୍ରତିହିଂସା ବହ୍ନି ଜଳୁଥିଲା ।

 

କିନ୍ତୁ ଗଡ଼ରେ ନିଆଁ ଲଗାଇବା ପରେ ପରେ ତା’ର ପାଗଳାମି ବଢ଼ିଗଲା । ସେ ଗୀତ ଗାଇ ଗାଇ ପାଚିରୀ ଉପରେ ନାଚି ବୁଲିଲା । ଶେଷରେ ପାଚିରୀର ଗୋଟିଏ ଅଂଶ ପୋଡ଼ି ଭାଙ୍ଗି ପଡ଼ିବାରୁ ସେ ପ୍ରାଣ ହରାଇଲା ।

 

ଗଡ଼ ପୋଡ଼ି ଯାଉଥିବା ଦେଖି ସାକ୍‍ସନ ପାଇକମାନେ ଖୁବ୍ ଆନନ୍ଦିତ ହେଲେ । ସେମାନେ ଗଡ଼ରୁ ଯାହା ପାଇଲେ ଲୁଟି କରି ନେଲେ । ଲକ୍‍ସଲି ଏହି ଦୃଶ୍ୟ ଦେଖି କହିଲେ, “ନର୍‍ମାନମାନଙ୍କର ଧ୍ଵଂସ ହେଲା । କାଲି ସକାଳେ ଆମର ନିର୍ଦ୍ଦିଷ୍ଟ ଗଛ ମୂଳକୁ ଯାଇ ଲୁଣ୍ଠିତ ଧନ ବାଣ୍ଟି ନେବା ।”

 

ଟର୍କୁଇଲଷ୍ଟୋନ ଗଡ଼ ପାଉଁଶ ହୋଇ ମାଟିରେ ମିଶିଗଲା ।

 

ରେବେକା କାହିଁ ?

 

ସାକ୍‍ସନ ପାଇକମାନେ ନିର୍ଦ୍ଦିଷ୍ଟ ଗଛମୂଳରେ ଉପସ୍ଥିତ ହେଲେ । ସେମାନଙ୍କର ନେତା ବ୍ଲାକ୍ ନାଇଟ, ସେଡ଼୍ରିକ ଓ ଲକ୍‍ସଲି ମଧ୍ୟ ଉପସ୍ଥିତ ହେଲେ । ନେତା ତିନିଜଣ ଗୋଟିଏ ଉଚ୍ଚ ସ୍ଥାନରେ ବସିଥିଲେ । ଲକ୍‍ସଲି ଦେଖିଲେ ଫ୍ରାୟାରଙ୍କର ଦେଖାନାହିଁ । ତେଣୁ ତାଙ୍କୁ ଆଣିବା ପାଇଁ ସେ କେତେ ଜଣ ଲୋକ ପଠାଇ ଦେଲେ ।

 

ଲକ୍‍ସଲିଙ୍କ ମନରେ ଗୋଟିଏ ଆଶଙ୍କା ଥିଲା । ସେ ବୁଝି ପାରିଥିଲେ ସେ ଟର୍କୁଇଲଷ୍ଟୋନ ଗଡ଼ର ଧ୍ଵଂସ ଖବର ଅଳ୍ପ ସମୟ ଭିତରେ ୟର୍କରେ ପହଞ୍ଚିଯିବ । ଡିବ୍ରେସି, ମାଲଭୋଇସିନ୍ ଓ ସେମାନଙ୍କର ବନ୍ଧୁମାନେ ୟର୍କରୁ ସୈନ୍ୟ ସଂଗ୍ରହ କରି ପ୍ରତିହିଂସା ନେବାକୁ ଆସିବାରେ କିଛି ସନ୍ଦେହ ନାହିଁ । ତେଣୁ ସେ ଶୀଘ୍ର ଲୁଣ୍ଠିତ ଧନ ବାଣ୍ଟି ଦେବାକୁ ସ୍ଥିର କଲେ ।

 

ଲକ୍‍ସଲି ସେଡ଼୍ରିକଙ୍କୁ କହିଲେ–“ଯାହା କିଛି ମିଳିଛି ସେ ସବୁ ଦୁଇଭାଗ କରାଯାଇଅଛି । ଆପଣ ନିଜ ପାଇଁ ଓ ଆପଣଙ୍କ ଅନୁଚରମାନଙ୍କ ପାଇଁ ଗୋଟିଏ ଭାଗ ନିଅନ୍ତୁ ।”

 

ସେଡ଼୍ରିକ ଉତ୍ତର କଲେ, “ଆପଣଙ୍କର ଉଦାରତା ପାଇଁ ଧନ୍ୟବାଦ; କିନ୍ତୁ ମୁଁ ଏ ଧନସମ୍ପଦରୁ କିଛି ମାତ୍ର ଚାହେଁ ନାହିଁ । ମୋର ଚିନ୍ତା ହେଉଛି କିପରି ଏଥେଲଷ୍ଟେନଙ୍କର ମୃତଦେହକୁ ଉପଯୁକ୍ତ ଭାବରେ କବର ଦେବି ଓ ଲୋଡ଼ି ରାଓଏନାଙ୍କୁ ଘରକୁ ନେଇଯିବି । ମୋର ବିଦୂଷକ ଓଏମ୍ବାକୁ କିଛି ପୁରସ୍କାର ଦେବା କର୍ତ୍ତବ୍ୟ । ସେ ଏଡ଼େ ବିଶ୍ଵସ୍ତ ଯେ ନିଜ ଜୀବନକୁ ବିପନ୍ନ କରି ମୋତେ ବନ୍ଦୀଶାଳାରୁ ଉଦ୍ଧାର କରିଛି ।”

ଓଏମ୍ବା କି ପୁରସ୍କାର ଚାହେଁ ବୋଲି ପଚାରିବାରୁ ସେ କହିଲା, “ମୁଁ ମୋର କର୍ତ୍ତବ୍ୟ ମାତ୍ର କରିଛି । ତେଣୁ ମୁଁ ନିଜ ପାଇଁ କିଛି ମାତ୍ର ଚାହେଁ ନାହିଁ । ଯଦି ଆପଣ କିଛି ଦେବାକୁ ଚାହାନ୍ତି, ତେବେ ମୋର ଏତିକି ପ୍ରାର୍ଥନା–ମୋର ବନ୍ଧୁ ଗୁର୍ଥକୁ କ୍ଷମା ଦେଇ ତାକୁ ଦାସତ୍ୱରୁ ମୁକ୍ତି ଦିଅନ୍ତୁ ।”

ସେଡ଼୍ରିକ ଅତି ଆନନ୍ଦରେ ଏହି ପ୍ରାର୍ଥନା ପୂରଣ କଲେ ଓ ତାହା ସଙ୍ଗେ କେତେକ ନିଷ୍କର ଭୂମି ଦେଇ ଗୁର୍ଥକୁ ବିଦାୟ ଦେଲେ । ଏହି ସମୟରେ ଲେଡ଼ି ରାଓଏନା ଗୋଟିଏ ଘୋଡ଼ାରେ ବସି ସେଡ଼୍ରିକଙ୍କ ନିକଟରେ ଉପସ୍ଥିତ ହେଲେ । ତାଙ୍କ ହୃଦୟରେ ଯୁଗପତ୍ ହର୍ଷ ଓ ବିଷାଦ ରହିଥିଲା । ସେ ଶୁଣିଥିଲେ ଯେ ଏଥେଲଷ୍ଟେନଙ୍କର ମୃତ୍ୟୁ ଘଟିଅଛି । ଏହାଙ୍କ ସହିତ ସେଡ଼୍ରିକ ତାଙ୍କର ବିବାହ ସ୍ଥିର କରିଥିଲେ । ଅବଶ୍ୟ ଏହି ବିବାହରେ ତାଙ୍କର ସ୍ଵୀକୃତି ନଥିଲା । ଏଥେଲଷ୍ଟେନଙ୍କୁ ସେ କେବେହେଲେ ହୃଦୟରେ ସ୍ଥାନ ଦେଇ ନ ଥିଲେ । ତଥାପି ତାଙ୍କର ମୃତ୍ୟୁରେ ସେ ଦୁଃଖିତ ହୋଇଥିଲେ । ଆଇଭାନହୋଙ୍କ ବୀରତ୍ୱରେ ସେ ମୁଗ୍‍ଧ ଥିଲେ । ସେ ନିରାପଦ ଥିବାର ସମ୍ବାଦରେ ରାଓଏନା ଆନନ୍ଦିତ ହେବାର କଥା ।

ଲେଡ଼ି ରାଓଏନା ଲକ୍ସଲିଙ୍କର ପ୍ରଶଂସା କରି କହିଲେ, “ଆପଣ ଓ ଆପଣଙ୍କ ଅନୁଚରମାନେ ଆମର ଯେଉଁ ଉପକାର କରିଛନ୍ତି ସେଥିପାଇଁ ଅନ୍ତରର ସହିତ ଧନ୍ୟବାଦ ଦେଉଅଛି । ଯଦି କେବେ ଆପଣଙ୍କର ଏହି ବନରାଜ୍ୟରେ କିଛି ବିପଦ ଘଟେ ତେବେ ମୋର ଆଶ୍ରୟ ନେଲେ ମୁଁ କୃତାର୍ଥ ହେବି ।”

ଲକ୍‍ସଲି ବିନୀତ ଭାବରେ କହିଲେ, “ଆପଣଙ୍କ ଉଦାରତା ନିମନ୍ତେ ଧନ୍ୟବାଦ; କିନ୍ତୁ ଆପଣଙ୍କୁ ଉଦ୍ଧାର କରିପାରିଥିବାରୁ ଆମେମାନେ ନିଜକୁ ଭାଗ୍ୟବାନ୍ ମନେ କରୁଛୁ । ତାହାହିଁ ଆମର ଶ୍ରେଷ୍ଠ ପୁରସ୍କାର ।”

 

ସେଡ୍ରିକ ରାଓଏନାଙ୍କ ସହିତ ନିଜ ବାସସ୍ଥାନକୁ ଚାଲିଗଲେ ।

 

ତତ୍ପରେ ଲକ୍‍ସଲି ବ୍ଲାକ ନାଇଟଙ୍କୁ କହିଲେ, “ଏବେ ଆପଣ ଲୁଣ୍ଠିତ ଦ୍ରବ୍ୟର ଗୋଟିଏ ଅଂଶ ନିଅନ୍ତୁ ।” କିନ୍ତୁ ବ୍ଲାକ ନାଇଟ୍ ଉତ୍ତର କଲେ, “ମୁଁ ମୋର ଇଚ୍ଛା ଅନୁସାରେ ଗୋଟିଏ ଭାଗ ନେବି । ଏ ଧନରତ୍ନ ମୋର ଦରକାର ନାହିଁ । ମୁଁ କେବଳ ବନ୍ଦୀମାନଙ୍କ ମଧ୍ୟରୁ ଜଣକୁ ନେବାକୁ ଚାହେଁ ।” ଏଥିରେ ସମସ୍ତେ ବିସ୍ମିତ ହେଲେ ଓ ବ୍ଲାକ ନାଇଟ୍ ଡିବ୍ରେସିଙ୍କୁ ନେଲେ ।

 

ସମସ୍ତେ ଭାବିଥିଲେ, ବ୍ଲାକ ନାଇଟ ଡିବ୍ରେସିଙ୍କୁ ନିର୍ଦ୍ଦୟ ଭାବରେ ହତ୍ୟାକରି ପ୍ରତିଶୋଧ ନେବେ; କିନ୍ତୁ ସେ ତାହା ନ କରି ନିଜ ହାତରେ ତାଙ୍କର ବନ୍ଧନ ଖୋଲି ଦେଇ କହିଲେ, “ଯାଅ, ତୁମେ ବର୍ତ୍ତମାନ ମୁକ୍ତ । କିନ୍ତୁ ଭବିଷ୍ୟତକୁ ସାବଧାନ ରହିବ ।”

 

ଲକ୍‍ସଲି ଲୁଣ୍ଠିତ ଧନର ଗୋଟିଏ ଭାଗ ଦରିଦ୍ରମାନଙ୍କ ପାଇଁ ରଖି ଅବଶିଷ୍ଟ ଧନକୁ ତାଙ୍କର ଅନୁଚର ପାଇକମାନଙ୍କ ମଧ୍ୟରେ ବାଣ୍ଟିଦେଲେ ।

 

ଏହି ସମୟରେ ଫ୍ରାୟାର ଆଇଜାକ୍‍କୁ ଗୋଟିଏ ଦଉଡ଼ିରେ ବାନ୍ଧି ପହଞ୍ଚିଲେ ଓ କେତେଜଣ ସୈନିକ ଏଇମରଙ୍କୁ ବନ୍ଦୀ ଅବସ୍ଥାରେ ଆଣି ପହଞ୍ଚିଲେ । ଏଇମର ଚିତ୍କାର କରୁଥିଲେ–”ଏ କି ଅନ୍ୟାୟ । ମୋର ଦଲିଲ ଦସ୍ତାବିଜ, ମୋର ଟଙ୍କା ପଇସା ସବୁ ନେଇଗଲ କାହିଁକି ? ମୁଁ ଗୋଟାଏ ଧର୍ମାନୁଷ୍ଠାନର ମାଲିକ । ମୋ ପ୍ରତି ଏ କି ବ୍ୟବହାର ? ମୋର ସବୁ ଜିନିଷ ଫେରାଇ ଦିଅ ।”

 

ଏଇମରଙ୍କ କଥା କେହି ଶୁଣିଲେ ନାହିଁ । ଲକ୍‍ସଲି ଓ ପାଇକମାନଙ୍କ ବିଚାରରେ ସ୍ଥିର ହେଲା–ଆଇଜାକ୍‍ ଓ ଏଇମର ପ୍ରତ୍ୟେକେ ଛଅ ଶହ କ୍ରାଉନ ଜରିମାନା ଦେଲେ ସେମାନଙ୍କୁ ଛାଡ଼ି ଦିଆଯିବ; କିନ୍ତୁ ଆଇଜାକ୍‍ ତା’ର ଝିଅ ରେବେକାକୁ ହରାଇ ଥିବାରୁ ପରେ ତାର ଜରିମାନାରୁ ଶହେ କ୍ରାଉନ କମାଇ ଦିଆଗଲା ।

 

ରେବେକାର ନାମ ଶୁଣି ଜଣେ ପାଇକ କହିଲା, “ମୋର ବିଶ୍ୱାସ ରେବେକା ମରିନାହିଁ । ଯୁଦ୍ଧ ଶେଷ ହେଲାବେଳକୁ ମୁଁ ଦେଖିଲି, ଗିଲବର୍ଟ ରେବେକାକୁ ଘୋଡ଼ା ଉପରେ ବସାଇ ପଳାଉଛି-। ମୁଁ ଶରମାରିବାକୁ ବସିଥିଲି; କିନ୍ତୁ କାଳେ ଶରଟା ଗିଲବର୍ଟ ଦେହରେ ନ ବାଜି ରେବେକା ଦେହରେ ବାଜିବ, ଏହି ଭୟରେ ଶର ମାରି ପାରିଲି ନାହିଁ ।”

 

ଆଇଜାକ୍‍ କହିଲା, “ତୁମର ଶରରେ ତା’ର ପ୍ରାଣ ଯାଇଥିଲେ ମୋର ଦୁଃଖ ହୋଇ ନ ଥାନ୍ତା । ଗିଲବର୍ଟ ହାତରେ ବନ୍ଦୀ ହୋଇ ମୋ ଝିଅ ଯେ କି ଦୁଃଖ ପାଇବ ତାହା ମୁଁ କଳନା କରି ପାରୁନାହିଁ । ତାହାଠାରୁ ମରଣ ଶତଗୁଣେ ଭଲ ହୋଇଥାନ୍ତା ।”

 

ଲକ୍‍ସଲି ଆଇଜାକ୍‍କୁ ଏକୁଟିଆ ଡାକି ନେଇ କହିଲେ, “ମୋର ମନେହୁଏ ତମ ଝିଅ ବର୍ତ୍ତମାନ ଟେମ୍ପଲଷ୍ଟୋରେ ଥିବ । ଟେମ୍ପଲାର ନାଇଟମାନଙ୍କର ବାସସ୍ଥାନ ତାହାରି ନିକଟରେ । ପ୍ରାଏର ଏଇମରଙ୍କ ସାହାଯ୍ୟରେ ତୁମେ ରେବେକାକୁ ଉଦ୍ଧାର କରିପାର । ଗିଲବର୍ଟ ଏଇମରଙ୍କ କଥାକୁ ମାନେ । ତାଙ୍କଠାରୁ ଖଣ୍ଡେ ଚିଠି ନେଇ ତୁମେ ଟେମ୍ପଲଷ୍ଟୋ ଯାଇ ରେବେକାକୁ ଉଦ୍ଧାର କରିପାରିବ ।”

 

ଆଇଜାକ୍ ଟଙ୍କାର ଲୋଭ ଦେଖାଇ ଏଇମରଙ୍କଠାରୁ ଖଣ୍ଡିଏ ଚିଠି ଲେଖାଇ ନେଲା । ସେଥିରେ ରେବେକାକୁ ଛାଡ଼ିଦେବାପାଇଁ ସେ ଗିଲବର୍ଟଙ୍କୁ ପରାମର୍ଶ ଦେଇଥିଲେ ।

 

ଆଇଜାକ୍ ଚିଠି ଖଣ୍ଡିକ ଧରି ବାହାରିଲା । ଦୁଇଜଣ ପାଇକ ବାଟ ଦେଖାଇବାକୁ ତା’ ସଙ୍ଗରେ ଗଲେ ।

 

ପ୍ରାଏର ଏଇମରଙ୍କୁ ସମସ୍ତ ଧନ ସମ୍ପତ୍ତି ହରାଇବାକୁ ପଡ଼ିଲା । ଲକ୍ସଲି ତାଙ୍କୁ କିଛି ଫେରାଇ ଦେଲେ ନାହିଁ ।

 

ବ୍ଳାକ୍‍ ନାଇଟ୍ ବିଦାୟ ନେବାକୁ ବାହାରିବାବେଳେ ଲକ୍‍ସଲିଙ୍କୁ ପଚାରିଲେ, “ମହାଶୟ, ଆପଣ ଆମର ଯଥେଷ୍ଟ ଉପକାର କରିଛନ୍ତି; କିନ୍ତୁ ଏତେ ବେଳଯାଏ ଆମେ ଆପଣଙ୍କର ପରିଚୟ ପାଇଲୁ ନାହିଁ ।”

 

ଲକ୍‍ସଲି ଉତ୍ତର କଲେ, “ପ୍ରତ୍ୟେକ ଲୋକ କିଛି ଗୋପନ ରଖିଥାଏ । ଆପଣଙ୍କର ପରିଚୟ ମୁଁ ଯେତେବେଳେ ଚାହୁଁ ନାହିଁ ସେତେବେଳେ ଆପଣ ମୋର ପରିଚୟ ଚାହାନ୍ତୁ ନାହିଁ ।”

 

ବ୍ଲାକ୍‍ ନାଇଟ୍ ଆଉ ସେ ବିଷୟ ଆଲୋଚନା ନ କରି କହିଲେ, “ଆପଣଙ୍କ କଥା ଠିକ୍ । ତେବେ ମୋର ଆଶା, ଆମର ପୁଣି ସାକ୍ଷାତ ହେବ ଓ ପରସ୍ପରର ପରିଚୟ ପାଇବାର ସୁଯୋଗ ଘଟିବ ।”

 

ଲକ୍‍ସଲି ଓ ବ୍ଲାକନାଇଟ୍ ବନ୍ଧୁ ଭାବରେ ପରସ୍ପର କର ମର୍ଦ୍ଦନ କଲେ ଓ ବ୍ଲାକ୍‍ ନାଇଟ୍ ନିଜ ଘୋଡ଼ା ଉପରେ ବସି ଚାଲିଗଲେ ।

 

ୟର୍କରେ ଜନ୍‍ଙ୍କର ଅବସ୍ଥା

 

ଓୟାଲ୍‍ଡମର ଫିଜର୍ସ ଜନ୍‍ଙ୍କ ଅଭିଷେକ ପାଇଁ ବିଶେଷ ଆଗ୍ରହୀ ଥିଲେ । ଜନ୍‍ଙ୍କର ସମର୍ଥକମାନେ ନିମନ୍ତ୍ରିତ ହୋଇଥିଲେ; କିନ୍ତୁ ଅଭିଷେକ ପାଇଁ ନିର୍ଦ୍ଦିଷ୍ଟ ଦିନ ଦେଖାଗଲା ନିମନ୍ତ୍ରିତ ବିଶିଷ୍ଟ ବ୍ୟକ୍ତିମାନଙ୍କ ମଧ୍ୟରୁ ଅନେକ ଅନୁପସ୍ଥିତ । ବିଶେଷତଃ ଡିବଫ୍ ଓ ଗିଲବର୍ଟଙ୍କର ଅନୁପସ୍ଥିତି ଫି ଜର୍ସଙ୍କୁ ଆଶ୍ଚର୍ଯ୍ୟାନ୍ଵିତ କରିଦେଲା । ଏ ଦୁଇଜଣଙ୍କ ସାହାଯ୍ୟ ବିନା ଫିଜର୍ସ୍ ଅଭିଷେକ ଉତ୍ସବରେ ଅଗ୍ରସର ହେବାର ଆଶା ନ ଥିଲା । ଏପରିକି ନିଜେ ଜନ୍ ମଧ୍ୟ ବିଚଳିତ ହୋଇ ପଡ଼ିଲେ । ଆଇଜାକ୍‍ର ଅନୁପସ୍ଥିତି ମଧ୍ୟ ଏକ ଚିନ୍ତାର କାରଣ ହୋଇଥିଲା । ଉତ୍ସବ ନିମିତ୍ତ ଟଙ୍କା ଦରକାର । ଜନ୍‍ଙ୍କ ପାଖରେ ଟଙ୍କାର ଅଭାବ । ଆଇଜାକ୍ ଠାରୁ ଟଙ୍କା ପାଇବାର ଆଶା ଥିଲା ।

 

ଯେଉଁଦିନ ଟର୍କୁଇଲଷ୍ଟୋନ ଦୁର୍ଗର ପତନ ଘଟିଲା, ତାହାର ପରଦିନ ସକାଳେ ଯୁଦ୍ଧରେ ସମ୍ବାଦ ୟର୍କରେ ପହଞ୍ଚିଲା । ୟର୍କର ଲୋକେ ଗୋଟାଏ ଉଡ଼ା ଖବର ପାଇଲେ ଯେ ସେହି ଯୁଦ୍ଧରେ ଡିବ୍ରେସି, ଡିବଫ ଓ ଗିଲବର୍ଟ ତିନିଜଣଯାକ ହୁଏତ ପ୍ରାଣ ହରାଇଛନ୍ତି କିମ୍ବା ବନ୍ଦୀ ହୋଇଛନ୍ତି । ଓୟାଲଡ଼ମର ପ୍ରିନ୍‍ସ ଜନ୍‍ଙ୍କୁ ଏହି ସମ୍ବାଦ ଦେବା ସଙ୍ଗେ ସଙ୍ଗେ ସେ ଡିବ୍ରେସିଙ୍କର ସେଡ଼୍ରିକ ଓ ତାଙ୍କ ଲୋକଙ୍କ ଉପରେ ଆକ୍ରମଣର ପ୍ରସ୍ତାବ ବିଷୟ ମଧ୍ୟ ଜଣାଇଦେଲେ ।

 

ପ୍ରିନ୍‍ସ ଜନ୍ ନିତାନ୍ତ ବ୍ୟସ୍ତ ହୋଇ ପଡ଼ିଲେ । ସେ ଭାବିଲେ ଏପରି ସମୟରେ ଏ ପ୍ରସ୍ତାବ ମୂର୍ଖତାର କାର୍ଯ୍ୟ ହେବ । ସେ ଆକୁଳ ହୋଇ ଓୟାଲ୍ଡ଼ମରଙ୍କ ପରାମର୍ଶ ଚାହିଁଲେ ।

 

ଓୟାଲାଡ଼ମର କହିଲେ, “ଆପଣ ଚିନ୍ତା କରନ୍ତୁ ନାହିଁ । ସେମାନେ ବନ୍ଦୀ ହୋଇଥିଲେ ଉଦ୍ଧାର କରି ଆଣିବାପାଇଁ ମୁଁ ଦଳେ ସୈନ୍ୟଙ୍କୁ ଟର୍କୁଇଲଷ୍ଟନକୁ ପଠାଇ ଦେଉଛି ।”

 

ଏହିପରି କଥାବାର୍ତ୍ତା ଚାଲିଥିବା ବେଳେ ସ୍ଵୟଂ ଡିବ୍ରେସି ଗୃହ ମଧ୍ୟରେ ପ୍ରବେଶ କଲେ । ତାଙ୍କର ସାଞ୍ଜୁ ଅନେକ ସ୍ଥାନରେ ଛିନ୍ନ ବିଚ୍ଛିନ୍ନ ହୋଇଯାଇଥିଲା, ଦେହରେ ଧୂଳିମାଟି ଲାଗିଥିଲା ।

 

ତାଙ୍କୁ ଏପରି ଅବସ୍ଥାରେ ଦେଖି ପ୍ରିନ୍‍ସ ଜନ୍ ବିସ୍ମିତ ହୋଇ ପଚାରିଲେ, “ଘଟନା କଅଣ-?” ଓୟାଲ୍‍ଡ଼ମର ମଧ୍ୟ ପଚାରିଲେ, “ଡବଫ୍ ଓ ତେମ୍ପଲାର ନାଇଟ୍‍ଙ୍କ ଖବର କଅଣ ?”

 

ଡିବ୍ରେସି ଉତ୍ତର କଲେ, “ବଡ଼ ଦୁଃଖର ସମ୍ବାଦ ! ଡିବଫ୍‍ଙ୍କର ମୃତ୍ୟୁ ହୋଇଯାଇଛି । ଟେମ୍ପଲାର ନାଇଟ୍ ପଳାଇ ଯାଇ ଅଛନ୍ତି । ସବୁଠାରୁ ବଳି ଦୁଃସମ୍ବାଦ ହେଉଛି, ରାଜା ରିଚାର୍ଡ଼ ଇଂଲଣ୍ଡକୁ ଫେରି ଆସିଛନ୍ତି ।”

 

ଏହି ସମ୍ବାଦରେ ଜନ୍ ଚମକି ଉଠିଲେ । ସେ ଅବିଶ୍ଵାସ କଲାପରି ଡିବ୍ରେସିଙ୍କୁ ଚାହିଁବାରୁ ସେ କହିଲେ, “ଏ ସମ୍ବାଦ ମିଥ୍ୟା ନୁହେଁ । ମୁଁ ନିଜ ଆଖିରେ ରାଜା ରିଚାର୍ଡ଼ଙ୍କୁ ଦେଖିଛି । ତାଙ୍କ ସଙ୍ଗେ କଥାବାର୍ତ୍ତା କରିଛି ।”

 

ଓୟାଲ୍ଡ଼ମର କହି ଉଠିଲେ, “ଡିବ୍ରେସି ତୁମର ମସ୍ତିଷ୍କ ବିକୃତି ଘଟିଥିବ । ତା’ ନ ହେଲେ ଏପରି କହନ୍ତ ନାହିଁ ।”

 

ଡିବ୍ରେସି ଉତ୍ତର କଲେ, “ଆପଣମାନେ ମୋତେ ବିଶ୍ୱାସ କରନ୍ତୁ । ଟର୍କୁଇଲଷ୍ଟୋନରେ ରିଚାର୍ଡ଼ ମୋତେ ବନ୍ଦୀ କରିଥିଲେ । ସେହିଠାରେ ମୋର ତାଙ୍କ ସଙ୍ଗେ କଥାବାର୍ତ୍ତା ମଧ୍ୟ ହୋଇଥିଲା-।”

 

ଓୟାଲଡ଼ମର ଅସ୍ଥିର ଭାବରେ ପଚାରିଲେ, “ତାଙ୍କ ସଙ୍ଗରେ କେତେ ସୈନ୍ୟ ଅଛନ୍ତି ?”

 

ଡିବ୍ରେସି–ବେଶି ସୈନ୍ୟ ନାହାନ୍ତି । କେବଳ କେତେ ଜଣ ବଣୁଆ ପାଇକ ଅଛନ୍ତି । ସେମାନେ ମଧ୍ୟ ରିଚାର୍ଡ଼ଙ୍କର ପରିଚୟ ପାଇ ନାହାନ୍ତି । ମୋର ବିଶ୍ୱାସ, ରିଚାର୍ଡ଼ ସେମାନଙ୍କର ନେତା ହୋଇ ଦୁର୍ଗ ଆକ୍ରମଣ କରିବାକୁ ଆସି ନ ଥିଲେ । ପାଇକମାନେ ଦୁର୍ଗ ଆକ୍ରମଣ କଲା ପରେ ସେ ସେମାନଙ୍କୁ ସାହାଯ୍ୟ କରିବାକୁ ଆସିଥିଲେ ।

 

ଓୟାଲ୍ଡ଼ମର–ହଁ, ତା’ ହୋଇଥିବା ସମ୍ଭବ । ଡିବ୍ରେସି, ଏବେ ତୁମେ କଅଣ କରିବ ବୋଲି ଭାବିଛ ?

 

ଡିବ୍ରେସି–ଆଉ କଅଣ କରିବି ? ମୋର ବିଶ୍ୱସ୍ତ ଲୋକମାନଙ୍କୁ ନେଇ ଜାହାଜରେ ବସି ଫ୍ରାନ୍‍ସକୁ ପଳାଇବି । ମୋ ମତରେ ତୁମେ ମଧ୍ୟ ସେଇଆ କରିବା ଭଲ ।

 

ଓୟାଲ୍ଡ଼ମର–ଏ ବୃଦ୍ଧ ବୟସରେ ଫ୍ରାନ୍‍ସକୁ ପଳାଇ ମୋର କି ଲାଭ ? ବରଂ ମୁଁ ସେଣ୍ଟପିଟର ଗିର୍ଜାରେ ଆଶ୍ରୟ ନେବି । ଗିର୍ଜାର ଆର୍ଚ୍ଚବିଶପ୍ ମୋର ଜଣେ ବନ୍ଧୁ ।

 

ପ୍ରିନ୍‍ସ ଜନ୍ ନୀରବରେ ଏହି କଥାବାର୍ତ୍ତା ଶୁଣୁଥିଲେ । ସେ ଭାବିଲେ, ମୋର ବନ୍ଧୁମାନେ ଜଣକ ପରେ ଜଣେ ମତେ ଛାଡ଼ି ଚାଲିଯାଉଛନ୍ତି । ମୋର ଅବସ୍ଥା କଅଣ ହେବ ?

 

ଓୟାଲ୍ଡ଼ମରଙ୍କୁ ଲକ୍ଷ୍ୟ କରି ଡିବ୍ରେସି କହିଲେ, “ନିଜ ଜୀବନ ରକ୍ଷାକରିବାକୁ ଇଚ୍ଛା ଥିଲେ ଆମେମାନେ ଫ୍ରାନସକୁ ପଳାଇବା ଉଚିତ । ରିଚାର୍ଡ଼ ଫେରିଥିବା ସମ୍ବାଦ ଜଣାଗଲାକ୍ଷଣି ସୈନ୍ୟମାନେ ତାଙ୍କୁ ଅନୁସରଣ କରିବେ । ସେତେବେଳକୁ ଆମର ଅବସ୍ଥା କଅଣ ହେବ ?

 

ଜନ୍ ଚିନ୍ତିତ ଭାବରେ କହିଲେ, “ମୁଁ ଆତ୍ମରକ୍ଷା ପାଇଁ ବ୍ୟାକୁଳ ନୁହେଁ । ତୁମେମାନେ ମୋତେ ଛାଡ଼ି ଯିବାକୁ ବସିଛ । ତୁମମାନଙ୍କର ମରଣ ମୋର କେବେ କାମ୍ୟ ହୋଇ ନ ପାରେ; କିନ୍ତୁ ମୁଁ ପଚାରୁଛି–ଡିବ୍ରେସି, ରିଚାର୍ଡ଼ଙ୍କ ବନ୍ଧୁମାନେ ତୁମକୁ ନିରାପଦରେ ଫ୍ରାନ୍‍ସକୁ ଯିବାପାଇଁ ଛାଡ଼ିଦେବେ କି ? ଆଉ ଓୟାଲଡ଼ମର, ସେଣ୍ଟ୍‍ ପିଟର ଗିର୍ଜାର ଆର୍ଚ୍ଚବିଶପ୍ ଏ ପରିସ୍ଥିତିରେ ତୁମକୁ ଆଶ୍ରୟ ଦେବେ କି ? ମୋର ପ୍ରସ୍ତାବ ଶୁଣ । ବର୍ତ୍ତମାନ ରିଚାର୍ଡ଼ ଅଜ୍ଞାତ ଭାବରେ ଏକାକୀ ଇଂଲଣ୍ଡରେ ବୁଲୁଛନ୍ତି । ଏଇ ସୁଯୋଗରେ ତାଙ୍କୁ ହତ୍ୟା କରିବାହିଁ ହେଉଛି ପ୍ରଧାନ ଉପାୟ ।”

 

ଡିବ୍ରେସି–ମୁଁ କେବେହେଲେ ତାଙ୍କ ପ୍ରତି ହାତ ଉଠାଇ ପାରିବି ନାହିଁ । ସେ ମୋତେ ବନ୍ଦୀ କରିଥିଲେ; କିନ୍ତୁ ପରେ ମୁକ୍ତି ଦେଇଛନ୍ତି ।

 

ଓୟାଲଡ଼ମର–ମହାରାଜ, ତାହାହେଲେ ମୋତେ ହିଁ ସେ କାର୍ଯ୍ୟର ଭାର ନେବାକୁ ପଡ଼ିବ । ମୋତେ ବିଦାୟ ଦିଅନ୍ତୁ । ପରେ ଶୁଭକାଳ ଆସିଲେ ଆମର ସାକ୍ଷାତ୍ ହୋଇପାରେ ।

 

ଏହା କହି ଓୟାଲଡ଼ମର ପ୍ରିନ୍‍ସ ଜନ୍‍ଙ୍କଠାରୁ ବିଦାୟ ନେଇ ଚାଲିଗଲେ ।

 

ରେବେକାର ବିଚାର

 

ଆଇଜାକ୍ ପ୍ରାଏର ଏଇମରଙ୍କର ଚିଠିଖଣ୍ଡିକ ଧରି ଘୋଡ଼ାରେ ବସି ଚାଲିଲା । ସେ ଖୁବ୍ ବେଗରେ ଘୋଡ଼ା ଚଳାଉଥାଏ । ତାର ଆଶା ଗିଲବର୍ଟ ଏଇମରଙ୍କ ଚିଠି ଖଣ୍ଡିକ ପାଇଲେ ତା’ର ପ୍ରାଣତୁଲ୍ୟ ଝିଅ ରେବେକାର ମୁକ୍ତି ମିଳିପାରିବ; କିନ୍ତୁ ତାର ଦୁର୍ଭାଗ୍ୟ; ସେ ଟେମ୍ପଲଷ୍ଟୋରେ ପହଞ୍ଚିଲାକ୍ଷଣି ଚିଠି ଖଣ୍ଡିକ ଗିଲବର୍ଟଙ୍କ ହାତକୁ ନ ଯାଇ ଗ୍ରାଣ୍ଡମାଷ୍ଟରଙ୍କ ହାତରେ ପଡ଼ିଲା ।

 

ଚିଠିଟି ପଢ଼ିଲାକ୍ଷଣି ଗ୍ରାଣ୍ଡମାଷ୍ଟରଙ୍କ କ୍ରୋଧ ବଢ଼ିଗଲା । ତାଙ୍କର ଟେମ୍ପଲଷ୍ଟୋକୁ ଆସିବାର ଉଦ୍ଦେଶ୍ୟ ଥିଲା, ଯେଉଁ ଟେମ୍ପଲାର ନାଇଟ୍‍ମାନେ ପ୍ରତିଜ୍ଞା ଭଙ୍ଗ କରିଥିଲେ ସେମାନଙ୍କୁ ଦଣ୍ଡ ଦେବା । ଏବେ ସେ ଚିଠିରୁ ଜାଣିପାରିଲେ ଗିଲବର୍ଟ ଯେ କେବଳ ତାଙ୍କୁ ଅମାନ୍ୟ କରିଛନ୍ତି, ତାହା ନୁହେଁ; ଆହୁରି ମଧ୍ୟ ସେ ଜଣେ ଯୁବତୀକୁ ନେଇ ଆସିଛନ୍ତି । ରେବେକା ନାନା ପ୍ରକାର ଔଷଧ ଓ ମନ୍ତ୍ରଯନ୍ତ୍ର ଜାଣେ । ଏହା ଶୁଣି ସେ ଗିଲ୍‍ବର୍ଟଙ୍କ ଉପରେ ରାଗରେ ଜଳିଗଲେ । ରେବେକା ଏହି ବିଦ୍ୟା ଜଣେ ବୁଢ଼ୀଠାରୁ ଶିଖିଥିଲା । ସେହି ବୁଢ଼ୀ ଗୋଟାଏ ଡାହାଣୀ ବୋଲି ପ୍ରମାଣିତ ହେବାରୁ ତାକୁ ଜୀଅନ୍ତା ପୋଡ଼ି ମାରି ଦିଆଯାଇଥିଲା । ସେ ମନେ ମନେ ସ୍ଥିର କଲେ ଯେ ରେବେକା ମନ୍ତ୍ର ବଳରେ ଗିଲବର୍ଟଙ୍କୁ ନିଜର ବଶ କରି ରଖିଛି ।

 

ରେବେକାକୁ ଟେମ୍ପଲଷ୍ଟୋର ବିଚାରାଳୟକୁ ଆଣିବା ପାଇଁ ସେ ଆଦେଶ ଦେଲେ । ତା’ର ଅପରାଧ–ସେ ଏକ କାହାଣୀ ।

 

ଠିକ୍ ଦିନ ଦୁଇ ପ୍ରହରବେଳକୁ ଚାରି ଜଣ ପ୍ରହରୀ ସହିତ ଦୁଇଜଣ ଟେମ୍ପଲାର ନାଇଟ୍ ରେବେକାର ଗୃହଦ୍ୱାର ଖୋଲି ସେମାନଙ୍କ ସଙ୍ଗେ ଯିବାପାଇଁ ଆଦେଶ ଦେଲେ । ରେବେକା ବିସ୍ମିତ ହୋଇ ପଚାରିଲା, “କେଉଁଠାକୁ ଯିବାକୁ ହେବ ? କାହିଁକି ?”

 

“ତୁମର ସେଭଳି ପ୍ରଶ୍ନ ପଚାରିବାର ଅଧିକାର ନାହିଁ । ତେବେ ମୁଁ କହିପାରେ, କୌଣସି ଅପରାଧ ପାଇଁ ବିଚାରାଳୟରେ ତୁମର ବିଚାର ହେବ । ଗ୍ରାଣ୍ଡମାଷ୍ଟର ବିଚାରାଳୟରେ ରହିଛନ୍ତି ।”

 

ଜଣେ ନାଇଟ୍ ଏହା କହିଲେ ।

 

ରେବେକା ନୀରବରେ ସେମାନଙ୍କ ସଙ୍ଗେ ଚାଲିଲା ।

 

ସେମାନେ ବିଚାରାଳୟକୁ ଗଲେ । ସେତେବେଳକୁ ଗୃହର ପଛପାଖ ଏସକ୍ୱାୟାର, ପାଇକ ଓ ସୈନ୍ୟମାନଙ୍କଦ୍ଵାରା ପୂର୍ଣ୍ଣହୋଇ ଯାଇଥିଲା । ରେବେକା ସେମାନଙ୍କ ଭିତରେ ଗଲାବେଳେ କେହି ଜଣେ ତା’ ହାତକୁ ଖଣ୍ଡିଏ ଛୋଟ କାଗଜ ବଢ଼ାଇ ଦେଲା । ରେବେକା ମୁହୂର୍ତ୍ତକ ପାଇଁ ଲୋକଟି ଆଡ଼କୁ ଚାହିଁଦେଇ ଆଗେଇଗଲା । କାଗଜରେ କଅଣ ଲେଖାଥିଲା ତାହା ଜାଣିବାକୁ ତା’ର ଅବସର ନ ଥିଲା । ତାକୁ ବିଚାରାଳୟରେ ଗୋଟିଏ ପାଖରେ ବସାଇ ଦିଆଗଲା-

 

ରେବେକାର ଠିକ୍ ସାମନାରେ ଏକ ଉଚ୍ଚ ଆସନରେ ବସିଥିଲେ ଗ୍ରାଣ୍ଡମାଷ୍ଟର । ତାଙ୍କ ଆସନ ତଳକୁ ଗୋଟିଏ ଟେବୁଲର ଦୁଇ ପାଖରେ ଦୁଇଜଣ ଧର୍ମଯାଜକ ବସିଥିଲେ । ବିଚାରର ବିବରଣୀ ଲେଖିବା ସେମାନଙ୍କର କାମ । ଅନ୍ୟାନ୍ୟ ଟେମ୍ପଲାର ନାଇଟ୍‍ମାନେ ନିଜ ନିଜ ପଦମର୍ଯ୍ୟାଦା ଅନୁସାରେ ଆସନ ଅଧିକାର କରିଥିଲେ ।

 

ପ୍ରଥମେ ଏକ ସ୍ତବ ପାଠକରାଯାଇ ବିଚାର ଆରମ୍ଭ କରାଗଲା । ଗ୍ରାଣ୍ଡମାଷ୍ଟର ଦେଖି ପାରିଲେ ଯେ ଗିଲବର୍ଟ ଅଲଗାହୋଇ ଠିଆ ହୋଇଛନ୍ତି । ଗୋଟିଏ ହାତ ପଡ଼ିଛି ତାଙ୍କ ତରବାରିର ମୁଠାଉପରେ । ଅନ୍ୟ ହାତରେ ସେ ମୁହଁକୁ ଘୋଡ଼ାଇଛନ୍ତି ।

 

ଗ୍ରାଣ୍ଡମାଷ୍ଟର ଅନୁଚ୍ଚ ସ୍ଵରରେ କହିଲେ, “ଲୋକଟା ନିତାନ୍ତ ହତଭାଗ୍ୟ । ଏ ସ୍ତ୍ରୀ ଲୋକଟା ତା’ ଉପରେ କି ମନ୍ତ୍ର ପ୍ରୟୋଗ କରିଛି କେଜାଣି ? ତା’ର ସାମନାକୁ ଚାହିଁବାର ସାହସ ନାହିଁ । ଏପରିକି ସେ ସେହି ରେବେକାକୁ ମଧ୍ୟ ଅନାଇ ପାରୁନାହିଁ ।”

 

ଏହା ପରେ ସେ କହିଲେ, “ଆଜି ଆପଣମାନଙ୍କୁ ଡାକିବାର ଉଦ୍ଦେଶ୍ୟ କହୁଛି । ଆମ ଗୋଷ୍ଠୀର ଜଣେ ସଭ୍ୟ ବ୍ରାଏନ ଡିବୟିସ ଗିଲବର୍ଟ ଅନେକ ଅପରାଧ କରିଛନ୍ତି । ରେବେକା ବୋଲି ଜଣେ ଡାହାଣୀର ବଶ ହୋଇ ସେ ଏପରି କରିଥିବାର ଅନୁମାନ । ତାହା ସତ୍ୟ ବୋଲି ପ୍ରମାଣିତ ହେଲେ ଗିଲବର୍ଟ କ୍ଷମା ପାଇବାର ଯୋଗ୍ୟ ଓ ରେବେକାର ଦଣ୍ଡ ବିଧାନ କରାଯିବ । ଗିଲବର୍ଟଙ୍କର ସଂଶୋଧନ ହେଉଛି ଆମର ଉଦ୍ଦେଶ୍ୟ ।”

 

ଏହାପରେ ସେ ଗିଲବର୍ଟଙ୍କ ଅପରାଧର ବର୍ଣ୍ଣନା କରି କହିଲେ, “ବର୍ତ୍ତମାନ ଆପଣମାନଙ୍କ ମଧ୍ୟରୁ ଯେଉଁମାନେ ଏହିସବୁ ଅପରାଧ ବିଷୟରେ ଯାହା ଯାହା ଜାଣନ୍ତି ପ୍ରକାଶ କରନ୍ତୁ ।”

 

ଉପସ୍ଥିତ ଲୋକଙ୍କ ଭିତରୁ କେତେ ଜଣ ବାହାରି ପଡ଼ି ସାକ୍ଷ୍ୟ ଦେଲେ ଯେ ଦୁର୍ଗ ପୋଡ଼ି ଯାଉଥିଲାବେଳେ ଗିଲବର୍ଟ ନିଜ ଜୀବନ ପ୍ରତି ଦୃଷ୍ଟି ନ ଦେଇ ରେବେକାକୁ ଉଦ୍ଧାର କରିଥିବାର ସେମାନେ ଦେଖିଅଛନ୍ତି । ଆଲବର୍ଟ ମାଲଭାଇସିନ ବୋଲି ଜଣେ ଟେମ୍ପଲାର୍ ନାଇଟ୍ ରେବେକାର ଟେମ୍ପଲଷ୍ଟୋକୁ ଆସିବା ବର୍ଣ୍ଣନା କରିଗଲେ । ତାଙ୍କ ବକ୍ତବ୍ୟରୁ ଜଣାଗଲା ଯେ ଗିଲବର୍ଟ ସେଠାରେ ପହଞ୍ଚିଲାବେଳକୁ ତାଙ୍କର ଦେହ ନିତାନ୍ତ ଖରାପ ଥିଲା । ଶେଷରେ ସେ ରେବେକା ଓ ଗିଲବର୍ଟଙ୍କୁ ସେଠାରେ ରହିବାକୁ ଦେବାଦ୍ଵାରା ଅପରାଧ କରିଥିଲେ । ଦଣ୍ଡ ଘେନିବାବୁ ପ୍ରସ୍ତୁତ ବୋଲି ଜଣାଇଲେ; କିନ୍ତୁ ଏଥିରେ ତାଙ୍କର କୌଣସି ମନ୍ଦ ଅଭିପ୍ରାୟ ନ ଥିଲା ବୋଲି ପ୍ରକାଶ କଲେ ।

 

ଗ୍ରାଣ୍ଡମାଷ୍ଟର ଏହି ସାକ୍ଷ୍ୟ ଗ୍ରହଣ ପରେ କହିଲେ, “ମାଲଭାଇସିନ ତାଙ୍କ ଦୋଷ ସ୍ଵୀକାର କରିଛନ୍ତି । ସେଥିପାଇଁ ସେ ଦଣ୍ଡ ପାଇବେ । ବର୍ତ୍ତମାନ ରେବେକା ପ୍ରକୃତରେ ମନ୍ତ୍ରଯନ୍ତ୍ର କରି ଗିଲବର୍ଟଙ୍କୁ ଏପରି ବଶ କରିଥିଲା କି ନା ତାହାର ପ୍ରମାଣ ଆବଶ୍ୟକ ।”

 

ରେବେକାର ଜଣେ ପ୍ରହରୀ ସାକ୍ଷ୍ୟ ଦେଇ କହିଲେ, “ହଜୁର, ମୁଁ ନିଜେ ଯେତିକି ଦେଖିଛି ସେତିକି ମାତ୍ର କହିବି । ଜଣେ ଲୋକ ଆଘାତ ପାଇଥିଲା । ତାକୁ ଟର୍କୁଇଲଷ୍ଟୋନ୍ ଗଡ଼ ଭିତରକୁ ଅଣାହେଲା । ରେବେକା ତା’ ପାଖରେ ବସି କଅଣ ମନ୍ତ୍ର ପଢ଼ିଲା । ମୁଁ ସେ କଥା କିଛି ବୁଝି ପାରିଲି ନାହିଁ । ଚାହୁଁ ଚାହୁଁ ସେ ଲୋକଟାର ଘାଆରୁ ଗୋଟାଏ ଶରର ଫଳା ବାହାରି ଆସିଲା-। ସେ ସ୍ୱଚ୍ଛନ୍ଦରେ ଚାଲବୁଲ କଲା ।” ଏହା କହି ସେ ଶରର ଫଳାଟି ଦେଖାଇଲା । ଲୋକଙ୍କର ବିଶ୍ୱାସ ହେଲା ଯେ ରେବେକା ମନ୍ତ୍ର ବଳରେ ଲୋକଟାକୁ ଭଲ କରି ଦେଇଥିଲା ।

 

ଆଉ ଜଣେ ପ୍ରହରୀ ସାକ୍ଷ୍ୟ ଦେଇ କହିଲା, “ହଜୁର, ମୁଁ ଗୋଟିଏ ଅଦ୍ଭୁତ କଥା ଦେଖିଛି-। ଏଇ ରେବେକା ଦୁର୍ଗ ପାଚିରୀ ଉପରୁ ଡେଇଁବ ବୋଲି ଚେଷ୍ଟାକଲା । ହଠାତ୍ ସେ ଗୋଟାଏ ହଂସ ହୋଇ ଉପରକୁ ଉଡ଼ିଯାଇ ଦୁର୍ଗ ଉପରେ ଚକ୍କର ଦେଇ ବୁଲିଲା । ପୁଣି ତଳକୁ ଓହ୍ଲାଇ ଆସି ନିଜରୂପ ଧରିଲା ।”

 

ଗ୍ରାଣ୍ଡମାଷ୍ଟର ରେବେକାକୁ ଚାହିଁ କହିଲେ, “ତୁମ ବିରୁଦ୍ଧରେ ଯେଉଁସବୁ ସାକ୍ଷ୍ୟ ଦିଆଗଲା, ଶୁଣିଲ । ଏ ବିଷୟରେ କିଛି କହିବାକୁ ଥିଲେ କୁହ ।”

 

ରେବେକା କହିଲା, “ମୋ ବିରୁଦ୍ଧରେ ଯେଉଁ ସବୁ ସାକ୍ଷ୍ୟ ଦିଆଗଲା ସେ ସବୁ ମିଥ୍ୟା । ମୋର ପ୍ରାର୍ଥନା, ବଇସ ଗିଲବର୍ଟଙ୍କୁ ପଚରାଯାଉ–ଏ ସବୁ ସତ୍ୟ କି ମିଥ୍ୟା ।

 

ଗିଲବର୍ଟ ଚୁପ କରି ଠିଆହୋଇ ରହିଥିବାର ଦେଖି ରେବେକା କହିଲା, “ଗିଲବର୍ଟ, ତୁମେ ଯଦି ମନୁଷ୍ୟ ହୋଇଥାଅ, ଏଠାକୁ ଆସି ପ୍ରକୃତ ସତ୍ୟ ପ୍ରକାଶ କର ।”

 

ଗିଲବର୍ଟ ଅସହାୟ ଭାବରେ ଚିତ୍କାର କଲେ, କାଗଜ ! ସେଇ କାଗଜ !

 

ଗ୍ରାଣ୍ଡମାଷ୍ଟର କହିଲେ, “ଏବେ ସବୁ ପ୍ରମାଣ ମିଳିଗଲା । ରେବେକା ମନ୍ତ୍ରକରି କଅଣ ଗୋଟାଏ କାଗଜ ରଖିଛି । ଗିଲବର୍ଟ ସେଇ କାଗଜ ଛଡ଼ା ଆଉ କିଛି କହିବ ନାହିଁ ।”

 

ଏତେବେଳଯାଏ ରେବେକା ସେ କାଗଜ ଖଣ୍ଡିକୁ ନ ଦେଖି ଧରି ରଖିଥିଲା । ବର୍ତ୍ତମାନ ସେ ତାକୁ ଖୋଲି ଦେଖିଲା । ସେଥିରେ ଲେଖାଥିଲା–

 

“ନିଜ ପାଇଁ ଜଣେ ବୀର ସ୍ଥିର କର ।”

 

ଗିଲବର୍ଟ ଆଉ କିଛି ନ କହିବାରୁ ଗ୍ରାଣ୍ଡମାଷ୍ଟର ପୁଣି ରେବେକାକୁ କହିଲେ, “ଗିଲବର୍ଟ ତୁମ ସପକ୍ଷରେ କିଛି କହୁ ନାହାନ୍ତି । ବର୍ତ୍ତମାନ ତୁମର ଆଉ କିଛି କହିବାର ଅଛି ?”

 

ରେବେକା ଗମ୍ଭୀର ଭାବରେ ଉତ୍ତର କଲା, “ଧର୍ମାବତାର ! ମୁଁ ସମ୍ପୂର୍ଣ୍ଣ ନିର୍ଦ୍ଦୋଷ; ମୋ ବିରୁଦ୍ଧରେ ଅଭିଯୋଗ ସବୁ ମିଥ୍ୟା । ଆପଣଙ୍କ ନିୟମ ଅତି କଠୋର । ଦୋଷ ପ୍ରମାଣିତ ହେଲେ ମୋତେ ନିଆଁରେ ପୋଡ଼ି ମାରି ଦିଆଯିବ । ମୁଁ ମୋର ନିର୍ଦ୍ଦୋଷତାର ପ୍ରମାଣ ଏତେବେଳଯାଏ ଦେଇ ପାରି ନାହିଁ । ତଥାପି ଆପଣଙ୍କର ନିୟମରେ ଦ୍ଵନ୍ଦ୍ଵଯୁଦ୍ଧ ଦ୍ୱାରା ଦୋଷ ପ୍ରମାଣ କରିବାର ବ୍ୟବସ୍ଥା ଅଛି । ମୁଁ ଦ୍ଵନ୍ଦ୍ଵଯୁଦ୍ଧ ପାଇଁ ଜଣେ ବୀର ସ୍ଥିର କରିବାକୁ ପ୍ରସ୍ତୁତ ଅଛି । ସେ ଯୁଦ୍ଧରେ ପରାସ୍ତ ହେଲେ ମୁଁ ଦୋଷୀ ବୋଲି ପ୍ରମାଣିତ ହେବି ।”

 

ଗ୍ରାଣ୍ଡମାଷ୍ଟର ଉପହାସ କଲାଭଳି କହିଲେ, “ହଁ, ଜଣେ ବୀରକୁ ଦ୍ଵନ୍ଦ୍ଵଯୁଦ୍ଧ ପାଇଁ ଦେବାର ଅଧିକାର ତୁମର ଅଛି; କିନ୍ତୁ ଗୋଟିଏ ଡାଆଣୀ ପାଇଁ ଦ୍ଵନ୍ଦ୍ଵଯୁଦ୍ଧ କରିବାକୁ କିଏ ବାହାରିବ-?”

 

ରେବେକା–ଇଶ୍ୱର ସେ କଥା ଜାଣନ୍ତି । ମୋର ବିଶ୍ଵାସ, ଇଂଲଣ୍ଡ ଏବେ ମଧ୍ୟ ପ୍ରକୃତ ବୀରଶୂନ୍ୟ ନୁହେଁ । ସତ୍ୟ, ନ୍ୟାୟ, ଧର୍ମ ପାଇଁ କେହି ଜଣେ ଦ୍ଵନ୍ଦ୍ଵଯୁଦ୍ଧ କରିବାକୁ ନିଶ୍ଚୟ ବାହାରିବେ-

 

ଏହା କହି ରେବେକା ନିଜ ହାତରେ ଦସ୍ତାନାଟି ଗ୍ରାଣ୍ଡମାଷ୍ଟରଙ୍କ ପାଖକୁ ପକାଇଦେଲେ-

 

ରେବେକାର ଆକାର ପ୍ରକାର ଓ ସାହସିକ କଥାବାର୍ତ୍ତାରେ ଗ୍ରାଣ୍ଡମାଷ୍ଟରଙ୍କ ମନରେ ଭାବାନ୍ତର ଉପସ୍ଥିତ ଥିଲା । ସ୍ଵଭାବତଃ ସେ ନିର୍ଦ୍ଦୟ ବା ପାପ ପ୍ରକୃତିର ଲୋକ ନଥିଲେ । ରେବେକା ପ୍ରତି ତାଙ୍କର ସହାନୁଭୂତି ଆସିଲା । ସେ କହିଲେ, “ରେବେକା, ମନ୍ତ୍ର ଯନ୍ତ୍ର କରି ଡାଆଣୀ ବୋଲି ପରିଚିତ ହେବା ନିନ୍ଦାର କଥା । ଦୋଷ ସ୍ଵୀକାର କରି କ୍ଷମା ପ୍ରାର୍ଥନା କର ।”

 

ରେବକା କହିଲା, “ମୁଁ ଯେଉଁ ଦୋଷ କରିନାହିଁ, ସେଥିପାଇଁ କ୍ଷମାମାଗି ନ ପାରେଁ । ଈଶ୍ୱର ଯଦି ମୋର ମୃତ୍ୟୁ କାମନା କରନ୍ତି, ତେବେ ମୁଁ ମରଣଙ୍କୁ ଆଲିଙ୍ଗନ କରିବାକୁ ପ୍ରସ୍ତୁତ ।”

 

ଗ୍ରାଣ୍ଡମାଷ୍ଟର ନିଜକୁ ଅସହାୟ ମନେକରି କହିଲେ, “ତାହା ହେଲେ ତୁମେ ଏଇ ଦ୍ଵନ୍ଦ୍ଵଯୁଦ୍ଧର ଫଳ ଗ୍ରହଣ କରିବାକୁ ଇଚ୍ଛୁକ । ବେଶ୍, ଧର୍ମ ଯୁଦ୍ଧରେ ଯାହାର ଜୟ ହେବ ସେ ନିର୍ଦ୍ଦୋଷ ବୋଲି ସ୍ଵୀକାର କରିବାକୁ ହେବ ।”

 

ରେବେକା ନିଜ ମତରେ ଦୃଢ଼ ହୋଇ ରହିଲେ । ଉପସ୍ଥିତ ନାଇଟ୍ ଓ ଅନ୍ୟାନ୍ୟ ଲୋକ ମଧ୍ୟ ଦ୍ୱନ୍ଦଯୁଦ୍ଧକୁ ସ୍ଵାଗତ ଜଣାଇଲେ ।

 

ଟେମ୍ପଲାର ନାଇଟ୍‍ମାନଙ୍କ ପକ୍ଷରୁ ଗିଲବର୍ଟ ଦ୍ୱନ୍ଦଯୁଦ୍ଧ କରିବେ ବୋଲି ସ୍ଥିର ହେଲା ଓ ରେବେକାକୁ ତିନି ଦିନ ମଧ୍ୟରେ ତା’ ପାଇଁ ଦ୍ୱନ୍ଦଯୁଦ୍ଧ କରିବା ପାଇଁ ଜଣେ ବୀର ପୁରୁଷ ସ୍ଥିର କରିବାକୁ ଆଦେଶ ଦିଆଗଲା ।

 

ରେବେକା ତା’ର ବନ୍ଧୁମାନଙ୍କ ପାଖକୁ ସମ୍ବାଦ ଦେବା ପାଇଁ ଜଣେ ଲୋକ ପାଇବା ସହଜ ନାହିଁ । ଶେଷରେ ଜଣେ ଖଞ୍ଜ ଲୋକ ରେବେକାର ଚିଠି ନେଇ ଯିବାକୁ ବାହାରିଲା । ଏହି ଲୋକଟି ଏକବାରେ ପଙ୍ଗୁ ହୋଇ ଯାଇଥିଲା । କେବଳ ରେବେକାର ଚିକିତ୍ସା ଫଳରେ ଚାଲିବାକୁ ସମର୍ଥ ହୋଇଥିଲା ।

 

ଲୋକଟି କଷ୍ଟରେ ଅଧ ମାଇଲ ମାତ୍ର ଯିବା ପରେ ଦୈବାତ୍ ରେବେକାର ବାପ ଆଇଜାକ୍ ଓ ଅନ୍ୟ ଜଣେ ଇହୁଦୀକୁ ଦେଖିବାକୁ ପାଇଲା ।

 

ଝିଅର ଚିଠିଟି ପାଇ ଆଇଜାକ୍ ନିତାନ୍ତ କାତର ହୋଇ ପଡ଼ିଲା । ଏହି ପତ୍ରରେ ରେବେକା ତା’ର ପରିସ୍ଥିତି ଜଣାଇ ଶେଷରେ ଲେଖିଥିଲା, “ମୋ ପକ୍ଷରୁ ଯୁଦ୍ଧ ପାଇଁ ଜଣେ ବୀର ଯୋଗାଇ ନ ପାରିଲେ ମୋର ମୃତ୍ୟୁ ନିଶ୍ଚିତ । ତୁମେ ଆଇଭାନହୋଙ୍କୁ ଖୋଜି ତାଙ୍କୁ ସମସ୍ତ ଘଟନା ଜଣାଇବ ଓ ଜଣେ ଯୋଦ୍ଧା ଯୋଗାଇଦେବାକୁ କହିବ ।”

 

ଆଇଜାକ୍ ନିରାଶ ହୋଇ ପଡ଼ିଲା । ଆଇଭାନହୋଙ୍କୁ ସେ ପାଇବ କିପରି ? ପାଇଲେ ମଧ୍ୟ ସେ ଯେ ଏ ଦାୟିତ୍ଵ ନେବେ ତା’ର ସ୍ଥିରତା କାହିଁ ?

 

କିନ୍ତୁ ଆଇଜାକ୍‍ର ବନ୍ଧୁ କହିଲେ, “ଏଥିରେ ନୈରାଶ୍ୟର କାରଣ ନାହିଁ । ମୁଁ ଜଣେ ଆଇଭାନହୋ ରାଜା ରିଚାର୍ଡ଼ଙ୍କର ବିଶ୍ୱାସୀ ଲୋକ । ଶୁଣାଯାଉଛି ରିଚାର୍ଡ଼ ରାଜ୍ୟକୁ ଫରିଲେଣି । ଆଇଭାନହୋ ଏ ଘଟନା ଜାଣିଲେ ରାଜାଙ୍କୁ କହି ସବୁ ବନ୍ଦ କରାଇ ପାରିବେ ।”

 

ଆଇଜାକ୍ କହିଲା, “ମୁଁ ଜାଣେ ଆଇଭାନହୋ ବଡ଼ ଦୟାଳୁ ଲୋକ । ଆଉ ଇହୁଦୀମାନଙ୍କୁ ସେ ଘୃଣା କରନ୍ତି ନାହିଁ; କିନ୍ତୁ ମୁଁ ଜାଣେ ସେ ଭୀଷଣ ଭାବରେ ଆହତ ହୋଇ ପଡ଼ିଛନ୍ତି । ସେ ନିଜେ ମୋ ରେବେକା ପାଇଁ ଯୁଦ୍ଧ କରିପାରିବେ ନାହିଁ । ଅନ୍ୟ କେହି ଯେ ମୋ ଝିଅ ପାଇଁ ଯୁଦ୍ଧ କରିବାକୁ ବାହାରିବ ସେପରି ଆଶା ଦେଖାଯାଉ ନାହିଁ ।”

 

ଦୁଇବନ୍ଧୁ ମିଳି ସ୍ଥିର କଲେ ଯେ ଆଇଜାକ୍ ଆଇଭାନହୋଙ୍କ ସନ୍ଧାନରେ ଯିବ ଓ ଅନ୍ୟ ଜଣକ ୟର୍କ ଯାଇ ସେଠାରେ ଅର୍ଥ ବିନିମୟରେ ଜଣେ ନାଇଟ୍‍ଙ୍କୁ ଯୁଦ୍ଧ କରିବା ପାଇଁ ଆଣିବାକୁ ଚେଷ୍ଟା କରିବ ।

 

ଦୁହେଁ ଭିନ୍ନ ଭିନ୍ନ ଦିଗରେ ଚାଲିଲେ ।

 

ବ୍ଳାକ୍ ନାଇଟଙ୍କର ଉଦ୍ଧାର

 

ଏଣେ ଟେମ୍ପଲଷ୍ଟୋରେ ରେବେକାର ଭାଗ୍ୟ ମୀମାଂସା ପାଇଁ ଦ୍ଵନ୍ଦଯୁଦ୍ଧର ଆୟୋଜନ ଲାଗିଥାଏ । ତେଣେ ବ୍ଳାକ ନାଇଟ୍ ଲକ୍‍ସଲି ଓ ତାଙ୍କ ଲୋକମାନଙ୍କଠାରୁ ବିଦାୟ ନେଇ ଓୟାମ୍ବା ସଙ୍ଗେ ଚାଲିଗଲେ ।

 

ଦୁହେଁ ଘୋଡ଼ାରେ ଚଢ଼ି ଯାଉଥାନ୍ତି । ଓୟମ୍ବା ତା’ର ବିଚିତ୍ର ପୋଷାକ ପିନ୍ଧି ଅଣ୍ଟାରେ ତରବାରୀଟିକୁ ଝୁଲାଇ ଦେଇଥାଏ । ବାଟରେ ଓୟାମ୍ବା ଘୋଡ଼ାଚଢ଼ାର ନାନା କୌଶଳ ଦେଖାଇ ବ୍ଳାକ୍ ନାଇଟ୍‍ଙ୍କୁ ଆମୋଦ ଦେଉଥାଏ । ଦୁହିଁଙ୍କ ମନରେ ଆନନ୍ଦ ।

 

ବ୍ଳାକ୍ ନାଇଟ୍‍ଙ୍କ ଅଣ୍ଟାରେ ଗୋଟିଏ ଶିଙ୍ଘା ଝୁଲୁଥିବାର ଦେଖି ଓୟାମ୍ବା ପଚାରିଲା, “ଆପଣ ଏ ଶିଙ୍ଘାଟାକୁ ପାଇଲେ କେଉଁଠୁ ?”

 

ବ୍ଳାକ୍ ନାଇଟ୍ ଉତ୍ତର କଲେ, “ସେଇଟିକୁ ମୋତେ ଲକ୍‍ସଲି ଉପହାର ଦେଇଛନ୍ତି । ସେ କହିଛନ୍ତି ଯେ ଶିଙ୍ଘାରେ ତିନି ଥର ଫୁଙ୍କିଦେଲେ ତାଙ୍କର ଲୋକେ ଆମକୁ ସାହାଯ୍ୟ କରିବାକୁ ପାଖରେ ଉପସ୍ଥିତ ହୋଇଯିବେ; କିନ୍ତୁ ତାର ଆବଶ୍ୟକତା ପଡ଼ିବ ବୋଲି ମୋର ମନେ ହେଉନାହିଁ-।”

 

ଓୟାମ୍ବା କହିଲା, “ତା’ କହି ହେବ ନାହିଁ । ଏ ଜଙ୍ଗଲରେ ଚୋର ଡକାୟତ ରହିଥାନ୍ତି । ହୁଏତ ଏହାର ସାହାଯ୍ୟ ଲୋଡ଼ା ହୋଇପାରେ । ମୋତେ ଶିଙ୍ଘାଟିକୁ ଦେଇଥାନ୍ତୁ ।

 

ବ୍ଳାକ୍ ନାଇଟ୍ କିଛି ଆପତ୍ତି ନ କରି ଶିଙ୍ଘାଟିକୁ ବଢ଼ାଇଦେଲେ ।

 

ଠିକ୍ ମୁହୂର୍ତ୍ତକ ପରେ ଓୟାମ୍ବାର ସନ୍ଦେହ ସତ୍ୟ ବୋଲି ପ୍ରମାଣିତ ହେଲା । ହଠାତ୍ ବଣ ଭିତରୁ ତିନୋଟି ଶର ତାଙ୍କ ଉପରେ ପଡ଼ିଲା । ଗୋଟିଏ ବ୍ଳାକ୍ ନାଇଟ୍‍ଙ୍କ ଲୁହା ଟୋପିରେ ଓ ଅନ୍ୟ ଦୁଇଟି ତାଙ୍କ ଢାଲରେ ବାଜିଲା ।

 

ବ୍ଳାକ୍ ନାଇଟ କିଛି ଆଘାତ ପାଇଲେ ନାହିଁ ସତ୍ୟ; କିନ୍ତୁ ଏପରି ଯିବାରେ ବିପଦ ଅଛି ବୋଲି ଜାଣି ପାରିଲେ । ଆକ୍ରମଣକାରୀଙ୍କୁ ପ୍ରତି ଆକ୍ରମଣ କରିବାକୁ ସେ ଓୟାମ୍ବାକୁ କହିଲେ ।

 

ସାତଜଣ ସଶସ୍ତ୍ର ସୈନିକ ବଣ ଭିତରୁ ବାହାରି ପଡ଼ିଲେ । ସେମାନେ ତରବାରୀ ବାହାର କରି ବ୍ଳାକ୍ ନାଇଟଙ୍କୁ ଆକ୍ରମଣ କରିବାକୁ ଉଦ୍ୟତ ହେଲେ । ଜଣକ ବିରୁଦ୍ଧରେ ସାତ ଜଣ-। ତଥାପି ବ୍ଳାକ୍ ନାଇଟ୍ ଭୀତ ନ ହୋଇ ସେମାନଙ୍କୁ ଛିନ୍ନ ଭିନ୍ନ କରି ପକାଇଲେ । ଏହି ସମୟରେ ନୀଳ ପୋଷାକ ପରିହିତ ଜଣେ ନାଇଟ୍ ବଣ ଭିତରୁ ବାହାରିପଡ଼ି ହଠାତ୍ ବ୍ଳାକ୍ ନାଇଟ୍‍ଙ୍କୁ ଲକ୍ଷ୍ୟ କରି ବର୍ଚ୍ଛା ଫିଙ୍ଗିବାକୁ ବସିଲା । ଓୟାମ୍ବା ହଠାତ୍ ଏହି ନୀଳନାଇଟର ଘୋଡ଼ାକୁ ଏପରି ଆଘାତ କଲା ଯେ ସେ ଆରୋହୀ ସହିତ ତଳେ ପଡ଼ିଗଲା । ବ୍ଳାକ ନାଇଟ୍ ରକ୍ଷା ପାଇଗଲେ । ଏହା ସଙ୍ଗେ ସଙ୍ଗେ ଓୟାମ୍ବା ଶିଙ୍ଘାଟିକୁ ତିନିଥର ବଜାଇ ଦେଲା ।

 

ଏଣେ ବ୍ଳାକ୍ ନାଇଟ୍ ଏତେଗୁଡ଼ିଏ ଲୋକଙ୍କ ସଙ୍ଗେ ଯୁଦ୍ଧ କରି କରି ନିତାନ୍ତ କ୍ଳାନ୍ତ ଓ ଅବସନ୍ନ ହୋଇ ପଡ଼ୁଥାନ୍ତି । ସୌଭାଗ୍ୟବଶତଃ ଏହି ସଙ୍କଟ ସମୟରେ ଲକ୍‍ସଲି କେତେକ ସୈନ୍ୟ ଘେନି ପହଞ୍ଚିଗଲେ । ସଙ୍ଗେ ସଙ୍ଗେ ଯୁଦ୍ଧ ଶେଷ ହୋଇଗଲା ।

 

ଆକ୍ରମଣକାରୀଙ୍କର ନେତାଙ୍କ ମୁହଁରୁ ଆବରଣ ଖୋଲି ଦେବାରୁ ଦେଖାଗଲା ଯେ ସେ ହେଉଛି ଓୟାଲ୍ଡ଼ମର ।

 

ବ୍ଳାକ୍ ନାଇଟ୍ ଆଶ୍ଚର୍ଯ୍ୟ ହୋଇ କହିଲେ,”ଓୟାଲ୍ଡ଼ମର, ବ୍ୟାପାର କଅଣ ? ତୁମେ କାହିଁକି ଏପରି କାର୍ଯ୍ୟ କରୁଥିଲ ?”

 

ଓୟାଲ୍ଡ଼ମର କାତରସ୍ଵରରେ କହିଲା, ‘‘ମହାରାଜ, ମୁଁ ଏ ଜଘନ୍ୟ କାର୍ଯ୍ୟ କରି ନ ଥାନ୍ତି-। ଆପଣଙ୍କ ଭାଇ ଜନ୍ ମୋତେ ଏଥିରେ ନିଯୁକ୍ତ କରିଥିଲା । ତା’ର ଇଚ୍ଛା, ଆପଣଙ୍କୁ ହତ୍ୟା କରାଇ ସେ ଇଂଲଣ୍ତର ସିଂହାସନରେ ବସିଥାନ୍ତା । ମୁଁ ନିମିତ୍ତ ମାତ୍ର, ପ୍ରକୃତ ଦୋଷୀ ହେଉଛି, ଆପଣଙ୍କର ଭାଇ ଜନ୍ ।”

 

ଏବେ ସମସ୍ତେ ଜାଣି ପାରିଲେ ଯେ ଏହି ଛଦ୍ମବେଶୀ ବ୍ଳାକ୍ ନାଇଟ୍ ହେଉଛନ୍ତି ସ୍ଵୟଂ ରାଜା ରିଚାର୍ଡ଼ ।

 

ରିଚାର୍ଡ଼ ରକ୍ତିମ ଚକ୍ଷୁରେ ଓୟାଲ୍ଡ଼ମର ମୁହଁକୁ ଚାହିଁ କହିଲେ, “ତୋର ଜୀବନ ଭିକ୍ଷା କରିବା ଆବଶ୍ୟକ ନାହିଁ ।

 

ଓୟାଲ୍‍ଡ଼ମର ଉତ୍ତର କଲା, “ମହାରାଜ, ସେ କଥା ମୁଁ ଜାଣେ । ସିଂହର ହାବୁଡ଼ରେ ପଡ଼ି କ୍ଷମା ଆଶା କରିବା ଉଚିତ ନୁହେଁ ।”

 

ରିଚାର୍ଡ଼ ଶାନ୍ତ ଭାବରେ କହିଲେ, “ତୋର ଧାରଣା ଭୁଲ । ନିରସ୍ତ୍ର ପରାଜିତ ଶତ୍ରୁକୁ ବଧ କରିବା ରାଜା ରିଚାର୍ଡ଼ର ଧର୍ମ ନୁହେଁ; କିନ୍ତୁ ତୋତେ ଏ ରାଜ୍ୟ ଛାଡ଼ି ଚାଲି ଯିବାକୁ ହେବ । ତିନି ଦିନ ପରେ ଇଂଲଣ୍ଡରେ ତୁ ଦେଖାଗଲେ ତୋର ପ୍ରାଣଦଣ୍ଡ ନିଶ୍ଚିତ ।”

 

ରାଜାଙ୍କ ଆଦେଶରେ ଲକ୍ସଲି ଓୟାଲ୍‍ଡ଼ମରଙ୍କୁ ପଳାଇବା ପାଇଁ ଗୋଟିଏ ଘୋଡ଼ା ଯୋଗାଇ ଦେଲେ ।

 

ଏହାପରେ ଲକ୍‍ସଲି ଓ ତାଙ୍କର ଅନୁଚରମାନେ ରାଜାଙ୍କର ପାଦତଳେ ପଡ଼ି ବିଗତ କାର୍ଯ୍ୟ ପାଇଁ କ୍ଷମା ପ୍ରାର୍ଥନା କଲେ । ରାଜା ସେମାନଙ୍କୁ ଆଶ୍ଵାସନା ଦେଇ କହିଲେ, “ତୁମ୍ଭେମାନେ ଯଥାର୍ଥରେ କ୍ଷମାର ପାତ୍ର । ଟର୍କୁଇଲଷ୍ଟୋନ ଯୁଦ୍ଧରେ ତୁମ୍ଭେମାନେ ଯେଉଁ ସାହାଯ୍ୟ କରିଅଛ, ଆଜି ପୁଣି ମୋତେ ଶତ୍ରୁ ହସ୍ତରୁ ଯେପରି ରକ୍ଷା କରିଅଛ, ସେଥିପାଇଁ ତୁମକୁ ମୋର ଧନ୍ୟବାଦ । ଆଉ ଲକ୍‍ସଲି, ତୁମେ...”

 

ଏହି ସମୟରେ ଲକ୍‍ସଲି କହିଲେ, “ମହାରାଜ ମୋତେ ଲକ୍‍ସଲି ବୋଲି ଡାକନ୍ତୁ ନାହିଁ-। ମୁଁ ହେଉଛି, ଆପଣଙ୍କର ଅଧମ ଦସ୍ୟୁ ରବିନହୁଡ଼୍ ।

 

ରିଚାର୍ଡ଼ ଏହା ଶୁଣି ବିସ୍ମିତ ହୋଇ କହିଲେ, “ଶେରଉଡ଼ ଜଙ୍ଗଲର ଦସ୍ୟୁ ରବିନହୁଡ଼୍‍କୁ ନ ଜାଣେ କିଏ ? କିନ୍ତୁ ରବିନହୁଡ଼୍‍, ଭୟରେ କୈାଣସି କାରଣ ନାହିଁ । ତୁମେ ଅତୀତରେ ଯେତେ ଯାହା କରିଥାଅ ସେ ସବୁ ପାଇଁ ମୁଁ ତୁମକୁ କ୍ଷମା ଦେଉଛି । ମୁଁ ଇଂଲଣ୍ଡର ରାଜା ହେଲେ, ତୁମେ ହେଉଛ, ଶେରଉଡ଼ ଜଙ୍ଗଲର ରାଜା । ଏ ଯୁଦ୍ଧରେ ମୁଁ କ୍ଳାନ୍ତ ହୋଇ ପଡ଼ିଛି । ମୋର କିଛି ଖାଦ୍ୟ ଓ ପେୟ ଦରକାର ।

 

ରବିନହୁଡ଼୍‍ ଉତ୍ତର କଲା, “ମହାରାଜ, ଏ ଜଙ୍ଗଲରେ ମଧ୍ୟ ଆପଣଙ୍କୁ ସତ୍କାର କରିବାପାଇଁ ମୃଗମାଂସ ଓ ମଦ୍ୟର ଅଭାବ ହେବ ନାହିଁ ।”

 

ରିଚାର୍ଡ଼ ଓ ରବିନହୁଡ଼୍‍ ଜଙ୍ଗଲ ମଧ୍ୟରେ ପ୍ରବେଶ କରି ଗୋଟିଏ ବୃକ୍ଷ ମୂଳରେ ବସି ଭୋଜନ କଲେ । ରାଜାଙ୍କ ଆଦେଶରେ ଜଙ୍ଗଲର ବିଦ୍ରୋହୀ ଦସ୍ୟୁମାନେ ମଧ୍ୟ ତାଙ୍କ ସାଙ୍ଗରେ ବସି ଏକତ୍ର ଭୋଜନ କଲେ ।

 

ରବିନହୁଡ଼୍ କେତେକ ଅନୁଚର ଦେଇ ରାଜାଙ୍କୁ ନିରାପଦରେ ଜଙ୍ଗଲ ବାହାରକୁ ପଠାଇ ଦେଲା । ସମସ୍ତେ କ୍ଷମା ପାଇଁ ଥିବାରୁ ଆନନ୍ଦିତ ହେଲେ ।

 

ଦ୍ଵନ୍ଦ୍ୱଯୁଦ୍ଧ

 

ଏଥିମଧ୍ୟରେ ତିନି ଦିନ ଗତ ହୋଇଯାଇଅଛି । ଆଜି ଦ୍ଵନ୍ଦ୍ୱଯୁଦ୍ଧରେ ରେବେକାର ଭାଗ୍ୟ ମୀମାଂସା ହେବ । ଟେମ୍ପଲଷ୍ଟୋ ଦୁର୍ଗର ପ୍ରାଚୀର ପାର୍ଶ୍ଵରେ ସହସ୍ର ସହସ୍ର ଲୋକ ରୁଣ୍ଡ ହୋଇଛନ୍ତି । ଦ୍ଵନ୍ଦ୍ୱଯୁଦ୍ଧ ନିମନ୍ତେ ଗୋଟିଏ ପ୍ରଶସ୍ତ ସମତଳ ପ୍ରାନ୍ତର ସ୍ଥିର କରାଯାଇଅଛି ।

 

ଆଜି ଗ୍ରାଣ୍ଡମାଷ୍ଟରଙ୍କ ପାଇଁ ଏକ ସିଂହାସନ ଓ ବିଶିଷ୍ଟ ଟେମ୍ପଲାର ନାଇଟ୍ ମାନଙ୍କ ପାଇଁ ସୁସଜ୍ଜିତ ଆସନ ପଡ଼ିଛି । ପ୍ରାନ୍ତରର ଏକ କୋଣରେ ଗୋଟେ ଖୁଣ୍ଟ ପୋତା ଯାଇ ତା’ ଚାରିପାଖେ କାଠ ସଜା ଯାଇଅଛି । ଯଦି ରେବେକା ପାଇଁ କେହି ଯୋଦ୍ଧା ଦ୍ୱନ୍ଦ୍ୱଯୁଦ୍ଧ କରିବାକୁ ନ ବାହାରନ୍ତି କିମ୍ବା ଆସି ଯୁଦ୍ଧରେ ପରାସ୍ତ ହୁଅନ୍ତି, ତେବେ ସେହି ଖୁଣ୍ଟରେ ରେବେକାକୁ ବାନ୍ଧି ଅଗ୍ନି ସଂଯୋଗ କରାଯିବ । ତେଣୁ ଏହି ଦ୍ଵନ୍ଦ୍ୱଯୁଦ୍ଧ ଦେଖିବା ଲାଗି ପ୍ରବଳ ଲୋକ ସମାଗମ ହୋଇଅଛି ।

 

ଉଠାପୋଲ ଉପରେ ଦେଇ ଟେମ୍ପଲାର ନାଇଟ୍‍ମାନେ ଆଡ଼ମ୍ବରରେ ପ୍ରବେଶ କଲେ । ସମସ୍ତଙ୍କ ଆଗରେ ଜଣେ ସେମାନଙ୍କ ପତାକା ଧରି ଚାଲିଥିଲେ । ତାଙ୍କ ପଛକୁ ଦୁଇଜଣ ଲେଖାଏଁ ଟେମ୍ପଲାର୍ ନାଇଟ୍ ଧାଡ଼ି ବାନ୍ଧି ଘୋଡ଼ାରେ ବସି ଆସିଲେ । ଗ୍ରାଣ୍ଡମାଷ୍ଟର ସମସ୍ତଙ୍କ ପଛରେ । ତାଙ୍କ ପଛକୁ ଥିଲେ ଗିଲବର୍ଟ୍ । ଦୁଇଜଣ ଏସ୍‍କ୍ୱାୟାର ଗିଲବର୍ଟଙ୍କର ପୋଷାକ ସହିତ ତାଙ୍କର ଦୁଇ ପାଖେ ରହିଥିଲେ ।

 

ଏମାନଙ୍କ ଶୋଭା ଯାତ୍ରା ପରେ ପ୍ରହରୀମାନଙ୍କ ଦ୍ଵାରା ବେଷ୍ଟିତ ହେଇ ରିବେକା ପୋଲ ଉପରେ ଚାଲି ଆସିଲେ । ସେ ଗୋଟିଏ ସାଧାସିଧା ଧଳା ପୋଷାକ ଛଡ଼ା ଆଉ କିଛି ପିନ୍ଧି ନ ଥିଲେ । ତାଙ୍କ ଉପରେ ଦର୍ଶକମାନଙ୍କର ଦୃଷ୍ଟି ନିବଦ୍ଧ ଥିଲା । ତାଙ୍କର ସରଳ ନିରାଡ଼ମ୍ବର ପୋଷାକ, ଗମ୍ଭୀର ତେଜସ୍ୱୀ ମୁଖ ଦେଖି ତାଙ୍କ ପ୍ରତି ସମସ୍ତଙ୍କର ସହାନୁଭୂତି ସ୍ଵତଃ ଜାଗ୍ରତ ହେଉଥିଲା ।

 

ଗ୍ରାଣ୍ଡମାଷ୍ଟର ଓ ଟେମ୍ପଲାର ନାଇଟ୍‍ମାନେ ନିଜ ନିଜର ଆସନ ଗ୍ରହଣ କଲେ । ଏସକ୍ୱାୟାର ମାନେ ଘୋଡ଼ାଟିକୁ ବାହାରକୁ ନେଇଗଲେ । କାଠ ଗଦା ପାଖରେ ଗୋଟିଏ ଚଉକି ପଡ଼ିଥିଲା । ରେବେକାଙ୍କୁ ତାହାରି ଉପରେ ବସାଇ ଦିଆଗଲା । ପ୍ରହରୀମାନେ ଜଗି ରହିଲେ ।

 

ଗ୍ରାଣ୍ଡମାଷ୍ଟରଙ୍କ ଆଦେଶରେ ଜଣେ ଦୂତ ଘୋଷଣା କଲା–

 

ଆଜି ରେବେକାଙ୍କର ଅପରାଧ ସତ୍ୟାସତ୍ୟ ସ୍ଥିର କରିବା ପାଇଁ ଦ୍ୱନ୍ଦ୍ୱଯୁଦ୍ଧ ହେବା ସ୍ଥିର କରାଯାଉଅଛି । ଟେମ୍ପଲାର ନାଇଟ୍‍ଙ୍କ ପକ୍ଷରୁ ବ୍ରାଏନ ଡି ବଇସ ଗିଲବର୍ଟ ଯୁଦ୍ଧ କରିବେ । ସେ ଏଥିପାଇଁ ପ୍ରସ୍ତୁତ ହୋଇ ଏଠାରେ ଉପସ୍ଥିତ ଅଛନ୍ତି । ରେବେକାଙ୍କ ପକ୍ଷର ପ୍ରତିଯୋଦ୍ଧା ଆସି ଯୁଦ୍ଧଭୂମିରେ ଅବତୀର୍ଣ୍ଣ ହୁଅନ୍ତୁ ।”

 

କିନ୍ତୁ ରେବେକା ପକ୍ଷରୁ କେହି ଦେଖା ଦେଲେ ନାହିଁ । ତହୁଁ ଗ୍ରାଣ୍ଡମାଷ୍ଟର ରେବେକା ପାଖକୁ ଜଣେ ଲୋକ ପଠାଇଲେ । ଲୋକଟି ପଚାରିଲା, “ରେବେକା, ଦ୍ୱନ୍ଦ୍ୱଯୁଦ୍ଧର ସମୟ ହେଇଗଲା । ତୁମ ପକ୍ଷର ଯୋଦ୍ଧା କାହିଁ ?”

 

ରେବେକା ଉତ୍ତର କଲେ, “ମୋ ପାଇଁ ଯୁଦ୍ଧ କରିବାକୁ ଏତେବେଳେଯାଏ କେହି ଆସି ନାହାନ୍ତି । ତଥାପି କେହି ଜଣେ ଆସିବ ବୋଲି ମୋର ଆଶା ଅଛି । ଆପଣମାନଙ୍କ ନିୟମ ଅନୁସାରେ ସୂର୍ଯ୍ୟ ଠିକ୍ ମୁଣ୍ଡଉପରକୁ ଆସିବା ପର୍ଯ୍ୟନ୍ତ ସମୟ ଅଛି । ସେତେବେଳ ସୁଦ୍ଧା ମୋ ପାଇଁ କେହି ଯୁଦ୍ଧ କରିବାକୁ ନ ଆସିଲେ ମୁଁ ମୋର ଭାଗ୍ୟକୁ ଆଦରି ଦଣ୍ଡ ଗ୍ରହଣ କରିବି ।”

 

ଲୋକଟି ଗ୍ରାଣ୍ଡମାଷ୍ଟରଙ୍କୁ ରେବେକାଙ୍କ ଉତ୍ତର ଜଣାଇ ଦେବାରୁ ସେ କହିଲେ, “ନିଶ୍ଚୟ, ଆମେ ସେ ପର୍ଯ୍ୟନ୍ତ ଅପେକ୍ଷା କରିବୁ । କାହାରିକୁ ଅନ୍ୟାୟରେ ଦଣ୍ଡ ଦେବା ଆମର ଉଦ୍ଦେଶ୍ୟ ନୁହେଁ ।”

 

ଏହି ଅବସରରେ ଗିଲବର୍ଟ ରେବେକାର ନିକଟକୁ ଯାଇ ଧୀର ସ୍ଵରରେ କହିଲେ, “ମୋର ପ୍ରସ୍ତାବ ଶୁଣ ରେବେକା ! ପାଖରେ ମୋର ଘୋଡ଼ା ଅଛି । ମୋ ପଛରେ ଘୋଡ଼ା ପିଠିରେ ବସିଯାଅ । ମୁଁ ଅଳ୍ପ ସମୟ ଭିତରେ ତୁମକୁ ନେଇ ଚାଲିଯିବି । ଏହାହିଁ ହେଉଛି ତୁମ ଜୀବନ ରକ୍ଷାର ଏକମାତ୍ର ଉପାୟ ।

 

ରେବେକା ଘୃଣା ସହକାରେ ଉତ୍ତର କଲେ, “ଏଠାରୁ ଚାଲିଯାଅ । ମୁଁ ତୁମର ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରୁଛି । ଏଠାରେ ସମସ୍ତେ ମୋର ଶତ୍ରୁ; କିନ୍ତୁ ସେମାନଙ୍କ ଭିତରେ ତୁମେ ହିଁ ହେଉଛ ସବୁଠାରୁ ଭୀଷଣ । ଯାଅ, ଚାଲିଯାଅ ।”

 

ଏଣେ ସମସ୍ତେ ଆକାଶକୁ ଚାହିଁଥାନ୍ତି । ସାମାନ୍ୟ କେତେ ଦଣ୍ଡ ପରେ ସୂର୍ଯ୍ୟ ମଧ୍ୟ–ଆକାଶକୁ ଆସିଯିବେ । ରେବେକାଙ୍କୁ ଏହି କାଷ୍ଠରେ ଦଗ୍‍ଧ କରାଯିବ । ଠିକ୍ ଏହି ସମୟରେ ଜଣେ ନାଇଟ୍ ଘୋଡ଼ା ଉପରେ ବସି ଯୁଦ୍ଧ ଭୂମିଆଡ଼କୁ ଆସୁଥିବାର ଦେଖାଗଲା । ଶତ ଶତ ଲୋକ ଚିତ୍କାର କରି ଉଠିଲେ, “ରେବେକା ପାଇଁ ଯୁଦ୍ଧ କରିବାକୁ ଜଣେ ନାଇଟ୍ ଆସୁଛନ୍ତି ।”

 

ନାଇଟ୍ ଯୁଦ୍ଧ ଭୂମିରେ ପ୍ରବେଶ କଲେ । ସେ ଦ୍ଵନ୍ଦ ଯୁଦ୍ଧ କରିବାର ଇଚ୍ଛା ପ୍ରକାଶ କଲେ-। ଗ୍ରାଣ୍ଡମାଷ୍ଟର ତାଙ୍କର ପରିଚୟ ନେଇ ଜାଣିଲେ ଯେ ସେ ହେଉଛନ୍ତି ଆଇଭାନହୋ ।

 

ଗିଲବର୍ଟ ଦେଖିଲେ, ଆଇଭାନହୋ ନିତାନ୍ତ ବିଷଣ୍ଣ ଓ ଅବସନ୍ନ ଦେଖାଯାଉ ଅଛନ୍ତି । ତାଙ୍କ ଘୋଡ଼ାଟି ମଧ୍ୟ ନିତାନ୍ତ କ୍ଲାନ୍ତ ବୋଲି ଜଣା ଯାଉଥିଲା । ଗିଲବର୍ଟ ତାଙ୍କୁ ଲକ୍ଷ୍ୟକରି କହିଲେ, “ତୁମର ଦେହରେ ଆଘାତର କ୍ଷତ ରହିଛି, ତୁମର ଘୋଡ଼ା ନିତାନ୍ତ କ୍ଲାନ୍ତ ଓ ଦୁର୍ବଳ । ଏପରି ଅବସ୍ଥାରେ ତୁମେ ମୋ ସଙ୍ଗେ ଯୁଦ୍ଧ କରିବ ? ଯାଅ, ନିଜକୁ ବଞ୍ଚାଅ ।”

 

କିନ୍ତୁ ଆଇଭାନହୋ ଗର୍ବ ସହକାରେ ଉତ୍ତର କଲେ, “ମୋ ପାଇଁ ତୁମର ଚିନ୍ତା କରିବା ଆବଶ୍ୟକ ନାହିଁ । ଏଥି ପୂର୍ବରୁ ତୁମେ ଦୁଇଥର ମୋ ବର୍ଚ୍ଛାର ଶକ୍ତି ପରୀକ୍ଷା କରିଛ । ସେ କଥା ଭୁଲି ନ ଥିବ ବୋଲି ମୋର ଆଶା । ଆସି ଯୁଦ୍ଧ କର; ନହେଲେ ସମଗ୍ର ଇଉରୋପ ଜାଣୁ, ଗିଲବର୍ଟ ଭୀରୁ, କାପୁରୁଷ ।”

 

ଗିଲବର୍ଟ ମୁହୂର୍ତ୍ତକ ପାଇଁ ରେବେକା ଆଡ଼କୁ ଅନାଇ ଦେଇ ପୁଣି ଆଇଭାନହୋଙ୍କୁ କହିଲେ, “ବେଶ୍, ତୁ ଯଦି ମରିବାକୁ ପ୍ରସ୍ତୁତ ମୋର ଆପତ୍ତି ନାହିଁ । ଆ, ଯୁଦ୍ଧ ଭୂମିରେ ମୋ କଥାର ପ୍ରମାଣ ଦେବି ।”

 

ଆଇଭାନହୋ ଦ୍ଵନ୍ଦ୍ୱଯୁଦ୍ଧ କରିବାକୁ ଅନୁମତି ମାଗିବାରୁ ଗ୍ରାଣ୍ଡମାଷ୍ଟର କହିଲେ, “ତୁମେ ଗିଲବର୍ଟଙ୍କ ସହିତ ଯୁଦ୍ଧ କରିପାର । କେବଳ ରେବେକା ତୁମକୁ ତା’ର ପ୍ରତିନିଧି ବୋଲି ଗ୍ରହଣ କଲେ ହେଲା ।”

 

ରେବେକା ସଙ୍ଗେ ସଙ୍ଗେ କହି ଉଠିଲା, “ମୁଁ ଆଇଭାନହୋଙ୍କୁ ମୋର ପ୍ରତିନିଧି ରୂପେ ଗିଲବର୍ଟଙ୍କ ସହିତ ଯୁଦ୍ଧ କରିବାକୁ ଅନୁରୋଧ କରୁଛି ।”

 

ଏହା ଶୁଣିଲା ମାତ୍ରେ ଆଇଭାନହୋ ଯୁଦ୍ଧ ଭୂମିରେ ଛିଡ଼ା ହୋଇଗଲେ । ରେବେକା ତାଙ୍କ ଆଡ଼କୁ ଚାହିଁ ଅନୁତାପ କଲାପରି କହିଲେ, “ବୀର ଆଇଭାନହୋ, ଏହି ଗିଲବର୍ଟର ସ୍ଵଭାବ ନିତାନ୍ତ ଉଦ୍ଧତ, ନିତାନ୍ତ ନିଷ୍ଠୁର । ଏ ଯୁଦ୍ଧରେ ତୁମର ଅବସ୍ଥା କଅଣ ହେବ କିଏ ଜାଣେ ? କାହିଁକି ମୁଁ ନିଜର ମରଣ ସଙ୍ଗେ ଜଣେ ନିରୀହ ନିର୍ଦ୍ଦୋଷ ଲୋକର ମୃତ୍ୟୁର କାରଣ ହେବାକୁ ଗଲି । ଆଇଭାନହୋଙ୍କର ଶରୀରରେ ବଳ ନାହିଁ । ତାଙ୍କର କ୍ଷତ ଆରୋଗ୍ୟ ଲାଭ କରି ନାହିଁ । ହରି ଭରସା ।”

 

ଗିଲବର୍ଟ ଓ ଆଇଭାନହୋ ନିଜ ନିଜ ଘୋଡ଼ାରେ ବସି ହାତରେ ବର୍ଚ୍ଛା ଧରି ପରସ୍ପରକୁ ଚାହିଁ ରହିଲେ । କେବଳ ଯୁଦ୍ଧର ସଙ୍କେତକୁ ଅପେକ୍ଷା ।

 

ସଙ୍କେତ ଦିଆଯିବା ମାତ୍ରେ ବିଲବର୍ଟ ଆଇଭାନହୋଙ୍କ ଉପରକୁ ବର୍ଚ୍ଛା ନିକ୍ଷେପ କଲେ । ଆଇଭାନହୋଙ୍କ ଘୋଡ଼ାଟି ତଳେ ପଡ଼ିଗଲା । ଏହି ମୁହୂର୍ତ୍ତକ ମଧ୍ୟରେ ଆଇଭାନହୋଙ୍କର ବର୍ଚ୍ଛା ମଧ୍ୟ ଗିଲବର୍ଟଙ୍କ ଢାଲକୁ ଆଘାତ କରିଥିଲା । ଗିଲବର୍ଟ ତଳେ ପଡ଼ିଗଲେ । ଆଇଭାନହୋ ତଳୁ ଉଠି ପଡ଼ି ନିଜର ଖଣ୍ଡାଧାର ଗିଲବର୍ଟଙ୍କ ଆଡ଼କୁ ଦଉଡ଼ି ଗଲେ ଏବଂ ତାଙ୍କ ଛାତି ଉପରେ ପାଦ ଓ ଗଳା ଉପରେ ଖଣ୍ଡାର ଅଗ୍ରଭାଗ ରଖି କହିଲେ, “ଦୁଷ୍ଟ, ମୋର ବଶ୍ୟତା ସ୍ଵୀକାର କର, ନ ହେଲେ ତୋର ମୃତ୍ୟୁ ନିଶ୍ଚିତ ।

 

ଗ୍ରାଣ୍ଡମାଷ୍ଟର ଉଠିଯାଇ ଆଇଭାନହୋଙ୍କୁ କହିଲେ, “ଯୁଦ୍ଧ ଶେଷ ହୋଇଯାଇଅଛି, ତୁମେ ବିଜୟୀ । ତୁମର ପ୍ରତିପକ୍ଷକୁ ଛାଡ଼ିଦିଅ ।”

 

ଆଇଭାନହୋ ଗିଲବର୍ଟଙ୍କ ଛାତିରୁ ପାଦ ଉଠାଇ ଆଣିଲେ । ତାଙ୍କ ଗଳା ଉପରୁ ଖଣ୍ଡା ଉଠାଇ ନେଇ କହିଲେ, “ଅଧମ, ଏବେ ପ୍ରାଣ ନେଇଯାଅ ।”

 

କିନ୍ତୁ ଗିଲବର୍ଟ ହଲଚଲ ହେଲେ ନାହିଁ । ଟେମ୍ପଲାର ନାଇଟ୍‍ମାନେ ତାଙ୍କ ପାଖକୁ ଆସି ଦେଖିଲେ ଯେ ତାଙ୍କର ମୃତ୍ୟୁ ହୋଇ ଯାଇଅଛି । ଗ୍ରାଣ୍ଡମାଷ୍ଟର ଏତିକିମାତ୍ର କହିଲେ, “ଇଶ୍ୱରଙ୍କର ଇଚ୍ଛା ପୂର୍ଣ୍ଣ ହୋଇଅଛି ।”

 

ସେ ଘୋଷଣା କରି ସମସ୍ତଙ୍କୁ ଜଣାଇ ଦେଲେ–ଦ୍ଵନ୍ଦ୍ୱଯୁଦ୍ଧରେ ଆଇଭାନହୋ ବିଜୟୀ ହୋଇ ଅଛନ୍ତି । ରେବେକା ନିର୍ଦ୍ଦୋଷରେ ମୁକ୍ତ ହେଲେ ।

 

ଏହି ସମୟରେ ରାଜା ରିଚାର୍ଡ଼ ବହୁ ସଂଖ୍ୟକ ଅଶ୍ୱାରୋହୀ ନାଇଟ୍‍ ଓ ସୈନ୍ୟଙ୍କ ସହିତ ସେହି ପ୍ରାନ୍ତରରେ ଉପସ୍ଥିତ ହେଲେ । ସେ ଥରେ ଚାରିଆଡ଼କୁ ଚାହିଁ କହିଲେ, “ମୋର ଇଚ୍ଛା ଥିଲା, ଗିଲବର୍ଟ ସହିତ ଯୁଦ୍ଧ କରି ତାକୁ ସ୍ଵହସ୍ତରେ ବଧ କରିଥାନ୍ତି । ଦୈବ ତାହା କରାଇ ଦେଲା ନାହିଁ; କିନ୍ତୁ ମୋର ଉଦ୍ଦେଶ୍ୟ ସିଦ୍ଧି ହୋଇଅଛି ।” ତା’ପରେ ଆଇଭାନହୋଙ୍କୁ ଚାହିଁ କହିଲେ, “ତୁମେ ଏପରି ଅବସ୍ଥାରେ ଯୁଦ୍ଧ କରିବାକୁ ଆସିବା କ’ଣ ଉଚିତ ଥିଲା । ଯାହାହେଉ, ସେ କଥା ବିଚାରିବାର ସମୟ ଏ ନୁହେଁ । ମାର୍ଶଲ, ଆପଣଙ୍କର କର୍ତ୍ତବ୍ୟ କରନ୍ତୁ ।”

 

ଜଣେ ନାଇଟ୍ ଘୋଡ଼ାରୁ ଓହ୍ଲାଇ ପଡ଼ି ମାଲଭୋଇସିନଙ୍କ କାନ୍ଧରେ ହାତ ରଖି କହିଲେ, “ଇଂଲଣ୍ଡର ମହାମାନ୍ୟ ରାଜାଙ୍କ ଆଦେଶରେ ଲର୍ଡ଼ ମାର୍ଶଲ ଭାବରେ ମୁଁ ତୁମକୁ ରାଜଦ୍ରୋହ ଅପରାଧରେ ଗିରଫ କରୁଛି ।

 

ଗ୍ରାଣ୍ଡମାଷ୍ଟର ଏଥିରେ ଆପତ୍ତି କରି କହିଲେ, “ଏ ଆଦେଶ ବିରୁଦ୍ଧରେ ଆମେ ଯୁଦ୍ଧ କରିବୁ ।”

 

ରାଜା ରିଚାର୍ଡ଼ ଶାନ୍ତ ସ୍ଵରରେ କହିଲେ, “ତୁମେ ଯୁଦ୍ଧ କରି ନ ପାର । ଦେଖ, ଟେମ୍ପଲଷ୍ଟୋ ଦୁର୍ଗ ଉପରେ ତୁମ ପତାକା ପରିବର୍ତ୍ତେ ମୋର ରାଜକୀୟ ପତାକା ଉଡ଼ୁଛି । ଧୀର ଭାବରେ ଏଠାରୁ ଚାଲିଯାଅ । ନଚେତ୍ ଏଠାରେ ରହି ତୁମର ଅନୁଚରମାନଙ୍କର କିପରି ବିଚାର କରାହେବ ତାହା ଦେଖ । ସେମାନେ ଦେଶର ରାଜଶକ୍ତି ବିରୋଧରେ ବିଦ୍ରୋହ କରିଛନ୍ତି ।”

 

ଗ୍ରାଣ୍ଡମାଷ୍ଟର ନିଜର ଅନୁଚରମାନଙ୍କୁ କହିଲେ–ମୋର ପତାକା ଅନୁସରଣ କର । ଗ୍ରାଣ୍ଡମାଷ୍ଟରଙ୍କ ପଛେ ପଛେ ତାଙ୍କ ଅନୁଚରମାନେ ସ୍ଥାନ ତ୍ୟାଗ କରି ଚାଲିଗଲେ ।

 

ସହସ୍ର ସହସ୍ର ଲୋକ ରାଜାଙ୍କର ଜୟଗାନ କରି ଚିତ୍କାର କଲେ–“ଆମର ରାଜା ରିଚାର୍ଡ଼ ଦୀର୍ଘଜୀବୀ ହୁଅନ୍ତୁ ।”

 

ରାଜା ରିଚାର୍ଡ଼ ଆଇଭାନହୋଙ୍କଠାରୁ ସମ୍ବାଦ ପାଇଲ ଯେ ଜନ୍‍ଙ୍କର ବନ୍ଧୁମାନେ ଦେଶ ତ୍ୟାଗ କରିଅଛନ୍ତି । ନିଜେ ଜନ୍ ଆସି ରାଜାଙ୍କଠାରୁ କ୍ଷମାଭିକ୍ଷା କଲେ । ରିଚାର୍ଡ଼ଙ୍କର ସମସ୍ତ କଣ୍ଟକ ଦୂର ହେଲା ।

ଯଥାସମୟରେ ସେଡ଼୍ରିକ ଆସି ରାଜାଙ୍କ ସହିତ ସାକ୍ଷାତ କଲେ । ତାଙ୍କର ଆଶଙ୍କା ଥିଲା ଯେ ରାଜା ତାଙ୍କ ଉପରେ ବିରକ୍ତ ହେବେ; କିନ୍ତୁ ତାହା ପରିବର୍ତ୍ତେ ସେ ସେଡ଼୍ରିକଙ୍କୁ ଆଦରରେ ଗ୍ରହଣ କଲେ । ରାଜାଙ୍କ ପ୍ରସ୍ତାବ ଅନୁସାରେ ଆଇଭାନହୋ ରାଓଏନାଙ୍କୁ ବିବାଦ କରିବାର ସ୍ଥିର ହେଲା ।

ଟର୍କୁଇଲଷ୍ଟୋନ ଦୁର୍ଗରେ ଗିଲବର୍ଟ ଏଥେଲଷ୍ଟେନଙ୍କୁ ଯେଉଁ ଆଘାତ କରିଥିଲେ ସେଥିରେ ତାଙ୍କର ମୃତ୍ୟୁ ହୋଇଥିଲା ବୋଲି ପ୍ରଚାର ହୋଇଯାଇଥିଲା; କିନ୍ତୁ ପ୍ରକୃତରେ ତାଙ୍କର ମୃତ୍ୟୁ ହୋଇ ନ ଥିଲା; କେବଳ ସେ ମୃତବତ୍ ପଡ଼ିଥିଲେ । ଅନେକ କଷ୍ଟ ଭୋଗିବା ପରେ ସେ ଆରୋଗ୍ୟ ଲାଭ କରିଥିଲେ । ସେ ଏଥିମଧ୍ୟରେ ବଦଳି ଯାଇଥିଲେ । ରାଓଏନାଙ୍କର ଆଇଭାନହୋଙ୍କ ସହିତ ବିବାହରେ ସେ ଲବମାତ୍ର ଆପତ୍ତି କଲେ ନାହିଁ ।

ୟର୍କଠାରେ ବିବାହଉତ୍ସବ ସମ୍ପନ୍ନ ହେଲା । ସ୍ଵୟଂ ରାଜା ରିଚାର୍ଡ଼ ନବଦମ୍ପତିଙ୍କୁ ଆଶୀର୍ବାଦ ଦେଲେ ।

ରେବେକା କେତେକ ମୂଲ୍ୟବାନ ଅଳଙ୍କାର ଉପହାର ଦେଇ ରାଓଏନାଙ୍କ ଠାରୁ ବିଦାୟ ନେଲେ ଓ ନିଜ ପିତା ଆଇଜାକ୍‍ଙ୍କ ସହିତ ସ୍ପେନ୍‍କୁ ଚାଲିଗଲେ ।

ଆଇଭାନହୋ ରାଜାଙ୍କ ଅନୁଗ୍ରହ ଲାଭକରି ଦିନକୁ ଦିନ ଉଚ୍ଚ ଆସନର ଅଧିକାରୀ ହେଲେ ।

Image